Unknown

 

 

 

 

 

 

 

 

 

୧୪୧ ତମ ସଂଖ୍ୟା କୋଣାର୍କ ୨୦୦୬

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

ଆଧୁନିକ ଓଡ଼ିଆ ସାହିତ୍ୟ ବିଶେଷାଙ୍କ

 

ଡକ୍ଟର ଗଣେଶ୍ୱର ମିଶ୍ର

ଉପଦେଷ୍ଟା

 

ଇଂ ପ୍ରଭାକର ସ୍ୱାଇଁ

ସମ୍ପାଦକ

 

ରବୀନ୍ଦ୍ରନାଥ ଦାସ

ପରିଚାଳନା ସମ୍ପାଦକ

 

ଡକ୍ଟର ହୁସେନ୍ ରବିଗାନ୍ଧୀ

ମୁଖ୍ୟ ସମ୍ପାଦକ

 

ଡକ୍ଟର ବିଜୟାନନ୍ଦ ସିଂହ

ସମ୍ପାଦକ

 

ଓଡ଼ିଶା ସାହିତ୍ୟ ଏକାଡେମୀ

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ ।

 

 

ବିଷୟ ସୂଚୀ

 

 

ସମ୍ପାଦକୀୟ

 

ହୁସେନ୍ ରବିଗାନ୍ଧୀ

 

ପ୍ରବନ୍ଧ

 

 

୧.

ଓଡ଼ିଆ ଉପନ୍ୟାସର ସମକାଳ

 

କଇଳାଶ ପଟ୍ଟନାୟକ

୨.

ସମକାଳୀନ ଓଡ଼ିଆ ଶିଶୁ ସାହିତ୍ୟ

 

ଦାଶ ବେନହୁର

୩.

ସମକାଳୀନ ଓଡ଼ିଆ ଭ୍ରମଣ ସାହିତ୍ୟ

 

ପ୍ରସନ୍ନ କୁମାର ସ୍ୱାଇଁ

୪.

ସାମ୍ପ୍ରତିକ ଓଡ଼ିଆ କଥା ସାହିତ୍ୟ

 

ଦୀପ୍ତିରଞ୍ଜନ ପଟ୍ଟନାୟକ

୫.

ସାହି ମହାଭାରତ – ଓଡ଼ିଆ ସାହିତ୍ୟର

ଆଧୁନିକ ପୁରାଣ

 

ସତ୍ୟନାରାୟଣ ସାହୁ

୬.

ନବ ଚେତନାର ଆଲୋକରେ

ସମକାଳୀନ ଓଡ଼ିଆ ଗଳ୍ପ

 

ମଣୀନ୍ଦ୍ର କୁମାର ମେହେର

୭.

ସମକାଳୀନ ଓଡ଼ିଆ

ସାହିତ୍ୟଧାରାରେ ଅନୁବାଦ

 

ବିବେକାନନ୍ଦ ପାଣିଗ୍ରାହୀ

୮.

ବସନ୍ତ ଶତପଥୀଙ୍କ ରମ୍ୟ

ରଚନା : ଏକ ଦୃଷ୍ଟିପାତ

 

ମନ୍ମଥ କୁମାର ପ୍ରଧାନ

୯.

ଆଧୁନିକ ଓଡ଼ିଆ କବିତାର ପ୍ରଥମ କାବ୍ୟ

ପୁରୁଷ : ବିଦ୍ରୋହୀ ମହାକବି ଭୀମ ଭୋଇ

 

ହାଡ଼ିବନ୍ଧୁ ମିର୍ଦ୍ଧା

୧୦.

ସାରଳା ମହାଭାରତ ଓ ଉତ୍କଳୀୟ ପରମ୍ପରା

 

ପ୍ରଭାକର ସ୍ୱାଇଁ

୧୧.

ଆଧୁନିକ ଓଡ଼ିଆ କବିତାରେ ଗଣବାଦୀସ୍ୱର

 

ବାଞ୍ଛାନିଧି ଦାସ

୧୨.

ନୂପୁର

 

ପଞ୍ଚାନନ ମିଶ୍ର

 

କବିତା

 

 

୧୩.

ଅରାଏ ମୁଥା ଘାସ

 

ଶୁଭଶ୍ରୀ ଲେଙ୍କା

୧୪.

ସକାଳର ଖରା କାଟେ ନାହିଁ

 

ସରୋଜ ବଳ

୧୫.

ଜୋତା

 

ଦୁର୍ଗା ପ୍ରସାଦ ପଣ୍ଡା

 

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମରେ ୧୯-ଡି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ୱତ ପତ୍ରିକାର ସ୍ଵତ୍ୱ ଆଦି ସମ୍ବନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୩୦/- (ବିଶେଷ ସଂଖ୍ୟା ବ୍ୟତୀତ)

୬.

ପ୍ରକାଶକଙ୍କ ନାମ

ଶ୍ରୀ ରବୀନ୍ଦ୍ରନାଥ ଦାସ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସମ୍ପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର

୭.

ମୁଦ୍ରାକରଙ୍କ ନାମ

ଭୋଳାନାଥ ଦାଶ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଦାଶ ପ୍ରିଣ୍ଟର୍ସ, କଟକ

୮.

ସମ୍ପାଦକଙ୍କ ନାମ

ଡକ୍ଟର ହୁସେନ୍ ରବି ଗାନ୍ଧୀ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଉପ-ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ

ଦାଶ ପ୍ରିଣ୍ଟର୍ସ, ଦରଘା ବଜାର, କଟକ-୧

୧୦.

ସ୍ଵତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଶ୍ରୀ ରବୀନ୍ଦ୍ରନାଥ ଦାସ, ସମ୍ପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ଵାସମତେ ସତ୍ୟ ଅଟେ ।

 

 

ରବୀନ୍ଦ୍ରନାଥ ଦାସ

ସମ୍ପାଦକ, ଓଡ଼ିଶା ସାହିତ୍ୟ ଏକାଡେମୀ

 

ସମ୍ପାଦକୀୟ.....

ଆସନ୍ତାକାଲିର ସାରସ୍ୱତ ସାଧକଙ୍କ ପାଇଁ

 

ନିଜ ତିରୋଧାନର ମାତ୍ର କିଛି ମାସ ପୂର୍ବରୁ ମହାକବି ସଚ୍ଚି ରାଉତରାୟଙ୍କ ଶେଷ କବିତା ସଙ୍କଳନ, “କବିତା-୨୦୦୩” ପ୍ରକାଶିତ ହୋଇଥିଲା । ସଚ୍ଚିବାବୁ କେବଳ ମହାକବି ନଥିଲେ, କଥା ସାହିତ୍ୟ (ଖୁବ୍ କମ୍ ହେଲେ ବି) କ୍ଷେତ୍ରରେ ମଧ୍ୟ ସେ ଥିଲେ ଅନନ୍ୟ । ତେଣୁ ଆଜି ‘କୋଣାର୍କ’ର ଆଧୁନିକ ଓଡ଼ିଆ ସାହିତ୍ୟ ବିଶେଷାଙ୍କ ପ୍ରକାଶ ଅବସରରେ ତାଙ୍କର ସେହି ‘‘କବିତା-୨୦୦୩”ର “ଭୂମି ଓ ଭୂମିକା”ରେ ସ୍ଵଲିଖିତ ମତାମତ ଏଠାରେ ଉଦ୍ଧାର କରିବା ପ୍ରାସଙ୍ଗିକ ମନେ କରୁଛି । ସେ ନିଜ ‘ଭୂମି ଓ ଭୂମିକା’ରେ ଲେଖିଛନ୍ତି । “କବିତା-୨୦୦୩” ପ୍ରକାଶ ପାଇଲା : ଏଥିରେ ମୋ ଜୀବନର ଶେଷ ଅନୁଭୂତି ପ୍ରତିଫଳିତ ହେବା ସ୍ୱାଭାବିକ । କବିତା ବା ଯେକୌଣସି ସାହିତ୍ୟ ଲେଖାହେଲା ପରେ ତାହା ଲେଖକର ବ୍ୟକ୍ତିଗତ ଅଧିକାରରୁ ମୁକୁଳିଯାଇ ସମଗ୍ର ସମାଜର ବା ପାଠକ ମଣ୍ଡଳୀର ଅଧିକାରଭୁକ୍ତ ହୋଇଯାଏ । ତେଣୁ ଏ ପୁସ୍ତକର କବିତାଗୁଡ଼ିକ ସମ୍ବନ୍ଧରେ ମୋ ଅପେକ୍ଷା ପାଠକମାନଙ୍କ ମତାମତ ହିଁ ଅଧିକ ଗ୍ରହଣୀୟ ।

 

ସାହିତ୍ୟ ଜୀବନ ଯାହା ବଞ୍ଚି ନାହିଁ : ଜୀବନର ସମସ୍ତ ଦର୍ଶନ ଓ ଦୃଷ୍ଟିକୋଣ ଏଥିରେ ପ୍ରତିଫଳିତ ନ ହେବାର ଉପାୟ ନାହିଁ : ଏଥିସକାଶେ କାର୍ଲମାର୍କ୍ସ କହିଛନ୍ତି ‘‘All Art is Propaganda, But all Propaganda is not Art.’’

 

Art ବା ସାହିତ୍ୟ ସୃଷ୍ଟି ଯେତେ ପ୍ରଚ୍ଛନ୍ନ ରହେ, ସେତେ ଏହା ରସୋତ୍ତୀର୍ଣ୍ଣ; ଏହା ମାର୍କ୍ସଙ୍କ ମତ । ତେଣୁ ମାର୍କ୍ସଙ୍କ ମତରେ ‘‘Art lies in concealing it ’’। ଆମ ସମାଜ ଆଜି ସଭ୍ୟତାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୋଭିଏତ୍ ରାଷ୍ଟ୍ରର ପତନ ଓ ନୂତନ ବିଶ୍ଵାୟନ ବା ଜଗତୀକରଣ ନୀତିର ପ୍ରବର୍ତ୍ତନ ସଭ୍ୟତାକୁ ଦିଗଭ୍ରଷ୍ଟ କରିଛି, ଏହା ଫଳରେ ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ ବିଶ୍ୱର ଅର୍ଥନୀତିକୁ ନିଜ ସ୍ୱାର୍ଥର ଅନୁକୂଳ କରିବା ଦିଗରେ ପଦକ୍ଷେପ ନେବା ସଙ୍ଗେ ସଙ୍ଗେ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ନିଜ ଅକ୍ତିଆରରେ ରଖିବାକୁ ଚେଷ୍ଟା କରିବେ । ଇରାକ୍‍‍ରେ ମାର୍କିନ୍‍ ଗଣତନ୍ତ୍ର ଯେପରି ନିରଙ୍କୁଶ ଆକ୍ରମଣ ଚଳାଇଛି, ଏହା ତହିଁର ଏକ ଦୃଷ୍ଟାନ୍ତ । ପ୍ରତ୍ୟେକ ସାହିତ୍ୟିକ ଚାହାନ୍ତି ବିଶ୍ୱ ମାନବିକ ମୂଲ୍ୟବୋଧରୁ ସାହିତ୍ୟ ବିଚ୍ୟୁତ ନ ହେଉ, ଏହା ଚିରଦିନ ମାନବବାଦର ପରିସରଭୁକ୍ତ ହେଉ ।

 

ସମ୍ପ୍ରତି ଓଡ଼ିଆ ସାହିତ୍ୟରେ କବିତା ଓ ଉପନ୍ୟାସରେ ଏକ ପଳାୟନ ମନୋବୃତ୍ତି ଦେଖାଦେଇଛି । ଲେଖକ /ଲେଖିକାମାନେ ସମସାମୟିକ ବାସ୍ତବତାକୁ ଛାଡ଼ି ୪/୫ ହଜାର ବର୍ଷ ପଛକୁ ଯାଇ ସାହିତ୍ୟ ରଚନା କରିଛନ୍ତି । ସାହିତ୍ୟ ପଟ ବିଚାରକୁ ଛାଡ଼ି ତିଷ୍ଠି ପାରେନା । ରାମାୟଣ ଓ ମହାଭାରତ ଯୁଗର ଉତ୍ପାଦନ ପ୍ରଣାଳୀ ଓ ସେଥିରୁ ଜନ୍ମଲଭି ଥିବା ସମାଜ ସମ୍ପର୍କ ଏବଂ ମୂଲ୍ୟବୋଧ କିପରି ଥିଲା, ତାହା ବିଚାର ନ କରି ଆଜିର ମୂଲ୍ୟବୋଧ ଓ ଆଜିର ସମାଜ ସମ୍ପର୍କକୁ ସେମାନେ ଧ୍ରୁବସତ୍ୟ ବୋଲି ଧରି ନେଇଛନ୍ତି । ଫଳରେ ସେମାନଙ୍କ ସାହିତ୍ୟ ଯୁଗୋପଯୋଗୀ ହୋଇପାରୁ ନାହିଁ । ଏହା ଆଦୌ ସୃହଣୀୟ ନୁହେଁ । ପଟ ବିଚାରକୁ ଛାଡ଼ି ସାହିତ୍ୟର ସଠିକ୍ ମୂଲ୍ୟାୟନ ହୋଇପାରେନା ।’’

 

ମହାକବିଙ୍କ ଏ ଉକ୍ତିଟି ଏଠାରେ ଏଇଥିପାଇଁ ଉଦ୍ଧାର କରିବାକୁ ହେଲା ଯେ; ଏବେ ଆଧୁନିକ/ଉତ୍ତର ଆଧୁନିକ/ଅତ୍ୟାଧୁନିକତାର ଦ୍ୱାହୀ ଦେଇ ଯେଉଁମାନେ ଆଗଧାଡ଼ି ସାହିତ୍ୟିକର ମର୍ଯ୍ୟାଦା ଦାବି କରୁଛନ୍ତି, ସେମାନେ ପାଠକଙ୍କ ପଟରେ ଅଛନ୍ତି ତ ? ସାହିତ୍ୟ ପଟ ବିଚାରକୁ ଛାଡ଼ି ତିଷ୍ଠି ପାରେନା । ଏବର ଅକାଂଶ ଆଗଧାଡ଼ିର ସାହିତ୍ୟିକ କେଉଁ ପଟରେ ଅଛନ୍ତି ? ଲୋକଙ୍କ ସହିତ ନିଜର ସମ୍ପର୍କକୁ ଏଇ ତଥାକଥିତ ଆଗଧାଡ଼ିର ଲେଖକମାନେ କେବେ ତର୍ଜମା କରିଛନ୍ତି ? ଓଡ଼ିଆ ସାହିତ୍ୟରେ କିଛି ସ୍ରଷ୍ଟା ଜ୍ଞାନପୀଠ, ସରସ୍ୱତୀ, ସାରଳା ବା ଗଙ୍ଗାଧର ରଥ ଫାଉଣ୍ଡେସନ୍‍ର ପୁରସ୍କାରରେ ବିମଣ୍ଡିତ ହୋଇଛନ୍ତି ସତ୍ୟ, ମାତ୍ର ସେମାନଙ୍କ ଭିତରେ କେତେଜଣ ଅରୁନ୍ଧତୀ ରାୟ, କେତେଜଣ ମହାଶ୍ୱେତା ଦେବୀ, କେତେଜଣ ଜାବେଦ୍ ଅଖ୍‍ତାର ବା କେତେଜଣ ନାମ୍‍ୱର ସିଂହ ଅଛନ୍ତି ? ଦୁଃଖର କଥା ରବି ସିଂହ, ବ୍ରଜନାଥ ରଥ ବା ଏବର କୁମାର ହସନ୍‍, କୁଳମଣି ଜେନା, ପୀତାମ୍ବର ତରାଇ, ଲେନିନ୍ କୁମାର, ସମରେନ୍ଦ୍ର ନାୟକଙ୍କ ପରି ହାତଗଣତିର କିଛି କବିଙ୍କୁ ଛାଡ଼ି ଦେଲେ, ଅନ୍ୟମାନେ ନିଜ ସମୟ ପ୍ରତି ଉଦାସୀନ, ଈଶ୍ୱରଙ୍କ ପରି ଚୁପ୍ । ତେଣୁ ସେଇ ତୁଣ୍ଡୀବନ୍ଧା ଚିନ୍ତା, ବନ୍ଧା ପଡ଼ିଥିବା କଲମରୁ ୪/୫ ହଜାର ବର୍ଷ ତଳର ବିଷୟ ବସ୍ତୁକୁ ନେଇ ‘ମମ୍ମି’ ପ୍ରାପ୍ତ ସାହିତ୍ୟ ସୃଷ୍ଟି ନ ହୋଇ କ’ଣ ଜୀବନ୍ତ ସାହିତ୍ୟ ସୃଷ୍ଟି ହୋଇପାରିବ ? ଅବଶ୍ୟ ମନୋଜ ଦାସ, ଶାନ୍ତନୁ ଆଚାର୍ଯ୍ୟ, ବୀଣାପାଣି ମହାନ୍ତିଙ୍କ ଭଳି ହାତ ଗଣତିର କଥାକାର ଏଥିରୁ ଉଦ୍ଧରେ । ନୂଆପିଢ଼ୀର ସୁସ୍ମିତା ରଥ, ଦେବବ୍ରତ ମଦନ ରାୟ, । ଗିରିଦଣ୍ଡସେନା ପ୍ରମୁଖ କିଛି କଥାକାର ଲୋକଙ୍କ ପଟରେ ରହିଛନ୍ତି ।

 

୧୯୮୪ରେ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିବା ଚେକ୍ କବି ଜେରୋସ୍ଲାଭ୍ ସେଇଫର୍ତଙ୍କ ଗୋଟିଏ ଉକ୍ତି ପ୍ରଣିଧାନଯୋଗ୍ୟ । ସେ ନୋବେଲ ପୁରସ୍କାର ଗ୍ରହଣ ବେଳେ ଦିଆଯାଇଥିବା ନିଜ ବକ୍ତବ୍ୟରେ କହିଥିଲେ, ‘‘If an ordinary person is silent, it may be a tactical manoeuvre. If a writer is silent, he is lying.’’ ଅର୍ଥାତ୍ ଯଦି ଜଣେ ସାଧାରଣ ମଣିଷ ନୀରବ ରୁହେ, ହୁଏତ ତାହା ଏକ କୌଶଳପୂର୍ଣ୍ଣ ବା ପ୍ରତାରଣାମୂଳକ ଚାଲ୍ ହୋଇପାରେ, ମାତ୍ର ଯଦି ଲେଖକଟି ଚୁପ୍ ରହେ, ସେ ମିଥ୍ୟାବାଦୀ । ଏଥର ଚିନ୍ତା କରନ୍ତୁ ତ, ଆମ ସମୟର କେତେଜଣ ଲେଖକ ସତ୍ୟବାଦୀ ?

 

ସାମ୍ପ୍ରତିକ ସମାଜ ଏକ ଭୟଙ୍କର ଅବସ୍ଥା ଦେଇ ଗତି କରୁଛି । ଜଗତୀକରଣ ନାମରେ ଶେଷରେ ଏ ଦେଶର ଡାଲି, ଚାଉଳ ବିକ୍ରି କରୁଥିବା, ରାସ୍ତାକଡ଼ରେ ବସି ପନିପରିବା ବିକ୍ରି କରି କୁଟୁମ୍ବ ପୋଷୁଥିବା ଲୋକଙ୍କୁ ହଟେଇ ଦରିଆପାରି ବହୁଦେଶୀୟ ଶିଳ୍ପଗୋଷ୍ଠୀଙ୍କୁ ଏହି ସବୁ ବ୍ୟବସାୟ ଟେକି ଦେବା ପାଇଁ ଶାସକମାନଙ୍କ ହୀନ ଷଡ଼ଯନ୍ତ୍ର ବିରୁଦ୍ଧରେ କେତେଜଣ ଲେଖକ ମୁହଁ ଖୋଲିଛନ୍ତି ? ଖଣିଖାଦାନ୍‍କୁ ଶାଗ-ମାଛ ମୂଲ୍ୟରେ ଶିଳ୍ପପତିମାନଙ୍କୁ ଟେକି ଦେଇ ସେଇ ଅଞ୍ଚଳର ଜନଜାତିର ଲୋକଙ୍କୁ ଉଦବାସ୍ତୁ ହେବାକୁ ବାଧ୍ୟ କରୁଥିବା ଲୋକଙ୍କ ପଟ ନେଇ କେତେଜଣ ତଥାକଥିତ ଆଗଧାଡ଼ିର ସାହିତ୍ୟିକ ଦାଣ୍ଡକୁ ଗୋଡ଼ କାଢ଼ିଛନ୍ତି ?

 

ଅତି ଦୁଭାର୍ଗ୍ୟର କଥା, ଓଡ଼ିଆ ସାହିତ୍ୟର ଇତିହାସ, ଆଲୋଚନା, ଭାବାର୍ଥ ଓ ବଡ଼ିମା ପ୍ରଚାର ପାଇଁ ଅଣ୍ଟାଭିଡ଼ିଥିବା କିଛି ଅଧ୍ୟାପକ ଏଇ ତଥାକଥିତ ଆଗଧାଡ଼ିର ସାହିତ୍ୟିକଙ୍କର ମିଥ୍ୟା ଜୟ-ଜୟକାରର ଯେଉଁ ନାରା ତୋଳୁଛନ୍ତି, ତାହା ସେମାନଙ୍କର ନିହିତ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ।

 

ଆଶ୍ୱାସନାର କଥା, ଏବେ କିଛି ହେତୁବାଦୀ, ବୁଦ୍ଧିଜୀବୀ, ଲେଖକ, ନାଟ୍ୟକାର, ଶିଳ୍ପୀ, ସଂଗୀତଜ୍ଞ ଏଇ ଦୁର୍ଗନ୍ଧପୂର୍ଣ୍ଣ ସାମାଜିକ ବାତାବରଣକୁ ସଫା କରିବା ପାଇଁ ଆଗେଇ ଆସିଛନ୍ତି । ସେ ଭିତରେ ଜନବାଦୀ ଲେଖକ ଗୋଷ୍ଠୀ, ଦଳିତ ସାହିତ୍ୟ ସ୍ରଷ୍ଟା ଓ ସ୍ଥିତାବସ୍ଥା ବିରୋଧି ସାରସ୍ୱତ ସାଧକମାନେ ସାମ୍ନାକୁ ଆସିବାକୁ ସାହାସ ବାନ୍ଧିଲେଣି । ଭୀମ ଭୋଇଙ୍କ ପରି ଶହେବର୍ଷ ଯାଏ ଅପାଂକ୍ତେୟ ହୋଇ ରହିବାକୁ ପ୍ରସ୍ତୁତ ହୋଇ ସେମାନେ କଲମ ଧରିଲେଣି ଜଗତର ଉଦ୍ଧାର ପାଇଁ-। ଦିନ ହୁଏତ ଆସିବ, ରାୟବାହାଦୂର ରାଧାନାଥଙ୍କ ପ୍ରତିମୂର୍ତ୍ତିରେ କାଉ ବିଷ୍ଠା ତ୍ୟାଗ କରୁଥିବାବେଳେ ବିଦ୍ରୋହୀ ସନ୍ଥ କବି ଭୀମ ଭୋଇଙ୍କ ସମାଧିରେ ଜନଗଣ ଉତ୍ସବ ପାଳନ କରୁଥିବା ପରି, ଏଇ ମସୀ ଯୋଦ୍ଧାମାନେ ଭବିଷ୍ୟତର ସମାଜ ସର୍ଜନାର ମଙ୍ଗୁଆଳ ସାଜିଥିବେ । କାରଣ ଏକ ନୂଆ ସମାଜ ତିଆରି କରିବା ପାଇଁ ନିଜର ବର୍ତ୍ତମାନକୁ ବଳିବେଦୀରେ ଉତ୍ସର୍ଗ କରି ଦେଉଥିବା ଏହି ସାହିତ୍ୟିକମାନେ ହିଁ ଆସନ୍ତାକାଲିର ସାହିତ୍ୟ ସ୍ରଷ୍ଟାର ମାନ୍ୟତା ଲାଭ କରିବେ । ଆଜି ଆମ ସାହିତ୍ୟରେ ଆନ୍ତର୍ଜାତିକ ଚେତନା ଅଭାବରୁ ଇରାକ୍ ସମେତ ପୃଥିବୀରେ ଯେଉଁଠି ସାମ୍ରାଜ୍ୟବାଦୀ ଆକ୍ରମଣ ଓ ଲୁଣ୍ଠନ ହେଉଛି, ଆମ ସାରସ୍ୱତ ସୃଷ୍ଟିରେ ପ୍ରାୟତଃ ତା’ର ଝଲକ ଦେଖିବାକୁ ମିଳୁ ନାହିଁ । ଏହା ଆମ ସାହିତ୍ୟ ପାଇଁ ଶୁଭ ଲକ୍ଷଣ ନୁହେଁ । ମୋ ପରି ଖୁବ୍ କମ୍ ସାହିତ୍ୟକାର ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀ ନେଇ ବିଶ୍ଵ ମାନବିକତା ସପକ୍ଷରେ ଲେଖନୀ ଚାଳନା କରୁଛନ୍ତି ।

 

ସେହିପରି କେରଡ଼ାଗଡ଼ ଜଗନ୍ନାଥ ମନ୍ଦିରରେ ଦଳିତମାନଙ୍କ ପ୍ରବେଶ ଅଧିକାର ପାଇଁ ଚାଲିଥିବା ସଂଗ୍ରାମ ପ୍ରତି ଆମ ସାହିତ୍ୟ ନିର୍ବିକାର । ଅଥଚ ତସଲିମା ନସରିନ୍ ବା ସଲ୍‍ମାନ ରୁଶଦୀଙ୍କ ପ୍ରଶଂସାରେ ଆମର ତଥାକଥିତ ଆଗଧାଡ଼ିର ସାହିତ୍ୟିକ ଶତମୁଖ । ଏହା ଏକଦେଶଦର୍ଶିତାର ପରିଣାମ ଭିନ୍ନ ଆଉ କିଛି ନୁହେଁ । ଏ ପ୍ରକାର ବୌଦ୍ଧିକ ଛଳନା ପ୍ରତି ଆଜିର ଚେତନଶୀଳ ସାହିତ୍ୟିକମାନେ ସଜାଗ ହେବା ଉଚିତ୍ ଏବଂ ଏହି ତଥାକଥିତ ଆଗଧାଡ଼ିର ଲେଖକମାନଙ୍କ ଭୀରୁତାର ମୁଖାଖୋଲିବା ପାଇଁ ସଙ୍କଳ୍ପ ଗ୍ରହଣ କରିବା ଉଚିତ୍ ।

 

ଏହା ସତ୍ୟ ଯେ, ସାହିତ୍ୟ ପ୍ରତ୍ୟକ୍ଷ ଭାବେ କୌଣସି ସାମାଜିକ କ୍ରାନ୍ତିର ସର୍ଜନା କରିପାରେନା; ମାତ୍ର ସାହିତ୍ୟ ସମାଜ ପରିବର୍ତ୍ତନ ପାଇଁ ଅଙ୍ଗୀକାରବଦ୍ଧ ସଂଗ୍ରାମୀମାନଙ୍କୁ ମାନସିକ ଓ ନୈତିକ ଶକ୍ତି ପ୍ରଦାନ କରିଥାଏ, ନୂଆ ସଂଗ୍ରାମୀ ତିଆରି କରିବାର ଭୂମିକା ନିର୍ବାହ କରିଥାଏ । ଅବହେଳିତ ମଣିଷ ପାଇଁ ବ୍ୟାପକ ପାଠକଗୋଷ୍ଠୀଙ୍କ ମନରେ ସମ୍ୱେଦନାର ଭାବନା ଜାଗ୍ରତ କରାଇ ସେମାନଙ୍କୁ ସମାଜର ଅଚଳାବସ୍ଥା ଦୂର କରିବାକୁ ପ୍ରେରଣା ଦେଇଥାଏ ।

 

ସୁତରାଂ ‘କୋଣାର୍କ’ର ଆଧୁନିକ ଓଡ଼ିଆ ସାହିତ୍ୟ ବିଶେଷାଙ୍କ ଏହି ଉଦ୍ଦେଶ୍ୟରେ ଏହାର ପାଠକଙ୍କ ନିକଟରେ ଉପସ୍ଥାପିତ କରାଯାଉଛି ଏବଂ ଭବିଷ୍ୟତର ସାମାଜିକ ପରିବର୍ତ୍ତନ ପାଇଁ ସଙ୍କଳ୍ପବଦ୍ଧ । ମସୀଯୋଦ୍ଧା ସୃଷ୍ଟି କରିବା ଲକ୍ଷ୍ୟରେ ଏହାକୁ ପ୍ରଗତିଶୀଳ ଚେତନାମାନଙ୍କ ନିକଟରେ ଉତ୍ସର୍ଗ କରାଯାଉଛି ।

 

ଆଶା, ଆସନ୍ତା କାଲିର ସାହିତ୍ୟ ଆମର ଏ କ୍ଷୁଦ୍ର ପ୍ରୟାସକୁ ସ୍ୱୀକାର କରିବ ।

 

(ହୁସେନ ରବି ଗାନ୍ଧୀ)

 

ଓଡ଼ିଆ ଉପନ୍ୟାସର ସମକାଳ

(୧୯୮୦-୨୦୦୫)

 

କଇଳାଶ ପଟ୍ଟନାୟକ

 

ପରମ୍ପରା ଓ ସମକାଳର ଦ୍ଵନ୍ଦ୍ୱକୁ ଭିତ୍ତିକରି, ଐତିହ୍ୟ ଓ ସଂସ୍କାରକୁ ମୂଳକରି, ସାମାଜିକ ବିଶ୍ୱାସ ଓ ରାଜନୀତିକ ଧାରଣାର ସଂଘର୍ଷକୁ କେନ୍ଦ୍ରକରି ୧୯୮୦ ମସିହାରେ ପ୍ରକାଶ ପାଇଥିଲା ଶାନ୍ତନୁ ଆଚାର୍ଯ୍ୟଙ୍କ ଉପନ୍ୟାସ ଶକୁନ୍ତଳା । ମହାକାବ୍ୟକ ଅନୁପମ ବିସ୍ତାରଣ ଭିତରେ ଶକୁନ୍ତଳା, ଶାନ୍ତ ମଣିଷର ଚିରାୟତ ଈଶ୍ଵର ବିଶ୍ଵାସର ପ୍ରତିଲୋମରେ ଦେଖାଦେଇଥିବା ସାମୟିକ କେଉଁ ରାଜନୀତିକ ଆଗ୍ନେୟ ଉଦ୍‌ଗିରଣକୁ ଚିତ୍ରିତ କରିଥିଲା, ସେ ଚିତ୍ରଣ ଭିତରେ ଲୋକମାନଙ୍କ ସହଜ ବିଶ୍ୱାସକୁ ସମୂଳେ ସହସା ଭାଙ୍ଗି ନୂଆ ବିଶ୍ୱାସର ଆରୋପଣ ଯେ ଅସମ୍ଭବ ତାହା ଜଣାଗଲା । ଶକୁନ୍ତଳା ପରମ୍ପରାର ପ୍ରତିରୂପ । ସେ ବଦଳିଯିବ ନାଇଁ ରାତାରାତି । ଯେତେ ନୃଶଂସ, ଯେତେ କଠୋର, ଯେତେ ହିଂସ ପ୍ରତିସ୍ଵର୍ଦ୍ଧୀ ଆସନ୍ତୁ ନା କାହିକି ତା’ର ସହସା ପରିବର୍ତ୍ତନ ଅସମ୍ଭବ । ସେଇଥିଲାଗି ପ୍ରତିସ୍ପର୍ଦ୍ଧୀ ସଂସାରକାମୀ ଯୋଉ ରାଜନୀତିକ ଗୋଷ୍ଠୀ ହେଉନା କହିଁକି ସିଏ, ତା’ର ଲକ୍ଷ୍ୟ ସିଦ୍ଧି ହୋଇପାରେ ନାଇଁ । ଯତୀନ ପରି ଅନୁଗାମୀର, ଜଗନ୍ନାଥ, ସତ୍ୟଯୁଗ, ଏସବୁ ଲାଲ୍ କିତାବର ବିରୋଧୀ, ଗୁରୁ !’ ବୋଲି କହିବା ଓ ବାୟାର ଦାର୍ଶନିକ ହସ ଭିତରେ ଏଇ ଭାବର ସଂକ୍ରମଣ ଘଟିଚି ।

 

ଭାବର ଏହି ସଂକ୍ରମଣ କେବଳ ନୁହେଁ, ବକ୍ତବ୍ୟ ଉପସ୍ଥାପନରେ ନୂଆ ଆଙ୍ଗିକର ସଫଳ ପ୍ରୟୋଗ ଭିତରେ ଶକୁନ୍ତଳା ଓଡ଼ିଆ ଉପନ୍ୟାସର ଏକ ମୋଡ଼ ପରିବର୍ତ୍ତକ ଉପନ୍ୟାସ ହୋଇଗଲା-

 

ସାହିତ୍ୟର ଗତିଧାର ଏପରି ହିଁ ହୁଏ । ଯେଉଁଟି ନୂଆ ଓ ଅନୁକରଣୀୟର ଉଚ୍ଚାସନ ପାଇଥାଏ ସମୟକ୍ରମେ ସେ ହୋଇପଡ଼େ ପୁରୁଣା ଓ ଅବହେଳାଯୋଗ୍ୟ । ସୃଷ୍ଟି ହୁଏ ନୂଆ ଏକ ରଚନା, ତା’ର ଭାବ ଓ ରୂପ ମୁଗ୍‍ଧକରେ ବିଦଗ୍ଧଙ୍କୁ । ସେ ହୁଏ ଅନୁକରଣୀୟ । ଶେଷରେ ସେଇ ଅବଶ୍ୟମ୍ଭାବୀ ଭାଗ୍ୟର ସେ ହୁଏ ଅଧୀନ ସୃଷ୍ଟି ହୁଏ ନୂଆ ଏକ ରଚନା, ନୂଆ ଏକ ପ୍ରତିସ୍ପର୍ଦ୍ଧୀ । ପାଠକ ଆଖିଫେରାନ୍ତି ନୂଆ ଆଡ଼କୁ । ଓଡ଼ିଆ ଉପନ୍ୟାସରେ ଏଇ ଐତିହାସିକ ସତ୍ୟ ପ୍ରତିଫଳିତ ହୋଇଚି ବାରମ୍ୱାର ।

 

ଗୋଟିଏ ସମୟରେ ଛମାଣ ଆଠଗୁଣ୍ଠ ଯେଉଁ ବିସ୍ମୟ ସୃଷ୍ଟି କରିଥିଲା । ସେଥିରେ ସନ୍ତୁଷ୍ଟ ଓ ମୁଗ୍ଧହୋଇ ରହିଥିଲେ ହୁଏତ ମାଟିର ମଣିଷଟିଏ ଲେଖା ହୋଇନଥାନ୍ତା । ପରଜା କି ଅନ୍ଧଦିଗନ୍ତ-

 

ପ୍ରତିଟି ରଚନା ଧାରଣ କରିଥାଏ ତା’ନିଜ ସମୟକୁ, ହେଉ ପ୍ରତ୍ୟକ୍ଷରେ ବା’ ହେଉ, ପରୋକ୍ଷରେ । ଭାବସ୍ଫୁରଣର ଯେଉଁ ନବୀନତା ସେ ରଚନାକୁ ବିଶିଷ୍ଟ କରିଥାଏ, ତାହା ଏକ ନିର୍ଦ୍ଦିଷ୍ଟ ବ୍ୟାଖ୍ୟା ଆଧାରିତ ହୋଇଥାଏ । ପ୍ରତିଟି ରଚନାର ମୂଲ୍ୟ ସ୍ୱତନ୍ତ୍ର । ସେଗୁଡ଼ିକର ମୂଲ୍ୟାୟନ ସେଇ ଭାବେ ହେବା କାମ୍ୟ ।

 

ଓଡ଼ିଆ ଉପନ୍ୟାସର ଐତିହାସିକ ବିକାଶଧାରାର ପର୍ଯ୍ୟାଲୋଚନାରେ ଜାଣିହେବ, ଏହାର ଶୈଶବକାଳ ସାମାଜିକ ଚିତ୍ର ଉପସ୍ଥାପନ ଓ ସାମାଜିକ ସଂସ୍କାର ଆଭିମୁଖ୍ୟଦ୍ୱାରା ପରିଚାଳିତ । ଫକୀରମୋହନ, ନନ୍ଦକିଶୋର, କୁନ୍ତଳାକୁମାରୀ କି ଚିନ୍ତାମଣି ମହାନ୍ତି ଗଢ଼ିଛନ୍ତି ଏ କାଳକୁ । ଉପନ୍ୟାସ ପରି ନବରଚନାରେ ଆପଣା ସାହିତ୍ୟକୁ ସମୃଦ୍ଧ କରିବା ଥିଲା ଏମାନଙ୍କ ଲକ୍ଷ୍ୟ । ଫକୀରମୋହନ ଆପଣା ଅନନ୍ୟତା ଯୋଗୁ ଅନୁକରଣୀୟ ହୋଇରହିଲେ । ଉପନ୍ୟାସର ସାମାଜିକ ସଂସ୍କାର ଧର୍ମର ପୃଷ୍ଠଭାଗରେ ଥିଲା ତତ୍କାଳୀନ ଭାରତୀୟ ପୁନର୍ଜାଗରଣର ବାତାବରଣ-

 

୧୯୨୫-୨୬ ମସିହାରୁ ଏକ ନୂଆ ସମୟର ଆଗମନୀର ସୂଚନା ମିଳିଲା । ଏହା ଥିଲା ପରୀକ୍ଷାର ସମୟ । ନୁଆକିଛି’ କରିବାର ଆହ୍ୱାନ । ଲେଖାହେଲା ଏକାଧିକ ଲେଖକଙ୍କ ଦ୍ଵାରା ଗୋଟିଏ ଉପନ୍ୟାସ -ବାସନ୍ତୀ, ଲେଖାହେଲା – କଥାବସ୍ତୁର ଭୌଗୋଳିକ ବିସ୍ତାରଣ ସହ, ରଘୁଅରକ୍ଷିତ (୧୯୨୮), ଲେଖାହେଲା ପ୍ରଥମ ମନସ୍ତତ୍ତ୍ୱମୂଳକ ଉପନ୍ୟାସ ମନେମନେ (୧୯୨୬), ଲେଖାହେଲା ଗାନ୍ଧୀବାଦୀ ଚେତନାର ପାରିବାରିକ ରୂପାୟନ ମଧ୍ୟରେ ମାଟିର ମଣିଷ (୧୯୩୧), ଲେଖାହେଲା ସମ୍ପୂର୍ଣ୍ଣ ରାଜନୀତିକ ଘଟଣାକୁ ଆଧାରକରି ପୂଜାରବଳି (୧୯୩୧) ଓ ଲେଖାହେଲା କଥାବସ୍ତୁଗତ ଅଣପାରମ୍ପରିକତା, ଶୈଳୀଗତ ଭିନ୍ନତାରେ ଚିତ୍ରଗ୍ରୀବ (୧୯୪୬) । ପାରମ୍ପରିକ ଉପନ୍ୟାସ ରଚନା ସହ ପରୀକ୍ଷାମୂଳକ ଉପନ୍ୟାସ ରଚନା ମାଧ୍ୟମରେ ଓଡ଼ିଆ ସାହିତ୍ୟ ବିଶେଷ ସମୃଦ୍ଧ ହେବାକୁ ଲାଗିଲା ।

 

ସ୍ଵାଧୀନତା ପ୍ରାପ୍ତି ପରବର୍ତ୍ତୀ ଉପନ୍ୟାସମାନ ଓଡ଼ିଶାର ସାମାଜିକ ଜୀବନରେ ରାମରାଜ୍ୟର ବିଫଳତାର କାହାଣୀ କହିଲେ । ସ୍ଵପ୍ନଭଙ୍ଗର କାରୁଣ୍ୟ ଶୁଣାଇଲେ ଏବଂ ଏଇ ସାମାଜିକ କାରୁଣ୍ୟର ସହ ସମାନ୍ତରାଳ ଭାବରେ ବ୍ୟକ୍ତି ମନସ୍ତତ୍ତ୍ଵକୁ ଯଥେଷ୍ଟ ଗୁରୁତ୍ଵ ଦେଇ ଉପନ୍ୟାସ ଲେଖିବାର ଏକ ନୂଆ ଆଗ୍ରହ ସୃଷ୍ଟି ହେଲା । ମଣିଷର ବାହ୍ୟରୂପଗତ ତୁଳନା, ମଣିଷର ଦେବୋପମ ବ୍ୟକ୍ତିତ୍ୱର ଅନ୍ତରଳସ୍ଥ ଆସୁରିକତା, ନମନୀୟ ବିନୟ ମଧ୍ୟରେ ଲୁଚିଥିବା ନୃଶଂସତାର କାହାଣୀ ଲେଖକମାନଙ୍କୁ ଆକୃଷ୍ଟ କରିଥିଲା । ଧାରାର ପ୍ରତିଷ୍ଠା ଓ ଆକର୍ଷଣ ଏବେ ବି ରହିଛି ।

 

ସ୍ରୋତ ଅଟକି ରହିନାଇଁ ସେଇଠି । ଅଶୀ ମସିହାର ଶକୁନ୍ତଳା ଭିତରେ ଯେଉଁ ଆଲୋକପୁଞ୍ଜର ବିଚ୍ଛୁରଣ ଘଟିଲା, ସେ ବିଚ୍ଛୁରଣ ସହ ନୂଆ ଭାବ, ନୂଆ କଥାର ଉପନ୍ୟାସ ଲେଖାହେବାର ବାତାବରଣ ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ପଚିଶ ବର୍ଷରେ ସେ ବାତାବରଣର ସଫଳତା ନାନାବିଧ ଉପନ୍ୟାସରେ ପ୍ରକାଶିତ । ଏ ବାତାବରଣ ଭାରୀ ସର୍ଜନଶୀଳ । ସେଇଥିଲାଗି ଗଢ଼ିହୋଇଗଲେ ବହୁ ନୂତନ ଔପନ୍ୟାସିକ । ଅନାଦି ସାହୁ (ମୁଣ୍ଡମେଖଳା, ୧୯୮୨), ହୃଷୀକେଶ ପଣ୍ଡା (ଶୂନ୍ ସଙ୍ଗେ ସାମୟିକ ସନ୍ଧି, ୧୯୮୪), ପଦ୍ମଜପାଳ (ଦୁର୍ଗପତନର ବେଳ, ୧୯୮୮), ରାମଚନ୍ଦ୍ର ବେହେରା (ଅଭିନୟର ପରିଧି, ୧୯୯୧), କିଶୋରୀ ଚରଣ ଦାସ, (ସାତୋଟି ଦିନରେ ସତୀ, ୧୯୯୩), ଦୀନନାଥ ପାଠୀ (ସାୟୋନାରା, ୧୯୯୮), ମନୋଜ ଦାସ, (ପ୍ରଭଞ୍ଜନ, ୧୯୯୨), ଗୌରହରି ଦାସ (ଛାୟାସୌଧର ଅବଶେଷ, ୧୯୯୬) ସେମିତି କେଇଟି ନାମ ।

 

 

ଏଇ ପଚିଶ ବର୍ଷର ଉପନ୍ୟାସ ଧାରାରେ ପରମ୍ପରା, ଐତିହ୍ୟ, ସଂସ୍କୃତି, ଇତିହାସ ପ୍ରତି ଗଭୀର ଏକ ସଚେତନା ଲକ୍ଷ୍ୟ କରାଯାଏ । ଊନବିଂଶ ଶତାବ୍ଦୀର ଶେଷଭାଗରେ ଇଂରାଜୀ ସଭ୍ୟତାମୁଖୀ ଖରସ୍ରୋତ ଆଗରେ ଏ ଦେଶୀୟ ସଂସ୍କୃତି ଓ ଇତିହାସ ପ୍ରତି ସଚେତନା ପ୍ରଖର ନ ଥିଲା । ଶହେବର୍ଷ ପରର ଇତିହାସ ତା’ର ଠିକ୍ ବିପରୀତ । ପୁରାଣ ଓ ଇତିହାସ ଆଉ ଅବହେଳିତ ସାଂସ୍କୃତିକ ଉପାଦାନ ହୋଇ ରହିଲା ନାହିଁ । କଣ୍ୱମୁନିଙ୍କ ଆଶ୍ରମ- କନ୍ୟା ଶକୁନ୍ତଳାର ଅଭ୍ୟୁଦୟ ଘଟିଲା ପ୍ରତୀକଟିଏ ଭାବେ । ମହାଭାରତୀୟ ପ୍ରେକ୍ଷାପଟରେ ଲେଖାହୋଇଛି ଅନେକ ଉପନ୍ୟାସ-। ‘ମହାଭାରତ’ର ଦେବୀ ଦ୍ରୌପଦୀ ସାଧାରଣ ପୃଥିବୀର ସାଧାରଣ ନାରୀଟିଏ ହେଉଛନ୍ତି ପ୍ରତିଭା ରାୟଙ୍କ ଯାଜ୍ଞସେନୀରେ (୧୯୮୫) । ସେ ତା’ର ବିବିଧ ପ୍ରାକ୍ ଓ ଉତ୍ତର ବୈବାହିକ ଜୀବନରେ ଜୀବନର ନିଷ୍ଠୁର ସତ୍ୟ, ନାରୀତ୍ୱର ଅସହାୟତାର ଅନୁଭବ କରୁଚି । ସେଇଠି ସେ ଚୁପହୋଇ ରହିଯାଉନି । ନୃସିଂହ ଚରଣ ପଣ୍ଡାଙ୍କ ସପ୍ତସିନ୍ଧୁ (ଦୁଇଖଣ୍ଡ ୧୯୮୧-୮୨) ବୈଦିକ ଯୁଗର ଇତିହାସକୁ ଏକ ମହାକାବ୍ୟକ ପୃଷ୍ଠଭୂମିରେ ଧାରଣ କରିଛି । ହେଲେ ଇତିହାସ ସେଠି କେବଳ ଅତୀତ ନୁହେଁ । ଋଷି ଅଗସ୍ତ୍ୟ ଓ ସ୍ତ୍ରୀ ଲୋପାମୁଦ୍ରାଙ୍କ ଆର୍ଯ୍ୟ, ଅନାର୍ଯ୍ୟର ସମ୍ପ୍ରତି ଓ ସଦ୍‌ଭାବନା ଚେଷ୍ଟାର କାହାଣୀ ସମକାଳରେ ଦିଏ ନୂଆ ଇଙ୍ଗିତ । ଉପନ୍ୟାସର ପ୍ରାଚୀନ କାହାଣୀ ସମକାଳୀନ ପ୍ରାସଙ୍ଗିକତା ବହନ କରେ । ଅନାଦି ସାହୁଙ୍କ ବରୁଣ (୧୯୮୯), ଜରାସନ୍ଧ (୧୯୯୦), ମୟ (୧୯୯୧) ଭିତରେ ପୌରାଣିକ ଚେତନାର ନବୀନ ସ୍ୱର ଖୁବ୍ ସ୍ଵଚ୍ଛ । ଜରାସନ୍ଧ ପରି ମହାଭାରତୀୟ ଖଳନାୟକ ଆପଣା ଉଦାରତା, ସ୍ନେହ, ନୀତିନିଷ୍ଠା ମଧ୍ୟରେ ନାୟକ ହୋଇପାରେ ଏକ ଉପନ୍ୟାସରେ । ପୁରୁଣାରେ ନୂଆ ଅର୍ଥର ସନ୍ଧାନ କରିବା ଭିତରେ, ପାରମ୍ପରିକ ଧାରଣାର ନୂଆ ବ୍ୟାଖ୍ୟା କରିବାର ଇଚ୍ଛାରେ ଏ ସମୟର ଲେଖକମାନେ ସର୍ଜନଶୀଳ । ନହେଲେ ଇତିହାସର ନିନ୍ଦିତ ରାମଚନ୍ଦ୍ର ଦେବ ଦ୍ୱିତୀୟ କି ପ୍ରତାପରୁଦ୍ର ଦେବ ନୀଳାଦ୍ରିବିଜୟ (୧୯୮୦) କି କୃଷ୍ଣାବେଣୀରେ ସଂନ୍ଧ୍ୟା (୧୯୮୫) ଭିତରେ ପାଠକୀୟ ସହାନୁଭୂତି ପାଉନଥାନ୍ତେ । ସେଇଠି ସୁରେନ୍ଦ୍ର ମହାନ୍ତିଙ୍କ ସଫଳତା । ସେଇ ସଫଳତାର ଝଲକ ବି ମିଳେ ନୃସିଂହ ଚରଣ ପଣ୍ଡାଙ୍କ ଚଣ୍ଡାଶୋକ (୧୯୮୩) କି ଧର୍ମାଶୋକ (୧୯୮୫) ରେ । ମନୋଜଙ୍କ ଅମୃତଫଳ (୧୯୯୬) ଚିରାୟତ ମୂଲ୍ୟବୋଧ ଓ ସମକାଳୀନ ମୂଲ୍ୟତ୍ତିତିକ ଜୀବନର ଦ୍ୱନ୍ଦ୍ୱ !

 

ଏଇ ପରମ୍ପରା ପ୍ରତି ଆଗ୍ରହ, ଇତିହାସର ନୂଆ ବ୍ୟାଖ୍ୟା, ସଂସ୍କୃତିର ସମ୍ବେଦନଶୀଳ ମନର ଓଡ଼ିଶୀ ନମୁନା ମଧ୍ୟ ଓଡ଼ିଆ ଉପନ୍ୟାସରେ କିଛି କମ୍ ନୁହେଁ । ଓଡ଼ିଶାର ଆଞ୍ଚଳିକ କିମ୍ବଦନ୍ତୀକୁ ନେଇ, ଓଡ଼ିଶୀ ସଂସ୍କୃତିକୁ ଆଧାର କରି ଓଡ଼ିଆ ଜାତୀୟ ପୁରୁଷଙ୍କୁ ନାୟକ କରି ଏକାଧିକ ଉପନ୍ୟାସ ଲେଖିଛନ୍ତି ବିକ୍ରମ ଦାସ । ସତ୍ୟବାଦୀରେ ଗୋପାଳଙ୍କୁ ପ୍ରତିଷ୍ଠା ଭିତ୍ତିରେ ମଣିମାଡ଼ିହ (୧୯୮୧), ଦିବ୍ୟସିଂହ ଦେବଙ୍କ କଳାପାଣି ଦଣ୍ଡ ଭିଭିରେ ନିର୍ବାସିତ ଗଜପତି, ଗଞ୍ଜାମର ବୁଦ୍ଧଖୋଲ ଭିଭିରେ ଓଡ଼ିଶୀ ନୌବାଣିଜ୍ୟ, ପ୍ରାଚୀ ସଂସ୍କୃତି ଭିତ୍ତିରେ ବୁଦ୍ଧଖୋଲର ମାୟା (୧୯୮୬) ଆଦିରେ ଓଡ଼ିଶୀ ଗୌରବର ପ୍ରତିଷ୍ଠା ଏ ଲେଖକଙ୍କ ମୌଳିକ ଉଦ୍ଦେଶ୍ୟ । ସେହିପରି ବି ଅନାଦି ସାହୁ ରାକାରାୟ (୧୯୯୨), ଛିନ୍ନନାଗ (୧୯୯୫), ରାଣୀ କର୍ପୂରଶ୍ରୀ ମାଧ୍ୟମରେ ଓଡ଼ିଶୀ ସଂସ୍କୃତି ଓ ବିସ୍ତୃତ ପ୍ରାୟ ଇତିହାସକୁ ପୁନଃପ୍ରତିଷ୍ଠା କରିବାରେ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି ସେ । ଶାନ୍ତନୁଙ୍କ ଅନୋମାର କନ୍ୟା ଏଇ ପରମ୍ପରାର ନୂଆ ଏକ ସଂଯୋଜକ ।

 

ପ୍ରାୟ ସମାନ ସମୟରେ ବିକ୍ରମ ଦାସଙ୍କ ଭଲେ ବିରାଜୋଜୀ (୧୯୮୬) ଏବଂ ବଳରାମ ପଟ୍ଟନାୟକଙ୍କ ଅନାଦି ଅନନ୍ତ (୧୯୮୭) ପ୍ରକାଶ ପାଇଲା । ଉଭୟରେ ପୁରୀର ଆଞ୍ଚଳିକ ସଂସ୍କୃତି, ଜଗନ୍ନାଥ ଓ ତାଙ୍କର ମହିମା ଚିତ୍ରିତ ହୋଇଥିଲା । ‘ଅନାଦି ଅନନ୍ତ’ ଥିଲା ଆରମ୍ଭ ମାତ୍ର- ପରେ ପରେ ଏହାର ବିସ୍ତାରଣ ଘଟିଛି ପାର୍ଶ୍ଵଦେବତା (୧୯୯୦), ଚରୈବେତି (୧୯୯୩), ଅନେକରୂପ ରୂପାୟ (୧୯୯୫) ଆଦି ମାଧ୍ୟମରେ । ପୁରୀ ତା’ର ସାମଗ୍ରିକ ସୌନ୍ଦର୍ଯ୍ୟ, ଅନନ୍ୟ ପରମ୍ପରା, ନିଜସ୍ୱ ଚଳଣି ସହିତ ଉଭାହୋଇଛି ଏ ଉପନ୍ୟାସମାନଙ୍କରେ । ଏଇ ଶଂସିତ କାଳର ଦୃଢ଼ ସାଂସ୍କୃତିକ ଦୃଷ୍ଟି ଏ ଉପନ୍ୟାସମାନଙ୍କରୁ ସହଜରେ ଉପଲଭ୍ୟ । ବିଜୟିନୀ ଦାସଙ୍କ ଦେବଦାସୀ (୧୯୮୯) ଏ ପ୍ରସଙ୍ଗରେ ସ୍ମରଣୀୟ । ଏକ ଦେବଦାସୀ ପରମ୍ପରାର ସାକ୍ଷୀହୋଇ ଇନ୍ଦୁ ହେଉ ବା ତା’ର ପାଳିତକନ୍ୟା ମୁକ୍ତା ମାହାରୀ ସେଇମାନଙ୍କୁ କେନ୍ଦ୍ରକରି ଗଢ଼ିଉଠିଛି ଉପନ୍ୟାସର ଏ ବଳୟ ।

 

ଓଡ଼ିଆ ଜନଜୀବନର ଭିନ୍ନ ଏକ ପରମ୍ପରାକୁ ନେଇ ଅଭାବନୀୟ ଏକ ଉପନ୍ୟାସ ଲେଖିଲେ ମନୋଜ ଦାସ -ଚନ୍ଦ୍ରାଲୋକର ପ୍ରହରୀ (୨୦୦୦) । ଆମ ଲୌକିକ ଜୀବନରେ ଗଭୀରଭାବେ ସ୍ଥାନ ମାଡ଼ି ବସିଥିବା ଭୂତପ୍ରେତ, ଡାହାଣୀ ଆଦିଙ୍କ ଜଗତ ଯେ ଉପନ୍ୟାସର ବିଷୟବସ୍ତୁ ହୋଇପାରେ ମନୋଜଙ୍କ ପୂର୍ବରୁ କେହି ଭାବି ନଥିଲେ । ପୁଣ୍ଡରୀକ ବୋଲି ଯେଉଁ ମାନ୍ତ୍ରିକ ଚରିତ୍ର ସେ ସତେ ଯେମିତି ଅପେକ୍ଷାରେ ଥିଲା ଏମିତି ଏକ ପରିବେଶରେ ନିଜକୁ ଜାହିର୍ କରିବାକୁ । ପ୍ରାଚୀନ ବିଶ୍ଵାସ ଓ ଧାରଣାକୁ ମନସ୍ତତ୍ତ୍ୱ ଓ ନୃତତ୍ତ୍ଵର ଆଲୋକରେ ଦେଖିବାକୁ ମନୋଜ ଚେଷ୍ଟା କରିଛନ୍ତି ଏ ଉପନ୍ୟାସରେ ।

 

ତେବେ ଏଇ ପରମ୍ପରା ପ୍ରତି ମୋହ ଓ ସାଂସ୍କୃତିକ ପୁନର୍ଜାଗରଣମୂଳକ ସବୁ ଉପନ୍ୟାସରେ ଭାବ ଓ ଶିଳ୍ପଗତ ଉତ୍କର୍ଷ ମିଳେନାଇଁ । ଏ ପ୍ରକାର ସବୁ ଉପନ୍ୟାସରେ ବିଷୟର ନୂଆ ବ୍ୟାଖ୍ୟା, ଚରିତ୍ରର ନୂଆ ରୂପ ଘଟଣାର ନୂଆ ଅର୍ଥ ମିଳିନଥାଏ । ବେଳେବେଳେ ଲେଖାହୁଏ ଶାନ୍ତି ମହାପାତ୍ରଙ୍କ ବୁଦ୍ଧଂ ଶରଣଂ ଗଚ୍ଛାମି ( ୧୯୮୩) ପରି ଉପନ୍ୟାସ । ଅମ୍ବାପଲ୍ଲୀ ପରି ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀର ବୌଦ୍ଧଯୁଗୀୟ ନାୟିକାର ବହୁ ପରିଚିତ କିମ୍ବଦନ୍ତୀ ଯେଉଁଠି ଉପନ୍ୟାସର କଥାବସ୍ତୁ ସାଜେ । ସେ କିମ୍ବଦନ୍ତୀରେ ନୂଆ ଅର୍ଥ ରୋପଣପୂର୍ବକ ସମକାଳୀନ ପ୍ରାସଙ୍ଗିକତା କି ଭିନ୍ନ କୌଣସି ସ୍ୱରଦାନର ଉଦ୍ୟମ ନଥିବାରୁ ତାହା ଉଲ୍ଲେଖଯୋଗ୍ୟ ହୋଇପାରିନାହିଁ । ଏପରି ନମୁନା ଅନେକ ।

 

 

ସବୁକାଳରେ ସମାଜ ସାହିତ୍ୟକୁ ଅନୁପ୍ରେରିତ କରିଆସିଛି । ସାମାଜିକ ଉପାଦାନର ଚିତ୍ରଣ, ବିଶ୍ଳେଷଣ ଓ ବ୍ୟାଖ୍ୟାନ ଭିତରେ ପାଠକର ବୋଧ ପ୍ରସାରିତ ହୁଏ । ସେ ପ୍ରସାରଣ ମଧ୍ୟ ଘଟିଛି ଶଂସିତ କାଳର ଉପନ୍ୟାସମାନଙ୍କରେ । ସାମାଜିକ ଜୀବନର ନୀତିହୀନତା, ମୂଲ୍ୟବୋଧର ସ୍ଖଳନ, ଶୋଷଣ, ନିପୀଡ଼ନ, ଯୌନନିର୍ଯ୍ୟାତନ, ନାରୀର ସ୍ଵାଧିକାରହୀନତା, ରାଜନୀତିର ଆସୁରିକ ରୂପ, କ୍ଷମତାର ମଦମତ୍ତ ଜୀବନ ଆଦିର ଚିତ୍ରଣରେ ଏଇ ସମୟ (୧୯୮୦-୨୦୦୫)ର ଉପନ୍ୟାସମାନ ମୁଖରିତ ।

 

ପ୍ରତିଭାଙ୍କ ଆଶାବରୀ (୧୯୮୦) ଆଧୁନିକ ସମୟର ବସ୍ତୁବାଦୀ ଜୀବନମୁଖୀ ଦାମ୍ପତ୍ୟର ଭୋଗ ସର୍ବସ୍ଵ ଜୀବନ ଦେଖାଇ, ବୈଷୟିକ ସମୃଦ୍ଧିର ଅନ୍ତରାଳରେ ଘଟୁଥିବା ବିବାହ ବିଚ୍ଛେଦ ଓ ସେ ବିଚ୍ଛେଦଦହନରେ ଦଗ୍ଧ ସନ୍ତାନର ନିଃସଙ୍ଗତାର ଏକ ଅନୁପମ ଆଲେଖ୍ୟ । ଆପଣା ଦେହଜ ସର୍ବସ୍ୱତାରୁ ଊର୍ଦ୍ଧକୁ ଉଠି କେହିବି ଆପଣା ଆତ୍ମଜର ଏକାକୀତ୍ୱକୁ ଅନୁଭବ କରିପାରୁନାଇଁ । ସେଇଥିଲାଗି ଦେଖାଦେଉଛି ସାମାଜିକ-ପାରମ୍ପରିକ ଜୀବନରେ ଆଶ୍ଚର୍ଯ୍ୟ, ଏକ ଶୂନ୍ୟତା-ନାୟିକା ଆଶାବରୀ ସେଇ ଶୂନ୍ୟତାର ଶିକାର ହୋଇଛି । ବେଳେବେଳେ ସାମାଜିକ ଛଦ୍ମ ଆଟୋପ ମଣିଷକୁ ଏମିତି ଆକ୍ରାନ୍ତ କରିଦିଏ ଯେ ନିଜର ବିକଳାଙ୍ଗ ସନ୍ତାନ ପାଇଁ କେହି ଦମ୍ପତ୍ତି ଲଜ୍ଜା ପାଆନ୍ତି-। ସେ ଲଜ୍ଜା ଓ ଅସନ୍ତୋଷ ଏପରି ତୀବ୍ର ହୁଏ ଯେ ବାପା ମା ହୋଇ ସନ୍ତାନକୁ ହତ୍ୟା କରିବାକୁ ପଛେଇ ଯାଆନ୍ତି ନାହିଁ । ରାମଚନ୍ଦ୍ର ବେହେରାଙ୍କ ମୁକ୍ତିର ରୂପରେଖ ସେଇ କାରୁଣ୍ୟର ଶବ୍ଦଚିତ୍ର । ବ୍ୟକ୍ତିର ଏମିତି ଅଧଃପତନର ଚିତ୍ର ରହିଛି ସର୍ବତ୍ର । ଔପନ୍ୟାସିକମାନେ ବର୍ତ୍ତମାନ ମଣିଷର ଅର୍ଥସର୍ବସ୍ୱ, କ୍ଷମତାସର୍ବସ୍ଵ ଓ ସ୍ଵାର୍ଥସର୍ବସ୍ୱ ରୂପାଙ୍କନରେ ଖୁବ୍ ଉତ୍ସାହୀ । ଅନାଦି ସାହୁଙ୍କ ମୁଣ୍ଡମେଖଳା (୧୯୮୨) ଏଇ କ୍ଷମତା ଓ ଅର୍ଥ ସର୍ବସ୍ୱ ମଣିଷର ଶୋଷଣ ବିରୁଦ୍ଧରେ ଗଢ଼ିଉଠିଥିବା ନକ୍‍ସଲବାଦୀ ଆନ୍ଦୋଳନକୁ ଦେଖାଇଛି । ସହିଯିବା ସେଠି ଧର୍ମ ନୁହେଁ ପ୍ରତିକ୍ରିୟାଶୀଳ ହେବା ହିଁ ଧର୍ମ ! ସେଇ ପ୍ରତିକ୍ରିୟାଶୀଳତା, କ୍ଷମତାଶୀଳ ହେବାର ଆଗ୍ରହ ନାନା ଭାବେ ମଣିଷକୁ ପ୍ରଲୁବ୍ଧ କରେ । ମଣିଷର ବଢ଼ିଯାଏ ଅପରାଧ ପ୍ରବଣତା । ସେଇଥିଲାଗି ଅନାଦି ସାହୁଙ୍କ ଜଙ୍ଗଲି ସହରର (୧୯୮୨) ଟଣିଆପରି ଯୁବକମାନେ ଅପରାଧଲିପ୍ତ ରହନ୍ତି । ଆଉ ଅର୍ଥ ଆହରଣର ଭୟଙ୍କର ନିଶା ବେଳେବେଳେ ମଦରେ ବି ମିଶାଇପାରେ ବିଷାକ୍ତ ରସାୟନ । ଶସ୍ତା ମଦରେ ମରିଯାଆନ୍ତି ଏ ଦେଶର ଶହଶହ ଅମୃତର ସନ୍ତାନ । ଅନାଦିଙ୍କ ତାଣ୍ଡବ (୧୯୯୫) ତାକୁହିଁ ରୂପଦିଏ ।

 

ପରିବର୍ତ୍ତନ ଖାଲି ସହଜରେ ଆସୁନାହିଁ, ଅଶାନ୍ତି ଏ ବାତାବରଣ, ଅଭାବିତ ଏ ପରିବର୍ତ୍ତନ, ଅନୈତିକ ଏ ଆଚରଣ ଗ୍ରାସ କରୁଛି ଗ୍ରାମାଞ୍ଚଳକୁ । ରାମଚନ୍ଦ୍ର ବେହେରାଙ୍କ ଅଭିନୟର ପରିଧି (୧୯୮୧) ଦେଖାଇଛି ସେଇ ପରିବର୍ତ୍ତନକୁ । ପ୍ରବୀଣ ବୟସ୍କମାନେ ସେଠି ହେଉଛନ୍ତି ଉପେକ୍ଷିତ । ଯୁବଶକ୍ତିର ଦୂରଦୃଷ୍ଟିହୀନ ଗତି ଓ ମତି ନିୟନ୍ତ୍ରିତ କରୁଛି ସମାଜକୁ । ଆଉ ରାଜନୀତି ବଡ଼ ସହଜଭାବେ, ନିରଙ୍କୁଶ ଭାବେ ଏ ଗୋଳିଆ ପାଣିରେ ନିଜକୁ ବିସ୍ତାରିତ କରିପାରୁଛି ଆମ ସମାଜ ଜୀବନରେ । ପ୍ରାକ୍ ସ୍ୱାଧୀନତାର ପୃଷ୍ଠଭୂମିରେ ମନୋଜ ଦେଇଛନ୍ତି ଏଇ ପରିବର୍ତ୍ତିତ ସାମାଜିକ ଚିତ୍ରର ଭିନ୍ନ ଏକ ରୂପ ପ୍ରଭଞ୍ଜନରେ । କୁସୁମପୁରର ବସ୍ତୁ ଜଗତର ପରିବର୍ତ୍ତନ ସହ ବଦଳିଯାଉଥିଲା ଭାବଜଗତର ସାରଲ୍ୟ ! ବସ୍ତୁଗତ ପରିବର୍ତ୍ତନକୁ ଯେ ଅଧିକତର ଭୟଙ୍କର, ଅଧିକ ମାରାତ୍ମକ ! !

 

ସାମାଜିକ ଭାବେ ଏଇ ସକଳ ଭାବନାକୁ ଭିତ୍ତିକରି ଗଢ଼ିଉଠିଛି ସୁରେନ୍ଦ୍ରଙ୍କ ଫଟାମାଟି (୧୯୮୮) ହରିଜନ ଅଧିକାରଠୁ ଆରମ୍ଭ କରି ସବର୍ଣ୍ଣ ଅସବର୍ଣ୍ଣ ସଂଘର୍ଷ, ତା’ର ରାଜନୀତିକ ବିକାଶ, ସାଆନ୍ତିଆ ଭାବନା, ଗ୍ରାମୀଣ ଜୀବନରେ ପ୍ରକୃତ ନେତୃତ୍ଵର ଅଭାବ ଓ ସର୍ବୋପରି ଚାଷବାସର ଏଇ ବିବର୍ତ୍ତିତ ସ୍ଥିତିରେ ଅଧୋଗତିକୁ ଏହା ଦର୍ଶାଏ । ଏ ଫଟାମାଟିକୁ ଯୋଡ଼ିବାକୁ ସୁରେନ୍ଦ୍ରଙ୍କ ତତ୍ପରତାର ଅଭାବ ନାହିଁ । ବିସ୍ମୟର କଥା ନିଜ ପ୍ରଥମ ଉପନ୍ୟାସ ଦୁର୍ଗପତନର ବେଳ (୧୯୮୮)ରେ ଏଇ ସମାନ ସମୟରେ, ଚାଷୀର ମେରୁଦଣ୍ଡରେ ଯେଉଁ ଗଭୀର ଆଘାତ ଦେଇଛି ରାଜନୀତିତାକୁ ଚିତ୍ରଣ କରନ୍ତି ପଦ୍ମପାଳ । ସେହି ରାଜନୀତିର ଜାଲ ଭିତରେ ସାଧାରଣ ମଣିଷର କଷ୍ଟକୁ ଦର୍ଶାଏ ବିଭୂତି ପଟ୍ଟନାୟକଙ୍କ ଅଶ୍ଵମେଧର ଘୋଡ଼ା କି ଦେବକୀର କାରାବାସ । ରାଜନୀତିର ସର୍ବଶକ୍ତିମାନ ଭୂମିକା ଭିତରେ ସାମାଜିକ-ରାଜନୀତିକ ନପୁଂସକତାର କାହାଣୀ ହୃଷିକେଶଙ୍କ ଦସ୍ୟୁ ( ୨୦୦୨) । ପୁଲିସ ପ୍ରଶାସକ ଓ ରାଜନୀତିର ମିଳନକୁ ଦେଖାଇଥାଏ ଅନାଦି ସାହୁଙ୍କ କ୍ଷଣଭଙ୍ଗୁର (୧୯୮୩) । ଏଇ ସମୟର ଲେଖକ ଜାଣେ, ବୁଝେ ଓ ଦେଖାଏ ସାମାଜିକ ଜୀବନ ଆଉ ଭଲରେ ନାହିଁ । ନେତାମାନେ ଓ ନେତ୍ରମଣିମାନେ ଆପଣା ଆପଣା ଭୂମିକାରେ ଯେପରି ରହିଛନ୍ତି ସେଠୁ କେହି ଉଠାଇପାରିବେ ନାହିଁ । କିଶୋରୀ ଚରଣଙ୍କ ନେତା ଓ ନେତ୍ରମଣି ନ ହେଲେ ଲେଖା ବା ହେଲା କାହିଁକି ?

 

ସମାଜ ସବୁବେଳେ କ’ଣ ସେହି ସମାନ ସ୍ଥିତିରେ ରହିବ ? ରାଜନୀତି, କ୍ଷମତା, ଅର୍ଥ ରହିଥିବେ ଚିରକାଳ ଉତୁଙ୍ଗ ହୋଇ ? ଆଉ ସେଇଥିପାଇଁ ଭଲ ମଣିଷ କିଏ ଯଦୁ, ମଧୁ, ରାମ, ଶ୍ୟାମଙ୍କ ପରି ଆଶା ଭଙ୍ଗର ଶିକାର ହୁଅନ୍ତି ପଦ୍ମଜଙ୍କ ଆମ ସମୟର ଦୁଃଖ (୧୯୮୯)ରେ ? ହେଲେ ମଣିଷ ଭିତରେ ରହିଛି ଏକ ଦିବ୍ୟତା । ସେହି ଦିବ୍ୟତା ତାକୁ ବେଳେବେଳେ ଦୋହଲାଇ ଦିଏ । ଶମ୍ଭୁପରି ମଣିଷ ପଦ୍ମଜଙ୍କ ଯିବୁ କି ଥିବୁ (୧୯୯୪) ଉପନ୍ୟାସର ଉନ୍ମନା ହୋଇଛି । ସଂସାରବିରାଗୀ ହୋଇଛି । ଯେ ସନ୍ତୁଷ୍ଟ ନୁହେଁ ଆପଣାର ଆଜିଟିରେ, ସେତ ଅବଶ୍ୟ ଆବାହନ କରିବ ଆସନ୍ତା କାଲିଟିଏକୁ । ସେ ଆବାହନର ଚେଷ୍ଟା ଭିତରେ ବ୍ୟକ୍ତିଗତ ଚେତନାକୁ ଉର୍ଦ୍ଧ୍ୱାୟିତ ହୋଇ କେହି ଅର୍ଥ ଓ ପ୍ରତିଷ୍ଠାର ସହଜ ଉଚ୍ଚାସନରୁ ନୀରବରେ ଆକାଶର ଇସାରା (୧୯୯୭) ପାଇ ବଦଳିଯାଇପାରେ । ମଣିଷ ତ୍ୟାଗ, ସୌଖ୍ୟ ଓ ମହତପଣିଆ ଏଇ ସାମାଜିକ ଦୁର୍ଘୋର ସମୟ ଭିତରେ ଦିଶିଯାଏ ! ଦିଶିଯାଏ ତେଜୀୟାନ କେହି ପୁରୁଷ ଅତିମାନସରେ ବଳୀୟାନ ହୋଇ ଚନ୍ଦ୍ରଶେଖରଙ୍କ ନବଜାତକ (୧୯୮୧) ଭାବେ !

 

 

ଓଡ଼ିଆ ଉପନ୍ୟାସର ଏଇ କାଳଖଣ୍ଡରେ ଚିତ୍ର ଓ ଶବ୍ଦର ଯୁଗଳବନ୍ଦୀତ୍ଵରେ ନୂଆ କିଛି କରି ବସିଛନ୍ତି ଦୀନନାଥ ପାଠୀ । ଚିତ୍ରଶିଳ୍ପ ଓ ତା’ର ରୂପର ଜଗତକୁ ଜଣେ ଚିତ୍ରଶିଳ୍ପୀ ଭାବେ ନିବିଡ଼ଭାବେ ଅନୁଭବ କରିବା ପରେ ସେ ଅନୁଭବ, ନିଜର ଦୃଷ୍ଟିଭଙ୍ଗୀ ଓ ଅଭିଜ୍ଞତାକୁ ଶବ୍ଦାୟିତ କରି ସେ ସୃଷ୍ଟି କରିଛନ୍ତି ଓଡ଼ିଆରେ ନୂଆ ଏକ ଉପନ୍ୟାସ ଧାରା-ଚିତ୍ରୋପନ୍ୟାସ । ଯାହା ଧାରଣ କରେ ଚିତ୍ର ଓ ତତ୍‍ସମ୍ପର୍କୀୟ ଭାବନାକୁ । ଏ ଯେଉଁ ଧାରାକୁ ଆରମ୍ଭ କଲା ସାୟୋନାରା (୧୯୯୮), ତାହା ପୁନର୍ନବା (୧୯୯୯), ଶ୍ଳୋକଚ୍ଛନ୍ଦ (୨୦୦୧), ଗଙ୍ଗାବତାର (୨୦୦୨) ଆଦି ମାଧ୍ୟମରେ ନିଜକୁ ପ୍ରସାରିତ କରିପାରିଛି । ସବୁଠି ଚିତ୍ରର ବୃହତ୍ତର ପରିସରରେ ଆସୁଥିବା ସକଳ ଉପାଦାନ ସେ ରେଖାଚିତ୍ର ହେଉ ବା ତୈଳଚିତ୍ର ସେ ସ୍ଥାପତ୍ୟ ହେଉ ବା କାରୁକଳା-ଉପନ୍ୟାସର ପରିସରରେ ହେଉଛି ବିସ୍ତୃତଭାବେ ବିଶ୍ଳେଷିତ । ଜାପାନ ଓ ଭାରତର ସାଂସ୍କୃତିକ ସମ୍ପର୍କର ପୃଷ୍ଠଭୂମିରେ ଚିତ୍ରଶିଳ୍ପୀର ଚେତନା, ମୃତ୍ତିକାର ମୂର୍ତ୍ତିସହ ଶିଳ୍ପୀର ସମ୍ପର୍କ, ରାଜା ଓ ଶିଳ୍ପୀ ଶରତଚନ୍ଦ୍ର ଦେବଙ୍କ ଏକ ଚିତ୍ର କି ଚିତ୍ରର ଦାର୍ଶନିକ ଉପଲବ୍ଧ-ଉପରୋକ୍ତ ଉପନ୍ୟାସମାନ ଏଇ ଭାବଚେତନାର ରୂପାୟନ । ଓଡ଼ିଆରେ ଏକକ ଭାବେ ଚିତ୍ରକଳାକୁ ନେଇ ନା ପୂର୍ବରୁ ନା ବର୍ତ୍ତମାନ ଲେଖାହେବାର ପ୍ରବଣତା ନାଇଁ । ଚିତ୍ରୋପନ୍ୟାସ ଏଇ ସମୟର ନୂଆ ଏକ ସଂଯୋଜକ ।

 

 

ଓଡ଼ିଶାରେ ଗତ କେଇ ଦଶନ୍ଧି ଧରି ଯେଉଁ ଦ୍ରୁତ ସହରୀକରଣର ପ୍ରୟାସ ଦେଖାଦେଇଛି, ଓଡ଼ିଆ ଔପନ୍ୟାସିକମାନେ ତାହାକୁ ଆପଣଭାବେ ଚିତ୍ରାୟିତ କରିଛନ୍ତି । ସହର ଓ ଗାଁର ଦ୍ୱନ୍ଦ ଥିଲା ଦୀର୍ଘକାଳର । ସହର ଆପଣା ଔଜଲ୍ୟ ଓ ଆଧୁନିକତାରେ, ଗ୍ରାମ ତାର ସାଫଲ୍ୟ ଓ ପରମ୍ପରାରେ ଥିଲେ ପରିଚିତ । ଗ୍ରାମର ମଣିଷ ସହରକୁ ଆସିଲା ନାନା କାରଣକୁ । ସହର ହେଲା ସଂକୀର୍ଣ୍ଣ ଭିଡ଼ବହୁଳ । ଘଟିଲା ତାର ବିସ୍ତାରଣ । ସେ ବିସ୍ତାରଣ ଗ୍ରାସକଲା ତା’ର ଆଖପାଖର ଗ୍ରାମଗଣ୍ଡାକୁ-। ଗାଁ ଧୀରେ ଧୀରେ ରୂପାନ୍ତରିତ ହେବାକୁ ଲାଗିଲା ସହରଭାବେ । ସତ୍ୟନଗର (୧୯୯୩)ରେ ସାତକୋଡ଼ି ହୋତା ପରିଧିଭାବେ ଏକଦା ପରିଚିତ ସତ୍ୟନଗର କେମିତି କେନ୍ଦ୍ର ପାଲଟିଗଲା, ତାହା ଜଣାଇଥାଆନ୍ତି । ସ୍କୁଲ ଶିକ୍ଷୟିତ୍ରୀ ରାଧାରୁ ରାଜନୀତିକ ନେତ୍ରୀ ରାଧା । ଉତ୍ତରଣ ଭିତରେ ଏକ ସାମାଜିକ ଜନକଲ୍ୟାଣକାରୀ ଶକ୍ତିର ଅଭ୍ୟୁଦୟ ଘଟୁନାହିଁ । ବସ୍ତି ଅଞ୍ଚଳର ଘଟୁଛି ନବରୂପାୟନ । ସେମିତିବି ସହରର ଉପକଣ୍ଠ । ତାଳଚେର ପୃଷ୍ଠଭୂମିରେ ରଚିତ ଏ ଉପନ୍ୟାସ ଶାସନୀ ବ୍ରାହ୍ମଣଙ୍କ ଚରିତ୍ରର ଆତଯାତ ଭିତରେ ସହର ଚେତନାର ଆଗମନକୁ ଦେଖାଏ । ତେବେ ଖୁବ୍ ସମ୍ପ୍ରତ୍ତି ଏ ସ୍ଵର ଅଧିକ ତୀବ୍ର ଓ ଅଧକ ସୃଷ୍ଟ । ବିଜୟ ନାୟକଙ୍କ ଗ୍ରାସ (୨୦୦୦) ଜିଲ୍ଲା ସଦର ମହକୁମାରୁ ଦଶ କିଲୋମିଟର ଦୂର ଏକ ଅପନ୍ତରା ଗାଁର ସହରୀକରଣର ଚିତ୍ର । ଗାଁ ସ୍କୁଲ ଶିକ୍ଷକ ପୁରନ୍ଦର ଦେଖୁଥିଲେ, ସେଇ ଗାଁକୁ ଦଳିଚକଟି ନେଇଚି ସହର । ମାଟି ଘର ସ୍ଥାନରେ ପକ୍କା ଘର ହେବା କେବଳ ସହରୀକରଣ ନୁହେଁ, ମାଟି ରାସ୍ତା ପିଚୁ ହେବା ମଧ୍ୟ ସହରୀ କରଣ ନୁହେଁ, ଗାଁଲୋକଙ୍କ ମାନସିକତା, ଦୃଷ୍ଟିଭଙ୍ଗୀରେ ଯେଉଁ ପରିବର୍ତ୍ତନ ଆସିଛି, ମଦ ଓ ପାପଗର୍ଭ ଯେଉଁଠି ଅନାକାଂକ୍ଷିତ ଆସିଛି, ଫ୍ୟାକ୍‍ଟ୍ରି ଓ ଧର୍ମଘଟ ଯେଉଁଠାରେ ଶାନ୍ତି ନଷ୍ଟ କରୁଛି ତାହାହିଁ ସହରୀକରଣ ଗ୍ରାସ ପରି ଏକ ରୋରୁଦ୍ୟମାନ ଚିତ୍ର । ସେମିତିବି ରଶ୍ମି ରାଉଳଙ୍କ ଏଠି ଗୋଟେ ଗାଁ ଥିଲା (୨୦୦୩) ଯେଉଁଠି ଗାଁର ମଧୁର ସ୍ମୃତିରେ ନିଜକୁ ଭସାଇ ଆପଣା ଝିଅକୁ ମା ନିଜର ଯେଉଁ ବାଲ୍ୟସ୍ମୃତି କହୁଥିଲା, ଦୀର୍ଘବର୍ଷର ବ୍ୟବଧାନରେ ସେ ସ୍ମୃତି ସ୍ମୃତିହୋଇ ରହିଯାଇଥିବାର ସେ ଦେଖିଲା । ତା’ ସ୍ମୃତିକୁ ସବୁଜ କରି ରଖିଥିବା ଗାଁର ଦୃଶ୍ୟ ଓ ଚରିତ୍ର ବଦଳି ଯାଇଥିଲା ସମ୍ପୂର୍ଣ୍ଣ ରୂପେ । ସେଇ ହତାଶା ଓ କ୍ଷୋଭର କାହାଣୀ -ଏଠି ଗୋଟେ ଗାଁ ଥିଲା

 

ଏ ସମୟ ଗୋଟିଏ ସହସ୍ରାବ୍ଦୀର ସଂକ୍ରମଣର ସମୟ । ଗୋଟିଏ ସହସ୍ରାବ୍ଦୀ ବିଦାୟ ନେଉଥିବାବେଳେ ତା’ର ଧାରଣା ଓ ପ୍ରଭାବ ସହସା ଅସ୍ତମିତ ହୁଏ ନାହିଁ । ଶଂସିତ ଏକାଳ ସେଇ ସହସ୍ରାବ୍ଦୀର ଶେଷ ଦୁଇଦଶନ୍ଧି ଓ ନୂଆ ଏକ ସହସ୍ରାବ୍ଦୀର ଶେଷ ଶତାବ୍ଦୀର ଉତ୍ତରାର୍ଦ୍ଧ୍ୱର ସ୍ଵର ବହନ କରିଛି । ସେ ସ୍ଵର ବ୍ୟଥା ଓ ବେଦନାର ପୁଣି ଆଶା ଓ ଆନନ୍ଦର । ସେ ସ୍ୱର ନିଜର ଗତକାଲିଟିକୁ ଚାହିଁବାର, ତହିଁରେ ଉଲ୍ଲସିତ ହେବାର ପୁଣି ସମକାଳ ରୂପରେ ଦୁଃଖୀ ହେବାର । ଏକାଳଖଣ୍ଡ ଘନଘୋର ଅନ୍ଧାର ଭିତରେ ବି ଆଲୁଅ ରେଖାଟିଏ ରହିଥାଇପାରେ -ଏଇ ସମ୍ଭାବନା ବଞ୍ଚିରହିଛି ।

 

 

ପ୍ରଫେସର ଓ ବିଭାଗୀୟ ମୁଖ୍ୟ

ଓଡ଼ିଆ ବିଭାଗ, ବିଶ୍ୱଭାରତୀ, ଶାନ୍ତିନିକେତନ

 

***

 

ସମକାଳୀନ ଓଡ଼ିଆ ଶିଶୁ ସାହିତ୍ୟ

ଦାଶ ବେନହୁର

 

ଗୋଟିଏ ଧାଡ଼ିରେ କହିଲେ –‘‘ବର୍ତ୍ତମାନର ଓଡ଼ିଆ ଶିଶୁସାହିତ୍ୟ ଉଭୟ ଦୁର୍ବଳ ଓ ଅବହେଳିତ ।’’ ସମକାଳୀନ ସାହିତ୍ୟର ଧାରା ଦିଗରୁ ବିଚାର କଲେ ଓଡ଼ିଆ ସାହିତ୍ୟର ଅନ୍ୟ କ୍ଷେତ୍ରଗୁଡ଼ିକ ଭଳି ଏ ଦିଗଟି ନା ସମଧିକ ଭାବେ ବିକଶିତ ନା ଆବଶ୍ୟକ-ମତେ ଆଲୋଚିତ ବା ମାନ୍ୟତାପ୍ରାପ୍ତ । ପ୍ରତିଷ୍ଠିତ ସାହିତ୍ୟିକମାନଙ୍କ ଆଡ଼ନଜର, ସମାଜର ଅନାଗ୍ରହ, ଅଭିଭାବକମାନଙ୍କର ଅପରିଣାମଦର୍ଶୀ ଅବହେଳା ଓ ସର୍ବୋପରି ଖୋଦ୍ ଶିଶୁ ସାହିତ୍ୟରେ ବ୍ରତୀ ଲେଖକ । ଲେଖିକାଙ୍କ ସହବଦ୍ଧତାର ଅଭାବ ହିଁ ଓଡ଼ିଆ ଶିଶୁ ସାହିତ୍ୟକୁ ଆବଶ୍ୟକ ଉତ୍ଥାନ ଦେବାରେ ଅନ୍ତରାୟ ହୋଇଛି ।

 

ଏ ପ୍ରବନ୍ଧର ଉଦ୍ଦେଶ୍ୟ ସମକାଳୀନ ଓଡ଼ିଆ ଶିଶୁ ସାହିତ୍ୟ ସମ୍ପର୍କରେ ଆଲୋଚନା କରିବା-। ଅତଏବ ଏଥିରେ ମୁଖ୍ୟତଃ ବର୍ତ୍ତମାନର ସ୍ଥିତି ଆଲୋଚିତ ହେବା ସହ ଅତୀତର କିଛି ସୂଚନା, ପ୍ରସଙ୍ଗକ୍ରମେ ଉପସ୍ଥାପିତ ହେବାକୁ ବାଧ୍ୟ । ବର୍ତ୍ତମାନ ଓଡ଼ିଆ ଶିଶୁ ସାହିତ୍ୟ ଦୁର୍ବଳ ଓ ଅବହେଳିତ କହିବାର ଅର୍ଥ ନୁହେଁ ଯେ ଅତୀତରେ ଏ ଦିଗଟି କେବେ ବେଶ୍ ସବଳ ଓ ମାନ୍ୟତାପ୍ରାପ୍ତ ହୋଇଥିଲା । ସାରା ପୃଥିବୀରେ ଶିଶୁସାହିତ୍ୟ ଏକ ନବାଗତ ଧାରା । ଭାରତ ତଥା ଓଡ଼ିଶାରେ ଅନୁରୂପ କ୍ରମେ ଏହା ନିକଟ ଅତୀତର ସୃଷ୍ଟି । ରାମକୃଷ୍ଣ ନନ୍ଦଙ୍କ ମତ ଅନୁସାରେ - ‘‘ଆଜିକୁ ଶହେବର୍ଷ ତଳେ ଆଧୁନିକ ଓଡ଼ିଆ ଶିଶୁ ସାହିତ୍ୟ ଜନ୍ମଲାଭ କରିନଥିଲା ।’’୧ ଡକ୍ଟର ମହେଶ୍ୱର ମହାନ୍ତିଙ୍କ ମତରେ “ଆଜି ଯେଉଁ ଶିଶୁସାହିତ୍ୟ ସମ୍ପର୍କରେ ନାନାଭାବରେ ଆଲୋଚନା ସମାଲୋଚନା କରାଯାଉଛି, ତାହା ସମ୍ପୂର୍ଣ୍ଣ ରୂପେ ଏକ ଅର୍ବାଚୀନ କଳା ଓ ମୁଦ୍ରାଯନ୍ତ୍ର ଯୁଗର ସୃଷ୍ଟି-।’’ ୨ ସେହିପରି ଡକ୍ଟର ପ୍ରସନ୍ନ କୁମାର ମିଶ୍ର ମତ ଦିଅନ୍ତି ଯେ, “ଓଡ଼ିଆ ଶିଶୁ ସାହିତ୍ୟ ଆଧୁନିକ କାଳର ସୃଷ୍ଟି । ମଧୁସୂଦନ ରାଓ ଏହି ସାହିତ୍ୟର ଆଦିକାଳର ସର୍ବ-ପ୍ରଧାନ ସ୍ରଷ୍ଟା । ମୁଖ୍ୟତଃ ଶିଶୁକୁ ବର୍ଣ୍ଣମାଳା ସହିତ ପରିଚିତ କରିବା ଲକ୍ଷ୍ୟରେ ସେ ଯେଉଁ ପଦ୍ୟମାନ ରଚନା କରିଥିଲେ, ସେଇସବୁ ହିଁ ଶିଶୁସାହିତ୍ୟର ପ୍ରାଥମିକ ପର୍ଯ୍ୟାୟର ନିଦର୍ଶନ ।”୩

 

ଅତଏବ ଓଡ଼ିଆ ଶିଶୁ ସାହିତ୍ୟର ଧାରା ଯେ ମୋଟେ ପ୍ରାଚୀନ ନୁହେଁ ଏ ନେଇ ଅନେକ ଏକମତ । ତେବେ ଆଧୁନିକ ଓଡ଼ିଶାରେ ଆମେ ଯେଉଁ ଶିଶୁସାହିତ୍ୟ ଏବେ ପଢ଼ିବାକୁ ପାଉଛୁ ତା’ର ମୂଳ ଯେ କାହି କେତେକାଳର ଅତୀତ ସହ ଯୋଡ଼ା ସେ କଥା କେହି ଅସ୍ୱୀକାର କରିପାରିବେ ନାହିଁ । ଓଡ଼ିଆ ଶିଶୁ ସାହିତ୍ୟର ଏହି ସମକାଳୀନ ସ୍ତର, ଓଡ଼ିଆ ମୌଖିକ ସାହିତ୍ୟ ବା ଲୋକ ସାହିତ୍ୟ ସହ ଅତି ଅଙ୍ଗାଙ୍ଗୀଭାବରେ ଜଡ଼ିତ । ଏବେ ବି ସାହିତ୍ୟିକମାନେ ପିଲାମାନଙ୍କ ପାଇଁ ଲେଖିଲାବେଳେ, ସେଥିରେ ଲୋକ ସାହିତ୍ୟର ଝଲକ ଦେଖିବାକୁ ମିଳେ । ଡକ୍ଟର ଜଗନ୍ନାଥ ମହାନ୍ତିଙ୍କ ମତରେ- Like her sister languages, Oriya children's literature had its origin in the nursery rhymes, lullabies, folk-tales and folk songs of the people.” ଆଉ ପାଦେ ଅଧିକ ଆଗେଇ ଯାଇ ଡକ୍ଟର ମନୀନ୍ଦ୍ର ମହାନ୍ତି ପ୍ରକାଶ କରନ୍ତି ଯେ – “ପ୍ରାଚୀନ ଓଡ଼ିଶାର ଶିକ୍ଷାୟତନରେ ପଠିତ ପାଠ୍ୟ ବିଷୟ ଓ ଆଧୁନିକ ଯୁଗରେ ପଠିତ ପାଠ୍ୟ ବିଷୟ ମଧ୍ୟଦେଇ ଓଡ଼ିଆ ଶିଶୁ ସାହିତ୍ୟ କ୍ରମେ ଉନ୍ମେଷିତ ରୂପ ନେଇଛି । ପ୍ରାକ୍ ଇଂରେଜୀ ଯୁଗରେ ଓଡ଼ିଶାର ପିଲାମାନେ ଚାଟଶାଳୀରେ ଯେଉଁ କେଶବ କୋଇଲି, ଗୋପୀଭାଷା, କମଳଲୋଚନ ଚଉତିଶା ଆଦି ପାଠ କରୁଥଲେ, ଏଗୁଡ଼ିକ ଶିଶୁ ଉପଯୋଗୀ ନୁହେଁ । ମାତ୍ର ତନ୍ମଧ୍ୟରେ ଥିବା ସ୍ୱର ଲହରୀ ପିଲାମାନଙ୍କୁ ଆକର୍ଷିତ କରୁଥିଲା । ଆଧୁନିକ ଶିକ୍ଷାଦାନରେ ଯେଉଁ ପାଠ୍ୟପୁସ୍ତକମାନ ରଚନା କରାଗଲା, ତାହା ସ୍ଵତନ୍ତ୍ର ଭାବରେ ପିଲାମାନଙ୍କ ଉଦ୍ଦେଶ୍ୟରେ ରଚିତ ହେଲା । ପିଲାମାନଙ୍କ ପାଇଁ ଏହି ଯେଉଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଗଲା, ତାହା ଓଡ଼ିଆ ଲିଖିତ ଶିଶୁ-ସାହିତ୍ୟ ସୃଷ୍ଟି ଦିଗରେ ପ୍ରଥମ ପଦକ୍ଷେପ । ପିଲାର ବୟସ, ରୁଚି, ମାନସିକ ସ୍ତର, ଜ୍ଞାନ ଏବଂ ସର୍ବୋପରି ତା’ର ଦୃଷ୍ଟିକୋଣକୁ ଲକ୍ଷ୍ୟରଖି ଯେଉଁ ରଚନା କରିବାର ଉଦ୍ୟମ କରାଗଲା – ତାହାହିଁ ଓଡ଼ିଆ ଶିଶୁସାହିତ୍ୟର ପ୍ରଥମ ପ୍ରଭାତ ।’’୫

 

ଏହି ପ୍ରେକ୍ଷାପଟରେ ବିଚାର କଲେ ସମକାଳୀନ ଓଡ଼ିଆ ଶିଶୁସାହିତ୍ୟର ଆରମ୍ଭ ହୁଏ ଓଡ଼ିଆ ଭାଷାରେ ରଚିତ ପାଠ୍ୟପୁସ୍ତକର ପରିବେଶରୁ । ସେଇଥିପାଇଁ ରାମକୃଷ୍ଣ ନନ୍ଦ ଓଡ଼ିଆ ଶିଶୁ ସାହିତ୍ୟର ବିକାଶଧାରାକୁ ଆଲୋଚନା କରି ତାହାକୁ ପାଞ୍ଚଗୋଟି ସୋପାନରେ ବିଭକ୍ତ କରିଥିଲେ-। ଯଥା : (୧) ୧୮୭୬ର ପୂର୍ବବର୍ତ୍ତୀ କାଳ : ମୌଖିକ ସାହିତ୍ୟର ଯୁଗ (୨) ୧୮୭୬-୧୯୦୦ : ଆଧୁନିକ ଶିଶୁ ସାହିତ୍ୟର ଉନ୍ମେଷ କାଳ; (୩) ୧୯୦୧-୧୯୨୦ : ପ୍ରାଣପ୍ରତିଷ୍ଠା କାଳ (୪) ୧୯୨୧-୧୯୪୭ : ବିକାଶକାଳ; (୫) ୧୯୪୭-ସ୍ଵାଧୀନତା ପରବର୍ତ୍ତୀ କାଳ ୬ ତାଙ୍କରି ମତକୁ ସମ୍ମାନ ଦେଇ ୧୯୦୧-୧୯ ୨୦ ପ୍ରାଣପ୍ରତିଷ୍ଠାକାଳକୁ ସମକାଳୀନ ଶିଶୁ ସାହିତ୍ୟର ଆରମ୍ଭ ବୋଲି କହିବା ହୁଏତ ଅଧିକ ସମୀଚୀନ ହେବ ।

 

ସମକାଳୀନ ଓଡ଼ିଆ ଶିଶୁ ସାହିତ୍ୟ ଏବେ ଆଉ ପାଠ୍ୟପୁସ୍ତକର ପୃଷ୍ଠା ଭିତରେ ବନ୍ଦୀହୋଇନାହିଁ । ଏହା ସମ୍ପ୍ରତି ପ୍ରକାଶିତ ହେଉଥିବା ନାନାବିଧ ପ୍ରଚାର ଓ ପ୍ରକାଶନରେ ବହୁମୁଖୀ ପରିଚୟ ହାସଲ କରିଛି । ଗଳ୍ପ, ଉପନ୍ୟାସ, କବିତା, ନାଟକ ,ପ୍ରବନ୍ଧ, ଚିତ୍ରକଥା, କଥାଗୀତିକା, ଛଟା, ପହଳି ଆଦି ବିଭିନ୍ନ ରୂପରେ ଶିଶୁ ସାହିତ୍ୟ ଆତ୍ମପ୍ରକାଶ କରୁଛି । ଉପନ୍ୟାସ, ନାଟକ, କଥାଗୀତିକା, ଛଟା ଓ ପହଳି ଆଦି ବହୁଳଭାବରେ ସୃଷ୍ଟି ହେଉନଥିଲେ ମଧ୍ୟ, ଏସବୁ ଧାରା କାଁ ଭାଁ ଅବ୍ୟାହତ ରହିଛି ।

 

ତେବେ ସମକାଳୀନ ଶିଶୁ ସାହିତ୍ୟର ଯେଉଁ ଦିଗଟି ସବୁଠାରୁ ଅଧିକ ଦୃଷ୍ଟି ଆକର୍ଷଣ କରେ ତାହା ହେଉଛି ଶିଶୁଗୀତ ଓ ଶିଶୁକବିତା । ଲୋକ ପରମ୍ପରାର ଧାରାରେ ଆଜି ବି ଅଗଣିତ ଶିଶୁଗୀତ ଓ କବିତା ଲିଖିତ ହୋଇ ପୁସ୍ତକ ଆକାରରେ ଓ ପତ୍ରିକା ପୃଷ୍ଠାରେ ମୁଦ୍ରିତ ହେଉଛି । ଏସବୁ ଗୀତରେ ପ୍ରଧାନତଃ ତାଳ, ନାଦ ଓ ଛନ୍ଦକୁ ପ୍ରାଧାନ୍ୟ ଦିଆଯାଇ ପାରମ୍ପରିକ ବିଚାରବୋଧ ଆଧାରରେ ଲେଖକର ଶିକ୍ଷାମନସ୍କ-ଭାବଧାରା ପ୍ରକାଶ ପାଉଛି । ପିଲା ଆଗରେ ଉନ୍ମୋଚିତ ହେଉଥିବା ପରିବର୍ତ୍ତିତ ପୃଥିବୀର ଛବି ଖୁବ୍ କମ୍ ପରିବେଷିତ ହେଉଛି । ଅଜା, ଆଈ, ମାଆ, ଖରା, ବର୍ଷା, ଶୀତ, ଦଶହରା, ପୂଜାଛୁଟି, ବେଙ୍ଗୁଲୀ, ବିଲୁଆନନା, ବାଘମାମୁଁ, ଜହ୍ନମାମୁଁ, ଫୁଲ, କଇଁ, ବସନ୍ତ, କାଗଜ ଡଙ୍ଗା ଆଦି ବିଭିନ୍ନ ଅସ୍ଥିମଜାଗତ ଚର୍ବିତ ଚର୍ବଣ ବିଷୟବସ୍ତୁ ଉପରେ ସାହିତ୍ୟ ସୃଷ୍ଟି ହେଉଛି । ସାହିତ୍ୟ ଯେ ଅନନ୍ତକାଳୀନ ହେବା ସହ ସମକାଳୀନ ହୁଏ ସେ କଥା ଅନେକେ ହୃଦୟଙ୍ଗମ କରିବା ପାଇଁ ଅକ୍ଷମ । ଗୀତ ଓ କବିତା ପିଲାମାନଙ୍କର ପ୍ରିୟ । ଅଳ୍ପ ବୟସର ପିଲାମାନଙ୍କ ପାଇଁ ବିଷୟବସ୍ତୁର ଭାବ ଅପେକ୍ଷା ଗୀତର ନାଦ ଓ ତାଳ ଯେ ଅଧିକ ମୂଲ୍ୟବାନ ସେ କଥା କେହି ଅସ୍ୱୀକାର କରିବେ ନାହିଁ । କିନ୍ତୁ ୟା ବୋଲି ଯେ ସେଇ ଚିରାଚରିତ ଭାବର କଥାମାନ ସେମାନଙ୍କ ଆଗରେ ବାରମ୍ବାର ପରିବେଷିତ ହେଉଥିବ ତାହା ମଧ୍ୟ କୌଣସି ଶିଶୁ ବା କିଶୋର ଚାହାନ୍ତି ନାହିଁ । ପିଲାଙ୍କ ପାଇଁ କବିତା ବା ଗୀତ ସୁନ୍ଦର ଛନ୍ଦରେ ବନ୍ଧା ହେବାସହ ବିଭିନ୍ନ ସମକାଳୀନ ବିକଶିତ ଭାବ ଉପରେ ପର୍ଯ୍ୟବସିତ ହେବା ଆବଶ୍ୟକ । ସମୟକ୍ରମେ ଋତୁର ଆଗମନରେ ପରିବର୍ତ୍ତନ ଘଟୁଛି; ବର୍ଷାଦିନେ ଗାଁ ପଡ଼ିଆରେ ସାଧବବୋହୂ ଦେଖାଦେଉଥିବା ବେଳେ ସହରରେ ରାସ୍ତା ମଝିରେ ଠାଆକୁ ଠାଆ ଅଜଣା ଗଭୀରତାର ଟୁବିଗାଡ଼ିଆ ଗଢ଼ି ଉଠୁଛି । ପର ଉପରେ ପାଣି ଟପ୍ ଟପ୍ ପଡ଼ୁଥିବା ବେଳେ ଟିଣ ବା ଆବେଷ୍ଟସ୍ ଛାତ ଉପରେ ପାଣି ଟନ୍ ଟନ୍, ଟଡ଼ ଟଡ୍ ପଡ଼ୁଛି । ସତକୁ ସତ ଶୀତ ଆସିବା ଆଗରୁ ସହରରେ ଶୀତ ଉଲବିକାଳୀଙ୍କ ଗଣ୍ଡିରି ଦୃଶ୍ୟରେ ଉହ୍ନେଇ ଆସୁଛି ଧଡ଼୍ କରି । ଚାକିରି କରିଥିବା ମାଆ ଓ ଗୃହିଣୀ ମାଆ, ଗାଁରେ ଏକା ଅଗଣାରେ ବେଳ କାଟୁଥିବା ବୁଢ଼ୀ ମାଆ ଓ ନାତି ଓ ଗାଁଠାରୁ ଅନେକ ଦୂରରେ ଥିବା ବୁଢ଼ୀ ମାଆର ନାତି ଭିତରେ ମାନସିକତା ଓ ମନନର ଘୋର ପରିବର୍ତ୍ତନ ଘଟୁଛି । ମାତ୍ର ଶିଶୁ କବିତାରେ ସେ ସବୁ ପ୍ରତିକିତ ହେଉନାହିଁ । ବଦଳୁଥିବା ସମୟର ଚିତ୍ର ଅଧିକାଂଶ ଶିଶୁ କବିତାରେ ସ୍ଥାନ ପାଉନାହିଁ ।

 

ସମକାଳୀନ ଓଡ଼ିଆ ଶିଶୁ ସାହିତ୍ୟରେ ଉପନ୍ୟାସ ଅତି ନଗଣ୍ୟ, ନାଟକ ଆଙ୍ଗୁଠି ଗଣତିରେ ସୀମାବଦ୍ଧ ଓ ମୌଳିକ ଗଳ୍ପ ଅସମ୍ଭବ ଭାବରେ ଅଳ୍ପ । ଯାହାକିଛି ଉପନ୍ୟାସ, ନାଟକ ଓ ଗଳ୍ପ ପାଠକଙ୍କ ନିକଟରେ ପରିବେଷିତ ହୋଇଛି ସେସବୁ ପୁରାତନ ଶୈଳୀର ଓ ପାରମ୍ପରିକ ଆଧାରରେ ଲେଖା, ପୁରାଣ, ଜୀବନୀ, ଲୋକକଥା ଓ ଅନୁବାଦ ଆଧାରରେ ଯେତେସବୁ ପ୍ରକାଶ ପାଇଛି ସେସବୁକୁ ସମକାଳୀନ କହି ଗ୍ରହଣ କରିବା ଯେ କୌଣସି ଭାଷାର ସାହିତ୍ୟ-ମୌଳିକତା ପ୍ରତି ଅବିଚାର ଛଡ଼ା ଅନ୍ୟକିଛି ନୁହେଁ ।

 

ଅତଏବ କହିବାରେ ଦ୍ୱିଧା ନାହିଁ ଯେ ସମକାଳୀନ ଓଡ଼ିଆ ଶିଶୁ ସାହିତ୍ୟରେ ଉପନ୍ୟାସ, ନାଟକ ଓ ଗଳ୍ପ ଅପର୍ଯ୍ୟାପ୍ତ ଓ ଦୁର୍ବଳ ଥିବାବେଳେ ଗୀତ ଓ କବିତା ବହୁଳାଂଶରେ ପାରମ୍ପରିକ । ତେଣୁ ଆଧୁନିକ ସମୟର ଉନ୍ମୁଖ ଶିଶୁ-କିଶୋର-କିଶୋରୀଙ୍କୁ ସେଭଳି ସୃଷ୍ଟି ଆକୃଷ୍ଟ କରିବାପାଇଁ ଅନୁପଯୁକ୍ତ ।

 

ପୃଥିବୀ ସାରା ସମକାଳୀନ ଶିଶୁ ସାହିତ୍ୟରେ ପରୀକ୍ଷା, ନିରୀକ୍ଷା ଚାଲୁ ରହିଥିବା ବେଳେ ଆଶ୍ଚର୍ଯ୍ୟଜନକଭାବେ ଓଡ଼ିଆ ଶିଶୁ ସାହିତ୍ୟରେ ତାହା ପରିଦୃଷ୍ଟ ହୁଏ ନାହିଁ । ବିଜ୍ଞାନର ସଫଳତା, ଆଧାର ଓ ଚମତ୍କାରିତାକୁ ନେଇ ଗଳ୍ପ କବିତା ଲେଖାଯାଏ ନାହିଁ । ନିରୁତା ବ୍ୟଙ୍ଗ, ଅଲୌକିକ ଭାବନା, କୌତୁହଳପୂର୍ଣ୍ଣ ରହସ୍ୟ ତଥା ଐତିହାସିକ ଘନଘଟାକୁ ସମ୍ବଳ କରି ଶିଶୁ ସାହିତ୍ୟ ରଚନା କରିବା ପ୍ରାୟତଃ ବିରଳ କହିଲେ ଚଳେ । ପୁଣି ପିଲାମାନଙ୍କର ଦୁନିଆ, ସେମାନଙ୍କର ଭାବନାକୁ ନିଜ ବୟସ୍କ ଭାବନାଠାରୁ ଦୁରେଇ ଚିନ୍ତା କରିବା ଓ ସେସବୁକୁ ପାଥେୟ କରି ଶିଶୁ ସାହିତ୍ୟ ରଚନା କରିବା ଅତିମାତ୍ରାରେ ନଗଣ୍ୟ ।

 

ଏସବୁ ସତ୍ତ୍ୱେ ସମକାଳୀନ ଓଡ଼ିଆ ଶିଶୁ ସାହିତ୍ୟ ଯେ ଅନ୍ଧାରର ପରିଧିରେ ବନ୍ଧା ସେ କଥା କହିବା ସତ୍ୟର ଅପଳାପ ହେବ । ବିଶେଷ କରି ଓଡ଼ିଆ ଖବରକାଗଜମାନଙ୍କରେ ପ୍ରତି ସପ୍ତାହରେ ଗୋଟିଏ ଲେଖାଏଁ ଶିଶୁ ସାହିତ୍ୟ ପୃଷ୍ଠା ନିର୍ଦ୍ଦିଷ୍ଟ ହୋଇ ପ୍ରକାଶିତ ହେବାପରେ ଶିଶୁ ସାହିତ୍ୟିକମାନଙ୍କର ସଂଖ୍ୟା ଓ ମାନରେ ଅନେକ ଆସ୍ତିସୂଚକ ପରିବର୍ତ୍ତନ ଘଟିଛି । ନୂଆ ନୂଆ ବିଷୟବସ୍ତୁକୁ ଆଧାରକରି ପିଲାମାନଙ୍କ ପାଇଁ ସାହିତ୍ୟ ରଚନା କରିବାପାଇଁ ଶିକ୍ଷକ /ଶିକ୍ଷୟତ୍ରୀଙ୍କ ଛଡ଼ା ଅନ୍ୟବୃତ୍ତିର ମଣିଷ ଓ ଗୃହିଣୀମାନଙ୍କ ଭିତରେ ଆଗ୍ରହ ପରିଲକ୍ଷିତ ହୋଇଛି । ନୂଆ ନୂଆ ଫିଚର, ପହଳି, ଛଟା, କଥାଗୀତିକା ଓ ଏକାଙ୍କିକା ରଚନା କରିବା ଦିଗରେ ଆଗୁସାର ମନୋଭାବ ପ୍ରକାଶ ପାଉଛି । ଶିଶୁ ସାହିତ୍ୟ ପତ୍ରିକାଗୁଡ଼ିକର ମାନ ଓ ସଂଖ୍ୟାରେ ଅବନତି ଦେଖା ଦେଉଥିବା ବେଳେ ଖବରକାଗଜର ପୃଷ୍ଠାଗୁଡ଼ିକ ସେ ଦାୟିତ୍ୱ ବହନ କରି ସମକାଳୀନ ଶିଶୁ ସାହିତ୍ୟକୁ ନୂଆ ଜୀବନ ପ୍ରଦାନ କରିଛନ୍ତି ।

 

ସବୁଠାରୁ ଚିନ୍ତାଜନକ ଦିଗଟି ହେଉଛି ଓଡ଼ିଆ ଭାଷାର ପ୍ରତିଷ୍ଠିତ ବିଦଗ୍‍ଧ ସାହିତ୍ୟିକମାନଙ୍କର ସମକାଳୀନ ଓଡ଼ିଆ ଶିଶୁ ସାହିତ୍ୟ ପ୍ରତି ଅନାସ୍ଥା ଭାବ । ସମ୍ଭବତଃ ଓଡ଼ିଆ ଶିଶୁସାହିତ୍ୟକୁ ନେଇ ଓଡ଼ିଶାରେ ଯେତେ ଗବେଷଣା ହୋଇଛି, ହୁଏତ ଭାରତର ଅନ୍ୟ କୌଣସି ଭାଷାରେ ସେପରି ହୋଇନାହିଁ । ଏଯାବତ୍ ପ୍ରାୟ ଷୋହଳ ଜଣ ବିଦ୍ୱାନ୍ ଏ ବିଷୟ ଉପରେ ଗବେଷଣା କରି ଉଚ୍ଚତର ଉପାଧି ଲାଭ କରିଛନ୍ତି । ପାରମ୍ପରିକ ହେଲେ ମଧ୍ୟ ଓଡ଼ିଆ ଶିଶୁ ସାହିତ୍ୟର ପ୍ରକାଶନ ବହୁଳତା, ସଂଖ୍ୟା ଦୃଷ୍ଟିରୁ ଯଥେଷ୍ଟ ଅଧିକ । ତଥାପି ଓଡ଼ିଆ ସାହିତ୍ୟର ଇତିହାସ ଗ୍ରନ୍ଥ ରଚନା କରୁଥିବା ଶାସ୍ତ୍ରୀୟ ପଣ୍ଡିତମାନେ ଓଡ଼ିଆ ଶିଶୁସାହିତ୍ୟର ଧାରାକୁ ମାନ୍ୟତା ଦେଇ ଆଲୋଚନା କରିବା ଦିଗରେ ପରାଙ୍ମୁଖ । ଅନ୍ୟପଟେ ପ୍ରତିଷ୍ଠିତ ବିଦଗ୍ଧ ସାହିତ୍ୟିକମାନେ ସମକାଳୀନ ଶିଶୁ ସାହିତ୍ୟ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ । ଶିଶୁର ଉତ୍ତରଣକୁ ହେୟ ମନେ କରି ଓ ସେ କ୍ଷେତ୍ରଟିକୁ ଅବହେଳା କରି ସେମାନେ ଯୁବକତ୍ଵର ସ୍ଵପ୍ନ-ସମାଜ ଗଠନରେ ମଗ୍ନ । ଅନେକ ହୁଏତ ଭାବନ୍ତି ସାହିତ୍ୟ-ଅସଂପୃକ୍ତ ଶିଶୁ ବା କିଶୋରଟିଏ ହଠାତ୍ ଯୁବକ ବା ବୟସ୍କ ହୋଇ ତାଙ୍କର ସୃଷ୍ଟିକୁ ଆଦର କରିବସିବ । ମନେରଖିବାକୁ ହେବ ଶିଶୁ ସାହିତ୍ୟ ପୁଣି ସଫଳ ଶିଶୁ ସାହିତ୍ୟ ହିଁ ମଣିଷକୁ ଛୋଟ ବେଳୁ ସାହିତ୍ୟ-ସମ୍ପୃକ୍ତ କରାଏ । ତେଣୁ ସଫଳ ଶିଶୁ ସାହିତ୍ୟ ସୃଷ୍ଟି ସମସ୍ତଙ୍କର ଧ୍ୟାନକୁ ଆସିବା ଆବଶ୍ୟକ ।

 

ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଅଭିଭାବକମାନଙ୍କର ଅପରିଣାମଦର୍ଶିତା । ପିଲାମାନଙ୍କୁ ଉତ୍ତମ ସାହିତ୍ୟ ପଠନରେ ବ୍ରତୀ କରାଇବା ଯେ ଏକ ଅତ୍ୟାବଶ୍ୟକ ଅଭିଭାବକୀୟ ଦାୟିତ୍ୱ ସେକଥା ଅନେକ ହୃଦୟଙ୍ଗମ କରନ୍ତି ନାହିଁ । ପେଟପାଇଁ ଯେମିତି ଖାଦ୍ୟ, ଶରୀର ପାଇଁ ପୋଷାକ, ମୁଣ୍ଡପାଇଁ ପାଠ ସେମିତି ହୃଦୟଗଠନ ପାଇଁ ଉତ୍ତମ ସାହିତ୍ୟ ଏକ ଜରୁରୀ ଆବଶ୍ୟକତା । ଅତଏବ ଉତ୍ତମ ସାହିତ୍ୟ ସୃଷ୍ଟି ଓ ଚୟନ ଦିଗରେ ସଚେତନ ହେବା ଜଣେ ଭଲ ଅଭିଭାବକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କଥା ।

 

ଏହିସବୁ କାରଣରୁ ସମକାଳୀନ ଓଡ଼ିଆ ଶିଶୁ ସାହିତ୍ୟ କଥା ଆଲୋଚନା କଲାବେଳେ କେବଳ ଶିଶୁ ସାହିତ୍ୟର ବିଭାଗଗୁଡ଼ିକ ଭିତରେ ଆଲୋଚନାକୁ ସୀମାବଦ୍ଧ ନ କରି ତାହା ସହିତ ସମ୍ପୃକ୍ତ ଅନ୍ୟାନ୍ୟ ସାମାଜିକ ଓ ସାଂସ୍କୃତିକ ସମସ୍ୟାଗୁଡ଼ିକ ବିଚାରକୁ ନେବା ଆବଶ୍ୟକ । ସାହିତ୍ୟ ସୃଷ୍ଟି ହେଲେ ତାହା ଆପେ ପାଠକ ପାଖରେ ପହଞ୍ଚି ନାହିଁ । ସାହିତ୍ୟର ମାନ୍ୟତା ନଥିଲେ ଭଲ ସାହିତ୍ୟ ଆପେ ସୃଷ୍ଟି ହୁଏ ନାହିଁ । ସେଥିପାଇଁ ଏକ ସାମାଜିକ ବତାବରଣ ଲୋଡ଼ା ।

 

ଗୋଟିଏ କଥା ସତ୍ୟ ଯେ, ଓଡ଼ିଆ ସାହିତ୍ୟର ଦରବାରରେ ସମକାଳୀନ ଶିଶୁ ସାହିତ୍ୟ ଯେଉଁ ମାନ୍ୟତା ପାଇବା କଥା ତାହା ପାଉନାହିଁ । ଫଳରେ ଚିନ୍ତାଶୀଳ, ବିଦଗ୍‍ଧ ପ୍ରତିଷ୍ଠିତ ସାହିତ୍ୟିକମାନେ ସେ ଦିଗ ପ୍ରତି ଆକୃଷ୍ଟ ହେଉନାହାନ୍ତି । ଯେଉଁମାନେ ସାହିତ୍ୟକୁ ସ୍ୱପ୍ନର ଆଗମନ ସହ ତୁଳନା କରନ୍ତି ସେମାନେ ଭୁଲିଯାଆନ୍ତି ଯେ କୌଣସି ଅକ୍ଷର ସ୍ୱପ୍ନ ନୁହେଁ, ଭାବ ମଧ୍ୟ ସ୍ଵପ୍ନ ନୁହେଁ । ଭାବର ଆରମ୍ଭ କେତେକାଂଶରେ ସ୍ଵପ୍ନମାତ୍ର । ସେଥିପାଇଁ ତ କୁହାଯାଇଛି ସାହିତ୍ୟର ୯୯ ଭାଗ ଝାଳନାଳ ବାସ୍ତବତାରେ ଗୁନ୍ଥା ।

 

ସରକାରୀ ପ୍ରୋତ୍ସାହନ ଓ ପ୍ରକାଶନୀୟ ଆଗ୍ରହ ସମ୍ପର୍କରେ କେହି କେହି ସମକାଳୀନ ଶିଶୁ ସାହିତ୍ୟକୁ ଯୋଡ଼ି ଆଲୋଚନା କରନ୍ତି । ମାତ୍ର ମୂଳ ହେଉଛି ସମାଜ । ସମାଜ ଶିଶୁ ସାହିତ୍ୟକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କଲେ ଏହି ସମକାଳଟି ଶିଶୁ ସାହିତ୍ୟ ପ୍ରତି ଉନ୍ମୁଖ ହେବ । ଥରେ ସମାଜର ଏ ଉନ୍ମୁଖ ଦିଗଟି ପ୍ରତି ଦୃଷ୍ଟି ପଡ଼ିଲେ ଆପେ ସମକାଳୀନ ଶିଶୁସାହିତ୍ୟ ବିକଶିତ ହୋଇଉଠିବ । ଆପେ ସରକାର ଆଗେଇ ଆସିବେ, ଆପେ ପ୍ରକାଶକମାନେ ବିପଣି ଖୋଲିବେ ।

 

ପ୍ରକୃତରେ ଶିଶୁ ସାହିତ୍ୟର ପ୍ରଭାବ ଆରମ୍ଭ ହୁଏ ପିଲାଟିଏ ଅକ୍ଷର ଶିଝିବା ପୂର୍ବରୁ, ମା’ ପେଟରେ ଥାଉ ଥାଉ । ସେଭଳି ଶିଶୁ ସାହିତ୍ୟରେ ଗୁନ୍ଥାଥାଏ ସମାଜ ତିଆରି କରିଥିବା ବାତାବରଣ । ସେ ବାତାବରଣର ଆଲୋକ ଯେତେ ଉଜ୍ଜ୍ଵଳ ତଥା ବର୍ଣ୍ଣିଳ ହେବ ସମକାଳୀନ ଶିଶୁ ସାହିତ୍ୟ ସେତେ ପ୍ରାଣବନ୍ତ ହେବାକୁ ବାଧ୍ୟ ।

 

ସହାୟକ ସୂଚୀ :

୧.

ଓଡ଼ିଆ ଶିଶୁସାହିତ୍ୟ ଓ ପତ୍ରିକା; ରାମକୃଷ୍ଣ ନନ୍ଦ, ଓଡ଼ିଶା ସାହିତ୍ୟ ଏକାଡେମୀ ରଜତ ଜୟନ୍ତୀ ସମାରୋହ ଭୁବନେଶ୍ୱର, ୧୯୮୨, ପୃ୧ ।

ସାମ୍ପ୍ରତିକ କାଳର ଶିଶୁ ଓ ଶିଶୁ ସାହିତ୍ୟ; ମହେଶ୍ୱର ମହାନ୍ତି, ପୁରୀ, ୧୯୮୬ ପୃ-୫

ଓଡ଼ିଆ ଶିଶୁ ସାହିତ୍ୟର କ୍ରମବିକାଶ, ଡକ୍ଟର ପ୍ରସନ୍ନ କୁମାର ମିଶ୍ର, କୋଣାର୍କ (୬୭ତମ ସଂଖ୍ୟା) ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର, ୧୯୮୮ ପୃ-୧,

Children’s literature of Orissa, Dr. Jagannath Mohanty, Orissa Sahitya Akademi , Bhubaneswar, 1993, P-21.

ଶିଶୁ-ସାହିତ୍ୟ କଅଣ ଓ କାହିଁକି, ଡକ୍ଟର ମନୀନ୍ଦ୍ର ମହାନ୍ତି, “ଗିରିଝର’’ ବାର୍ଷିକ ସଂଖ୍ୟା, ନଭେମ୍ବର, ୧୯୯୦, ପୃ ୧୭-୧୮

ପୂର୍ବସୂଚିତ : ରାମକୃଷ୍ଣ ନନ୍ଦ (୧୯୮୨)

Should Children's Literature be Consciously Moral ? Speech by Manoj Das, held on 9.12.97 at N.B.T. premises, New Delhi.

 

ସମକାଳୀନ ଓଡ଼ିଆ ଭ୍ରମଣ ସାହିତ୍ୟ

(୧୯୭୫-୨୦୦୫)

 

ପ୍ରସନ୍ନ କୁମାର ସ୍ୱାଇଁ

 

ଓଡ଼ିଆ ଭାଗବତାକାର ଜଗନ୍ନାଥ ଦାସ ତାଙ୍କର ଭାଗବତରେ ଉଲ୍ଲେଖ କରିଛନ୍ତି – “ଯେ ପକ୍ଷୀ ଉଡ଼େ ଯେତେଦୂର, ସେ ଜାଣେ ତହିଁର ବେଭାର ।’’ ଓଡ଼ିଆ ଭ୍ରମଣ ସାହିତ୍ୟ ଆଲୋଚନା ପ୍ରସଙ୍ଗ ଓ ପରିପ୍ରେକ୍ଷୀରେ ଜଗନ୍ନାଥ ଦାସଙ୍କର ଏହି ପଦଟିର ପ୍ରାସଙ୍ଗିକତା ଖୁବ୍ ଅଧିକ । ମଣିଷ ଏକ ସାମାଜିକ ପ୍ରାଣୀ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ନିଜ ଦୃଷ୍ଟିକୁ ସମ୍ପ୍ରସାରିତ କରିବା ସହିତ ନିଜ ଚିନ୍ତା-ଚେତନାର ପ୍ରସାରଣ ନିମିତ୍ତ ସେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗମନ କରେ, ପରକୁ ଆପଣା କରି ପରଦେଶକୁ ନିଜର କରେ । ପରସ୍ପର ସହ ମତ ବିନିମୟରେ ସେ ସହାୟକ ହୁଏ । ଯେଉଁ ବ୍ୟକ୍ତି ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ଭ୍ରମଣ କରିବାକୁ ଯାଏ, ସେ ହୁଏ ଭ୍ରମଣକାରୀ । ହୁଏତ କିଏ ନିଜ ସହର ମଧ୍ୟରେ ଭ୍ରମଣ କରୁଥିବା ବେଳେ କିଏ ରାଜ୍ୟ ମଧ୍ୟରେ କିଏ ଦେଶ ଭିତରେ ତ ପୁଣି କିଏ ମହାଦେଶ ବା ସମଗ୍ର ପୃଥିବୀ ଭ୍ରମଣ କରେ । ଆମ ଦେଶରେ ଏହି ପରିଭ୍ରମଣରେ ସାମିଲ ହୁଅନ୍ତି ଛାତ୍ର, ଶିକ୍ଷକ, ଗବେଷକ, ପ୍ରଶାସକ, ରାଜନୀତିକ ନେତା, ସାମ୍ବାଦିକ, କଳାକାର, ଶିଳ୍ପୀ, ସାହିତ୍ୟିକ, ସାଧକ, ଡାକ୍ତର, ଇଞ୍ଜିନିୟର, ଦାର୍ଶନିକ, ଧାର୍ମିକ ବ୍ୟକ୍ତି, ପର୍ଯ୍ୟଟକ ପ୍ରମୁଖ । ମଣିଷ ନିଜ ଚତୁର୍ଦ୍ଦିଗର ସଂକୀର୍ଣ୍ଣତା କୂପମଣ୍ଡୁକତ୍ୱ, ଅଜ୍ଞତା ଏବଂ ଅନ୍ଧକାରକୁ ଦୂରେଇ ଦେଇ ସାମୟିକ ମୁକ୍ତି ନିମିତ୍ତ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଭ୍ରମଣ ଉଦ୍ଦେଶ୍ୟରେ ଗମନ କରେ । ମାତ୍ର ସମସ୍ତ ଭ୍ରମଣକାରୀଙ୍କ ଦୃଷ୍ଟି କଳାତ୍ମକ ହୋଇପାରେ ନାହିଁ, ତାଙ୍କର ସମ୍ପର୍କ ମଧୁର ରସରେ ରସାଣିତ ବି ହୁଏ ନାହିଁ । ସମୟ ଅତିକ୍ରାନ୍ତ କରିବା ନିମିତ୍ତ ଏମାନେ ଭ୍ରମଣ କରନ୍ତି-। ଏମାନଙ୍କୁ ପର୍ଯ୍ୟଟକ କୁହାଯାଏ । ମାତ୍ର ଯେଉଁ ବ୍ୟକ୍ତି ନିଜର ଚକ୍ଷୁ ଉନ୍ମକ୍ତ କରି ଭ୍ରମଣ କାଳରେ ନିଜ ଅନ୍ତର୍ଦୃଷ୍ଟିକୁ ପ୍ରସାରିତ କରେ, ଭ୍ରମଣ ସମ୍ପର୍କିତ ତଥ୍ୟ ଓ ତତ୍ତ୍ୱକୁ ଅନ୍ତର୍ଦୃଷ୍ଟିର ସହିତ ରସଘନ ଓ କଳାତ୍ମକ ରୀତିରେ ବିଚାର କରି ତାହାକୁ ଗ୍ରନ୍ଥାକାରରେ ପ୍ରକାଶ କରେ, ସେତେବେଳେ ତାହା ହୁଏ ଭ୍ରମଣ ସାହିତ୍ୟ ।

 

ଆମ ଓଡ଼ିଆ ଭାଷାରେ ଭ୍ରମଣ ସାହିତ୍ୟର ଯଥାର୍ଥ ଜନ୍ମ ଓ ବିକାଶ ଆଧୁନିକ ଯୁଗରେ । ଭ୍ରମଣ ସାହିତ୍ୟ ସହିତ ଯାନବାହାନ ଓ ଗମନାଗମନର ସମ୍ପର୍କ ଅତ୍ୟନ୍ତ ଦୃଢ଼ । ଅଷ୍ଟାଦଶ ଓ ଉନବିଂଶ ଶତକରେ ଗମନାଗମନର ଅସୁବିଧା ସହିତ ଯାନବାହାନର ବ୍ୟବହାର ଏତେ ବେଶୀ ନ ଥିଲା । ସୁତରାଂ ଅନିସନ୍ଧିତ୍ସୁ ମାନବ ଦୁଃଶାସନୀ ମନ ନେଇ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବା ସମ୍ଭବପର ହୋଇପାରୁ ନ ଥିଲା । ମାତ୍ର ବିଂଶ ଶତକରେ ଆମରାଜ୍ୟରେ ଶିକ୍ଷାର ବିକାଶ ସହିତ ସଂସ୍କୃତିର ନବ ମୂଲ୍ୟାୟନ ନିମିତ୍ତ ମଣିଷ ପ୍ରୟାସୀ ହେଲା । ଉଚ୍ଚଶିକ୍ଷା ନିମିତ୍ତ ତାକୁ ଦେଶର ବିଭିନ୍ନ ସ୍ଥାନ ସହିତ ବିଦେଶ ଗମନ କରିବାକୁ ପଡ଼ିଲା । ଏହି ସୁଯୋଗରେ ସେ ନିଜର ଦୃଷ୍ଟିକୁ ସମ୍ପ୍ରସାରିତ କଲା । ଦେଶ ବିଦେଶର ସଭ୍ୟତା, ସଂସ୍କୃତି, ଭାଷଣ, ସାହିତ୍ୟ, ଜୀବନ ଜୀବିକା ସହିତ ଏକାକାର ହୋଇପଡ଼ିଲା । ବିଦେଶରେ ସେ ବିଦେଶୀକୁ ଆପଣାର କଲା । ତାର ଭାଷା ଶିକ୍ଷା ଲାଭ କଲା ଏବଂ ସେ ଦେଶର ପାଣି ପବନ ଖାଦ୍ୟପେୟକୁ ନିଜସ୍ଵ କରିବା ଫଳରେ ଭ୍ରମଣରେ ଯାଇଥିବା ବ୍ୟକ୍ତିଟିର ଦୃଷ୍ଟି ସମ୍ପ୍ରସାରିତ ହେଲା । ଫଳତଃ ମଣିଷ ଭିତରର କୂପମଣ୍ଡୁକତା ତା ଭିତରୁ ଲୋପ ପାଇବା ସହିତ ତା ମଧ୍ୟରେ ଥିବା ଯୁଗ ଯୁଗର ଅଳନ୍ଧୁକୁ ସେ ଧୋଇଦେଲା । ଆଇନ୍‌ଷ୍ଟାଇନ୍‌ଙ୍କ ଦୃଷ୍ଟିରେ – “ଏଇ ପୃଥିବୀ ଏକ ଗ୍ରନ୍ଥ’’, ଯେଉଁ ବ୍ୟକ୍ତି ଯେତେ ଦେଶ ଭ୍ରମଣ କରିଛି, ସେ ପୃଥିବୀ ଗ୍ରନ୍ଥର ସେତିକି ପୃଷ୍ଠା ଅଧ୍ୟୟନ କରିବାର ସମର୍ଥ ହୋଇଛି । ଗ୍ରନ୍ଥ ଅଧ୍ୟୟନ କରିବା ବ୍ୟକ୍ତିଟି ଯେପରି ଜ୍ଞାନୀ ଓ ଗୁଣୀ ହୋଇଛି, ପୃଥିବୀର ବିଭିନ୍ନ ଦେଶ ଭ୍ରମଣ କରିଥିବା ବ୍ୟକ୍ତିଟିର ଦୃଷ୍ଟି ସେହିପରି ସମ୍ପ୍ରସାରିତ ହୋଇଛି । ଭ୍ରମଣକାରୀ ଭବିଷ୍ୟତ ପାଠକ ଓ ସମାଜ ନିମିତ୍ତ ଯେତେବେଳେ ତାହାର ସେହି ରସସ୍ନିଗ୍ଧ ଦୃଷ୍ଟିକୁ ଗ୍ରନ୍ଥାକାରରେ ଲିପିବଦ୍ଧ କରିଛି, ତାହା ଭ୍ରମଣ ସାହିତ୍ୟର ଆଖ୍ୟା ଲାଭ କରିଛି ।

 

ଓଡ଼ିଆ ଭାଷାରେ ବିଂଶ ଶତକର ପ୍ରାରମ୍ଭରୁ ୨୦୦୫ ମସିହାର ଶେଷ ପର୍ଯ୍ୟନ୍ତ ମୋ ଦୃଷ୍ଟିକୁ ଆସିଥିବା ୧୪୦ରୁ ଊର୍ଦ୍ଧ୍ୱ ଭ୍ରମଣ ସାହିତ୍ୟ ରହିଛି । ମାତ୍ର ସମକାଳୀନ ଓଡ଼ିଆ ଭ୍ରମଣ ସାହିତ୍ୟର ଧାରା ବିଚାର ଆଲୋଚନା ପରିପ୍ରେକ୍ଷୀରେ ମୁଁ ମୋର ଏହି ଆଲୋଚନାକୁ ସୀମିତ କରିବାକୁ ପ୍ରୟାସୀ ହୋଇ ସମକାଳକୁ ୧୯୭୫ ମସିହାଠାରୁ ଆରମ୍ଭ କରି ୨୦୦୫ ମସିହା ମଧ୍ୟରେ ସୀମିତ କରିଛି । ଏହି ଅବକାଶରେ ବିଭିନ୍ନ ପ୍ରବୀଣ ଓ ତରୁଣ ସ୍ରଷ୍ଟାମାନଙ୍କ ଦ୍ୱାରା ରଚିତ ଓ ପ୍ରକାଶିତ ପ୍ରାୟ ୮୦ଟି ଭ୍ରମଣ ଗ୍ରନ୍ଥ ମୁଁ ଆଲୋଚନା ପରିସରଭୁକ୍ତ କରିଛି ।

 

୧୯୭୫ ମସିହା ବେଳକୁ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ସେତେ ବେଶୀ ଗୁରୁତ୍ୱ ନ ଥିଲା-। ଏଇ ମାତ୍ର ୧୫ ବର୍ଷ ପୂର୍ବରୁ ଭାରତ ସରକାର ପର୍ଯ୍ୟଟନକୁ ଶିଳ୍ପର ମାନ୍ୟତା ଦେଇଥିଲା ବେଳେ ଓଡ଼ିଶା ସରକାର ତାହାକୁ ସରକାରୀ ନାଲି ଫିତା ମଧ୍ୟରେ ସୀମିତ କରି ରଖିଛନ୍ତି । ଏହା ସତ୍ତ୍ୱେ ସମୟ ଓ ସୁଯୋଗ କ୍ରମେ ବହୁ ଓଡ଼ିଆ ବୁଦ୍ଧିଜୀବୀ ପ୍ରଜ୍ଞାପୁରୁଷ ଦେଶ ବିଦେଶ ଭ୍ରମଣ କାଳରେ ମେଦିନୀ ଦୃଷ୍ଟି ନେଇ ଦେଶ ବିଦେଶର ସଭ୍ୟତା, ସଂସ୍କୃତି, ପରମ୍ପରା ପୁରୋଦୃଷ୍ଟି, ଧର୍ମ ଏବଂ ଚଳଣିକୁ ନିରୀକ୍ଷଣ କରିଛନ୍ତି । ନିଜ ମାଟିର ମହକକୁ ବିଦେଶରେ ଉପସ୍ଥାପିତ କରିଛନ୍ତି । ପୁଣି ବିଦେଶ ଭୂଇଁର ସଂସ୍କୃତିକୁ ନିଜ ଭିତରେ ପରୀକ୍ଷା କରି ତାହାକୁ ଅସ୍ଥି ମଜାଗତ କରିଛନ୍ତି । ସେ ସଂସ୍କୃତିର ସୁଗନ୍ଧକୁ ଓଡ଼ିଆ ଭାଷାରେ ନିଜ ମାଟିରେ ବିଞ୍ଚିଛନ୍ତି । ଆକର୍ଷିତ କରିଛନ୍ତି ଏ ଦେଶରେ ସେମାନେ ପାଠକମାନଙ୍କୁ । ଏ କ୍ଷେତ୍ରରେ ଯେଉଁ ଲେଖକ ନିଜ ଦେଶର ସଭ୍ୟତା, ସଂସ୍କୃତି ସହିତ ଭ୍ରମଣ କରୁଥିବା ଦେଶର ସଂସ୍କୃତିକୁ ଏକାମ୍ୟ କରି ତାହାର ନିଷ୍କର୍ଷକୁ ଯଥାର୍ଥ ଭାବରେ କଳାତ୍ମକ ରୂପରେ ଗ୍ରନ୍ଥାକାରରେ ରୂପଦେଇ ଯେତେବେଶୀ ପାଠକୀୟ ଶ୍ରଦ୍ଧା ଓ ସ୍ୱୀକୃତି ପାଇଛି, ସେହି ଗ୍ରନ୍ଥ ହୋଇଛି ସେତିକି ଜନପ୍ରିୟ ଭ୍ରମଣ ସାହିତ୍ୟ । ୧୯୭୫ ମସିହା ପରକାଳରୁ ଏଯାବତ୍ ପ୍ରାୟ ପଚାଶ ଜଣ ସ୍ରଷ୍ଟା ଆମ ଭାଷାରେ ଭ୍ରମଣ ସାହିତ୍ୟ ସୃଷ୍ଟି କରିଛନ୍ତି । ଏହି ସମୟ ସୀମା ମଧ୍ୟରେ ଯେଉଁମାନେ ଆଗଧାଡ଼ିରେ ରହିଛନ୍ତି ସେମାନଙ୍କ ମଧ୍ୟରେ ଡକ୍ଟର କାଳିନ୍ଦୀ ଚରଣ ପାଣିଗ୍ରାହୀ, ଡକ୍ଟର କୁଞ୍ଜବିହାରୀ ଦାଶ, ଚିତ୍ତରଞ୍ଜନ ଦାସ, ମନୋଜ ଦାସ, ଡକ୍ଟର ସୀତାକାନ୍ତ ମହାପାତ୍ର, ଡକ୍ଟର ଗଣେଶ୍ୱର ମିଶ୍ର, ଡକ୍ଟର ଭୁବନେଶ୍ୱର ବେହେରା, ଡକ୍ଟର ସୂର୍ଯ୍ୟକାନ୍ତ ଦାସ, ଅଳ ମୋହନ ପଟ୍ଟନାୟକ, ଡକ୍ଟର ବୈଦ୍ୟନାଥ ମିଶ୍ର, ଗୁରୁପ୍ରସାଦ ମହାନ୍ତି, ଡକ୍ଟର ପ୍ରତିଭା ରାୟ, ଡକ୍ଟର ବିଭୂତି ପଟ୍ଟନାୟକ, ଶାନ୍ତନୁ କୁମାର ଆଚାର୍ଯ୍ୟ, କିଶୋରୀ ଚରଣ ଦାସ, ଗୋଲକ ବିହାରୀ ଧଳ, ହୃଦାନନ୍ଦ ରାୟ ହେଉଛନ୍ତି ପ୍ରମୁଖ । ଏହି ସ୍ରଷ୍ଟାମାନଙ୍କ ବ୍ୟତୀତ ଆହୁରି କେତେଜଣ ଭ୍ରମଣ କାହାଣୀ ରଚନା କରି ଓଡ଼ିଆ ଭ୍ରମଣ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ଆମ ସାହିତ୍ୟରେ ଯେଉଁମାନେ ଭ୍ରମଣ ଗ୍ରନ୍ଥ ମାଧ୍ୟମରେ ସଫଳତାର ଶୀର୍ଷ ଦେଶରେ ଉପନୀତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପ୍ରମୁଖ ସାହିତ୍ୟିକ ଓ ଶିକ୍ଷାବିତ୍ । ଗଳ୍ପ, ଉପନ୍ୟାସ, ନାଟକ, କାବ୍ୟ-କବିତା ପ୍ରଭୃତି ରଚନାର କଳା ଓ କାରିଗରୀ ସହିତ ଏହି ସ୍ରଷ୍ଟାମାନେ ଓତପ୍ରୋତ ସଂପୃକ୍ତ । ତେଣୁ ଏହି ସ୍ରଷ୍ଟାଙ୍କର ଭ୍ରମଣ କାହାଣୀ ବର୍ଣ୍ଣାଢ଼୍ୟ ଓ ସାହିତ୍ୟ ରସରେ ରସାଣିତ ।

 

ଆଲୋଚ୍ୟ ସମୟକାଳରେ ଏହିପରି ଜଣେ ପ୍ରଥିତଯଶା ସ୍ରଷ୍ଟା ହେଉଛନ୍ତି ଆମ ସମୟର ବିଶିଷ୍ଟ ପ୍ରାବନ୍ଧିକ ଓ ସମାଲୋଚକ ଚିତ୍ତରଞ୍ଜନ ଦାସ । ୧୯୪୮ ମସିହାର ‘ନେପାଳ ପଥେ’ ଭ୍ରମଣ ଗ୍ରନ୍ଥରୁ ତାଙ୍କର ଭ୍ରମଣ କାହାଣୀର ଅୟମାରମ୍ଭ ହୋଇଛି । ଆଲୋଚ୍ୟ ସମୟକାଳ ମଧ୍ୟରେ ତାଙ୍କର ଭ୍ରମଣ କାହାଣୀଗୁଡ଼ିକ ହେଉଛି ‘ଭାରତରୁ ଚୀନ’ (୧୯୮୮), ‘ଏରେତ୍‍ଜ ଇସ୍ରାଏଲ’ (୧୯୯୩) ‘ଆମେରିକାରୁ ଫେରିଲି’ (୨୦୦୦) । ଶାନ୍ତିନିକେତନଠାରେ ଯୁବାବସ୍ଥାରେ ନିଜ ଦୃଷ୍ଟିକୁ ବିଶ୍ଵ ପ୍ରସାରିତ କରିଥିବା ଏହି ସ୍ରଷ୍ଟାଙ୍କର ‘ମିତ୍ରସ୍ୟ ଚକ୍ଷୁସା’ ଆତ୍ମଜୀବନୀ ଗ୍ରନ୍ଥଟିରୁ ଆମେ ମଧ୍ୟ ଭ୍ରମଣ କାହାଣୀର ସମସ୍ତ ଉପାଦାନ ପାଇଥାଉ । ଅନ୍ୟ ଦେଶର ସଂସ୍କୃତିକୁ ଆପଣାର କରିବାରେ ଚିତ୍ତରଞ୍ଜନଙ୍କ ଦୃଷ୍ଟି ଖୁବ୍ ଉଦାର, ଭାଷା ଓ ଭାବର ବ୍ୟାପ୍ତି ସୁଦୃଢ଼ । ଡେନମାର୍କ ଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ପଚାଶରୁ ଊର୍ଦ୍ଧ୍ଵ ଦେଶ ଭ୍ରମଣ କରିଥିବା ଏହି ସ୍ରଷ୍ଟା କେଉଁଠି ଅଧ୍ୟୟନ ତ କେଉଁଠି ଅଧ୍ୟାପନା କରିଛନ୍ତି । ସମଗ୍ର ପୃଥିବୀକୁ ଜୀବନ ବିଦ୍ୟାଳୟ ଭାବେ ଗ୍ରହଣ କରିଥିବା ଏହି ସ୍ରଷ୍ଟାଙ୍କର ଭ୍ରମଣକାହାଣୀଗୁଡ଼ିକ ହୋଇଛି ବିଶ୍ୱ ମାନବର ଏକ ଜୀବନ୍ତ ଲିଖିତ ଇସ୍ତାହାର । ପୁନଶ୍ଚ ତାଙ୍କର ଭ୍ରମଣ କାହାଣୀଗୁଡ଼ିକ ହୋଇଛି ଆମ ସମାଜ-ସଂସ୍କୃତିର ଗୋଟିଏ ଗୋଟିଏ ଚଳନ୍ତି ଦଲିଲ୍-

 

ଚିତ୍ତରଞ୍ଜନଙ୍କ ପରେ ଆମେ ଭ୍ରମଣ କାହାଣୀକୁ ଉଭୟ ପରିମାଣ ଓ ଗୁଣାତ୍ମକ ଦୃଷ୍ଟିରୁ ସମୃଦ୍ଧ କରିଥିବା ସ୍ରଷ୍ଟା ହେଉଛନ୍ତି ମନୋଜ ଦାସ । କବ୍ୟ-କବିତାରୁ ନିଜ ସ୍ରଷ୍ଟା ଜୀବନ ଆରମ୍ଭ କରି ଗଳ୍ପ ଉପନ୍ୟାସ ମାଧ୍ୟମରେ ସାହିତ୍ୟର ସର୍ବୋଚ୍ଚ ଶିଖରରେ ଉପନୀତ ହୋଇଥିବା ଏହି ସ୍ରଷ୍ଟା ମାନସ ଆଲୋଚ୍ୟ କାଳରେ ‘ଦୂରଦୂରାନ୍ତର’ (୧୯୭୭), ଅନ୍ତରଙ୍ଗ ଭାରତ (୧୯୯୨), ଅଦୂର ବିଦେଶ (୨୦୦୪) ପ୍ରଭୃତି ଗ୍ରନ୍ଥ ମାଧ୍ୟମରେ ଆହୁରି ଅଧିକ ପାଠକୀୟ ଶ୍ରଦ୍ଧା ଓ ସ୍ୱୀକୃତି ଲାଭ କରିଛନ୍ତି । ଜୀବନ ଯୌବନରୁ ଶ୍ରୀଅରବିନ୍ଦଙ୍କ ଚିନ୍ତା-ଚେତନାରେ ବିଶ୍ଵସୀ ଏହି ସ୍ରଷ୍ଟାଙ୍କର ଏକ ପ୍ରମୁଖ ଭ୍ରମଣ ଗ୍ରନ୍ଥ ହେଉଛି ‘ଦୂର ଦୂରାନ୍ତର’ । ପଣ୍ଡିଚେରୀ ଆଶ୍ରମରେ ଅବସ୍ଥାନ ଅବକାଶରେ ଶ୍ରୀଅରବିନ୍ଦ ଦର୍ଶନ ଓ ତତ୍ତ୍ୱ ଅନୁଭବ କରି ସେଥିରେ ଅବଗାହନ କରିଥିବା ସ୍ରଷ୍ଟା ମନୋଜ ଦାସ ଶ୍ରୀଅରବିନ୍ଦଙ୍କ ସମ୍ପର୍କରେ ଆହୁରି ଅଧିକ ତଥ୍ୟ ସଂଗ୍ରହ ନିମିତ୍ତ ଇଂଲାଣ୍ଡ ଯାଇଛନ୍ତି ଏବଂ ସେଠାରୁ ପ୍ରାପ୍ତ ତଥ୍ୟକୁ ପୁଞ୍ଜିକରି ରଚନା କରିଛନ୍ତି ‘ଦୂର-ଦୂରାନ୍ତର’ । ଭାରତବର୍ଷର ଅତୀତ-ବର୍ତ୍ତମାନ, ଇତିହାସ-ଭୂଗୋଳ, ଧର୍ମ-ସାମଜ, ଅର୍ଥନୀତି-କୂଟନୀତି, ନୃତତ୍ତ୍ୱ-ଦର୍ଶନ ସମ୍ପର୍କିତ ଭ୍ରମଣ ବୃତ୍ତାନ୍ତ ହେଉଛି ‘ଅନ୍ତରଙ୍ଗ ଭାରତ’ । ଏହି ଅବକାଶରେ ସ୍ରଷ୍ଟା କାଶ୍ମୀରରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ସମଗ୍ର ଭାରତୀୟ ଭୂମିଖଣ୍ଡର ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅବଲୋକନ କରି ତାଙ୍କର କଥାକାରର ତୀର୍ଯ୍ୟକ୍ ଓ ବ୍ୟଙ୍ଗାତ୍ମକ ଦୃଷ୍ଟି ନେଇ ଏହି ଗ୍ରନ୍ଥକୁ ରସାଣିତ କରିଛନ୍ତି । ଅତୀତ ଇତିହାସର ଗହ୍ୱର ମଧ୍ୟରୁ ଆମ ସଂସ୍କୃତିକୁ ପୁନରୁଦ୍ଧାର କରିବା ସହିତ ଆଗାମୀକାଲିର ଭାରତବାସୀଙ୍କୁ ପ୍ରଜ୍ଞା ଓ ବୁଦ୍ଧିବତ୍ତାରେ କିପରି ଶୀର୍ଷ ଦେଶରେ ପହଞ୍ଚିବାକୁ ପଡ଼ିବ, ତାହାର ଏକ ସାରଗର୍ଭକ , ତାସ୍ତିକ ଏବଂ ବୌଦ୍ଧିକ ମୂଲ୍ୟାଙ୍କନ ଏହି ଗ୍ରନ୍ଥରେ ରହିଛି । ‘ଅଦୂର ବିଦେଶ’ (୨୦୦୪) ହେଉଛି ସ୍ରଷ୍ଟାଙ୍କର ଏଯାବତ୍ ରଚିତ ସର୍ବଶେଷ ଭ୍ରମଣ ଗ୍ରନ୍ଥ । ଇଣ୍ଡୋନେସିଆ, ଥାଇଲାଣ୍ଡ, ଜାକର୍ତ୍ତା ପ୍ରଭୃତି ପଡ଼ୋଶୀ ଭାରତର ଏସୀୟ ଦେଶଗୁଡ଼ିକୁ ଭ୍ରମଣ ଅବକାଶରେ ଯାଇ ସ୍ରଷ୍ଟା ସେ ଦେଶର ସଂସ୍କୃତି ଓ ସଭ୍ୟତା ସହିତ ଦେବଭୂମି ଓ ଭାରତବର୍ଷର ଅନୁରୂପ ଭୂମିମାନଙ୍କର ଏକ ତୁଳନାତ୍ମକ ବିଚାର ସହିତ ତଥ୍ୟାତ୍ମକ ଦୃଷ୍ଟିଭଙ୍ଗୀ ଏହି ଗ୍ରନ୍ଥରେ ବାଢ଼ିଛନ୍ତି ।

 

ଏହି ପର୍ଯ୍ୟାୟର ଜଣେ ପ୍ରତିଭାଦୀପ୍ତ ଭ୍ରମଣ ବୃତ୍ତାନ୍ତର ରଚୟିତା ହେଉଛନ୍ତି ଭୁବନେଶ୍ୱର ବେହେରା । କ୍ଷୁଦ୍ରଗଳ୍ପ, ମୌଳିକ ପ୍ରବନ୍ଧ ଓ ରମ୍ୟରଚନାରେ ପାରଦର୍ଶିତା ଲାଭ କରିଥିବା ଏହି ସ୍ରଷ୍ଟା ତାଙ୍କର ‘ପଶ୍ଚିମ ଆଫ୍ରିକାରେ ଓଡ଼ିଆ ଢେଙ୍କି’ ଭ୍ରମଣ କାହାଣୀ ନିମିତ୍ତ ଅଜସ୍ର ପାଠକୀୟ ଶ୍ରଦ୍ଧା ଲାଭ କରିଛନ୍ତି । ଇଞ୍ଜିନିୟରିଂ ଓ ବୈଷୟିକ ଶିକ୍ଷା ପରାମର୍ଶଦାତା ଭାବରେ ପଶ୍ଚିମ ଆଫ୍ରିକାରେ ଅବସ୍ଥାନ କାଳରେ ନିଜର କର୍ତ୍ତବ୍ୟ ବାହାରେ ସେ ଆଫ୍ରିକାର ସାମାଜିକ ଜୀବନ, ସେମାନଙ୍କର ଖାଦ୍ୟପେୟ, ଚାଲି-ଚଳଣି, ସଭ୍ୟତା ଓ ସଂସ୍କୃତିକୁ ଅତ୍ୟନ୍ତ ଚମତ୍କାର ଭାବରେ ରମ୍ୟରଚନା ଶୈଳୀରେ ଗ୍ରନ୍ଥଟିରେ ଉପସ୍ଥାପନ କରିଛନ୍ତି । ଏହି ଭ୍ରମଣକାହାଣୀଟି ବ୍ୟଙ୍ଗାତ୍ମକ ଓ ରମ୍ୟରଚନାର ସମସ୍ତ କଳାରେ ମଞ୍ଜୁଳ ହୋଇଥିବାରୁ ଅଜସ୍ର ପାଠକୀୟ ଶ୍ରଦ୍ଧା ଲାଭ କରିଛି ।

 

ପ୍ରଫେସର ଗଣେଶ୍ୱର ମିଶ୍ର ମୁଖ୍ୟତଃ ଜଣେ ଔପନ୍ୟାସିକ । କଥାକାର ଭାବରେ ମାନବ ଜୀବନ ଓ ସମାଜକୁ ଅର୍ନ୍ତଦୃଷ୍ଟିର ସହ ଅଧ୍ୟୟନ କରିଥିବା ଏହି ସ୍ରଷ୍ଟା ବୃତ୍ତିର ଆହ୍ୱାନରେ ବିଭିନ୍ନ ସମୟରେ ବିଦେଶ ଭ୍ରମଣ ଅବକାଶରେ ‘ବିଲାତରେ ବାପୁ ଓ ପପୁ’ (୧୯୭୯), ‘କ୍ୟାଣ୍ଟନବରୀ କାହାଣୀ’ (୧୯୮୧), ‘ସମୁଦ୍ର ସେପାରେ, (୧୯୯୦), ନିଜ ଦେଶ, ଅନ୍ୟ ଦେଶ (୧୯୯୬) ପ୍ରଭୃତି ଭ୍ରମଣ ଗ୍ରନ୍ଥ ରଚନା କରିଛନ୍ତି । ‘ବିଲାତରେ ବାପୁ ଓ ପପୁ’ ଗ୍ରନ୍ଥଟି ଇଂଲାଣ୍ଡର ସଂସ୍କୃତି ଓ ସଭ୍ୟତାର ଭିତ୍ତି ଉପରେ ପର୍ଯ୍ୟବସିତ ହୋଇଥିଲା ବେଳେ ‘କ୍ୟାଣ୍ଟନବରୀ କାହାଣୀ’ ସେହି ବିଲାତର ସାଂସ୍କୃତିକ ପାଣିପାଗକୁ ନେଇ ମଞ୍ଜୁଳ । ଇଂଲାଣ୍ଡ ଓ ସ୍ପେନର ଲୋକ ଜୀବନ ଓ ଜୀବିକା ଭିତ୍ତିରେ ସ୍ରଷ୍ଟାଙ୍କର ‘ସମୁଦ୍ର ସେପାରେ’ ଗ୍ରନ୍ଥଟି ରଚିତ । ‘ନିଜ ଦେଶ, ଅନ୍ୟ ଦେଶ, ହେଉଛି ସ୍ରଷ୍ଟାଙ୍କର ଶେଷତମ ଭ୍ରମଣକାହାଣୀ । ଏହିସବୁ ଭ୍ରମଣ କାହାଣୀ ମଧ୍ୟରେ ପ୍ରଫେସର ମିଶ୍ର ଉତ୍କଳର ଜନମାନସ ସହିତ ସଂପୃକ୍ତ ଦେଶର କଳା, ସଂସ୍କୃତି , ପର୍ବପର୍ବାଣି, ଖାଦ୍ୟ-ପେୟ, ଶିକ୍ଷା ସମାଜକୁ ତୁଳନା କରି ସେହିସବୁ ଦେଶ ସହିତ ମାନସିକ ସ୍ତରରେ ଓଡ଼ିଶାର ଆତ୍ମିକ ସମ୍ପର୍କ ସ୍ଥାପନ କରିଛନ୍ତି ।

 

ସ୍ଵାଧୀନତା ପରକାଳରେ ଭ୍ରମଣ କାହାଣୀ ରଚନାର ସୁଖ୍ୟାତି ଲଭିଥିବା ସ୍ରଷ୍ଟା ହେଉଛନ୍ତି ଲୋକରତ୍ନ ଡକ୍ଟର କୁଞ୍ଜବିହାରୀ ଦାଶ । ଏହି ସମୟ କାଳରେ ତାଙ୍କ ରଚିତ ଭ୍ରମଣ ଗ୍ରନ୍ଥ ହେଉଛି, ‘ଆମେରିକା ପୁନଶ୍ଚ’ । ପୂର୍ବରୁ ଲଙ୍କାଯାତ୍ରୀ, ମୋ ସ୍ୱପ୍ନର କାଶ୍ମୀର, ପଥ ଓ ପଥିକ, ଆମେରିକାରୁ ୟୁରୋପ ଆଫ୍ରିକା, ଦୁଇ ଦିଗନ୍ତର ଆକାଶ ପ୍ରଭୃତି ଭ୍ରମଣକାହାଣୀ ରଚନା କରି ଅଜସ୍ର ପାଠକୀୟ ଶ୍ରଦ୍ଧା ଲାଭ କରିଥିବା ଏହି ସ୍ରଷ୍ଟା ଆମେରିକା ପୁନଶ୍ଚ’ । (୧୯୮୫) ଗ୍ରନ୍ଥ ମଧ୍ୟରେ ଆମେରିକାବାସୀଙ୍କର ଐଶ୍ୱର୍ଯ୍ୟ, ଶୃଙ୍ଖଳା, ସମୟାନୁବର୍ତ୍ତିତା ସହିତ ସେହି ମହାଦେଶର ଜନସାଧାରଣଙ୍କର ସାମାଜିକ ଓ ସାଂସ୍କୃତିକ ଜୀବନଚର୍ଯ୍ୟାକୁ ଗୁରୁତ୍ୱ ଦେଇଛନ୍ତି । ମାତ୍ର ସ୍ରଷ୍ଟା ତାଙ୍କର ପ୍ରଥମ ବିଦେଶ ଭ୍ରମଣ କାଳରେ ଆମେରିକାର ସଂସ୍କୃତି ଓ ସଭ୍ୟତାରେ ଯେଉଁ ଚେତନା ଅନୁଭବ କରିଥିଲେ, ପରବର୍ତ୍ତୀ କାଳରେ ଆମେରିକୀୟ ଯୁବ ସମ୍ପ୍ରଦାୟ ମଧ୍ୟରେ ସେହି ଚେତନାରେ ପରିବର୍ତ୍ତନ ସହିତ ହୀନମନ୍ୟତା ଓ ଆମେରିକୀୟ ସଂସ୍କୃତିର ପ୍ରାଚୁର୍ଯ୍ୟ ମଧ୍ୟରେ ଅସହାୟତା, ନିଃସଙ୍ଗତା ଏବଂ ସାଂସ୍କୃତିକ ଅବକ୍ଷୟ ଭାବ ଲକ୍ଷ୍ୟ କରିଛନ୍ତି । ଭାରତୀୟ ଜନଜୀବନରେ ଥିବା ଦୃଢ଼ ବନ୍ଧନ ଆମେରିକୀୟ ସଂସ୍କୃତିରେ ସେ ଲକ୍ଷ୍ୟକରିପାରି ନାହାନ୍ତି । ପ୍ରାଚୁର୍ଯ୍ୟ ମଣିଷକୁ କିପରି ମାନବିକତାହୀନ, ମୈତ୍ରୀବୋଧରୁ ବିଚ୍ୟୁତ ଓ କ୍ଷମତାନ୍ଧ କରିପକାଏ ତାହା ଗ୍ରନ୍ଥଟିରେ ଉଲ୍ଲେଖ ରହିଛି । ଚମତ୍କାର ବର୍ଣ୍ଣନାରେ ପରିପୂର୍ଣ୍ଣ ଆଲୋଚ୍ୟ ଗ୍ରନ୍ଥଟି ଭ୍ରମଣ ଗ୍ରନ୍ଥର କଳା ଦୃଷ୍ଟିରୁ ଅତ୍ୟନ୍ତ ସୁଖପାଠ୍ୟ - ଏହା ବିନା ଦ୍ୱିଧାରେ କୁହାଯାଇପାରେ ।

 

ବହୁ ବିଳମ୍ବରେ ଜୀବନର ପରିଣତ ବୟସରେ ହେଲେ ହେଁ ଡକ୍ଟର କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ରଚିତ ‘ଗଲି ଆଇଲି ଋଷ୍‍ ଜର୍ମାନୀ’ ( ୧୯୮୧) ଏକ ସୁଖପାଠ୍ୟ ଭ୍ରମଣ ଗ୍ରନ୍ଥ । ଉଭୟ ଋଷ୍‍ ଓ ଜର୍ମାନ ଦେଶର ସାମାଜିକ, ସାଂସ୍କୃତିକ ଜୀବନଧାରା ସହିତ ଉତ୍କଳୀୟ ଜନଜୀବନ ସଭ୍ୟତା ଓ ସଂସ୍କୃତିକୁ ତଉଲି ଦେଖି ଆମ ନିଜ ଭିଟାମାଟିର ବନ୍ଧନରେ ବାନ୍ଧି ହୋଇଥିବା ସ୍ରଷ୍ଟା ହେଉଛନ୍ତି କାଳିନ୍ଦୀ ଚରଣ । ତାହାହିଁ ତାଙ୍କର ଭ୍ରମଣ ବୃତ୍ତାନ୍ତ ‘ଗଲି ଆଇଲି ଋଷ୍‍ ଜର୍ମାନୀ’ ଗ୍ରନ୍ଥରେ ପ୍ରତିଧ୍ୱନିତ । ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରଖ୍ୟାତ କବି ଡକ୍ଟର ସୀତାକାନ୍ତ ମହାପାତ୍ରଙ୍କର ଏକ ଚମତ୍କାର ଭ୍ରମଣ ବୃତ୍ତାନ୍ତ ହେଉଛି ‘ଅନେକ ଶରତ’ । ଆତ୍ମିକ ଚେତନାରେ ଯେପରି, ଗ୍ରନ୍ଥଟିର ଆଙ୍ଗିକ ବିଭବ ଓ ନାମକରଣରେ ମଧ୍ୟ ସ୍ରଷ୍ଟା ସୀତାକାନ୍ତ ଅନୁରୂପ ଦୃଷ୍ଟି ଦେଇଛନ୍ତି । ଫଳତଃ କବିର ସବୁଠାରୁ ପ୍ରିୟ ଶରତ ଋତୁରେ ବିଭୋର କବି ବିଶ୍ଵଦୃଷ୍ଟି ନେଇ ସୋଭିଏତ୍ ୟୁନିୟନ ଠାରୁ ଆରମ୍ଭ କରି ଯୁଗୋସ୍ଲୋଭିଆ, ରୁମାନିଆ ପ୍ରଭୃତି ଦେଶ ପରିଭ୍ରମଣ କାଳରେ ଯେଉଁ ବିପୁଳ ଅନୁଭୂତି ଲାଭ କରିଥିଲେ ତାହାର ବାଣୀରୂପ ହେଉଛି ‘ଅନେକ ଶରତ’ ଭ୍ରମଣ ଗ୍ରନ୍ଥ । ଏହି ଦେଶମାନଙ୍କର ଆଚାର ଚଳଣି, ସଂସ୍କୃତି, ଇତିହାସ, ସାହିତ୍ୟ ତଥା ସାହିତ୍ୟିକମାନଙ୍କୁ ମୂଲ୍ୟାଙ୍କନ ଓ ବିଚାର କଲାବେଳେ ସ୍ରଷ୍ଟା ନିଜ ମାଟି ଉପରେ ପାଦ ରଖି ଚିତ୍ରୋତ୍ପଳା ନଈର ସେହି ସୁକୋମଳ କଳକଳ ଧ୍ୱନି ସହିତ ମାହାଙ୍ଗା ଧାନବିଲର ଶିରି ଶିରି ପବନ ଗନ୍ଧକୁ ଅଙ୍ଗେ ଅଙ୍ଗେ ଅନୁଭବ କରିଛନ୍ତି । କବିତ୍ଵପୂର୍ଣ୍ଣ ଭାଷା, ରସଦୃଷ୍ଟି, ରୂପକ ଚିତ୍ରକଳ୍ପରେ ପରିପୂର୍ଣ୍ଣ ଉକ୍ତ ଗ୍ରନ୍ଥ ପାଠ କାଳରେ ମନେହୁଏ ସତେ ଯେପରି କବି ଆମ ମାଟିରେ ପାଦ ଥୋଇ ସେହି ଦେଶକୁ ଦେଖିଛନ୍ତି ଜାଣୁଛନ୍ତି ଏବଂ ବୁଝୁଛନ୍ତି । ପାରମ୍ପରିକତା ଠାରୁ ନିରାପଦ ଦୂରତ୍ୱରେ ରହି ଏହି ପର୍ଯ୍ୟାୟର ଅନ୍ୟ ଜଣେ ସ୍ରଷ୍ଟା କିଶୋରୀ ଚରଣ ଦାସ ରଚନା କରିଛନ୍ତି ତାଙ୍କର ଭ୍ରମଣ ସାହିତ୍ୟ ‘ଚେନାଏ ପୃଥିବୀ ଚିରୁଡ଼ାଏ ଘର’ (୧୯୯୫) । ଆଲୋଚ୍ୟ ଗ୍ରନ୍ଥଟିର ଭିନ୍ନ ଭିନ୍ନ ଦେଶର ତେରଗୋଟି ଭ୍ରମଣ ବୃତ୍ତାନ୍ତ ଗଳ୍ପ କଳାର ସମସ୍ତ ଲକ୍ଷଣ ନେଇ ସଂଯୋଜିତ ହୋଇଛି । ଭିଏତ୍‌ନାମ, ଅଷ୍ଟ୍ରେଲିଆ, କାନାଡ଼ା, ଯୁକ୍ତରାଷ୍ଟ୍ର, ଥାଇଲାଣ୍ଡ ପ୍ରଭୃତି ଦେଶର କଳା-ସଂସ୍କୃତି-ସାହିତ୍ୟ ଠାରୁ ଆରମ୍ଭ କରି ଲୋକ ଜୀବନ ପର୍ଯ୍ୟନ୍ତ ସମାଜ ଓ ମଣିଷର ଚିନ୍ତା-ଚେତନାକୁ ଚମତ୍କୃତ କରି କାହାଣୀ ରୂପରେ ଗ୍ରନ୍ଥନ କରିବାରେ କିଶୋରୀ ଚରଣଙ୍କର ଦୃଷ୍ଟିକୋଣ ଦୂରରୁ ବାରି ହୋଇଯାଏ । ସୁତରାଂ ଦୀର୍ଘ ଅନୁଭୂତି ଓ ନିରପେକ୍ଷ ଦୃଷ୍ଟିଭଙ୍ଗୀ ନେଇ ରଚିତ ଏହି ଭ୍ରମଣ ବୃତ୍ତାନ୍ତର ପ୍ରତ୍ୟେକ ପୃଷ୍ଠା ଅନ୍ୟ ଭ୍ରମଣ ଗ୍ରନ୍ଥଠାରୁ ସ୍ୱତନ୍ତ୍ର୍ୟ ରକ୍ଷାକରେ ।

 

ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କର ଭ୍ରମଣ କାହାଣୀ ‘କରଞ୍ଜିଆ ଡାଏରୀ’ ଓ ତୃଷା-ଏକ ଅନାବିଷ୍କୃତ ଆମେରିକା’ ମଧ୍ୟରେ ସୃଷ୍ଟି ଗଳ୍ପ ଛଳରେ ନିଖୁଣ ଓ ରହସ୍ୟ ରୋମାଞ୍ଚ କଥନଭଙ୍ଗୀ ସହାୟତାରେ ଭ୍ରମଣ ଛଳରେ ନିଜ ମାଟିର କଥା ସହିତ ଆମେରିକାର ପ୍ରାଣ ପ୍ରାଚୁର୍ଯ୍ୟର କଥା ହିଁ କହିଛନ୍ତି । ‘କରଞ୍ଜିଆ ଡାଏରୀ’ ମଧ୍ୟରେ ମୟୂରଭଞ୍ଜର ବଣ ମୁଲକରେ ରହୁଥିବା ଆଦିମ ଅଧିବାସୀ ଆଦିବାସୀଙ୍କର ସ୍ୱରୂପ ମଧ୍ୟରେ ତାଙ୍କର ବିଶ୍ଵାସବୋଧ ସହିତ କରଞ୍ଜିଆ କଳା-ସଂସ୍କୃତି ପ୍ରକାଶ ପାଇଛି । ନିଜ ଉପନ୍ୟାସ ଓ ଗଳ୍ପ, ମଧ୍ୟରେ ସ୍ରଷ୍ଟା ଚେତନ ସ୍ତରରେ ଭ୍ରମଣ କରୁ କରୁ ଅନେକ ସମୟରେ ଯେପରି ଅବଚେତନ ଓ ଅଚେତନ ସ୍ତରକୁ ଚାଲିଯାଆନ୍ତି, ତାଙ୍କର ଭ୍ରମଣ କାହାଣୀ ମଧ୍ୟରେ ଠିକ୍ ତାହାହିଁ ହୋଇଛି । ଆମେରିକା ଭ୍ରମଣ କାଳରେ ସ୍ରଷ୍ଟାଙ୍କର ଦୃଷ୍ଟିଭଙ୍ଗୀ ଉପନ୍ୟାସ ରଚନା ପରି ଅନେକ ସ୍ଥଳରେ ମିଷ୍ଟିକ୍‍ଧର୍ମୀ ହୋଇଛି । ଆମେରିକାରୁ ଆସି ସ୍ରଷ୍ଟା ପହଞ୍ଚିଛନ୍ତି ଜଗନ୍ନାଥଙ୍କ ଦରବାରରେ । ସେହି ଜଗନ୍ନାଥଙ୍କ ନିକଟରେ ଥାଇ ସେ ଆମେରିକାକୁ ପୁନଶ୍ଚ ଆବିଷ୍କାର କରିଛନ୍ତି ।

 

ଆମ ଭାଷାରେ ଏହି କାଳରେ ଜଣେ ପ୍ରବୀଣ ଓ ବଳିଷ୍ଠ ଭ୍ରମଣ କାହାଣୀର ରଚୟିତା ହେଉଛନ୍ତି ଡକ୍ଟର ପ୍ରତିଭା ରାୟ । ତାଙ୍କର ଏଯାବତ୍ ପ୍ରକାଶିତ ଭ୍ରମଣ କାହାଣୀ ମଧ୍ୟରେ ରହିଛି, ମୈତ୍ରୀ ପାଦପର । ଶାଖା ପ୍ରଶାଖା (୧୯୯୦), ‘ଦୂର ଦ୍ୱିବିଧ’, ‘ଅପରାଧୀର ସ୍ଵେଦ’ (୨୦୦୦) ‘ମେରୁ ଅଭିଜାନ’ (୨୦୦୩) ନାଗାସାକୀରୁ ନିୟୁୟର୍କ (୨୦୦୩) ‘ରକ୍ତାକ୍ଷର’, ‘ତୁଷାର ମରୁର ମାୟା ସୁଇଡେନ’ ଏବଂ ଦୈନିକ ସମୟରେ ସମ୍ପ୍ରତି ଧାରାବାହିକ ଭାବେ ପ୍ରକାଶ ପାଇଛି ‘ଆଫ୍ରିକା ଅନୁଭୂତି’ । ମୈତ୍ରୀ ପାଦପର ଶାଖା ପ୍ରଶାଖାଠାରୁ ଆରମ୍ଭ କରି ଲେଖିକାଙ୍କର ପ୍ରତ୍ୟେକ ଭ୍ରମଣ କାହାଣୀ ହେଉଛି ଏକ ଏକ ଗବେଷଣାଧର୍ମୀ ଭ୍ରମଣ ବୃତ୍ତାନ୍ତ । ଶିଳାପଦ୍ମ, ମହାମୋହ, ଯାଜ୍ଞସେନୀ, ମଗ୍ନମାଟି ପ୍ରଭୃତି ଉପନ୍ୟାସ ରଚନା କାଳରେ ଡକ୍ଟର ରାୟ ଯେପରି ଗ୍ରନ୍ଥଗୁଡ଼ିକର ଛତ୍ରେ ଛତ୍ରେ ଭାଷାର ଯାଦୁକାରୀ ସ୍ପର୍ଶରେ ଗବେଷଣାର ଗୁଢ଼ ତଥ୍ୟ ଓ ତତ୍ତ୍ଵକୁ କଳାତ୍ମକ ରୀତିରେ ଉପସ୍ଥାପନ କରିଛନ୍ତି । ତାଙ୍କର ପ୍ରତ୍ୟେକ ଭ୍ରମଣ ଗ୍ରନ୍ଥ ମାଧ୍ୟମରେ ନିଜ ଜିଜ୍ଞାସୁ ମନର ସେହି ତୀକ୍ଷଣ ଦୃଷ୍ଟି ଆମେ ଅନୁଭବ କରିଥାଉ । ବିଦେଶ ଭ୍ରମଣ କାଳରେ ଡକୁର ରାୟ ବିଦେଶୀଙ୍କ ଭାଷା ଶିଖିଛନ୍ତି, ବିଦେଶୀଙ୍କ ସହିତ ମିତ୍ରତା ସ୍ଥାପନ କରିଛନ୍ତି । ମନ୍ଦିରରୁ ଆରମ୍ଭ କରି ମସ୍‌ଜିଦ୍, ଚର୍ଚ୍ଚରେ ଥିବା କାଠ ପଥର ମୂର୍ତ୍ତି ମଧ୍ୟରେ ଜୀବନକୁ ଅନୁଭବ କରିଛନ୍ତି । ବିଦେଶରେ ରହି ବିଦେଶୀ ଖାଦ୍ୟ ଓ ଚାଲି ଚଳଣିକୁ ଓଡ଼ିଆ ଢଙ୍ଗବାଗରେ ଦେଖିଛନ୍ତି, ବୁଝିଛନ୍ତି । ପୁଣି ସବୁ ମଣିଷଙ୍କୁ ଆପଣା ଭିତରେ ଅନୁଭବ କରି ତାହାକୁ କଳାତ୍ମକ ରୀତିରେ ଗଳ୍ପକଥନ ଶୈଳୀରେ ପାଠକ ସମ୍ମୁଖରେ ଭ୍ରମଣ କାହାଣୀ ରୂପରେ ଉପସ୍ଥାପନ କରିଛନ୍ତି । ସୁତରାଂ ତାଙ୍କ ଗ୍ରନ୍ଥଗୁଡ଼ିକରୁ ପାଠକ ପାଇଛି ଅନାବିଳ ଆନନ୍ଦ । ଭ୍ରମଣ କାହାଣୀର ନାମକରଣରେ ତାଙ୍କର ବିଦ୍‍ବତ୍ତା ଓ ପାରଦର୍ଶିତା ମଧ୍ୟ ଅଭିନବ ଏବଂ ଅନୁପମ ।

 

ଏହି ପର୍ଯ୍ୟାୟରେ ଅନ୍ୟ ଯେଉଁ ଔପନ୍ୟାସିକ ଓ ଗାଳ୍ପିକମାନେ ସଫଳ ଭ୍ରମଣକାହାଣୀ ରଚନାରେ ସିଦ୍ଧି ଲାଭ କରିଛନ୍ତି ସେମାନେ ଓ ସେମାନଙ୍କ ସୃଷ୍ଟିଗୁଡ଼ିକ ହେଉଛି କୃଷ୍ଣପ୍ରସାଦ ମିଶ୍ରଙ୍କର ‘କାନାଡ଼ା ଡାଏରୀ (୧୯୭୯), ଦୀନନାଥ ପାଠୀଙ୍କର ‘‘ନୀଳ ନଦୀର ଚିତ୍ରକର” (୧୯୮୩), ଅଖିଳମୋହନ ପଟ୍ଟନାୟକଙ୍କର ‘ଅନ୍ୟଦେଶ’ (୧୯୮୩), ଅକ୍ଷୟ ମହାନ୍ତିଙ୍କର ‘ବାହା ବାହାରେ ଆମେରିକା’ (୧୯୮୪), ଜଗନ୍ନାଥ ପ୍ରସାଦ ଦାସଙ୍କର ‘ମନସ୍ତାତ୍ତିକର ମସ୍କୋ ଭ୍ରମଣ (୧୯୮୫), ସାତକଡ଼ି ହୋତା ଓ ଗୀତା ହୋତାଙ୍କର ଯୁଗ୍ମନାମରେ ରଚିତ ଓ ପ୍ରକାଶିତ ‘କାଶ୍ମୀରରୁ କନ୍ୟାକୁମାରୀ’ (୧୯୯୩), ସୁସ୍ମିତା ବାଗ୍‍ଚୀଙ୍କର ‘ମୋ ଝର୍କାରୁ ପୃଥିବୀ’ (୧୯୯୫), ଗୌରହରି ଦାସଙ୍କର ‘ପ୍ରଥମ ପ୍ରବାସ’ ପ୍ରମୁଖ ।

 

ଏହି ସମୟକାଳ ମଧ୍ୟରେ କେତେକ ସାରସ୍ଵତ ସ୍ରଷ୍ଟା ଧର୍ମାର୍ଜନ ଉପଲକ୍ଷେ ତୀର୍ଥାଟନ କରିବା ଅବସରରେ ତୀର୍ଥ ଭ୍ରମଣର ଅନୁଭୂତିକୁ ଆପଣା ଦୃଷ୍ଟିରେ କଳାତ୍ମକ ରୀତିରେ ରସାଣିତ କରି ଭ୍ରମଣ ବୃତ୍ତାନ୍ତ ଭାବରେ ବର୍ଣ୍ଣନା କରିଛନ୍ତି । ଏହିପରି ରଚନା ମଧ୍ୟରେ ରହିଛି ଆର୍ତ୍ତତ୍ରାଣ ମିଶ୍ରଙ୍କର ଦେବପୀଠ ହିମାଳୟ (୧୯୭୬), ମରୁପ୍ରାନ୍ତେ ରାଜସ୍ଥାନ (୧୯୮୧), ତୁଷାର ତୀର୍ଥ ଅମରନାଥ (୧୯୮୩), ଦ୍ଵାରକା ପଥେ (୧୯୮୩), ଏକ ତୀର୍ଥ ନଗରୀର ଉପକଥା (୧୯୮୪), ବ୍ରାହ୍ମଣୀରୁ ବ୍ରହ୍ମପୁତ୍ର (୧୯୮୫), କାଉଁରୀ କାମାକ୍ଷା ଦେଶ (୧୯୮୮), ତିଳ ସାଗର ସଂଗମ (୧୯୯୦), ଅପରୂପା ନେପାଳ (୧୯୯୨), ମହାପାତ୍ର ଯତୀନ୍ଦ୍ର କୁମାରଙ୍କର ‘କେତେ ଦେବାଳୟ, କେତେ ଲୋକାଳୟ’ (୧୯୮୦), ନର୍ମଦାରୁ କନ୍ୟାକୁମାରୀ (୧୯୮୩), ଗୋରାଚାନ୍ଦ ମିଶ୍ରଙ୍କର ଶିରିଡ଼ିରୁ ପୁଟ୍ଟପର୍ତ୍ତୀ (୧୯୯୧), ବିଭୂତି ପଟ୍ଟନାୟକଙ୍କର ତୀରେ ତୀରେ ତୀର୍ଥ’ (୧୯୮୮), ‘ଦ୍ଵାରକା ଦର୍ଶନ’ (୧୯୯୧) ।

 

ପୁନଶ୍ଚ ଉଚ୍ଚଶିକ୍ଷା ଲାଭ ସହିତ ବିଦେଶରେ ଅଧ୍ୟାପନା ନିମିତ୍ତ ଆମ ରାଜ୍ୟର ବହୁ ସାହିତ୍ୟିକ ପ୍ରବୀଣ ଶିକ୍ଷାବିତ୍ ଓ ପ୍ରଶାସକମାନେ ବିଭିନ୍ନ ସମୟରେ ବିଦେଶ ଭ୍ରମଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କର ବିଦେଶକୁ ନୂଆ ଭାବରେ ଦେଖି ତାହାକୁ ଗ୍ରନ୍ଥାକାରରେ ପ୍ରକାଶ କରିବାର ମୋହ ଜାତ ହୋଇଛି, ସେଗୁଡ଼ିକ ମଧ୍ୟରେ ବାସୁଦେବ ସାହୁଙ୍କର ‘ବମ୍ବେରୁ ନାଇରୋବି’ (୧୯୮୧), ଗୋପାଳଚନ୍ଦ୍ର ମିଶ୍ରଙ୍କର ‘ଋଷ୍‍ ଅନୁଭୂତି’ (୧୯୮୨), ଆଦରମଣି ଦାସଙ୍କର ‘ମୋ ବିଲାତ ଅନୁଭୂତି’ (୧୯୮୩), ବିଦ୍ୟାଧର ମିଶ୍ରଙ୍କର ‘ବିକଶିତ ପାଶ୍ଚାତ୍ୟ’ (୧୯୮୬), ବୈଦ୍ୟନାଥ ମିଶ୍ରଙ୍କର ‘ଆଜିର ଇଂଲାଣ୍ଡ ଓ ୟୁରୋପ’ (୧୯୮୬), ‘ପାଶ୍ଚାତ୍ୟ ଅନୁଭୂତି ? (୧୯୯୧), ଗୁରୁପ୍ରସାଦ ମହାନ୍ତିଙ୍କ ‘ପାତାଳ ପୁରୀର ହାଲଚାଲ୍’ (୧୯୮୮), ସହଦେବ ସାହୁଙ୍କର ‘ଭିନ୍ନ ଦେଶ, ଭିନ୍ନ ଦୃଷ୍ଟି’ (୧୯୯୦), ସଦାଶିବ ମିଶ୍ରଙ୍କର ମାର୍କିନ୍ ପରିକ୍ରମା (୧୯୮୯), ଗୋପୀନାଥ ମହାପାତ୍ରଙ୍କ ‘ଆଜିର ୟୁରୋପ’ (୧୯୯୪), ‘ଅଷ୍ଟ୍ରେଲିଆ ଭ୍ରମଣ କାହାଣୀ’ (୧୯୯୮), ଶରତ ଚନ୍ଦ୍ର ମିଶ୍ରଙ୍କର ‘ୟୁରୋପ ଦେଖା’ (୧୯୯୫), ନଚିକେତା ଦାସଙ୍କର ‘ବର୍ଲିନ୍ ବର୍ଲିନ୍' (୧୯୯୫) ପ୍ରଭୃତି ଭ୍ରମଣ ଗ୍ରନ୍ଥି ଅନ୍ୟତମ । ସେହିପରି ରାଧାନାଥ ରଥ, ଶ୍ରଦ୍ଧାକର ସୂପକାର, ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ସ୍ରଷ୍ଟାମାନେ ଦୈନିକ ସମ୍ବାଦପତ୍ର ସହିତ ସଂପୃକ୍ତ ରହି ସେହି ଦୃଷ୍ଟିରେ ରଚନା କରିଛନ୍ତି ଯଥାକ୍ରମେ ‘ଆମେରିକା ଡାଏରୀ’ (୧୯୭୫), ଆମେରିକା ଅନୁଭୂତି (୧୯୮୭), ଆଜିର ଆମେରିକା (୧୯୯୨) । ଏତଦ୍‍ଭିନ୍ନ ଏହି କାଳରେ ଉଦୟନାଥ ମିଶ୍ରଙ୍କର ‘ଭାତ ଓ ବିଲାତ’ (୧୯୭୯), ପଞ୍ଚାନନ ମହାନ୍ତିଙ୍କର ‘ପୂର୍ବରୁ ପଶ୍ଚିମ (୧୯୮୨), ମନମୋହନ ଚୌଧୁରୀଙ୍କର ‘ଆମେରିକା କଥା’ (୧୯୮୫), ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କର ‘ରାଜଭବନରୁ ହସ୍ତଲିପି’ (୧୯୯୩), ଆଶୀଷ ମହାପାତ୍ରଙ୍କର ‘ଲାଲ୍ ସରକାର ଦେଶ’ ( ୧୯୯୬) ପ୍ରଭୃତି ଗ୍ରନ୍ଥଗୁଡ଼ିକ ଏକ ଏକ ସଫଳ ଭ୍ରମଣ ବୃତ୍ତାନ୍ତ ।

 

ଏହି କାଳରେ ରଚିତ ମନ୍ମଥ ଦାସଙ୍କର ଆତ୍ମଜୀବନୀ ‘ଜୀବନର ପଥପ୍ରାନ୍ତେ ଦିଗନ୍ତର ଦୃଶ୍ୟ, ସଚ୍ଚି ରାଉତରାୟଙ୍କର ‘ଉତ୍ତରକକ୍ଷ’, ହୃଦାନନ୍ଦ ରାୟଙ୍କର ଆତ୍ମଜୀବନୀ ‘ଜାଣେ ଅନୁଭବୀ ଅନୁଭବରେ’ ଗ୍ରନ୍ଥଗୁଡ଼ିକରୁ ଆମେ ଭ୍ରମଣ କାହାଣୀର କଳାରୂପ ଓ ଭାବରୂପ ଲକ୍ଷ୍ୟ କରୁ । ଡକ୍ଟର ଦାସ ତାଙ୍କ ଆତ୍ମଜୀବନୀ ‘ଜୀବନର ପଥପ୍ରାନ୍ତେ ଦିଗନ୍ତର ଦୃଶ୍ୟ’ ମଧ୍ୟରେ ଓଡ଼ିଶାରୁ ଆରମ୍ଭ କରି ଇଂଲାଣ୍ଡ ପର୍ଯ୍ୟନ୍ତ ଜୀବନର ଚଲା ପଥରେ ସମ୍ମୁଖୀନ ହୋଇଥିବା ଓ ବହୁ ଉତ୍‍ଥାନ ପତନ ମଧ୍ୟରେ ଗତି କରିଥିବା ବହୁ ଘାଟର କଥା ଭ୍ରମଣ ଛଳରେ ପ୍ରକାଶ କରିଛନ୍ତି । ଅନୁରୁପ କଳା ଓ କୌଶଳରେ ବିମଣ୍ଡିତ ହୋଇଛି ସଚ୍ଚିରାଉତରାୟ ଓ ହୃଦାନନ୍ଦ ରାୟଙ୍କର ଆତ୍ମଜୀବନୀ ଗ୍ରନ୍ଥ ।

 

ଏସବୁ ସତ୍ତ୍ୱେ ଆମ ଭାଷାରେ ସମସ୍ତ ଭ୍ରମଣ ବୃତ୍ତାନ୍ତ ସାହିତ୍ୟ ଅନ୍ତର୍ଭୁକ୍ତ ହୋଇପାରନ୍ତି ନାହିଁ । ସାହିତ୍ୟର ସୁଷମା ଲାଭ କରିବା ନିମିତ୍ତ ଗ୍ରନ୍ଥଗୁଡ଼ିକର କଳାତ୍ମକ ଦିଗ ସ୍ୱୟଂସମ୍ପୂର୍ଣ୍ଣ ହେବା ଏକାନ୍ତ ଆବଶ୍ୟକ । ଅନୁରୂପ ଭାବେ ଭ୍ରମଣ ଗ୍ରନ୍ଥରେ ଭାଷା ଶୈଳୀ, ବର୍ଣ୍ଣନା ବୈଚିତ୍ର୍ୟ, ରସବୋଧ, ସୌନ୍ଦର୍ଯ୍ୟ ଚେତନା, ପ୍ରତୀକ, ଚିତ୍ରକଳ୍ପ, ଛନ୍ଦ, ସାଙ୍ଗୀତିକତା, ନାଟକୀୟତା, ଦୃଷ୍ଟିଭଙ୍ଗୀରେ ନୂତନତା ପ୍ରଭୃତି ସହିତ ଏଥିରେ ବାସ୍ତବତା ଓ ପାଠକୀୟ ରୁଚିବୋଧ ବି ରହିବା ଆବଶ୍ୟକ । ଫଳତଃ ନିର୍ଦ୍ଦିଷ୍ଟ ସମୟଖଣ୍ଡର ରଚନା ହୋଇ ମଧ୍ୟ ଭ୍ରମଣ କାହାଣୀ ସାହିତ୍ୟର ଅନ୍ୟାନ୍ୟ ବିଭାଗ ପରି ଚିରନ୍ତନ ହେବ – ଆଗାମୀ ଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଏହାହିଁ ମୋଟାମୋଟି ସର୍ବଭାରତୀୟ ପରିପ୍ରେକ୍ଷୀରେ ଓଡ଼ିଆ ଭ୍ରମଣ ସାହିତ୍ୟର ଧାରା ।

 

 

ଅଧ୍ୟାପକ, ଓଡ଼ିଆ ଭାଷା ସାହିତ୍ୟ ବିଭାଗ,

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

ଭଞ୍ଜ ବିହାର, ବ୍ରହ୍ମପୁର, ଗଞ୍ଜାମ

 

***

 

ସାମ୍ପ୍ରତିକ ଓଡ଼ିଆ କଥା ସାହିତ୍ୟ

ଦୀପ୍ତିରଞ୍ଜନ ପଟ୍ଟନାୟକ

 

ସାମ୍ପ୍ରତିକ ସାହିତ୍ୟ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବା ଏକ ଦୂରୁହବ୍ୟାପାର । ପ୍ରଥମତଃ ଶାସ୍ତ୍ରାୟଣ ପ୍ରକ୍ରିୟାରେ କୌଣସି ରଚନା ସାହିତ୍ୟର ପଦବାଚ୍ୟ ହେବାପାଇଁ ଦୀର୍ଘ ସମୟର ଆବଶ୍ୟକତା ହୋଇଥାଏ । । ତା’ଛଡ଼ା ଯେକୌଣସି ସାଂସ୍କୃତିକ ସମ୍ପଦର ମୂଲ୍ୟ ଆକଳନ କରିବା ପାଇଁ ଏକ ପ୍ରକାର ମାନସିକ ଦୂରତ୍ୱ ମଧ୍ୟ ଆବଶ୍ୟକ । ବ୍ୟାପାରର ଦୁରୂହତା ସମ୍ପର୍କରେ ସଚେତନ ରହି ଆଜିର ଏ ଆଲୋଚନା ।

 

ସାମ୍ରାଜ୍ୟବାଦ କବଳରୁ ମୁକ୍ତି ପାଇଥିବା ସମାଜଗୁଡ଼ିକରେ ଲିଖିତ ରଚନାବଳୀର ଆକଳନ ପାଇଁ ଏବେ ଆମ ନିକଟରେ କେତେକ ଅନ୍ତର୍ଦୃଷ୍ଟି ଉପଲବ୍ଧ । ସମଷ୍ଟିଗତ ଭାବରେ ସେହି ଅନ୍ତର୍ଦୃଷ୍ଟିଗୁଡ଼ିକୁ ଉତ୍ତର-ଉପନିବେଶବାଦୀ ପରିଚର୍ଚ୍ଚା କୁହାଯାଉଛି । ସେହି ଉତ୍ତର-ଉପନିବେଶବାଦୀ ଅନ୍ତର୍ଦୃଷ୍ଟିର ଅନ୍ୟତମ ମହାନ ପ୍ରବକ୍ତା ଫ୍ରାଞ୍ଜି ଫ୍ୟାନୋଁଙ୍କ ପାଖରୁ ଆଲୋଚନାଟି ଆରମ୍ଭ କରୁଛି । ଫ୍ୟାନୋଁଙ୍କ ମତ ଅନୁଯାୟୀ ସାମ୍ରାଜ୍ୟବାଦୀ ସାଂସ୍କୃତିକ ସଂରଚନାର ମୁହାଁମୁହିଁ ହେବାପରେ ଉପନିବେଶ ସମାଜଗୁଡ଼ିକର ସଂସ୍କୃତି ମୁଖ୍ୟତଃ ତିନୋଟି ସ୍ତର ମଧ୍ୟଦେଇ ଗତି କରିଥାନ୍ତି, ଯଥା, ‘‘adopt’’, ‘‘adapt’’ ଓ ‘‘adept’’ । ଅନ୍ୟ ଭାଷାରେ କହିଲେ ଉପନିବେଶଗୁଡ଼ିକର ଜ୍ଞାନରାଜି ଓ ଲିଖିତ ସାହିତ୍ୟ ସମେତ ସମସ୍ତ ସାଂସ୍କୃତିକ ବିଭବ ବିଭିନ୍ନ କାରଣରୁ ଏକପ୍ରକାର ସଂଶୟଗ୍ରସ୍ତ ହୋଇ ରହିଥାନ୍ତି । ସାମ୍ରାଜ୍ୟବାଦୀ ଅନୁପ୍ରବେଶକାରୀମାନଙ୍କ ଦ୍ଵାରା ସୃଷ୍ଟ ମଡ଼େଲ ଅନୁଯାୟୀ ରୂପାନ୍ତରିତ ହୋଇଯିବାକୁ ବ୍ୟଗ୍ରତା ପ୍ରକାଶ କରନ୍ତି । ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପ ରୂପାଙ୍ଗିକଟି ସେହି ସାଂସ୍କୃତିକ ରୂପାନ୍ତରିକରଣର ଅନ୍ୟତମ ଫଳ ହୋଇପାରେ ।

 

ଭାରତର ନିଜସ୍ୱ ଗଳ୍ପ-କଥନ ପରମ୍ପରାଟି କାହାଣୀ ପ୍ରଧାନ ଥିଲା । କଳ୍ପନା, କୁହୁକ ଓ ଅତିବାସ୍ତବ ଉପାଦାନମାନଙ୍କଦ୍ୱାରା ସାଧାରଣ ଓ ଅସାଧାରଣ ମଣିଷ, ପଶୁପକ୍ଷୀ ଓ ଦେବତାମାନଙ୍କ ଜୀବନ ଗ୍ରଥିତ କରି ପେଶାଦାର କଥକମାନେ ଶ୍ରୋତାମାନଙ୍କୁ ଅଲୌକିକ କାହାଣୀମାନ ଶୁଣାଉଥିଲେ । ଶ୍ରୋତାମାନଙ୍କୁ ନାନ୍ଦନିକ ଆନନ୍ଦ ଦେବା ଓ ନୀତିଶିକ୍ଷାଦେବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଅବଶ୍ୟ ଏମିତି କେତେକ କାହାଣୀ ଥିଲା ଯେଉଁଗୁଡ଼ିକ ପ୍ରଭାବଶାଳୀ ମୁଖ୍ୟ ସ୍ରୋତର ବିରୋଧାଚରଣ କରୁଥିଲେ । ଯଥା, “କଥା ସରିତ ସାଗର’ର କାହାଣୀମାନ । କିନ୍ତୁ, ଇନ୍ଦ୍ରିୟାନୁଭୂତି ପ୍ରତି ବିଶ୍ଵସ୍ତତା ଓ ସାମାଜିକ ବାସ୍ତବତାର ଉପସ୍ଥାପନା କାହାଣୀକଳାର ମୁଖ୍ୟ ନାନ୍ଦନିକ ଆଦର୍ଶ ନଥିଲା । ଯେତେବେଳେ ସାମାଜିକ ବାସ୍ତବତାର ଉପସ୍ଥାପନା କରାଯାଉଥିଲା ତାହା ପରୋକ୍ଷ ଭାବରେ କରାଯାଉଥିଲା ଏବଂ ସାମାଜିକ ସଂରଚନାର ସାଧାରଣ ବିଭବ, ପରମ୍ପରା-ଆଶ୍ରିତ ସମାଜ ଏବଂ ପୁରାଣରୁ ଆହରିତ ଚରିତ୍ରମାନଙ୍କ ଉପସ୍ଥାପନାରେ ତାହା ସୀମିତ ଥିଲା ।

 

ଓଡ଼ିଶାର କିଛି ଅଂଶ ମୋଗଲମାନଙ୍କଦ୍ଵାରା ଅଧିକୃତ ହେବାପରେ ପରମ୍ପରାଶ୍ରୟୀ ସମାଜ ବ୍ୟବସ୍ଥା ଓ ତତ୍‍ସମ୍ଭୂତ ସାହିତ୍ୟିକ ରୂପାଙ୍ଗିକଗୁଡ଼ିକରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଲା-। କିନ୍ତୁ ଏକ ନିର୍ଦ୍ଦିଷ୍ଟ ରୂପାଙ୍ଗିକ ଭାବରେ କ୍ଷୁଦ୍ରଗଳ୍ପର ଅଭ୍ୟୁଦୟକୁ ଆମେ କେବଳ ବ୍ରିଟିଶ୍ ସାମ୍ରାଜ୍ୟବାଦର ସଂସର୍ଗରେ ବଦଳିଯାଇଥିବା ଜଟିଳ ସମାଜ ବ୍ୟବସ୍ଥା ସହ ଯୋଡ଼ିପାରିବା । ଓଡ଼ିଆ ଭାଷାରେ ପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ ଲେଖାହେବା ବେଳକୁ ବ୍ରିଟିଶ୍ ଶହେ ବର୍ଷ ଧରି ଓଡ଼ିଶାକୁ ଅଧିକାର କରିସାରିଲେଣି । ଏହି କାଳରେ ଯେଉଁମାନେ ପ୍ରଥମେ ପାରଦର୍ଶିତା ପ୍ରଦର୍ଶନ କରିଥିଲେ ସେମାନଙ୍କ ଭିତରେ ଫକୀରମୋହନ ଅନ୍ୟତମ । ଫକୀରମୋହନ ଅବଶ୍ୟ ଆଧୁନିକ ବ୍ରିଟିଶ୍ ଶିକ୍ଷା ବ୍ୟବସ୍ଥାରେ ଦୀର୍ଘ ଦିନ ଧରି ତାଲିମ୍ ପାଇନଥିଲେ; କିନ୍ତୁ ଉପନିବେଶି କ୍ଷମତା ଓ ସାଂସ୍କୃତିକ ସଂରଚନାଗୁଡ଼ିକର ନିକଟ ସଂସ୍ପର୍ଶରେ ଆସିଥିଲେ । ତା’ଛଡ଼ା ପଡ଼ୋଶୀ ବଙ୍ଗଳା ଭାଷାରେ ସେତେବେଳକୁ ଉପନିବେଶ ସାଂସ୍କୃତିକ ଉପାଦାନଗୁଡ଼ିକ ପରୀକ୍ଷିତ ହୋଇସାରିଲେଣି । ଉତ୍ତର ଊନବିଂଶ ଓ ବିଂଶ ଶତାବ୍ଦୀର ଓଡ଼ିଆ ଅଭିଜାତ ବୁଦ୍ଧିଜୀବି ବର୍ଗଙ୍କ ସାହିତ୍ୟିକ ଓ ସାଂସ୍କୃତିକ ଋଚି ବଙ୍ଗଳୀମାନଙ୍କ ଅନୁରୂପ ଥିଲା । କହିବାକୁ ଗଲେ ସେ ସମୟରେ ବୁଦ୍ଧିଜୀବି ଓ ଲେଖକମାନେ ଯେଉଁ ଆଧୁନିକ ଓଡ଼ିଆ ସାହିତ୍ୟ ସୃଷ୍ଟିକଲେ, ତାହା କେତେକାଂଶରେ ବଙ୍ଗାଳୀମାନଙ୍କ ନବ୍ୟ-ଉପନିବେଶି ପ୍ରଭାବ ବିରୋଧରେ ଏକ ପ୍ରତିକ୍ରିୟା ଥିଲା । ସେ ସମୟର ପ୍ରକାଶନ ବ୍ୟବସାୟ ଓ ସାହିତ୍ୟିକ ଉଦ୍ୟମ ବ୍ରିଟିଶ୍ ଉପନିବେଶବାଦ ଓ ବଙ୍ଗାଳୀ ନବ୍ୟ ଉପନିବେଶବାଦ ବିରୋଧରେ ଓଡ଼ିଆ ଅସ୍ମିତାର ନିର୍ମାଣ ନିମନ୍ତେ ପ୍ରେରିତ ଥିଲା । ଏପରିକି ବେଳେବେଳେ ଓଡ଼ିଆ ଅଭିଜାତ ଗୋଷ୍ଠୀ ବଙ୍ଗାଳୀମାନଙ୍କ ଆକ୍ରମଣରୁ ଓଡ଼ିଆ ଭାଷାକୁ ସୁରକ୍ଷା ଦେବାପାଇଁ ବ୍ରିଟିଶ୍ ଶାସନ ବ୍ୟବସ୍ଥାର ସାହାଯ୍ୟ ନେଉଥିଲେ । ଓଡ଼ିଆ ସାହିତ୍ୟର ସ୍ଵାତନ୍ତ୍ର୍ୟ ପ୍ରତିଷ୍ଠା କରି ତା’ରି ମାଧ୍ୟମରେ ଓଡ଼ିଆ ଭାଷାଭାଷୀ ଲୋକଙ୍କ ପାଇଁ ଗୋଟିଏ ସ୍ଵତନ୍ତ୍ର ଶାସନାଧିନ ପ୍ରଦେଶ ଗଠନ ସେମାନଙ୍କର ଲକ୍ଷ୍ୟ ଥିଲା । ଉଭୟ ସଂସ୍କୃତ ଓ ବଙ୍ଗଳା ଭାଷାର ପ୍ରଭାବରୁ ଏହାକୁ ଦୂରେଇ ନେବା ଦ୍ୱାରା ହିଁ ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠା ହୋଇପାରନ୍ତା । କିନ୍ତୁ ସାଂସ୍କୃତିକ ବାଡ଼ଗୁଡ଼ିକ ବହୁଛିଦ୍ରଯୁକ୍ତ ହେଇଥିବାରୁ ଏବଂ ସାହିତ୍ୟିକ ପ୍ରଭାବର ପ୍ରକୃତି ଓ ଗତି ବଡ଼ ଜଟିଳ ହେଇଥିବାରୁ ଏ ପ୍ରକାର ସ୍ୱାତନ୍ତ୍ର୍ୟର ସନ୍ଧାନ ମଧ୍ୟ ଆପେକ୍ଷିକ ହେବାକୁ ବାଧ୍ୟ । ଗଭୀର ଭାବେ ଅନୁଧ୍ୟାନ କଲେ ଏହା ପ୍ରତୀତ ହେବ ଯେ ତଥାକଥିତ ଓଡ଼ିଆ ଅସ୍ମିତା ଏକ ମିଶ୍ରରାଗ ଥିଲା ଏବଂ ଓଡ଼ିଆ ସାହିତ୍ୟର ବିଭିନ୍ନ ରୂପାଙ୍ଗିକଗୁଡ଼ିକ ପାରମ୍ପରିକ ପ୍ରେରଣା ଓ ଉପନିବେଶବାଦୀ ଓ ନବ୍ୟ ଉପନିବେଶବାଦୀ ସାମ୍ପ୍ରତିକ ଆହ୍ୱାନଗୁଡ଼ିକର ଏକ ମିଶ୍ରିତ ପ୍ରତିକ୍ରିୟା । ଏହି ମିଶ୍ରରାଗର ଅନୁଧ୍ୟାନ ପାଇଁ ଓଡ଼ିଆ କ୍ଷୁଦ୍ରଗଳ୍ପ ରୂପାଙ୍ଗିକଟି ଏକ ପ୍ରକୃଷ୍ଟ କ୍ଷେତ୍ର ।

 

ଦୂରଦୂରାନ୍ତ ଅଞ୍ଚଳରେ ତଥାପି କାବ୍ୟ କବିତା ଲେଖା ହେଉଥିଲା ସତ, କିନ୍ତୁ କ୍ଷୁଦ୍ରଗଳ୍ପର ଲେଖକମାନେ ମୋଟାମୋଟି ଉପନିବେଶବାଦୀ ସାଂସ୍କୃତିକ ସଂରଚନା ଦ୍ୱାରା ଅଳ୍ପ ବହୁତ ପ୍ରଭାବିତ ହୋଇଥିଲେ । ଫକୀରମୋହନ ଏବଂ ଦୟାନିଧି, ଚନ୍ଦ୍ରଶେଖର ନନ୍ଦ, ବାଙ୍କନିଧି, କାଳୀପ୍ରସନ୍ନ, ଗୋଦାବରୀଶ ଏବଂ ଦିବ୍ୟସିଂହ ପାଣିଗ୍ରାହୀ ଭଳି ତାଙ୍କର ଅନୁଗାମୀମାନେ ସମସ୍ତେ ଉପନିବେଶି ଜୀବନଧାରା ଦ୍ୱାରା ପ୍ରଭାବିତ ହୋଇଥିଲେ । ଜଣେ ଚିରାଚରିତ ଶାସିତ ବର୍ଗର ପ୍ରତିନିଧି ଭଳି ଫକୀରମୋହନ ଉପନିବେଶି ଶାସକଗୋଷ୍ଠୀ ପ୍ରତି ଏକ ଧୂର୍ତ୍ତ ବଶମ୍ବଦତା ପ୍ରତିବେଦନ କରୁଥିଲେ । ସେ ଜାଣୁଥିଲେ ଯେ, ବ୍ରିଟିଶ୍ ସାମ୍ରାଜ୍ୟବାଦୀ ଶାସନ ସାଧାରଣ ଲୋକଙ୍କ ପାଇଁ ନିରକ୍ଷରତା, ଅନ୍ଧବିଶ୍ୱାସ, ସାମନ୍ତବାଦୀ ଓ ପିତୃକୈନ୍ଦ୍ରିକ ଉତ୍ପୀଡ଼ନ ଓ ନବ୍ୟ ସାମ୍ରାଜ୍ୟବାଦୀମାନଙ୍କ ଅଧିକାର ପ୍ରମତ୍ତତା କବଳରୁ ମୁକ୍ତି ନିମିତ୍ତ ଏକ ପ୍ରମୁଖ ମାଧ୍ୟମ । ତତ୍ ସଙ୍ଗେ ସଙ୍ଗେ ସେ ଏହା ମଧ୍ୟ ଅନୁଭବ କରିଥିଲେ ଯେ, ବାହାରୁ ଆମଦାନୀ କରାଯାଉଥିବା ଆଧୁନିକ ମନୋବୃତ୍ତି ସମ୍ପର୍କରେ ସାବଧାନତା ଅବଲମ୍ବନ କରାଯିବା ଉଚିତ୍ । ତା ଛଡ଼ା ଉତ୍ପନିବେଶବାଦ ଅଧିନରେ ଆର୍ଥନୀତିକ ବ୍ୟବସ୍ଥା ଏପରି କରାଯାଇଥିଲା ଯେ, ଶାସିତ ଜନଗଣଙ୍କ ନିକଟରୁ ସମସ୍ତ ବିଭବ ରେ ରେ ଅବଲୁପ୍ତ କରାଯାଇ ଶାସକ ଜାତିକୁ ପୁଷ୍ଟ କରିହେବ। ଫକୀରମୋହନଙ୍କ ରଚନାବଳୀ ଏହି ଦ୍ୱୈତ ସଚେତନତାର ପ୍ରତିଫଳନ ଥିଲା । ସେ ନିଜ ଲୋକମାନଙ୍କ ବୋକାମୀରେ ଯେତିକି ରୁଷ୍ଟ ଥିଲେ, ଉପନିବେଶ ଶାସକଗୋଷ୍ଠୀର ଧୂର୍ତ୍ତତା ପ୍ରତି ସେତିକି ଅସହିଷ୍ଣୁ ହୋଇପଡ଼ିଥିଲେ । ସମାଜ ବ୍ୟବସ୍ଥାର ଯେଉଁ ପ୍ରକାର ପରିବର୍ତ୍ତନର ସ୍ୱପ୍ନ ସେ ଦେଖିଥିଲେ, ତାହା ସମ୍ପୂର୍ଣ୍ଣ ଭାବରେ ବିଦେଶୀ ଆଧୁନିକତା ସହ ଏକାତ୍ମ ନଥିଲା । ସେ ଏଭଳି ସ୍ଵାଧନତାର କଳ୍ପନା କରୁଥିଲେ ଯାହା ପ୍ରାକ୍-ଐତିହାସିକ ବୈଦିକ ଓ ଉପନିଷଦୀୟ ପ୍ରଜ୍ଞାର ଭୂମିରେ ଆରୋପିତ କରାଯାଇପାରିବ । ତାଙ୍କ ଗଳ୍ପକଥନ କଳାର ଆତ୍ମିକ ଓ ଆଙ୍ଗିକ ଉଭୟରେ ଏହି ନିର୍ଦ୍ଦିଷ୍ଟ ଭାବାଦର୍ଶଗତ ପ୍ରଚୋଦନା ଲକ୍ଷ୍ୟ କରିହୁଏ ।

 

ଫକୀରମୋହନଙ୍କ ଗଳ୍ପଗୁଡ଼ିକ ଓଡ଼ିଆ ସାହିତ୍ୟରେ ଏକ ପ୍ରକାର ସାମାଜିକ ବାସ୍ତବତାର ସୂତ୍ରପାତ କଲେ, ଯାହା ସେତେବେଳକୁ ଇଂରାଜୀ ସାହିତ୍ୟରେ ଡିକେନ୍ସ , ଥ୍ୟାକରେ ଭଳି ଲେଖକମାନଙ୍କ ଦ୍ଵାରା ସିଦ୍ଧ ହୋଇସାରିଥିଲା । ଭାରତୀୟ ଗଳ୍ପକଥନ ପରମ୍ପରାରେ ନିହିତ ପୌରାଣିକ ଭିତ୍ତିଭୂମି ଓ କାହାଣୀ-ପ୍ରଧାନ ଶୈଳୀକୁ ସେ ଅକ୍ଷୂର୍ଣ୍ଣ ରଖିଲେ ସତ, କିନ୍ତୁ ତାଙ୍କର ଦୃଷ୍ଟି ଅଧିକ ଭାବରେ ସାମ୍ପ୍ରତିକ ସମାଜ ଓ ତାହାର ସମସ୍ୟାଗୁଡ଼ିକ ଉପରେ କେନ୍ଦ୍ରିତ ଥିଲା । ସେ ସମୟର ମୁଖ୍ୟ ସାମାଜିକ ବିଷୟବସ୍ତୁମାନ ଯଥା ନାରୀମୁକ୍ତି, ସାକ୍ଷରତା ଓ ଶିକ୍ଷାର ଆବଶ୍ୟକତା, ପୂର୍ବ ଓ ପଶ୍ଚିମର ସାକ୍ଷାତକାର ଓ ସାଂସ୍କୃତିକ ଦ୍ୱନ୍ଦ୍ୱ, ପାବଚ୍ଛିକୃତ ସମାଜ-ବ୍ୟବସ୍ଥା ଓ ସମ୍ବଳର ସୁଷମ ବିତରଣ, ସମାଜର ପଛୁଆବର୍ଗ ଲୋକଙ୍କର ଆର୍ଥନୀତିକ ଶୋଷଣ, ଉପନିବେଶି ଶାସନର ନକରାତ୍ମକ ଦିଗ ଓ ତା’ର ପ୍ରଭାବ ଫଳରେ ପାରମ୍ପରିକ ବୃତ୍ତିର ଉଚ୍ଛେଦ ଆଦି ତାଙ୍କ କ୍ଷୁଦ୍ରଗଳ୍ପଗୁଡ଼ିକ ପାଇଁ ଯୋଗ୍ୟ ସାରକଥା ହୋଇପଡ଼ିଲେ । କେତେକ ଗଳ୍ପରେ ସେ ସମ୍ବାଦପତ୍ର ଶୈଳୀରେ ସମ୍ବାଦପତ୍ର ବିବରଣୀ ଯୋଗ୍ୟ କଥାମାନ ବଖାଣିବାର ମଧ୍ୟ ସାହସ ପ୍ରକାଶ କରିଥିଲେ-

 

ଜୀବନର ଅନୁଭୂତିମାନଙ୍କ ପ୍ରତି ଫକୀରମୋହନ ଓ ତାଙ୍କର ଅନୁଗାମୀମାନଙ୍କ ଏ ପ୍ରକାର ବିଶ୍ଵସ୍ତତା କେତେକାଂଶରେ ରେନେସାଁ ସମୟର ମାନବତାବାଦ ଦ୍ଵାରା ଅନୁପ୍ରାଣିତ ହୋଇଥିଲା । ମଧ୍ୟଯୁଗୀୟ ବିଶ୍ଵାସବଳୟରୁ ବାହାରିଆସି ଏହି ମାନବତାବାଦ ଔପନିବେଶି ସମାଜମାନଙ୍କର ମୁଖ୍ୟ ଭାବାଦର୍ଶ ହୋଇଉଠିଥିଲା । ରେନେସାଁ ଭାବାଦର୍ଶର ଅନ୍ୟବିଭବଗୁଡ଼ିକ ଯଥା ଜ୍ଞାନ ପାଇଁ ଆସ୍ପୃହା, ବିଶ୍ୱସମୁଦାୟର କେନ୍ଦ୍ରରେ ସାଧାରଣ ମଣିଷଟିଏର ଅବସ୍ଥାନ ଇତ୍ୟାଦି ଔପନିବେଶି ସଂସର୍ଗ ମାଧ୍ୟମରେ ଓଡ଼ିଆ ସମାଜକୁ ଉପଲବ୍ଧ ଥିଲା । ଖଣ୍ଡିତାଂଶ ଓ ପରିଧିର ଜୀବନକୁ ଅବଲୀଳାକ୍ରମେ ଉପସ୍ଥାପନ କରିପାରୁଥିବା କ୍ଷୁଦ୍ରଗଳ୍ପ ରୂପାଙ୍ଗିକଟି ତେଣୁ ଓଡ଼ିଆ ଗୋଷ୍ଠୀ-କଳ୍ପନା ପାଇଁ ଏକ ଉପଯୁକ୍ତ ମାଧ୍ୟମ ହୋଇଉଠିଲା । ଗଢ଼ି ଉଠୁଥିବା ମଧ୍ୟବିତ୍ତ ଗୋଷ୍ଠୀର ଆଶା ଓ ଆଶଙ୍କା, ଜାତୀୟବାଦୀ ଆବେଗର ଝଲକ, ସାମାଜିକ ପ୍ରତିବଦ୍ଧତା, ଜାତୀୟ ସ୍ୱାଭିମାନକୁ ପ୍ରତିଷ୍ଠା କରୁଥିବା ଐତିହାସିକ ଓ ପୁରୁଣା କାହାଣୀ ଆଦିକୁ ଏହି କଳ୍ପନା ତାହାର ପାଥେୟ କଲା । ଫକୀରମୋହନଙ୍କ ଅନୁଗାମୀମାନଙ୍କ କ୍ଷୁଦ୍ରଗଳ୍ପରେ ତତ୍କାଳୀନ ଗାନ୍ଧୀବାଦୀ ଓ ମାର୍କ୍ସୀୟ ଭାବାଦର୍ଶର ପ୍ରତିଧ୍ୱନି ମଧ୍ୟ ଶୁଣିବାକୁ ମିଳିଲା ।

 

ଯାହାହେଉ ୧୯୫୦ ମସିହା ପର୍ଯ୍ୟନ୍ତ ଗଛଗୁଡ଼ିକ କାହାଣୀ-କୈନ୍ଦ୍ରିକ ଥିଲା; ଯଦିଓ ସେଥିରେ ବାସ୍ତବ ଜୀବନରୁ ଆହରିତ ଚରିତ୍ର, ଘଟଣା ଓ ନାଟକୀୟ ପରିଣତି ଦେଖିବାକୁ ମିଳୁଥିଲା-। ଅମୂର୍ତ୍ତ ତତ୍ତ୍ଵାବଳୀ ଓ ଚିନ୍ତାଧାରାଗୁଡ଼ିକ ସମୟେ ସମୟେ ପରିଦୃଷ୍ଟ ହେଉଥିଲା ସତ, କିନ୍ତୁ ଚିନ୍ତାଧାରା ଓ ତତ୍ତ୍ୱାଶ୍ରୟୀ ଗଛର ସଂଖ୍ୟା ଥିଲା ସ୍ଵଳ୍ପ । ନୂତନ ଜାତୀୟତାବାଦୀ ଚିନ୍ତାଧାରା ଏକ ଆଦର୍ଶବାଦୀ ପରିବେଶ ସୃଷ୍ଟି କରିଥିବା ଯୋଗୁଁ ସାମାଜିକ ସଂସ୍କାର, ବନ୍ଧୁତ୍ୱପୂର୍ଣ୍ଣ ଶ୍ଳେଷ ଓ ସହଜ ହାସ୍ୟରସ ମୁଖ୍ୟ ସ୍ୱର ଥିଲା । ସାମଗ୍ରିକ କଳ୍ପନାକୁ ସଂହତ କରି ଜାତିଭିତ୍ତିକ ରାଷ୍ଟ୍ରଗଠନରେ ସାହିତ୍ୟର, ବିଶେଷ ଭାବରେ କ୍ଷୁଦ୍ରଗଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଏକ ଦୃଢ଼ ବିଶ୍ୱାସ ସେ ସମୟର ଲେଖାଗୁଡ଼ିକରେ ପ୍ରକଟିତ ହେଉଥିଲା ।

 

ଏହି ବିଶ୍ୱାସ ୧୯୫୦ ମସିହା ପରବର୍ତ୍ତୀ ‘‘Adept’’ ସମୟ ଖଣ୍ଡର ଗାଳ୍ପିକ ସୁରେନ୍ଦ୍ର ମହାନ୍ତି ଓ ମନୋଜ ଦାସଙ୍କ ଗଳ୍ପରେ ମଧ୍ୟ ଦେଖିବାକୁ ମିଳେ । କେବଳ କ୍ଷୁଦ୍ରଗଳ୍ପ ରୂପାଙ୍ଗିକରେ ଏ ପ୍ରକାର ବିଶ୍ୱାସ ଅପ୍ରତିହତ ଭାବରେ ପ୍ରକଟିତ ହେବା ଏକ ଅନବଦ୍ୟ ବିଷୟ ନିଶ୍ଚୟ । ଯେତେବେଳେ କବିତା ଭଳି ରୂପାଙ୍ଗିକଗୁଡ଼ିକ ଅବଲୀଳାକ୍ରମେ ପାଶ୍ଚାତ୍ୟ ଆଧୁନିକତାର ସ୍ଵପ୍ନଭଙ୍ଗ, ବିଷାଦ, କ୍ରାନ୍ତି ଓ ଯୁଗଯନ୍ତ୍ରଣାକୁ ନିଜର ବିଷୟବସ୍ତୁ ହିସାବରେ ଗ୍ରହଣ କରିନେଉଥିଲେ, କ୍ଷୁଦ୍ରଗଳ୍ପ ତଥାପି ପରମ୍ପରା ଓ ପୁରୋଦୃଷ୍ଟି ମଧ୍ୟରେ ଏକ ସଂହତ ସମନ୍ୱୟ ରକ୍ଷା କରିପାରିଥିଲା । ‘‘Adopt’’ ଓ ‘‘Adapt’’ ସମୟ ଖଣ୍ଡର ଗଳ୍ପକଳାର ରଥିମାନେ ଏହି ସମନ୍ୱୟର ଧାରାକୁ ସୁଦୃଢ଼ କରିଦେଇଥିଲେ । ସୁରେନ୍ଦ୍ର ମହାନ୍ତି ଓ ମନୋଜ ଦାସଙ୍କ ଭଳି ଗାଳ୍ପିକମାନେ ପାଶ୍ଚାତ୍ୟ ସାହିତ୍ୟର ପରମ୍ପରା ଓ ଶୈଳୀ ସମ୍ପର୍କରେ ଅବଗତ ଥିଲେ । କାହାଣୀ-ପ୍ରଧାନ କ୍ଷୁଦ୍ରଗଳ୍ପ ଧାରାରୁ ତତ୍ତ୍ୱ-ପ୍ରଧାନ ଧାରାକୁ ଯେଉଁ ବିବର୍ତ୍ତନ ସଂଘଟିତ ହେଲା, ତାହା ସେମାନଙ୍କର ରଚନାରୁ ସ୍ପଷ୍ଟ ବାରିହୋଇ ପଡ଼େ-। କିନ୍ତୁ କବିତା ଭଳି କ୍ଷୁଦ୍ରଗଳ୍ପ ରୂପାଙ୍ଗିକରେ ସାଂସ୍କୃତିକ ଚେରଛଡ଼ା ଅବସ୍ଥା କ୍ଵଚିତ୍ ଦୃଷ୍ଟିଗୋଚର ହୁଏ । ଇଂରାଜୀ ଶିକ୍ଷା- ଲବ୍‍ଧ ସାମାଜିକ ପ୍ରତିଷ୍ଠାର ସ୍ୱାର୍ଥରକ୍ଷା ପାଇଁ ହାକିମ-ଅଧ୍ୟାପକ ଗୋଷ୍ଠୀର ଏକ ନାନ୍ଦନିକ ରକ୍ଷଣଶୀଳତା ଏହି ଚେରଛଡ଼ା ଅବସ୍ଥା ସୂତ୍ରପାତ କରିଥିଲା । ଅଳ୍ପ କେତେଜଣଙ୍କୁ ଛାଡ଼ିଦେଲେ ବସନ୍ତ ଶତପଥି, ମହାପାତ୍ର ନୀଳମଣି ସାହୁ, ବାମାଚରଣ ମିତ୍ର, ଅଚ୍ୟୁତାନନ୍ଦ ପତି, କୃଷ୍ଣପ୍ରସାଦ ମିଶ୍ର, ରବି ପଟ୍ଟନାୟକ, ଅଖିଳ ମୋହନ ପଟ୍ଟନାୟକ ଓ ଶାନ୍ତୁନୁ ଆଚାର୍ଯ୍ୟଙ୍କ ଭଳି ଶକ୍ତିଶାଳୀ ଗାଳ୍ପିକମାନେ ସୁରେନ୍ଦ୍ର ମହାନ୍ତି ଓ ମନୋଜ ଦାସ ଆରମ୍ଭ କରିଥିବା ସମନ୍ୱୟ ରାସ୍ତାରେ ପରିଚାଳିତ ହୋଇଥିଲେ । ଏପରିକି ଭଗବତୀ ଚରଣ ପାଣିଗ୍ରାହୀ ଓ ଅନନ୍ତ ପଟ୍ଟନାୟକଙ୍କ ଭଳି ମାର୍କ୍ସବାଦୀ ସାହିତ୍ୟିକମାନେ ମଧ୍ୟ ସାରା ବିଶ୍ୱ ପାଇଁ ପ୍ରଯୁଜ୍ୟ ବୈପ୍ଳବାତ୍ମକ ଭାବାଦର୍ଶର ସ୍ଥାନୀୟ ପରିବେଶ ଅନୁସନ୍ଧାନ କରିଥିଲେ । ଆଉ ଜଣେ ଗୁରୁତ୍ୱପୂର୍ଣ୍ଣ ଗାଳ୍ପିକ ଗୋପୀନାଥ ମହାନ୍ତି ଜନଜାତି ଜୀବନକୁ ଓଡ଼ିଆ ଗଳ୍ପ କଥନ ଧାରାରେ ଅନ୍ତର୍ଭୁକ୍ତ କଲେ । ଗୋପୀନାଥ ମହାନ୍ତିଙ୍କ ଉଦ୍ୟମ ମଧ୍ୟବିତ୍ତ ସମାଜ-କୈନ୍ଦ୍ରିକ ଗଳ୍ପକଥନର ଧାରାର ସୀମାକୁ ବହୁ ପରିମାଣରେ ସମ୍ପ୍ରସାରିତ କଲା । ଏହି ରଥିମାନଙ୍କ ସୁସ୍ଥ ପରମ୍ପରା ପରବର୍ତ୍ତୀ ସମୟ ବିଶେଷ କରି ପରବର୍ତ୍ତୀ ତିରିଶ୍ ବର୍ଷର ଗଳ୍ପଧାରା ପାଇଁ ଆଦର୍ଶ ହେଇ ରହିଲା ।

 

ଅବଶ୍ୟ ଏମାନେ ଗଛରେ ସୃଷ୍ଟି କରିଥିବା ଉଚ୍ଚମାନ ୧୯୮୦ ପରବର୍ତ୍ତୀ ସମୟ ଖଣ୍ଡରେ ବଜାୟ ରହିଛି ବୋଲି ସହଜରେ କୁହାଯାଇପାରିବ ନାହିଁ । ଅନେକଗୁଡ଼ିଏ ସାଂସ୍କୃତିକ ଓ ସାମାଜିକ କାରଣରୁ ଲିଖିତ ସାହିତ୍ୟ ବିଶେଷ କରି ଏ ସମୟ ଖଣ୍ଡର କ୍ଷୁଦ୍ରଗଳ୍ପ ସାମ୍ପ୍ରତିକ ସମୟର ଆହ୍ୱାନକୁ ଯଥାର୍ଥରେ ମୁକାବିଲା କରିପାରି ନାହିଁ । ଏହି କାଳରେ ଓଡ଼ିଆମାନଙ୍କୁ ଅନେକ ଜଟିଳ ସାମାଜିକ ଓ ସାଂସ୍କୃତିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଗୋଟେ ପଟେ ମୁଷ୍ଟିମେୟ ସହରୀ ଅଭିଜାତ ଗୋଷ୍ଠୀର ବର୍ଦ୍ଧିଷ୍ଣୁ ଉପଭୋଗ-ନିଶା ଓ ଅନ୍ୟପଟେ ସାମାନ୍ୟ ଗଣ୍ଡେ ଖାଇ ବଞ୍ଚିରହିବାକୁ ସଂଗ୍ରାମରତ ଅଧିକାଂଶ ଜନତା, ଏଣେ ପୁରୁଣା ପାରିବାରିକ ଓ ଗୋଷ୍ଠୀଗତ ଜୀବନର ଗ୍ରନ୍ଥିଗୁଡ଼ିକ ଛିଡ଼ିଯାଉଛି ତ ତେଣେ ଏକ ସ୍ୱାର୍ଥପର ବ୍ୟକ୍ତିବାଦ ଓ ବ୍ୟବହାରିକ ଦେଣ-ନେଣ କୈନ୍ଦ୍ରିକ ସହାବସ୍ଥାନ ମୁଣ୍ଡ ଟେକୁଛି । ବିଭିନ୍ନ ସାମାଜିକ ପ୍ରକ୍ରିୟାରେ ଏହାର ପ୍ରତିଫଳନ ଘଟୁଛି । ଉଚ୍ଚଶିକ୍ଷିତମାନେ ନିଜର ଭାଷାଗତ ଓ ସାଂସ୍କୃତିକ ବନ୍ଧନକୁ ଅସ୍ୱୀକାର କଲେଣି । ଗୋଟିଏ ବୃହତ୍ତର ବିଶ୍ୱର ସାହିତ୍ୟ ପାଇଁ ଓଡ଼ିଆ ଭାଷା ଆଉ ସେତୁ ଭଳି କାର୍ଯ୍ୟ କରୁନାହିଁ । ବିଶ୍ୱର ଜ୍ଞାନ-ସ୍ଥିତିର ଅବଧାରଣା ପାଇଁ ମଧ୍ୟ ଓଡ଼ିଆ ଭାଷା ସମ୍ପୂର୍ଣ୍ଣ ଅନୁପଯୁକ୍ତ ହେଇପଡ଼ିଲାଣି । ବୌଦ୍ଧିକ ପୁଞ୍ଜିର ସିଂହଭାଗ ବର୍ତ୍ତମାନ ଇନ୍‍ଫର୍ମେସନ୍ ଟେକ୍ନୋଲୋଜି ଅନ୍ତର୍ଭୁକ୍ତ । ସମାଜ ଓ ମଣିଷର ଅନୁଧ୍ୟାନ ବିକଳ ଅବସ୍ଥାରେ ରହିଛି । ମଧ୍ୟବିତ୍ତ ସମାଜ ବିଦଗ୍‍ଧ ସାହିତ୍ୟର ପୃଷ୍ଠପୋଷକତା କରିବା ପାଇଁ ପରାଙ୍‍ମୁଖ । ଅଧିକାଂଶ ସମ୍ଭାବ୍ୟ ପାଠକ ଗଣମାଧ୍ୟମ ଦ୍ଵାରା କବଳିତ। ଅତ୍ୟନ୍ତ ଦୁଃସାଧ୍ୟ ଆହ୍ୱାନ ଏଗୁଡ଼ିକ । ବିଶେଷକରି ଯେତେବେଳେ ଭାଷାଭିତ୍ତିକ ଓଡ଼ିଆ ଅସ୍ମିତା, ଯାହା ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଏକ ବିପ୍ଳବର ରୂପ ନେଇଥିଲା, ନିଜର ଉଚ୍ଚ ଭାବାଦର୍ଶ ବଜାୟ ରଖିପାରିନାହିଁ ଏବଂ ସ୍ୱାଧୀନତା ପରବର୍ତ୍ତୀ ଜାତୀୟ ପୁନନିର୍ମାଣର ସ୍ୱପ୍ନ ପରାହତ ହେଇ ପଡ଼ିଛି । ଏଭଳି ଏକ ସନ୍ଧିକ୍ଷଣରେ ବୌଦ୍ଧିକ ପୁଞ୍ଜି ଏହି ଆହ୍ୱାନର ମୁକାବିଲା ପାଇଁ ସାମାଜିକ ଓ ରାଜନୀତିକ ସ୍ତରରେ ଅଧିକତର ଭାବରେ ବ୍ୟବହାର ହେବା କଥା ଏବଂ ଏ ସ୍ଥିତିର ସମାଧାନ ପାଇଁ ଏହାକୁ ସର୍ଜନଶୀଳ ଭାବରେ ଉପସ୍ଥାପିତ କରିବା କଥା । କିନ୍ତୁ ପରିସ୍ଥିତି ଠିକ୍ ଓଲଟା ।

 

ଅବକ୍ଷୟର ଏହି ସ୍ଵର ଅବଶ୍ୟ ଉତ୍ତର-ସତୁରୀରେ ଦେଖିବାକୁ ମିଳିଲାଣି । ଗଢ଼ି ଉଠୁଥିବା ଗୋଟିଏ ଜାତି ବିଭିନ୍ନ କଳ୍ପଲୋକିୟ ଭାବାଦର୍ଶକୁ ପାଥେୟ କରିଥାଏ । କିନ୍ତୁ ଭାରତବର୍ଷରେ ଗାନ୍ଧୀବାଦ, ମାର୍କ୍ସବାଦ ଓ ତା’ର ଅନ୍ୟାନ୍ୟ ଚରମପନ୍ଥୀ ସଂସ୍କରଣ ସେତେବେଳକୁ ଅମଲାତାନ୍ତ୍ରିକ ନିସ୍ପୃହତା ଓ ରାଷ୍ଟ୍ର-ପ୍ରଯୋଜିତ ହିଂସା ଓ ବର୍ବରତାର ପ୍ରଭାବରେ ନିଜ ଦିଗ ହରେଇ ସାରିଲେଣି । କ୍ଷୁଦ୍ରଗଳ୍ପର ଲେଖକକୁ ଦ୍ୱି-ଅର୍ଥବୋଧକ ଭାଷାରେ କହିବାକୁ ପଡ଼ୁଛି ଅଥବା ତା ବୃତ୍ତିଗତ ଜୀବନର ଥଇଥାନ ପାଇଁ ସାମ୍ପ୍ରତିକ ସମାଜ ବ୍ୟବସ୍ଥାର କର୍ତ୍ତୃତ୍ୱକୁ ମାନିନେବାକୁ ପଡ଼ୁଛି । ସତ କହିବାକୁ ଗଲେ ଅଧିକାଂଶ ଗାଳ୍ପିକ ରାଷ୍ଟ୍ର ତିଆରି କରିଥିବା ବିଭିନ୍ନ ଦମନପନ୍ଥୀ ହତିଆରର ଅଂଶବିଶେଷ । ସେମାନେ ଅଳ୍ପକିଛି ସର୍ଜ୍ଜନଶୀଳ ଧୂଆଁବାଣ ଛାଡ଼ିଦେଇ ନୀରବି ଯିବାକୁ ଶ୍ରେୟସ୍କର ମଣିଛନ୍ତି, ନଚେତ୍ ବୁଲେଇ ବଙ୍କେଇ କହିବାକୁ ବାଧ୍ୟ ହୋଇଛନ୍ତି । ଫଳରେ ଅନେକ କଥା ଲେଖା ହୋଇଛି ସତ, କିନ୍ତୁ ସେଥିରେ ଶାଣିତ ବକ୍ତବ୍ୟ କିଛି ନାହିଁ । ସତ୍ୟ ମିଶ୍ର, ଶ୍ୟାମାପ୍ରସାଦ ଚୌଧୁରୀ ଭଳି ପ୍ରତିଶ୍ରୁତି ସମ୍ପନ୍ନ ଗାଳ୍ପିକମାନେ ସ୍ଥିତାବସ୍ଥାକୁ ଆପଣେଇ ନେଇ ନୀରବି ଯାଇଛନ୍ତି । କନ୍ହେଇଲାଲ ଦାସ ଅସମୟରେ ମରିଗଲେ । ବିଦ୍ରୋହର ଅଗ୍ନିବାଣକୁ ସର୍ଜନଶୀଳ ଢଙ୍ଗରେ ଜଗଦୀଶ ମହାନ୍ତି ଉସ୍‍କେଇଛନ୍ତି ସତ କିନ୍ତୁ ତାକୁ ପ୍ରତିଷ୍ଠାବନ୍ତ କରିପାରିନାହାନ୍ତି । ଏ ସମସ୍ତେ ଶୈଳୀର ମୋହଗ୍ରସ୍ତ ହେଇ ପାଠକକୁ ଚମତ୍କୃତ କରିଛନ୍ତି ସତ, କିନ୍ତୁ ବୃହତ୍ତର ସାମାଜିକ ସମସ୍ୟାରୁ ଆଖି ଫେରେଇ ନେଇ କଳାତ୍ମକତାର ଆତ୍ମରତିରେ ମଜ୍ଜି ଯାଇଛନ୍ତି । ତାଙ୍କ କଳାରେ ପ୍ରକଟିତ ହେଉଥିବା ସ୍ଥିତିବାଦୀ ସଂଶୟ ତାଙ୍କ ଜୀବନଚର୍ଯ୍ୟାର ଅନୁଭୂତ ଅଳିନ୍ଦ ସହ ସଂଯୁକ୍ତ ହୋଇପାରି ନାହିଁ । ତରୁଣକାନ୍ତି ମିଶ୍ର ଓ ରାମଚନ୍ଦ୍ର ବେହେରାଙ୍କ ଭଳି ଗାଳ୍ପିକମାନେ ସମ୍ପୂର୍ଣ୍ଣ ଭିନ୍ନ ଧାରରେ ଅବସ୍ଥାନ କରିଛନ୍ତି । ରାଜନୀତିକ ଶଠତା ଓ ସାମାଜିକ ଛଳନାପ୍ରବଣତାରୁ ସେମାନେ ଦୂରେଇ ରହିଛନ୍ତି, ହେଲେ ତାଙ୍କର କଳା ଏକ ପବିତ୍ର ଆବେଗପ୍ରବଣତାଦୁଷ୍ଟ ହୋଇରହିଛି । ତରୁଣକାନ୍ତିଙ୍କ ଗଦ୍ୟ ରୋମାଣ୍ଟିକ ଆବେଗସିଦ୍ଧ, ଯାହା ଓଡ଼ିଆ ଗଦ୍ୟସାହିତ୍ୟରେ ଅତ୍ୟନ୍ତ ବିରଳ, କିନ୍ତୁ ସାମ୍ପ୍ରତିକ ସମୟର କରାଳତାକୁ ସାମ୍ନା ନ କରି ହଜିଯାଇଥିବା ଏକ ସରଳ, ନିଷ୍ପାପ ଓ ନିରାଡ଼ମ୍ବର ଜୀବନକୁ ତାଙ୍କ ଦୃଷ୍ଟି ଅଧିକାଂଶ ସମୟରେ ଅତୀତ ମୋହପରବଶ ହୋଇ ଖୋଜି ବୁଲେ । ଶ୍ରୀଯୁକ୍ତ ବେହେରାଙ୍କ ଆଦ୍ୟ ଗଳ୍ପଗୁଡ଼ିକରେ ଥିବା ଚରମ ଆହ୍ୱାନଗୁଡ଼ିକ ପରବର୍ତ୍ତୀ ସମୟରେ ବ୍ୟକ୍ତିକ ଦୁଃସ୍ୱପ୍ନ ଓ ଆଶାଭଙ୍ଗରେ ନିର୍ବାପିତ ହୋଇଯାଇଛି । ପରବର୍ତ୍ତୀ ଗଳ୍ପଗୁଡ଼ିକରେ ଏକ ଭାଗ୍ୟବାଦୀ ଗ୍ରହଣଶୀଳତା ଦେଖିବାକୁ ମିଳିଥାଏ ଯାହା ଓଡ଼ିଆ ପାଠକମାନଙ୍କ ମନରେ ସହଜରେ ଏକ ଆଧ୍ୟାତ୍ମିକ ଆସ୍ପୃହାର ଅଞ୍ଜନ ଭାବରେ ଗୃହୀତ ହୋଇଥାଏ ।

 

ତେବେ ସାମ୍ପ୍ରତିକ ଗଳ୍ପକଥନ ଭୂମିରେ ଶ୍ରୀ ବେହେରା ଓ ଶ୍ରୀ ମିଶ୍ର ଦୁଇ ପ୍ରମୁଖ ଦିଗ-ବାରେଣୀ । କ୍ଷମତାହୀନ, ନିଃସଙ୍ଗ ଓ ଭଗ୍ନାଂଶର ମଣିଷ ଓ ପରିଧିର ଜୀବନ ପ୍ରତି ବେହେରାଙ୍କ ଅଙ୍ଗୀକାର ଓ ନାନା ଦୁର୍ବିପାକ ଓ ବାଧା ଭିତରଦେଇ ଜୀବନ୍ୟାସ ପାଉଥିବା ସତ୍ୟ ପ୍ରତି ତାଙ୍କର ବିଶ୍ୱସ୍ତତା ଓଡ଼ିଆ ଗଳ୍ପକଳାକୁ ଯେଉଁ ମର୍ଯ୍ୟାଦା ଦେଇଛି ତାହାକୁ ପାଥେୟ କରି ସାମ୍ପ୍ରତିକ କ୍ଷୁଦ୍ରଗଳ୍ପ ବଞ୍ଚିରହିପାରିବ ଚାରିପଟର ନିସ୍ପୃହତା ସତ୍ତ୍ଵେ । ଠିକ୍ ସେଇପରି ଶ୍ରୀ ମିଶ୍ର ମଧ୍ୟ ଏକ ବସ୍ତୁନିଷ୍ଠ ସଭ୍ୟତା ଓ ହିସାବୀ ମନୋବୃତ୍ତିର ଅବଲୋକନ ବିନ୍ଦୁରୁ ଗୌଣ ମନେ ହେଉଥିବା ସତ୍ୟକୁ ଅତି ଚମତ୍କାର ଢଙ୍ଗରେ ମର୍ଯ୍ୟାଦାବନ୍ତ କରି ପାଠକର ଅନ୍ତର୍ଦୃଷ୍ଟି ଆକର୍ଷିତ କରିନେଇପାରନ୍ତି ତାଙ୍କ ଗଳ୍ପକଳାର ପ୍ରତିଭାରେ ।

 

ଆଉ ଯେଉଁ ଗାଳ୍ପିକମାନଙ୍କ ରଚନାରେ ପ୍ରତିଶ୍ରୁତି ଦୃଷ୍ଟିଗୋଚର ହୁଏ ସେମାନଙ୍କ ମଧ୍ୟରେ ଅଛନ୍ତି କମଳାକାନ୍ତ ମହାପାତ୍ର, ଗିରି ଦଣ୍ଡସେନା, ପ୍ରଦୀପ୍ତ ମିଶ୍ର, ଯଶୋଧାରା ମିଶ୍ର ଏବଂ ସରୋଜିନୀ ସାହୁ । କମଳାକାନ୍ତଙ୍କ ଗଳ୍ପର ବୈଶିଷ୍ଟ୍ୟ ହେଲା ବାସ୍ତବତାର ଏକ ବିଶ୍ୱସ୍ତ ଉପସ୍ଥାପନ । ଅତି ପୁଙ୍ଖାନୁପୁଙ୍ଖ ଅନୁସନ୍ଧିତ୍ସୁ ଦୃଷ୍ଟି ଏବଂ ଶସ୍ତା ଆବେଗ ରହିତ କଥନିକାର ସ୍ଵର ଓଡ଼ିଆ ସାହିତ୍ୟରେ ଏକ ନୂଆ ଦିଗ ଉନ୍ମୋଚନ କରିପାରିଛି । କିନ୍ତୁ ବେଳେବେଳେ ମନେହୁଏ ତାଙ୍କର ଏହି ନିରାସକ୍ତ ଅନ୍ତର୍ଦୃଷ୍ଟି ଯାହା ତାଙ୍କର ପ୍ରମୁଖ ସବଳତା, ତାହା ତାଙ୍କ ଗଳ୍ପକଳାକୁ ବିଡ଼ମ୍ବିତ କରୁଛି । ଗଳ୍ପକଳାର ଅନ୍ୟାନ୍ୟ ବିଭବଗୁଡ଼ିକ ପ୍ରତି ବୀତସ୍ପୃହ ରହି କେବଳ ବାସ୍ତବତାର ଅବିକଳ ରୂପାୟନର ଅଧିନ ହେବା ଦ୍ଵାରା ତାଙ୍କ ନାନ୍ଦନିକତା ଖର୍ବ ହୋଇଯାଇଛି ।

 

ପ୍ରଦୀପ୍ତ ମିଶ୍ରଙ୍କ ଗଳ୍ପରେ ଅନୁଭୂତିର ଗଭୀରତା ଓ ଚରିତ୍ର ଚିତ୍ରଣର କୁଳୀନତା ଦେଖବାକୁ ମିଳେ । ଶ୍ରୀ ମହାପାତ୍ରଙ୍କ ପରି ଶ୍ରୀ ମିଶ୍ର ମଧ୍ୟ ବାସ୍ତବତା ରୂପାୟନରେ ଅତ୍ୟନ୍ତ ପଟୁ । କିନ୍ତୁ ତାଙ୍କର ମୌଳିକତା ହେଲା ମଣିଷର ଦୁଃଖ ପାଇଁ ତାଙ୍କର ଦରଦ । କୌଣସି ଶସ୍ତା ଆବେଗ ତାଡ଼ିତ ହୋଇ ନୁହେଁ, କଳାତ୍ମକ ଅଭିବ୍ୟକ୍ତି ମାଧ୍ୟମରେ ସେ ଦରଦକୁ ପାଠକର ହୃଦୟ ପାଖରେ ପହଞ୍ଚାଇ ଦିଅନ୍ତି-। ଓଡ଼ିଆ ସମାଜର ଦୁର୍ବଳ, ଅବହେଳିତ, ନିଷ୍ପେସିତ ଶ୍ରେଣୀରୁ ସେ ମୁଖ୍ୟତଃ ତାଙ୍କର ଚରିତ୍ରଗୁଡ଼ିକୁ ବାଛିଥା’ନ୍ତି, ଯେଉଁମାନେ ମଣିଷର ନ୍ୟାଯ୍ୟ ମାନବୀୟ ସମ୍ମାନରୁ ବଞ୍ଚିତ ହୋଇ ଜୀଇଁଥାନ୍ତି । ନିରବିତ ସ୍ଵର, ଅକୁହା ଯନ୍ତ୍ରଣାକୁ ରୂପ ଦେବାରେ ଶ୍ରୀ ମିଶ୍ର ତାଙ୍କ ସିଦ୍ଧିର ପରିଚୟ ଦେଇଛନ୍ତି ।

 

ଆବେଗ ପ୍ରବଣତା ଅଧିକାଂଶ ସମୟରେ ଓଡ଼ିଆ କ୍ଷୁଦ୍ରଗଳ୍ପର କଳାତ୍ମକତାକୁ ବ୍ୟାହତ କରିଥିବା ଲକ୍ଷ୍ୟ କରିହୁଏ । ଶ୍ରୀ ମିଶ୍ର ଓ ଶ୍ରୀ ଗିରି ଦଣ୍ଡସେନା ପ୍ରମାଣ କରିପାରିଛନ୍ତି ଯେ ମଣିଷର ଦୁଃଖ ଓ ଯନ୍ତ୍ରଣାକୁ ମଧ୍ୟ ନାନ୍ଦନିକ ଢଙ୍ଗରେ ଓଡ଼ିଆ ଭାଷାରେ ପ୍ରକାଶ କରିହେବ । ଶ୍ରୀ ଦଣ୍ଡସେନା ଯୌନତାକୁ ମଧ୍ୟ ଅତ୍ୟନ୍ତ ସାହସର ସହ ମୁକାବିଲା କରିଛନ୍ତି । ସତ୍ୟ ମିଶ୍ର ସ୍ଥିତିବାଦୀ ଢଙ୍ଗରେ ଯେମିତି ସାହସର ସହିତ ଯୌନାଚାରକୁ ରୂପାୟିତ କରି ଅଧାବାଟରେ ରହିଗଲେ, ଗିରି ଦଣ୍ଡସେନା ସେଇ ରାସ୍ତାରେ ଆଗକୁ ଯାଇପାରିଥିବାର ମନେହୁଏ । ସତ୍ୟମିଶ୍ରଙ୍କ ସୁଷ୍ଠୁ କଳାତ୍ମକତା ଓ ନାଟକୀୟତା ହୁଏତ ତାଙ୍କ ଗଳ୍ପରେ ମିଳେ ନାହିଁ । କିନ୍ତୁ ତାଙ୍କର ଅବଲୋକନ ବିନ୍ଦୁ ସର୍ବହରାର ଅନ୍ତଃପୁର ପ୍ରତ୍ୟକ୍ଷ କଲାଭଳି ମନେହୁଏ, ଅନ୍ତରଙ୍ଗ ଶୁଭେ । ଆଦିମ ଜନଜାତିଙ୍କ ଜୀବନଚର୍ଯ୍ୟା ଉପସ୍ଥାପନ କଲାବେଳେ ଗୋପୀନାଥ ହୁଏତ ଅନେକ ସମୟରେ ରୋମାଣ୍ଟିକ୍ ମନେ ହୁଅନ୍ତି ଓ ସେମାନଙ୍କର ଜୀବନକୁ ଏକ କୃତ୍ରିମ ଆଦର୍ଶ ପ୍ରବଣତାର ଲେପ ଦେଇଦିଅନ୍ତି । କିନ୍ତୁ ଶ୍ରୀ ଦଣ୍ଡସେନା ଯେତେବେଳେ ବି ସେମାନଙ୍କୁ ଭେଟିଛନ୍ତି, ମଣିଷ ଭାବରେ ଭେଟିଛନ୍ତି, ସେମାନଙ୍କର ଆଶା ଓ ଆଶଙ୍କା, ଆନନ୍ଦ ଓ ଯନ୍ତ୍ରଣା ଉଭୟକୁ ଅତ୍ୟନ୍ତ ଗଭୀର ଭାବରେ ଉପଲବ୍ଧି କରିଛନ୍ତି, କେବଳ ଦୂରରୁ ଦେଖିବାରେ ନୁହେଁ ପ୍ରତ୍ୟକ୍ଷ ଜୀଇଁବାର ପ୍ରମାଣ ଦେଇପାରିଛନ୍ତି । ସାରା ବିଶ୍ୱରେ ସବୁଆଡ଼େ ଯେତେବେଳେ ବାମାବାଦୀ ଚିନ୍ତାଧାରା ମୁଣ୍ଡ ଟେକିଛି, ନାରୀର ସ୍ଥିତିକୁ ଏକ ଭିନ୍ନତା ପ୍ରଦାନ କରାଯାଇଛି ବୌଦ୍ଧିକ ଓ ଆତ୍ମିକ ସ୍ତରରେ, ଠିକ୍ ତା’ର ପ୍ରତିଫଳନ ଘଟିଛି ଓଡ଼ିଆ କ୍ଷୁଦ୍ରଗଳ୍ପର ଭାବରାଜ୍ୟରେ । ପିତୃକୈନ୍ଦ୍ରିକ ସମାଜ ବ୍ୟବସ୍ଥା ଓ ଭାବାଦର୍ଶକୁ ପର୍ଯ୍ୟାଲୋଚନା କରିବା ଓ ନାରୀ ନିଷ୍ପେଷଣର କାରଣମାନ ଅନୁସନ୍ଧାନ କରିବା ପାଇଁ ମଧ୍ୟ ଲିଖିତ ଓଡ଼ିଆ ସାହିତ୍ୟ ଉଦ୍ୟମ କରିଛି । ନାରୀମାନଙ୍କୁ ଏ ସମାଜ ବ୍ୟବସ୍ଥା ଯେତେ ଉଢ଼ୁଆଳରେ ରଖବାକୁ ଚେଷ୍ଟା କଲେ ମଧ୍ୟ ସେମାନଙ୍କର ମର୍ଯ୍ୟାଦାକୁ ଅନ୍ତତଃ ସାହିତ୍ୟର ଓ ସର୍ଜନଶୀଳତାର ସଂରଚନାମାନଙ୍କରେ ଜୀବନ୍ୟାସ ଦିଆଯାଇଛି, କଳ୍ପନା କରାଯାଇଛି । ଅବଶ୍ୟ ନାରୀ ମୁକ୍ତି ଆନ୍ଦୋଳନ ପ୍ରସୂତ ବିଶ୍ୱ ସାହିତ୍ୟ ଗର୍ଜନଶୀଳତା ଓଡ଼ିଆରେ ପ୍ରତ୍ୟକ୍ଷ କରିହୁଏ ନାହିଁ । ଓଡ଼ିଆ ନାରୀ ଲେଖିକାମାନେ କୋଳାହଳ ଅପେକ୍ଷା ଭିନ୍ନ ଏକ ମର୍ଯ୍ୟାଦାବନ୍ତ ନାରୀତ୍ୱର କଳ୍ପନା କରିଛନ୍ତି । ପରମ୍ପରାର ଉତ୍ପାଟନ କରି ନୁହେଁ ପରମ୍ପରା ଭିତରେ ଥାଇ ଏକ ଅଧିକତର ସହୃଦୟ ସ୍ଥିତି ସେମାନେ ଖୋଜିଛନ୍ତି ନାରୀ ପାଇଁ । ସାମ୍ପ୍ରତିକ ବନ୍ଧନରୁ ମୁକ୍ତି ପାଇଁ ଅନେକ ସମୟରେ ପୁରାଣକଳ୍ପର ଆହ୍ୱାନ କରାଯାଇଛି । ପୁରାଣରୁ ମୁକ୍ତିର ପ୍ରତୀକମାନଙ୍କୁ ଉଦ୍ଧାର କରାଯାଇଛି । ପରିଚର୍ଚ୍ଚାରେ ନାରୀର ଗୁରୁତ୍ୱ ବଢ଼ାଇବାକୁ ତ୍ୟାଗୀ ମା, ହୃଦୟବାନ ଭଉଣୀ ଆଦି ପାରମ୍ପାରିକ ନାରୀତ୍ଵର ଭୂମିକାକୁ ଆଦର୍ଶବାଦୀ ଢଙ୍ଗରେ ଉପସ୍ଥାପନ କରାଯାଇଛି । ଉଦାହରଣ ସ୍ଵରୂପ ବୀଣାପାଣି ମହାନ୍ତିଙ୍କ ଗୋଟିଏ ଗଛରେ ଛୋଟ କଳିକାଟିଏ ତା’ର ଧର୍ଷଣକାରୀକୁ ଖିବ୍ ଜୋରରେ ଆଘାତ କରିଛି ସତ, ହେଲେ ସେଇ ନିଜେ ଚେତାଶୂନ୍ୟ ଲୋକଟିକୁ ପରେ ସେବା କରି ଜୀବନରକ୍ଷା କରିଛି । କ୍ଷମା ଓ ପ୍ରେମରେ ତାକୁ ବିହ୍ୱଳ କରିଦେଇଛି । ଯଶୋଧାରା ମିଶ୍ର, ସରୋଜିନୀ ସାହୁ ଆଦି ଅନ୍ୟ ନାରୀ ଲେଖିକାମାନଙ୍କର ଗୁରୁତ୍ୱ ସେମାନଙ୍କର ଚରମପନ୍ଥୀ ରାଜନୀତିକ ଆଦର୍ଶ ନୁହେଁ ବରଂ ନାରୀ-କୈନ୍ଦ୍ରିକ ବିଶ୍ୱକୁ ପ୍ରତୀକିତ କରିପାରେ । କେବଳ ସଫଳ ରୂପାୟନରେ ସେମାନଙ୍କର କର୍ମପନ୍ଥା ସୀମିତ । ଯେଉଁ ସବୁ ତତ୍ତ୍ୱ ଓ ତଥ୍ୟ ଏଯାବତ୍ କେବଳ ଜ୍ଞାନରେ ବନ୍ଧା ଥିଲା ତାହାକୁ ସାହିତ୍ୟିକ କଳ୍ପଲୋକ ଭିତରକୁ ଆମନ୍ତ୍ରିତ କରି ଆଣିବାରେ ସେମାନଙ୍କ ସଫଳତା ନିହିତ ।

 

ସାମ୍ପ୍ରତିକ ଓଡ଼ିଆ କ୍ଷୁଦ୍ରଗଳ୍ପର ଏପରି ଏକ ବିହଙ୍ଗାବଲୋକନ ମୂଳତଃ ସମଷ୍ଟିଗତ ତୃଟି ବିଚ୍ୟୁତିକୁ ଅଧିକତର ଭାବରେ ଲକ୍ଷ୍ୟ କରିବା ଖିବ୍ ସ୍ୱାଭାବିକ୍ । କ୍ଷୁଦ୍ରଗଳ୍ପ ଉପସ୍ଥାପନ କରୁଥିବା ଅନୁଭୂତି ସକଳର ବ୍ୟାପ୍ତ ସୀମିତ । ଅନେକ ସମୟରେ ଯେକୌଣସି ବିଷୟବସ୍ତୁର ଉପସ୍ଥାପନା ହେଉନା କାହିଁକି ଏକପ୍ରକାର ଆତ୍ମଶ୍ଳାଘା ଓ ଆବେଗପ୍ରବଣତା ସାମ୍ପ୍ରତିକ କ୍ଷୁଦ୍ରଗଳ୍ପର କଳାତ୍ମକତାକୁ ପ୍ରତିହତ କରୁଛି । ଉଭୟ ଆତ୍ମିକ ଓ ଆଙ୍ଗିକରେ ନବୀନତା କ୍ଵଚିତ୍ ଦୃଷ୍ଟିଗୋଚର ହେଉଅଛି । ନବୀନତା ପାଇଁ ଆବଶ୍ୟକୀୟ ସଂକ୍ରମଣ କ୍ଷେତ୍ରରେ ସାଧନାର ଅଭାବ ରହିଛି । ଅନେକ କାଳ ଧରି ଓଡ଼ିଆ ସମାଜ ତା’ର ବୌଦ୍ଧିକ ପୁଞ୍ଜିକୁ ବଞ୍ଚିରହିବାର ସାଧନ ଯୋଗାଡ଼ କରିବାରେ ବ୍ୟବହାର କରିଆସୁଛି । ସାହିତ୍ୟିକ ଉତ୍ପାଦନ ଓ ସାଂସ୍କୃତିକ କସରତ୍ ପେଟି ବୁର୍ଜୁଆର ଗୋଟେ ଛୋଟ ଗୋଷ୍ଠୀ ଜିମାରେ ଛାଡ଼ିଦେଇ ମୋଟାମୋଟି ନିରାସକ୍ତ ରହିଛି । ଲିଖିତ ସାହିତ୍ୟରେ ପରିଦୃଷ୍ଟ ଅଙ୍ଗୀକାରବଦ୍ଧତାର ଅଭାବ ତାହାର ଏକ ବଳିଷ୍ଠ ପ୍ରମାଣ । ଅବଶ୍ୟ କ୍ଷୁଦ୍ରଗଳ୍ପ ରୂପାଙ୍ଗିକଟି କେତେକାଂଶରେ ସାହିତ୍ୟର ଏ ବିକଳ ସ୍ଥିତିରୁ ମୁକ୍ତ । ଯେଉଁଥିପାଇଁ ଏ ଯାବତ୍ ଏହା ପାଠକମାନଙ୍କର ସମ୍ପୃକ୍ତି ଓ ଶ୍ରଦ୍ଧା ବଜାୟ ରଖିପାରିଛି ।

 

ଓଡ଼ିଆ ସାହିତ୍ୟିର ନବପ୍ରଜନ୍ମ ପାଇଁ କ୍ଷୁଦ୍ରଗଳ୍ପକୁ ଏବେ ଏକ ନୂଆ ଦିଗନ୍ତ ଉନ୍ମୋଚନ କରିବାକୁ ହେବ । ଆମ ସମାଜର ହାତରେ ବଞ୍ଚୁଥିବା ଜନଜାତି ମଣିଷମାନଙ୍କୁ ସାହିତ୍ୟିକ ଦେଣନେଣର ପରି ଭିତରକୁ ଆଣିବାକୁ ପଡ଼ିବ-ଉଭୟ ଭୌଗୋଳିକ ଓ ପ୍ରତୀକାତ୍ମକ ଅର୍ଥରେ । ଆର୍ଥନୀତିକ ସବଳତା ବଢ଼ିଲେ ଜନଜାତି ଲୋକମାନେ ସାହିତ୍ୟ ସହ ସମ୍ପର୍କିତ ହେବାପାଇଁ ଆବଶ୍ୟକୀୟ ଶିକ୍ଷା ଓ ସମୟ ପାଇପାରିବେ । ଅବଶ୍ୟ ଏ ଦିଗରେ କିଛି କିଛି ପଦକ୍ଷେପ ନିଆଗଲାଣି ବୋଲି ମନେହୁଏ । ଡେର୍ନା, ଅରଣ୍ୟ ଭଳି କିଛି ପତ୍ରିକା ଏବେ ଆଦିବାସୀ-ପ୍ରଧାନ ଅଞ୍ଚଳରୁ ପ୍ରକାଶିତ ହେଲାଣି । ଏ ଗୁଡ଼ିକରେ ଏ ଯାବତ୍ ନିଷ୍ପେଷିତ ସ୍ଵରଗୁଡ଼ିକର ଆତ୍ମପ୍ରକାଶ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥିବା ଭଳି ଅନୁଭବ କରିହୁଏ ।

 

ଏ ଉଦ୍ୟମଗୁଡ଼ିକରେ ପ୍ରତୀକିତ ହେଉଥିବା ବିଭିନ୍ନ ସ୍ୱର ମଧ୍ୟରେ ଆଦାନପ୍ରଦାନ ଓ ତର୍କ ଓଡ଼ିଆ ଗଳ୍ପ ସାହିତ୍ୟ ପାଇଁ ନିଶ୍ଚୟ ମଙ୍ଗଳମୟ ହେବ ବୋଲି ଆଶା ।

 

 

ପ୍ରାଧ୍ୟାପକ, ଇଂରାଜୀ ବିଭାଗ

ଉତ୍କଳ ବିଶ୍ଵବିଦ୍ୟାଳୟ

ବାଣୀବିହାର, ଭୁବନେଶ୍ଵର

 

***

 

ସାହି ମହାଭାରତ – ଓଡ଼ିଆ ସାହିତ୍ୟର ଆଧୁନିକ ପୁରାଣ

ସତ୍ୟ ନାରାୟଣ ସାହୁ

 

ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ବିଶିଷ୍ଟ ବିଭାଗ ବ୍ୟଙ୍ଗ ସାହିତ୍ୟ ସ୍ରୋତକୁ ରାଶି ରାଶି କୃତି ଦାନ କରି ରସମୟ ତଥା ଦିପ୍ତୀମୟ କରିବା କ୍ଷେତ୍ରରେ ଅନ୍ୟତମ ବିଶିଷ୍ଟ ଶିଳ୍ପୀ ହେଉଛନ୍ତି – ରାମଚନ୍ଦ୍ର ମିଶ୍ର । ଯିଏକି ‘ଫତୁରାନନ୍ଦ’ ଛଦ୍ମ ନାମରେ ଓଡ଼ିଶାର ଅଗଣିତ ପାଠକଙ୍କ ନିକଟରେ ବ୍ୟଙ୍ଗ କଥାକାର ଭାବେ ସୁପରିଚିତ । ଓଡ଼ିଆ କବିତା ତଥା କଥା ସାହିତ୍ୟକୁ ତାଙ୍କ ଅବଦାନ ଉଲ୍ଲେଖନୀୟ । ମାତ୍ର ତାଙ୍କ ଦ୍ୱାରା ରଚିତ ଏକ ସାବଲୀଳ ରସସିକ୍ତ-ସାହିତ୍ୟଗ୍ରନ୍ଥ ‘‘ସାହି ମହାଭାରତ’’ । ଯାହକି ଅଧିକ ଆଦୃତ ବା ପ୍ରଚାରିତ ହୋଇପାରି ନାହିଁ ।

 

ଆଧୁନିକତାର ମୋହରେ ମାତି ଯନ୍ତ୍ରଣାର ଜ୍ୱଳାରେ ଦଗ୍ଧମାନ ହେଉଥିବା ଜାତୀୟ ସମାଜକୁ ସମୁଚିତ ଦିଗ୍‌ଦର୍ଶନ ଦେବା ଦିଗରେ ଗ୍ରନ୍ଥଟିର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିବା ମନେ ହୁଏ । ମାତ୍ର ଅତି ଦୁଃଖର କଥା, ସାରଳା ମହାଭାରତ ଯେପରି ପ୍ରଚାରିତ ତଥା ଜନ ସାଧାରଣରେ ସମାଧିକ ଆଦୃତ ହେଇପାରିଛି, “ସାହି ମହାଭାରତ’’ ଗ୍ରନ୍ଥଟି ଆଜି ସେପରି ହୋଇନପାରି କେବଳ ଗ୍ରନ୍ଥାଗାରର ନିରନ୍ଦ୍ର ଅନ୍ଧକାର ମଧ୍ୟରେ ପଡ଼ିରହି ଭାଗ୍ୟକୁ ଆଦରି ଝୁରି ହେଉଛି ।

 

ଏଣୁ କବିଙ୍କ ଆଭିମୁଖ୍ୟକୁ ଜନସମାଜରେ ଆଦୃତ କରାଇବା ଲକ୍ଷ୍ୟ ନେଇ ଗ୍ରନ୍ଥଟିର ସମାଲୋଚନା କାର୍ଯ୍ୟରେ ପ୍ରବୃତ୍ତ ହେଲୁ ।

 

ଏହାର କଥାବସ୍ତୁ ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନତା ପରବର୍ତ୍ତୀ ଭାରତ ବର୍ଷର । ଆଜିର ସାମ୍ପ୍ରତିକ କାଳରେ ପାଶ୍ଚାତ୍ୟ ଶାସନର, ବିଲୋପ ଘଟିଥିଲେ ମଧ୍ୟ ପାଶ୍ଚାତ୍ୟ ଶାସନ, ଶିକ୍ଷା, ସଭ୍ୟତା ଏବଂ ସଂସ୍କୃତିର । ମଞ୍ଜିଷ୍ଠାନୁରାଗରେ ଅନୁରଞ୍ଜିତ ହୋଇ ଆମ ମହନୀୟ ଗୌରବୋଜ୍ଜଳ ପ୍ରାଚ୍ୟ ସଂସ୍କୃତିର ଆଦର୍ଶ କିପରି ନିଃଶେଷ ହୋଇଯାଇଛି, ତା’ର ଜ୍ଵଳନ୍ତ ଦୃଷ୍ଟାନ୍ତ ଏଥିରେ ଉପଲବ୍ଧ ହୋଇଥାଏ ।

 

ଗ୍ରନ୍ଥଟିର ଉପୋଦ୍‌ଘାତରେ କବି ରାଜ୍ୟପାଳ, ଶିକ୍ଷାମନ୍ତ୍ରୀ, ପ୍ରକାଶକ ସମାଲୋଚକ, ପାଠକ ପ୍ରଭୃତିଙ୍କ ଗଳିତ କ୍ଷତଗୁଡ଼ିକୁ ସୁତୀକ୍ଷ୍ଣ ବ୍ୟଙ୍ଗ-ବାଣ ବିଦୀର୍ଣ୍ଣ କରି ସ୍ତୁତି ରଚନା କରି ଯାଇଛନ୍ତି-। ସମାଲୋଚକକୁ ସ୍ତୁତି କରି କହୁଛନ୍ତି –

 

‘‘ସଭୟ ଭକତି ଘେନ ହେ ସମାଲୋଚକ

ତୋ ହାତେ କଟାରୀ ଅଛି ମୁକୁଳା ମୋ ବେକ ।

ଦାନ୍ତେ ତିଅଣ ଦେଇଣ ଡାକୁଅଛି ପ୍ରଭୁ

କାଟିଲେ କାଟିବୁ ଅବା ରଖିଲେ ରଖିବୁ ।

ଭୋଳାନାଥ ଆହେଦେବ ବିଚିତ୍ର ତୋ ଦୃଷ୍ଟି

ଲେଖକମାନଙ୍କୁ କରୁ ଲୟ ସ୍ଥିତି ସୃଷ୍ଟି ।

Χ Χ Χ Χ Χ Χ

ପାଠକ ପାଖରେ ତୁହି ଯେ ବଡ଼ କାନ କୁହା

ତୁହି ଆପଣାର କରୁ ତାହାନ୍ତ ବୋକଚା ବୁହା ।

ଆହେ ପ୍ରଭୁ ତୋହ ପାଶେ କରୁଛି ନିଉ ଛାଳି

ଦୟାକଲେ ମୋତେ ଦେବଇ ତୋହନ୍ତ ଚାଉଳି ।

ସମାଲୋଚନା ଲେଖନୀ ସଧୀରେ ଚଳାଇବୁ

ମୋ ଲେଖାବେଳକୁ ଟିକେ ସଦୟ ହୋଇବୁ ।

କଳାରେ ମୁଁ ଅପାରଗ ଅତି ମୁଢ଼ ଜନ

କରିନପାରଇ ସଭାରେ କେବେ ବକ୍ତୃତା ପ୍ରଦାନ ।’’

 

ସେପରି ‘‘ପାଠକ ବନ୍ଦନା’’ରେ କହିଛନ୍ତି –

 

‘ହେ ପାଠକ ତୋତେ ମୋର କୁଟି ନମସ୍କାର

ତୋହର ତୋଷଣେ ସର୍ବେହୋନ୍ତି ତତ୍‍ପର ।

ଯେତେ ଭଲ ପୋଥି ଲେଖି ପଛକେ ଲେଖକ

ଯେତେ ଭଲକରି ଛାପୁ ତାହାନ୍ତ ପ୍ରକାଶକ ।

ସମାଲୋଚକଟି ଗାଉ ଯେତେ ତା’ର ଗୁଣ

ତୁହି ନ କିଣିଲେ ସବୁ ହୁଏ ଅକାରଣ ।

ମାଗିଣ ଯାଚିଣ ଯଦି ତୁ ପୋଥି ପଢ଼ିବୁ

କାହାପାଖେ ଯାଇ ଆମ୍ଭେ ଗୁହାରି କରିବୁ।’’

 

ସଂସ୍କୃତରେ ପ୍ରବାଦ ଅଛି ‘‘କବିତାରସମଧୁର୍ଯ୍ୟଂ କବିବେତି ।’ ଅପୂର୍ବ ରସ ମାଧୁରୀରେ ପାଠକ ଶ୍ରୋତା ମନପ୍ରାଣ ଆକର୍ଷଣ କରିବା କବିତା ଓ କବିଙ୍କର କାର୍ଯ୍ୟ ।

 

ଏଣୁ ଆଲୋଚ୍ୟ ଗ୍ରନ୍ଥଟିରେ କବି ବିମଳ ହାସ୍ୟ ରସର ଉତ୍ତାଳ ପ୍ରବାହ ଘଟାଇବା ସହିତ ବିଭିନ୍ନ ଲୋକ ପ୍ରିୟ ପ୍ରବାଦ, ପ୍ରବଚନ, ରୀତି, ନୀତି, ଲୋକାଚାର, ସହ ସମାଜର ବିଭିନ୍ନ ବର୍ଗ/ଶ୍ରେଣୀର ଲୋକଙ୍କ ଆଳାପ ପ୍ରଳାପାଦିକୁ ନାଟକୀୟ ଛଟାରେ ଅତ୍ୟନ୍ତ କଳାତ୍ମକ ରୂପ ଲାବଣ୍ୟ ବିଭୂଷିତ କରି ପରିପ୍ରକାଶ କରିଛନ୍ତି । ଏଥିରେ ପଲ୍ଲୀଠାରୁ ଦିଲ୍ଲୀଯାଏ, ପରିଦୃଶ୍ୟମାନ ଯାବତୀୟ ବିକୃତି ରାଜିକୁ ଦେଖାଇବା କ୍ଷେତ୍ରରେ ଏକ ନିର୍ମଳ ମୁକୁର ତୁଲ୍ୟ କରି ଗଢ଼ିଛନ୍ତି ।

 

ବାସ୍ତବିକ ସାମ୍ପ୍ରତିକ କାଳରେ ଭାରତୀୟ ସାହିତ୍ୟ କ୍ଷେତ୍ରରେ କେବଳ ଦେଶୀୟ ଶବ୍ଦାବଳୀକୁ ନେଇ ଏପରି ଉଚ୍ଚକୋଟୀର ତଥା ଲାଳିତ୍ୟପୂର୍ଣ୍ଣ ବ୍ୟଙ୍ଗ ବିଦ୍ରୂପର ଆଶ୍ରୟରେ ଆଧୁନିକ ପୁରାଣ ସାହିତ୍ୟ ରଚନା ଦିଗରେ ସମଗ୍ର ଭାରତୀୟ ସାହିତ୍ୟ କ୍ଷେତ୍ରରେ ପ୍ରଥମସ୍ଥାନ ଦାବି କରେ ।

 

ପୁସ୍ତକଟିର ‘‘ଆତ୍ମକଥନ’ରେ କବି ଲେଖିଛନ୍ତି – “ଥରେ କଟକରେ ଶ୍ରୀରାମଚନ୍ଦ୍ର ଭବନରେ ସାରଳା ଜୟନ୍ତୀ ଉତ୍ସବ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଉଥିଲା । ସେ ତାଙ୍କ ଅଭିଭାଷଣରେ ସେତେବେଳେ କହିଲେ ଯେ ‘‘ଆମର ଓଡ଼ିଆ ଲେଖକମାନେ ଯଥାର୍ଥ ଓଡ଼ିଆ ଶବ୍ଦ ପାଇଁ ଏଣେ ତେଣେ ଧନ୍ଦି ହେଉଛନ୍ତି । କିନ୍ତୁ ଆମ ସାରଳା ସାହିତ୍ୟର ଯେଉଁ ବିଶାଳ ଶବ୍ଦ ଭଣ୍ଡାର ରହିଛି, ତାହା ପ୍ରତି କେହି ଦୃଷ୍ଟିପାତ କରୁ ନାହାନ୍ତି । ଯେକୌଣସି ଭାବର ପ୍ରକାଶ ପାଇଁ ଯଥାର୍ଥ ଓଡ଼ିଆ ଶବ୍ଦ ସାରଳା ଶବ୍ଦ ଭଣ୍ଡାରରେ ଥିବା ବେଳେ ଆମ ଓଡ଼ିଆ ଲେଖକମାନେ ସେଥିପ୍ରତି ଦୃଷ୍ଟିପାତ ନ କରିବା ବଡ଼ କ୍ଷୋଭର ବିଷୟ ।”

 

ମାଟିର ମହାକବି ସାରଳା ଦାସଙ୍କ ମହାଭାରତରେ ଯେପରି ଉତ୍କଳୀୟ ସମାଜ, ଜନଜୀବନ, ତଥା ସଂସ୍କୃତିର ନିଛକ ପ୍ରତିଛବି ପ୍ରକଟିତ ହୋଇଛି, ଅନୁରୂପ ଭାବେ ସାହି ମହାଭାରତରେ ମଧ୍ୟ ଉତ୍କଳୀୟ ସମାଜ ତଥା ସାଂସ୍କୃତିକ ଜୀବନ, ରୀତି, ନୀତି, ଇତ୍ୟାଦିର ବାସ୍ତବ ଚିତ୍ର ରହିଛି । ଏଥିରେ କବି କୌଣସି ବିଦେଶୀ ଶବ୍ଦ ପ୍ରୟୋଗ କରିନାହାନ୍ତି । କେବଳ ଦେଶୀୟ ଶବ୍ଦରେ ଲେଖିଛନ୍ତି । କାରଣ ଏହା ହେଉଛି ପରା । ମହାଭାରତ କେବଳ ଭାରତ ମଧ୍ୟରେ ପ୍ରଚଳିତ ଦେଶୀୟ ଶବ୍ଦର କାବ୍ୟ । ଏଥିରେ କେବଳ ତତ୍ସମ, ତଦ୍ଭବ ଓ ଦେଶୀୟ ଶବ୍ଦର ସୁନ୍ଦର ସୁସମନ୍ୱୟ ଘଟାଇଛନ୍ତି ।

 

ପୁସ୍ତକଟି ସରଳ, ସୁନ୍ଦର, ସାବଲୀଳ ତଥା ବୋଧଗମ୍ୟ ଭାଷାରେ ଉତ୍କଳୀୟ ଲୋକକଥିତ ଶବ୍ଦାବଳୀକୁ ଖିବ୍ ଚମତ୍କାର ଭାବେ ଗୁଂଫନ କରାଯାଇଛି । ଯାହାର ପ୍ରତ୍ୟେକ ପଦ ତଥା ଶବ୍ଦ ଗ୍ରାମୀଣ ଶିକ୍ଷିତା, ଶିକ୍ଷିତ ଆବାଳବୃଦ୍ଧ ବନିତାଙ୍କ ବୋଧଗମ୍ୟ । ଟିକିଏ ଚେଷ୍ଟା କଲେ କେତେକ ଲୋକଙ୍କ ଦୁର୍ବୋଧ୍ୟ ଶବ୍ଦମାନ ଖିଆଲ ଆସେ । ପୁଣି ଏଥିରେ କବି ପ୍ରାଚୀନ ପ୍ରୟୋଗ ଯଥା – କରସି, ଧରସି, ଆଣସି, ଯାଅସି, ହୋଇଲାକ, ବେଳେଣ, ପ୍ରଭୃତି ଶବ୍ଦ ଦ୍ଵାରା ହାସ୍ୟରସର ବିମଳ ମନ୍ଦାକିନୀ ପ୍ରବାହିତ କରି ସାମାଜିକ ତଥା ବ୍ୟକ୍ତିଗତ ଜୀବନରେ ନାନା ଚରିତ୍ରରେ ପରିଦୃଷ୍ଟ ବିବିଧ ବିକୃତିରାଜିକୁ ବ୍ୟଙ୍ଗ କରାଯାଇଛି । ପୁସ୍ତକଟିକୁ କବି ଯଦି ଅତ୍ୟାଧୁନିକ ଶବ୍ଦାବଳୀ ଏବଂ କାବ୍ୟଶୈଳୀ ଅବଲମ୍ବନରେ ରଚନା କରିଥାନ୍ତେ, ତେବେ ଏହା ଶ୍ରୁତିକଟୁ ତଥା ନିରସ ହେବା ସହିତ ସମାଜ ସଂସ୍କାର ଦିଗରେ ଅଗ୍ରସର ହେଇପାରିନଥାନ୍ତା ।

 

କେତେକ ବିଦେଶୀ ଶବ୍ଦାବଳୀର ଦେଶୀୟ ରୂପାନ୍ତର ହେଲା –

 

୧. ଭୂଇଁ ତେଲବତୀ – ଡିବିର, ଲଣ୍ଡନ, Lamp

୨. ପଖାଳକରା - ନୁଗା, ଯାହା ପଖଳାଯାଏ ।

୩. ପାଇକ-Police

୪. ଠଣା – ଜିଅଲ, ଥାନା, Kine house

୫. ନ୍ୟାୟଜ୍ଞ – ଓକିଲ, Lawer

୬. ବିଦେଶୀ ବଇଦ ଖାନା – Hospital

୭. ପାଇକରଥ - Police van, ନାଲିବତୀଆ ରଥ

୮. ବୈଦ୍ୟୁତିକ କାଚଦୀପ – Electric bulb

୯. ଉଗ୍ର ଅମ୍ଳ- Acid ,

 

ବିଭିନ୍ନ ଧ୍ୱନ୍ୟାତ୍ମକ ଶବ୍ଦାବଳୀର ମଞ୍ଜୁଳ ଗୁଂଫନ କଳା – ଚିଡ଼ଚଡ଼, ଜଲଜଲ, ରଟମଟ, ହୁଲୁସୁଲୁ, ହୁତୁହୁତୁ, ଟରିଟରି, ଭଡ଼ଭଡ଼, ରଣଝଣ, ବକବକ ପରି ଅସଂଖ୍ୟ ଧ୍ୱନ୍ୟାତ୍ମକ ଶବ୍ଦାବଳୀର କଳା ମଞ୍ଜୁଳ ଗୁଂଫନ ଦ୍ଵାରା କାବ୍ୟିକ ଚମତ୍କାରିତା ଫୁଟି ଉଠିଛି ।

 

ଗ୍ରନ୍ଥଟିର ସମଗ୍ର ବିଷୟଗତ ଚିତ୍ର (Plot) ସ୍ଵାଧୀନୋତ୍ତର ଉତ୍କଳୀୟ ପଲ୍ଲୀ ଜୀବନକୁ ନେଇ ପରିକଳ୍ପିତ ହୋଇଛି । ଭକ୍ତ ପୁରିଆ (ପାଣ୍ଡବ ଗୋଷ୍ଠୀ) ଓ ଯାଜି ନଗ୍ରୀଆ (କୌରବ ପକ୍ଷ)ଙ୍କ ମଧ୍ୟରେ ହୋଇଥିବା କଳହ, ବାଡ଼ିଆ ବାଡ଼େଇ, କାଣ୍ଡ କାର୍ଖାନା ଏବଂ ପରିଶେଷରେ ପୁନଃମିଳନ କାହାଣୀକୁ କେନ୍ଦ୍ରକରି ଏହା ରୂପଲାଭ କରିଛି ।

 

ମହାଭାରତରେ ଶ୍ରୀକୃଷ୍ଣ ନାଟର ଗୋବର୍ଦ୍ଧନ ଥିବା ପରି ଏବଂ ଅର୍ଜୁନକୁ ଯୁଦ୍ଧ ପାଇଁ ଉତ୍ସାହିତ କରିବାକୁ ଗୀତା ଉପଦେଶ ଦେବା ପରି ଏଥିରେ ମଧ୍ୟ ଅନୁରୂପ ଭାବେ ଭକ୍ତ ପୁରିଆଙ୍କ ମୁଖିଆ ଅନାଦି ନାଟର ଗୁବର୍ଦ୍ଧନ ସାଜିବା ସହ ଭକ୍ତ ପୁରିଆ ପାଣ୍ଡବ ଦଳର ଅର୍ଜୁନକୁ (ବାଟ କଡ଼ର କଳାଗୋଟି ସାଉଁଟି ଯାଜି ନଗ୍ରୀଆଙ୍କ ଉପରକୁ ଫୋପାଡ଼ିବା ସହିତ ବାଟୁଳି ଖଡ଼ାରେ ଆଲି ଭରି ଟାଇଁଟାଇଁ ଝଙ୍କାର କରିବାରେ ଉତ୍ତେଜିତ କରିବାକୁ) କବି ‘ଆଖଡ଼ା ଗୁରୁ’ ପର୍ବ ମଧ୍ୟରେ ଅନାର୍ଦୀଗୀତା ଶୀର୍ଷକ ଏକ ଗୀତା ମଧ୍ୟ ଅନାଦି ରୂପୀ ଶ୍ରୀକୃଷ୍ଣ ମୁଖରେ ଅର୍ଜୁନକୁ ଶୁଣାଇଛନ୍ତି ।

 

ସାହିତ୍ୟର ପ୍ରଧାନତଃ ୨ଟି ଉଦ୍ଦେଶ୍ୟ ରହିଛି। ୧. ସାମାଜିକ ସଂସ୍କାର ଏବଂ ୨. ମନୋରଞ୍ଜନ । ଉଭୟ ଦିଗରୁ ସମୀକ୍ଷା କଲେ ଏହା ଏକ ଅତ୍ୟାଧୁନିକ ଭ୍ରଷ୍ଟ ସମାଜକୁ ଉଚିତ୍ ଦିଗ୍‌ଦର୍ଶନ ଦେବା ଦିଗରେ କଳା ଚାତୁର୍ଯ୍ୟର ମହନୀୟ ମାଧୁର୍ଯ୍ୟ ବିମଣ୍ଡିତ ଅମୂଲ୍ୟ ଆବଶ୍ୟକୀୟ ତଥା ଉତ୍କୃଷ୍ଟ ଗ୍ରନ୍ଥ ।

 

ଯାହା ଉତ୍କଳୀୟ ସାହିତ୍ୟର ସାରସ୍ୱତ ଉଦ୍ୟାନକୁ ସୁନ୍ଦର ସୌକୁମାର୍ଯ୍ୟ ମଣ୍ଡିତ କରିବା ପରି ବାଣୀଭଣ୍ଡାରକୁ କରିଛି ସୁସମୃଦ୍ଧ । ପୁଣି ଆଧୁନିକତାର ମୋହରେ ପଡ଼ି ପାଗଳ ପ୍ରାୟ ହୋଇଥିବା କବିଗୋଷ୍ଠୀଙ୍କୁ ସ୍ୱଜାତୀୟ ଭାବଧାରାନୁପ୍ରାଣିତ କରିବା ସହ ଶବ୍ଦଚୟନରେ ବିଜାତୀୟତା ତ୍ୟାଗ କରାଇବା, ସ୍ୱଦେଶୀୟ ସାହିତ୍ୟ ସଂସ୍କୃତି ପ୍ରତି ଆଗ୍ରହ ଉଦ୍ରେକ କରାଇବା, ଜାତୀୟ ସାହିତ୍ୟ ସଂସ୍କୃତିକୁ ଅନୁପମ ଶ୍ରୀ ସମ୍ପୂର୍ଣ୍ଣ ତଥା ରୂପ ଲାବଣ୍ୟ ମଣ୍ଡିତ କରି ଦେଦୀପ୍ୟମାନ କରାଇବା ପାଇଁ ଏକ ଦୀପ ଶିଖା ତୁଲ୍ୟ ବିଭାବିକିରଣ କରିଛି ।

 

କବିଙ୍କ ବର୍ଣ୍ଣନା ବୈଚିତ୍ରୀ ଖିବ୍ ଚମତ୍କାର ରୂପ ଲଭିଛି । ଯଥା –

 

‘‘ଆଖଡ଼ା ଗୁରୁ ମହିମା କହିଲେ ନ ସରଇ

ଧାମନ୍ତେ ମହାକ୍ରୋଧେ ଲଗୁଡ଼ ବୁଲାଇ ।

ପାଦ ବିଘାତେ ମେଦିନୀ କମ୍ପିଲା ଦଲଦଲ

ଘୋଟି ଆସଇ ଶାର୍ଦ୍ଧୁଳ ଯେସନେ ଛାଗପଲ ।

ପବନ ତହୁଁ ଖରତର ହୁଅଇ ତାରବାଡ଼ି

ମସି ଗୁଣ୍ଡା ହୁଅଇ ଶିଳା ତହିଁ ପରେ ପଡ଼ି ।’’ (ଆଖଡ଼ା ଗୁରୁପର୍ବ)

 

ନ୍ୟାୟଜ୍ଞମାନଙ୍କ ଉଦ୍ଦେଶ୍ୟ ସମ୍ବନ୍ଧରେ ‘ନ୍ୟାୟଜ୍ଞପର୍ବ’ ରେ ସୂଚନା ଦେଇ କହିଛନ୍ତି –

 

‘‘ନ୍ୟାୟ ଦ୍ଵନ୍ଦ ଉପେକ୍ଷୀଦିନ ଗଡ଼ାଇବ ।

ନ୍ୟାୟଜ୍ଞର ଭଲପନ୍ଥା ଧନ ସାଉଁଟିବା ।’’

 

ନ୍ୟାୟଦ୍ଵନ୍ଦ ବିଷୟରେ ସୁନ୍ଦର ବର୍ଣ୍ଣନା ଦେଇ ଲେଖିଛନ୍ତି –

 

‘‘ଏହିମତି ପାଞ୍ଚମାସ ହୋଇଲାକ ଗତ

ଅଭିଯୋଗ ପତ୍ର ପାଇକ କରିଲା ଆଗତ ।

ନ୍ୟାୟଜ୍ଞଙ୍କ ପୁଷମାସ ହେଲା ଉପଗତ

ବେନି ପୁର ଜନେ ହୋଇଲେକ ହନ୍ତସନ୍ତ ।

x x xxx

ବେନି ପୁରର ନ୍ୟାୟଜ୍ଞ ଏହିମତି ପାଳିକରି

ଗଡ଼ାଇ ଦେଲେକ ଦ୍ଵନ୍ଦ ବରଷ ଗୋଟାଚାରି ।

 

ଶେଷରେ ଦୁଇ ସାଇ ଲୋକେ ନିଜ ନିଜ ମଧ୍ୟରେ ସମାଧାନର ପନ୍ଥା ସ୍ଥିର କରିବାକୁ ଉପାୟ କରିଛନ୍ତି ।

 

‘‘ଆଜି ସନ୍ଧ୍ୟାରେ ସର୍ବେ ହୋଇବା ମିଳିତ

ଏଥିରୁ ମୁକତି ଉପାୟ କରିବା ତଦନ୍ତ

ନ୍ୟାୟଜ୍ଞ ପୋଷିବା କେବଳ ହେଇଛି କାରଣ

ଦୁଇ ସାଇ ବିବାଦର ଲାଭ ଉଠାନ୍ତି ନ୍ୟାୟଜ୍ଞଗଣ”

 

ଦୁଇଜଣଙ୍କ ମଧ୍ୟରେ କଳିକଜିଆ ହେଲେ ତୃତୀୟ ବ୍ୟକ୍ତି ଲାଭ ଉଠାଇବା କଥାକୁ କବି ଖୁବ ସୁନ୍ଦର ରସପୂର୍ଣ ବର୍ଣ୍ଣନା ମାଧ୍ୟମରେ ଆମ ସମାଜକୁ ଦେଖାଇ ଦେଇଛନ୍ତି । ଏଥିରେ ଭକ୍ତପୁରିଆ ଓ ଯାଜ ନଗ୍ରିଆଙ୍କ ମଧ୍ୟରେ କଜିଆ ବା ଗୋଳ ହେବା ଫଳରେ ପଣା ପାଇକ ଓ ନ୍ୟାୟଜ୍ଞମାନେ ଲାଭ ଉଠାଇଛନ୍ତି । ଏଣୁ କେହି କଳି କରି କ୍ଷତିଗ୍ରସ୍ତ ନ ହୋଇ ଶାନ୍ତିରେ ମିଳିମିଶି ଚଳିବାର ଉପାୟ ଅନ୍ୱେଷଣ କରିବା ଆବଶ୍ୟକ ।

 

ଏହାର ବିଭିନ୍ନ ପର୍ବମାନ ହେଲା :-

୧. ଆଦ୍ୟ ପର୍ବ

୨. ମଧ୍ୟ ପର୍ବ

୩. ସଭା ପର୍ବ

୪. ଉଦଯୋଗ ପର୍ବ

୫. ଆଖଡ଼ାଗୁରୁ ପର୍ବ

୬. ନଟିଆ ପର୍ବ

୭. ହଟିଆ ପର୍ବ

୮. ଗନ୍ଧିଆ ପର୍ବ

୯. ଖେତରା ପର୍ବ

୧୦. ନାଣ୍ଡିଆ ପର୍ବ

୧୧. ପାଇକ ପର୍ବ

୧୨. ଠଣାପର୍ବ

୧୩. ନ୍ୟାୟ ଦ୍ଵନ୍ଦ ପର୍ବ

୧୪. ନ୍ୟାୟଜ୍ଞ ପର୍ବ

୧୫, କଳ୍ପବଟ ପର୍ବ

୧୬. ନାରୀ ପର୍ବ

୧୭. ପୁନଃ ମିଳନ ପର୍ବ

୧୮. ଶାନ୍ତି ପର୍ବ

 

ପରିଶେଷରେ ସ୍ୱାଧୀନୋତ୍ତର ମଦମତ୍ତ ସ୍ଵାସ୍ଥି ସମାଜର ନାନାବିଧ ଦୋଷ, ଦୁର୍ବଳତା, ଦୁର୍ନୀତି, ଭ୍ରଷ୍ଟାଚାର ତଥା କଣା ବୁଝାମଣାଦିକୁ ତୀବ୍ର ବ୍ୟଙ୍ଗ-ବାଣ ବିଦୀର୍ଣ୍ଣ କରି ସମାଜରେ ଶାନ୍ତି ପ୍ରତିଷ୍ଠା ସହିତ ଜନ ସଚେତନତା ସୃଷ୍ଟି କରିବା ଦିଗରେ କରିଥିବା ଶ୍ରମ ଓ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିବା ସହିତ କବିଙ୍କର ଅମର ଆତ୍ମାପ୍ରତି ଜାତିର ବିନମ୍ର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଅଛୁ ।

 

 

ସା /ପୋ – ଡୁକୁହ

ମୟୁରଭଞ୍ଜ – ୭୫୭୦୭୫

***

 

ନବ ଚେତନାର ଆଲୋକରେ ସମକାଳୀନ ଓଡ଼ିଆ ଗଳ୍ପ

ମଣୀନ୍ଦ୍ର କୁମାର ମେହେର

 

ନିଜସ୍ୱ ମୌଳିକ ଦୃଷ୍ଟିନେଇ ପୃଥିବୀ ଓ ମଣିଷ ଜୀବନକୁ ଅନୁଭବ କରିବା ଠାରୁ ଗାଳ୍ପିକ ପାଇଁ ଆଉ ମହାନ୍ ଆଦର୍ଶ କ’ଣ ବା ଅଛି ? ସେହିପରି ଅନ୍ତରାତ୍ମାର ସତ୍ୟଟିକୁ ଶବ୍ଦରେ ଉନ୍ମୋଚିତ କରିଦେବା ଠାରୁ ଆଉ ଗଭୀର ତୃପ୍ତି କ’ଣ ବା ରହିଛି ? ଯେତେକଥା କହିଲେ ମଧ୍ୟ ଅନ୍ତର ତଳର କଥା କହି ନ ପାରିଲେ ଗାଳ୍ପିକର ହୃଦୟ ଯେଉଁ ଅତୃପ୍ତ ଓ ଯନ୍ତ୍ରଣାରେ ଭରିଯାଏ ସେ କଥା କ’ଣ ଯଥାର୍ଥ ଭାବରେ ବୁଝାଇ ଦେଇ ହୁଏ ।

 

ବର୍ତ୍ତମାନର ଗାଳ୍ପିକ ଆପଣାର ଅଭ୍ୟନ୍ତରକୁ ପ୍ରବେଶ କରିପାରିବା ଓ ତାକୁ ଅକୁତୋଭୟ ଭାବରେ ପ୍ରକାଶ କରିଦେଇ ପାରିବା ସବୁଠୁ ବଡ଼ କଥା । ୧୯୮୦ ପରବର୍ତ୍ତୀ ଓଡ଼ିଆ ଗାଳ୍ପିକମାନଙ୍କ ମନକୁ ଏ ବିଷୟ କି ତୀବ୍ର ଭାବରେ ମନ୍ତ୍ରିତ କରିଛି ତାହା ସୂକ୍ଷ୍ମ ଦୃଷ୍ଟି ନେଇ ଲକ୍ଷ୍ୟ କଲେ ଉପଲବ୍ଧ କରିହୁଏ । ନିଜର ଏକ ଗଳ୍ପ ସଂକଳନର ଭୂମିକାରେ ପ୍ରସିଦ୍ଧ ଗାଳ୍ପିକ ଚନ୍ଦ୍ରଶେଖର ରଥଙ୍କ ସ୍ୱୀକାରୋକ୍ତି ବଡ଼ ଚମକପ୍ରଦ । ନିଜର ଗଛଲେଖାରେ ମନକଥା ଯଥାର୍ଥ ଭାବରେ କହିନପାରିବାର ଯନ୍ତ୍ରଣା ତାଙ୍କ ଭାଷାରେ ମର୍ମରିତ ।

 

ଚନ୍ଦ୍ରଶେଖର ରଥ, ମନୋଜ ଦାସ, ମହାପାତ୍ର ନୀଳମଣି ସାହୁ, କିଶୋରୀ ଚରଣ ଦାସ ପ୍ରମୁଖ ବହୁ ପ୍ରବୀଣ ଶିଳ୍ପୀ ମଣିଷର ଅନ୍ତଃସ୍ଥଳକୁ ଉଖାରିବା ପାଇଁ କ’ଣ କମ୍ ଯନ୍ତ୍ରଣା ଭୋଗିଛନ୍ତି ? ଅସ୍ତିତ୍ଵବାଦ, କାମ୍ୟୁ, କାଫ୍‍କାଙ୍କ ଚିନ୍ତାଧାରାରେ ତୀବ୍ର ଭାବେ ଆନ୍ଦୋଳିତ ହେଉଥିବା ନୂଆ ଶୈଳୀର ଶକ୍ତିଶାଳୀ ସଂକେତ ଦେଇଥିବା ଜଗଦୀଶ ମହାନ୍ତିଙ୍କ ପରି ଗାନ୍ଧିକ ଏକଦା ଆକାଶବାଣୀର କାର୍ଯ୍ୟକ୍ରମରେ ନିଜକୁ ନିଜେ ସମ୍ବୋଧନ କରି କହିଥିଲେ ‘ଜଗଦୀଶ’ ବହୁତ ହେଲା-। ଏଥର ନିଜ ଭିତରକୁ ଚାହାଁ ଆପଣାର ଅନ୍ତଃସ୍ଥଳକୁ ଯାତ୍ରା ନକଲେ ଗାଳ୍ପିକର ତୀର୍ଥଯାତ୍ରା ସଫଳ ହୁଏନା । ସେଇଥିପାଇଁ ହିଁ ସମକାଳୀନ ଗଳ୍ପସ୍ରଷ୍ଟାମାନେ ଅଧିକ ବେଦନା ଭୋଗିଛନ୍ତି ବୋଲି କୁହାଯାଇପାରେ ।

 

ଏ ପୃଥିବୀରେ ପ୍ରତ୍ୟେକ ଜଣେ ଜଣେ ଭିନ୍ନ ମଣିଷ । ମନୋଜଦାସଙ୍କ ଭାଷାରେ : କିଏ ଭଲା । କାହାକୁ ବୁଝେ ? ପୃଥିବୀର ରହସ୍ୟକୁ ଉଦ୍‌ଘାଟନ କରିବା, ଜନ୍ମ, ଜୀବନ ଓ ମୃତ୍ୟୁର ରହସ୍ୟକୁ ଭେଦ କରିବା, ଅତି ନିକଟରେ ଥିବା ନିଜର ପ୍ରିୟ ମଣିଷର ଛାତି ତଳର ଦୁଃଖକୁ ବି ସ୍ପର୍ଶ କରିବା ଅସମ୍ଭବ ହୋଇପଡ଼େ ଏଠି । ଜୀବନ କ’ଣ ତାକୁ ବୁଝୁ ବୁଝୁ ଜୀବନ ସରିଯାଉଥାଏ । ସାମ୍ପ୍ରତିକ ଗାଳ୍ପିକମାନଙ୍କ ଗଳ୍ପରେ ଏହି ଅସହାୟତା ପ୍ରତିବିମ୍ବିତ ହୋଇଛି ନାନା ଭାବରେ ।

 

ନୂଆ ଗାଳ୍ପିକ, ଗଳ୍ପ ରଚନାର କୌଣସି ନିୟମ ଓ ପଦ୍ଧତିକୁ ନିଷ୍ଠାର ସହିତ ପାଳନ କରିବା ଯେ କି କଷ୍ଟ, ତାହା ଭଲଭାବରେ ଜାଣେ । ସେ ତେଣୁ କୌଣସି ନିୟମ ପ୍ରତି ବଶମ୍ବଦ ହୋଇପାରେନା । ଗଳ୍ପଟିଏ କିପରି ହେବା ଉଚିତ ସେ କଥା ନିର୍ଦ୍ଧାରଣ କରିଦେବାର ସମୟ ଅତୀତ ହୋଇଯାଇଛି । ମହାପାତ୍ର ନୀଳମଣି ସାହୁଙ୍କ ‘ନିବେଦିତାର ନୈଶାଭିସାର’ ପରି ଗଳ୍ପଟିଏ କେତେ ଦୀର୍ଘ, ମନୁଷ୍ୟ ମନର ସୂକ୍ଷ୍ମତର ଅଭାବବୋଧ ପ୍ରକଟନରେ କେତେ ବିଶ୍ଳେଷଣଧର୍ମୀ ସେ କଥା ସଚେତନ ପାଠକମାନେ ଜାଣନ୍ତି ଖୁବ ଭଲ ଭାବରେ । ଆଉ ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ଗଳ୍ପ କେତେ ଛୋଟ ଅଥଚ ପ୍ରେରଣାରେ କେତେ ଶକ୍ତିଶାଳୀ ତାହା ବି ଜାଣନ୍ତି । ଆଜିର ଗଳ୍ପ ଆଉ ଯେ କାହାଣୀ ନୁହେଁ, ତାହା କିଏ ବା ନଜାଣେ ! କିନ୍ତୁ ତାହା କବିତା ପରି ଏତେ ସ୍ନିଗ୍‍ଧ ଏତେ ସୁବାସିତ, ପୁଣି ମନସ୍ତାତ୍ତ୍ଵିକ ବିଶ୍ଳେଷଣରେ ବି ଏକ ମଧୁର ଓ ପ୍ରାଣସ୍ପର୍ଶୀ । ଆଦିକନ୍ଦ ସାହୁଙ୍କ ‘କ୍ଷେତ ପାଚିବାର ବେଳ’, ତାହାର ହିଁ ଇସାରା ଦେଉଥାଏ । ତରୁଣ ତମ ଗାଳ୍ପିକ ଲକ୍ଷ୍ମଣ କୁମାରଙ୍କ ଗଳ୍ପ ତ ବଂଶୀଧ୍ଵନି ପରି ଶୁଭିପାରେ ।

 

ଏବର ଗାଳ୍ପିକ କୌଣସି ଆଦର୍ଶକୁ ଅନୁସରଣ କରିବା ପାଇଁ ଚାହେଁନା । ସେ ସବୁ ବାଦ ଓ ଦର୍ଶନର ଉର୍ଦ୍ଧ୍ଵରେ । ମନୋରଞ୍ଜନ ପାଇଁ ଗଳ୍ପ ଲେଖିବାର ଅଭ୍ୟାସ ଅନେକ ଦିନରୁ ଛାଡ଼ିସାରିଛି ସେ । ଯେତେବେଳେ ଜୀବନ ତାକୁ ଯେମିତି ଲାଗେ ଠିକ୍ ସେହିପରି ତାକୁ ଅଙ୍କନ କରିବା ତାର ଉଦ୍ଦେଶ୍ୟ । କୌଣସି ଦାର୍ଶନିକ ହୁଅନ୍ତୁ କି ସାହିତ୍ୟସ୍ରଷ୍ଟା କାହାରି ପ୍ରଭାବରେ ପ୍ରଭାବିତ ହେବାକୁ ସମ୍ପୂର୍ଣ୍ଣ ମନା କରିଦିଏ ତା’ର ଅନ୍ତଃସତ୍ତା । ନିଜ ଭିତରର ମଣିଷ ପ୍ରତି ସେ ସମାଧିକ ସମ୍ବେଦନଶୀଳ । ସେଇଥିପାଇଁ ଅପୂର୍ବ ସାହସିକତାର ସହିତ ସେ କଲମ ଧରେ । ଏଇ ସାହସିକତାର ଦୃଷ୍ଟାନ୍ତ ନୂଆ ଗଛରେ ପ୍ରଚୁର ଅଶୋକ ଚନ୍ଦନ ‘ଅନ୍ୟ ଗ୍ରହର ମଣିଷ’କୁ ଲେଖିବାରେ ଉନ୍ମୁଖ ହୋଇଥିଲେ ଦିନେ । ପର୍ବତ ଶୃଂଗାରୋହଣରେ କୃତିତ୍ୱ ଅର୍ଜନ କରିଥିବା ଡଲିଅପା ବି ପ୍ରେମ କରି ଠକେଇ ହୋଇପାରେ । ପ୍ରତାରିତ ହୋଇ ପୁଣି ଦୁଃସାହସୀ ହୋଇପାରେ ସେକଥା ‘ବେବି ଓ ଅପରାହ୍ନର ପ୍ରଜାପତିମାନେ’ ଗପରେ ଦେଖାଇ ଦେଇଛନ୍ତି । ଗୋଟିଏ ଯୁବକଠାରୁ ଚାପୁଡ଼ାଏ ଖାଇ ନାରାୟଣ ପୃଷେଠଙ୍କ ‘ଶାମୁକା’ ଗଳ୍ପର ସ୍ଵାଧୀନତା ସଂଗ୍ରାମୀ ଚରିତ୍ରଟି କହିଉଠନ୍ତି- ଆହୁରି ଆଗରୁ ତୁମର ଏହି ଚାପୁଡ଼ା ଦରକାର ଥିଲା । ତା’ହେଲେ ଆମେ ସଚେତନ ହୋଇଉଠିଥାନ୍ତୁ । ସଂଗ୍ରାମୀଙ୍କ ମୁଖରେ ଉଚାରିତ ଏ ଭାଷା ବିସ୍ମିତ କରିଦିଏ ପାଠକକୁ । ଭାବାବେଗରେ ବିସ୍ଫୋରିତ ଯୁବପ୍ରାଣକୁ ଶରତ ନାରାୟଣ ବେହେରା ମଧ୍ୟ ଲେଖିଛନ୍ତି ‘ଅସହାୟ’ ଗଳ୍ପରେ । ପିତାଙ୍କୁ ସେ ପ୍ରଶ୍ନ କରିପାରେ ତୁମେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ହାତବୁଣା ଲୁଗା ପିନ୍ଧୁଥିଲ । ଗାଁ ଗାଁ ବୁଲି ଗାନ୍ଧିବାଣୀ ପ୍ରଚାର କରୁଥିଲ । ସ୍ଵାଧୀନତା ଲାଗି ଜେଲ୍ ଯାଇଥିଲ । କୁଆଡ଼େ ଗଲା ତୁମର ସେ ଆଦର୍ଶ ?’

 

ଗୁଣାତ୍ମକ ଓ ପରିମାଣାତ୍ମକ ଦୃଷ୍ଟିରୁ ନୂଆଗଳ୍ପ ଜଗତ ଯେପରି ସମୃଦ୍ଧ ହୋଇଉଠୁଛି ତାକୁ ତାଲିକାଭୁକ୍ତ କରିବା ଅତି କଠିନ । ଭୀମପୃଷ୍ଟି, ଗୌରହରି ଦାସ, ସଦାନନ୍ଦ ତ୍ରିପାଠୀ, ଆର୍ଯ୍ୟ ଯଜ୍ଞଦତ୍ତ, ପାରମିତା ଶତପଥୀ କାହାର ନାମ ବା ଶ୍ରଦ୍ଧାର ସହ ଉଚ୍ଚାରଣ କରାଯାଇନପାରେ ! ପ୍ରବୀଣ ଓ ନୂତନଙ୍କ ସମାବେଶରେ ବୈଚିତ୍ୟମୟ ହୋଇଉଠିଛି ଗଳ୍ପକଳାର କ୍ଷେତ୍ର । ଘଟଣା, ଚରିତ୍ର, ଜୀବନ-ସବୁ କିଛିକୁ ଅନାଇବାରେ ଗାଳ୍ପିକ ତା’ର ସ୍ୱତନ୍ତ୍ରତାର ପରିଚୟ ଦେଉଛି । ମନୋଜ ପଣ୍ଡା ତ କହନ୍ତି – “କୌଣସି ଘଟଣାର କେବେ ଆରମ୍ଭଟିଏ ନଥାଏ ବା ଘଟଣା କେବେ ଶେଷ ହୁଏ ନାହିଁ । ଘଟଣା ଅବାରିତ, ଅନବରତ । ଘଟଣା ଝରଣା । ତମକୁ ତା’ ଭିତରେ ପଶି ଦେହ, ହୃଦୟ ଓ ମସ୍ତିଷ୍କକୁ ଘସି ମାଜି ସଫା କରିବାକୁ ହୁଏ । ମନୋଜଙ୍କ ‘ହାତ ବଗିଚା’ ଭିନ୍ନ ସ୍ୱାଦ ଓ ସାହସର ପରିଚୟ ଦିଏ ସେଇଥିପାଇଁ । ରବି ପଟ୍ଟନାୟକଙ୍କ ‘ବଣା ବାଟୋଇର ଚମ୍ପୁ’ରେ କୁହାଯାଇଥିଲା- ‘ନଦୀର ସ୍ରୋତଟା ସରଳରେଖା ନୁହେଁ କି ଠିକ୍ ଗୋଟାଏ ବେଗରେ ନିର୍ଦ୍ଦିଷ୍ଟ ଅନୁପାତରେ ପାଣି ନେଇ ସେଇଟା ବହେନା । ବହମାନ ଜୀବନ ସେମିତି କାହାରି ଅପେକ୍ଷା ରଖେନା । ଗାଳ୍ପିକଙ୍କ ଚିତ୍ରିତ ମଣିଷ କୌଣସି standard କାହାର ବିଚାର କରେନା । ସେ କହେ ‘ସେଥିପାଇଁ କାହାରି ବିଚାର ମୁଁ କରେନା, ପ୍ରତ୍ୟେକ ମଣିଷ ନିଜ ନିଜର ବିଚାରପତି ।’

 

ମଣିଷ ସମ୍ପର୍କିତ ଏ ଅନୁଭବ ଆହୁରି ଉଦାର ଓ ପ୍ରଶସ୍ତ ହୋଇଛି ସାମ୍ପ୍ରତିକ କାଳରେ । ଗାଳ୍ପିକମାନେ ସବୁ ପାରମ୍ପରିକ ବିଚାରଧାରା, ପାପ ପୁଣ୍ୟବୋଧ, ଭଲମନ୍ଦର ଧାରଣାରୁ ମୁକ୍ତ ହୋଇ ଜୀବନର ଗଭୀରତାକୁ ସ୍ପର୍ଶ କରିପାରୁଛନ୍ତି । ପୁରୁଷମାନେ ନିଜ ମନକୁ ଯେପରି ଉନ୍ମୁକ୍ତ କରିଛନ୍ତି ନାରୀ ଶିଳ୍ପୀମାନେ ମଧ୍ୟ ସେଇପରି ଆପଣାକୁ ପ୍ରକାଶ କରିବାରେ ନିଃସଙ୍କୋଚ ହୋଇଛନ୍ତି । ସରୋଜିନୀ ସାହୁଙ୍କ ପରି ଗାଳ୍ପିକା ‘ରେପ୍’ ଗଳ୍ପ ସୃଷ୍ଟି କରି ଚହଳ ପକାଇଥିବା କଥା କିଏ ନଜାଣେ ! ଅପର ପକ୍ଷରେ ପୁଣି ‘ଅନ୍ୟ ଜଗତର ସକାଳ’ ଭଳି ଗଳ୍ପ ସଂକଳନରେ ମମତା ଦାଶ ଉଦ୍‌ଘାଟନ କରି ଦେଇପାରନ୍ତି ସୂକ୍ଷ୍ମତିସୂକ୍ଷ୍ମ ସୁକୁମାର ଅନୁଭୂତିରେ ତରଳି ଯାଉଥିବା ନାରୀ ହୃଦୟର ଗହନତମ ଅଂଶକୁ । ତାଙ୍କ ଚିତ୍ରିତ କ୍ରୀଷ୍ଣା ଯେଉଁ ସଂକଟରେ ପଡ଼େ ତାହା ଅଦ୍ଭୁତ । ସେ ଅନୁଭବ କରେ ଗୀତା, ଭାଗବତ, ଉପନିଷଦ କେଉଁଥିରେ ତା’ ସମସ୍ୟାର ସମାଧାନ ନାହିଁ ।

 

ନାୟିକାମନର ଅନ୍ତର୍ଗତ ଅନୁଭବକୁ ଫୁଟାଇ ଉଠାଇବାରେ ଏ ସମୟର ଗାଳ୍ପିକମା‌ନେ ଅତିକ୍ରମ କରିଯାଇଛନ୍ତି ସବୁ ଗତାନୁଗତିକତାର ସରଣୀକୁ । ‘ଫୁଲର ରଥରେ ଶ୍ରୀରୂପା’ ଗଳ୍ପଟିରେ ଗାୟତ୍ରୀ ସରାଫଙ୍କ ନାୟିକା ଉଦ୍ଧତ ଯୁବକର ଅଶାଳୀନ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରି ଦେଇପାରେ । ଅଥଚ ବିଶୁଦ୍ଧ ଆନ୍ତରିକତାରେ ଉଜ୍ଜ୍ଵଳ ଦିଶୁଥିବା ତାର ପିତା ଏକ ପୌଢ଼ ପୁରୁଷକୁ ସ୍ୱୀକାର କରିଦେଇପାରେ ଜୀବନସାଥୀ ରୂପରେ ।

 

ମଣିଷକୁ ଯୁବକ ପୌଢ଼ ଭେଦରେ ଯେପରି ନୁହେଁ, ନାରୀ ପୁରୁଷ ଭେଦରେ ବା ପୁରୁଷ ଅଣପୁରୁଷ ଭେଦରେ ଯେ ଭାଗ ଭାଗ କରିହୁଏ ନାହିଁ ଏକଥା ଭାବବାଦୀ ଶିଳ୍ପୀମାନେ ଜାଣନ୍ତି । ଦିନେ ‘ଅଭିଶପ୍ତ ଗନ୍ଧର୍ବ’ ଲେଖିଲାବେଳେ ମହାପାତ୍ର ନୀଳମଣି ସାହୁ କହିଥିଲେ, ବୈକୁଣ୍ଠ ମଉସା ଯଦି ସତକୁ ସତ ଅଣପୁରୁଷା ଥିଲେ, ତା’ହେଲେ ତଦ୍ୱାରା ତାଙ୍କ ବ୍ୟକ୍ତିତ୍ୱରେ କ’ଣ ଏମିତି ହାନୀ ହୋଇଯାଇଥିଲା ? ତାଙ୍କ ବ୍ୟତୀତ ଆମ ଗାଁରେ ଆଉ ଯୋଉ ପୁରୁଷ - ଷଣ୍ଢମାନେ ଥିଲେ, ସେମାନଙ୍କ ଭିତରୁ ଅଧିକାଂଶ ଥିଲେ ପାଷାଣ୍ଡ ଓ ବର୍ବର-ସ୍ଥୁଳ ହୃଦୟ-ନିର୍ମମ । ବୈକୁଣ୍ଡ ମଉସା ଆଜି ପର୍ଯ୍ୟନ୍ତ ମୋ ହୃଦୟରେ ଏକ ସ୍ଵତନ୍ତ୍ର ସମ୍ମାନନୀୟ ଆସନ ଅଧିକାର କରି ରହିଛନ୍ତି । ଆଜିର ଗାଳ୍ପିକା ପୁରୁଷତ୍ୱ ନଥିବା କିନ୍ନର ହୃଦୟରେ ଠିକ୍ ସେଇପରି ଆବିଷ୍କାର କରିଛି ମମତାର ଫଲ୍‍ଗୁଧାରା । ମାର ସ୍ନିଗ୍ଧ ଶୀତଳ ପରଶ ଦେବାରେ ସେହିପରି ଚରିତ୍ର ବି କି ଅନନ୍ୟ ତାହା ଗଳ୍ପ ଜଗତରେ ଉତ୍କୀର୍ଣ୍ଣ ହୋଇଛି ଜୀବନ୍ତ ଭାବରେ । ଶାନ୍ତନୁ କୁମାର ଆଚାର୍ଯ୍ୟ ‘ପରକୀୟା’ ପରି ଗଛରେ ଯେଉଁ ବିଶାଳ ସ୍ନେହୋପଲବ୍ଧିକୁ ଫୁଟାଇଛନ୍ତି ତାହା ବି କ’ଣ କମ୍ ଭାବାବିଷ୍ଟ କରେ ପାଠକକୁ ! ପ୍ରବୀଣ ହୁଅନ୍ତୁ କି ତରୁଣ କିଏ ବା ସ୍ନେହାକର୍ଷଣକୁ ଛାଡ଼ିଛନ୍ତି ! ମମତାମୟୀ ଚୌଧିରୀଙ୍କ ‘ଗୁଣ୍ଡୁଚିମୂଷା’ ଗଳ୍ପର ଲୁଟୁ – ଯାହାର ଆଖିଡୋଳା ବୁଲୁଥାଏ ଯିଏ ଦିଗନ୍ତ ସେପାରିକୁ ଦେଖିବାରେ ଅଧୀର, ସିଏ ବି ଲେଖିକାଙ୍କ ସ୍ନେହସ୍ପର୍ଶରେ ପ୍ରାଣବନ୍ତ ହୋଇଉଠିପାରେ ଗଳ୍ପର ବର୍ଣ୍ଣନାରେ ।

 

‘ନିଜ ‘ଭିତରେ ବିଶ୍ୱ ବ୍ରହ୍ମାଣ୍ଡକୁ ଦେଖିବାର ପ୍ରବଣତା ତାରୁଣ୍ୟର ଧର୍ମ’ ବୋଲି କଥାଶିଳ୍ପୀ ବିଭୂତି ପଟ୍ଟନାୟକ ଯାହା କହିଛନ୍ତି ତାହା ପ୍ରକୃତରେ ଯଥାର୍ଥ । ତରୁଣ ଗଛ ଲେଖକମାନେ ଆପଣା ଭିତରକୁ ସେଥିପାଇଁ ଅନାଇଛନ୍ତି । ଖିବ୍ ନିଷ୍ଠାର ସହ । ଅନ୍ୟ କାହାପରି ଗପଟିଏ ସୃଷ୍ଟି କରିବାର ଆସ୍ପୃହାରେ ଗଳ୍ପସ୍ରଷ୍ଟା ବିଗଳିତ ହୁଅନ୍ତି ନାହିଁ ଆଜି । ପ୍ରତ୍ୟେକ ସ୍ରଷ୍ଟାଙ୍କ ପ୍ରତି ପ୍ରତ୍ୟେକ ସ୍ରଷ୍ଟାର ଥାଏ ସମ୍ମାନ ବୋଧ ଶକ୍ତିଶାଳୀ ଗଳ୍ପଟିଏ ହୃଦୟକୁ ଆପାତ ବି କରିପାରେ ଗଭୀର ଭାବରେ । କିନ୍ତୁ ଏ ସମୟର ପ୍ରତିଟି ଗାଳ୍ପିକ ସମ୍ପୂର୍ଣ୍ଣ ଭାବରେ ନିଜ ପରି ଗଳ୍ପଟିଏ ଲେଖବାକୁ ଚାହେଁ । କାହାରି ଅନୁକରଣ ଅନୁସରଣ ବା ପ୍ରଭାବରେ ନୁହେଁ ପୂରାପୂରି ନିଜ ଭିତର ମଣିଷଟିର ଆଜ୍ଞାରେ ସେ କଲମ ଧରେ । ପୃଥିବୀରେ କେତେ ଧର୍ମ, କେତେ ଦର୍ଶନ, କେତେ ସାହିତ୍ୟର ସମ୍ଭାର ଆଉ ବିଜ୍ଞାନର ଚମତ୍କାରିତା । ଏଠି ନାନା ମୁନିଙ୍କର ନାନା ମତ । ସେସବୁକୁ ଆଦୌ ଭୂକ୍ଷେପ ନକରି ନିଜ ଭିତରେ ଜଳୁଥିବା ଦୀପଟିକୁ ଆବିଷ୍କାର କରିବା ହିଁ ପ୍ରକୃତ ସୃଜନଶୀଳତାର ପରିଚୟ ।

 

ରାମଚନ୍ଦ୍ର ବେହେରା ତରୁଣକାଳରୁ ନିଜର ସେଇ ଦିବ୍ୟ ସୃଜନଶୀଳତାକୁ ଉଜ୍ଜୀବିତ କରି ରଖିପାରିଛନ୍ତି । ଜୀବନ ପ୍ରବାହକୁ ସ୍ରଷ୍ଟା ଚିତ୍ତର ସ୍ୱତନ୍ତ୍ର ଅନ୍ତର୍ଦୃଷ୍ଟିରେ ସେ ଯେପରି ଅନୁଶୀଳନ କରି ଆସିଛନ୍ତି ତାହା ପାଠକର ଶିରା ପ୍ରଶିରାକୁ ଭେଦିଛି । ‘ଗେଣ୍ଡା ଗଳ୍ପରେ ମଣିଷର ଅସହାୟତା ଯେପରି ଭେଦିଛି ଓ କାର ଧ୍ୱନି’ରେ ପୂର୍ଣ୍ଣତାର ଅନୁଭବ ସେଇପରି ଆଣିଦେଇଛି ପରିପୂର୍ଣ୍ଣ ତୃପ୍ତି । ପରବର୍ତ୍ତୀ ଗାଳ୍ପିକମାନେ ଅନ୍ତର୍ମୁଖୀ ହେବାରେ ପ୍ରବୀଣ କଥାକାରମାନଙ୍କ ପ୍ରେରଣା ଏକ ଉଲ୍ଲେଖଯୋଗ୍ୟ ବିଷୟ ନିଶ୍ଚୟ ।

 

ପ୍ରୀତିଶ ଆଚାର୍ଯ୍ୟଙ୍କ ‘ଝିଅ’, ଗୌରହରି ଦାସଙ୍କ ‘ବସୁଦେବ’, ହିରଣ୍ମୟୀ ମିଶ୍ରଙ୍କ ‘ରେଗିଂ’, ସରୋଜ ବଳଙ୍କ ‘ବାହାରେ ବର୍ଷା’ ଭଳି ଅନେକ ଗଳ୍ପ ବରିଷ୍ଠ ଲେଖକମାନଙ୍କ ହୃଦୟକୁ ମଧ୍ୟ ବିଦ୍ଧ କରିପାରିଥିବା ଲକ୍ଷ୍ୟ କରାଯାଇଛି । ନିଖୁଣ ଭାବରେ ଉପସ୍ଥାପନ କରିବାର ଢଙ୍ଗ, ମୁଖାପିନ୍ଧା ମଣିଷର ଅସଲ ରୂପକୁ ଉନ୍ମୋଚିତ କରିଦେବାର ସାହସ, କପଟାଚାରରୁ ମୁକ୍ତଥିବା ସ୍ରଷ୍ଟା ମନର ସ୍ପନ୍ଦନ, ବର୍ଣ୍ଣନାର ଶାଣିତ ଧାରାରେ ପ୍ରତିଫଳିତ ଚରିତ୍ରର ଅନ୍ତର୍ଦାହ– ଏବର ଗଳ୍ପକୁ ଅନୁଭବୀ ପାଠକର ନିକଟତର କରୁଛି ଧୀରେ ଧୀରେ ।

 

୧୯୮୦ ପରବର୍ତ୍ତୀ କାଳରୁ ଗଳ୍ପ ରଚନାର ସଂଖ୍ୟା ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ । ଲାଗିଛି । ବହୁ ନୂତନ ସ୍ରଷ୍ଟା ଗଳ୍ପ ରଚନାରେ ହାତ ଦେଇଛନ୍ତି । ସେ ସମସ୍ତଙ୍କ ନାମୋଲ୍ଲେଖ କଲେ ତାହା ହିଁ ଏକ ପ୍ରବନ୍ଧର ଆକାର ଧାରଣ କରିପାରେ । ତେଣୁ ନାମ ତାଲିକା ନିଷ୍ପ୍ରୟୋଜନ । ପ୍ରୟୋଜନ ହେଉଛି ଗାଳ୍ପିକର ଅନ୍ତଶ୍ଚେତନର ଉଦ୍‌ଘାଟନ । ପ୍ରକୃତରେ ନୂଆଚେତନାରେ ଭାସ୍ୱର ହୋଇଉଠୁଛି ଆଜିର ଗଳ୍ପ ଜଗତ ।

 

ଜୀବନର ଏଭଳି ଅନେକ ନିଭୃତ କକ୍ଷ ରହିଛି ଯାହା ଗଳ୍ପରେ ଆଲୋକିତ ହେବାକୁ ମଧ୍ୟ ଅପେକ୍ଷା ରଖିଛି । ଅମଡ଼ାବାଟରେ ଚାହିବାର ଶକ୍ତି ସଞ୍ଚିତ ହେଲେ ଗଳ୍ପଧାରାରେ ଫୁଟି ଉଠିବ ଆହୁରି କଳ୍ପନାତୀତ ବୈଚିତ୍ର୍ୟ । ଏ ଯାଏ ଅଠାନବେ ଭାଗ ଓଡ଼ିଆ ଗପ ଲେଖକ ଗୁଳା ଭାଙ୍ଗିବାକୁ ଡରନ୍ତି’ ବୋଲି ଅଜୟ ସ୍ୱାଇଁଙ୍କ ବକ୍ତବ୍ୟର ସତ୍ୟତା ରହିଛି । ଏହାର କାରଣ ଦର୍ଶାଇବାକୁ ଯାଇ ଗାଳ୍ପିକ କମଳାକାନ୍ତ ମହାପାତ୍ର । କହିଛନ୍ତି ‘ଆମ ସାହିତ୍ୟ ଏଡ଼େ ରକ୍ଷଣଶୀଳ, ଶୀଳ ଅଶ୍ମଳ, ନୈତିକ ଅନୈତିକ ବିଚାର ଏଥିରେ ଏତେ ଅଧିକ ଯେ ତାଗଡ଼ା ଚରିତ୍ର ସୃଷ୍ଟି ହେବା କଠିନ । ପୃଥିବୀର ଅନ୍ୟାନ୍ୟ ଦେଶରେ ଜୀବନଧାରାରେ ଯେଉଁ କ୍ରାନ୍ତିକାରୀ ପରିବର୍ତ୍ତନ ହେଉଛି, ତାକୁ ଲକ୍ଷ୍ୟରେ ରଖି ଗାଳ୍ପିକମାନେ ମଧ୍ୟ ଧୀରେ ଧୀରେ ତାହା ଯେ ସାହସର ସହ ଲିପିବଦ୍ଧ କରିଦେଇପାରିବେ– ଏଇ ଆଭାସ ବର୍ତ୍ତମାନ ସ୍ପଷ୍ଟରୁ ସ୍ପଷ୍ଟତର ହୋଇଉଠୁଛି ।

 

ସାହିତ୍ୟରେ ନୂଆ ପରୀକ୍ଷା ନିରୀକ୍ଷାର ଆବଶ୍ୟକତା କେତେ ଗୁରୁତ୍ୱପୂର୍ଣ୍ଣ ତାହା କିଏ ନଜାଣେ ! ତେବେ ସୌରୀନ୍ଦ୍ର ବାରିକଙ୍କ ଭାଷାରେ କହିବାକୁ ଗଲେ ‘ପରୀକ୍ଷା ପାଇଁ ପରୀକ୍ଷା – ଗୋଟିଏ କିଛି ନୂଆ କରି କହିବାର କେବଳ ଚେଷ୍ଟା କରି ପ୍ରାଣକୁ ଛୁଇଁ ପାରେନା । ଏ ପରୀକ୍ଷା ଯେ ପର୍ଯ୍ୟନ୍ତ ଜୀବନବୋଧ ସହ ଏକ ନ ହୋଇଛି, ଏହା କେବଳ କୃତ୍ରିମତା ହୋଇ ଶିହରଣ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଅନୁଭୂତିର ଅଗଭୀରତାକୁ ସୂଚାଇ ଦିଏ । ବର୍ତ୍ତମାନର ବର୍ତ୍ତମାନତା ଭିତରେ ଖାଲି ଚକାଭଉଁରୀ ଖେଳେ ସିନା, କାଳୋତ୍ତୀର୍ଣ୍ଣ ହୋଇପାରେନା ।” ତେଣୁ 'ଗାଳ୍ପିକମାନେ ଏ ବିଷୟରେ କ୍ରମଶଃ ସଚେତନ ହୋଇ ଉଠିବାର ବିଶ୍ଵାସ ମଧ୍ୟ ପ୍ରତିଫଳିତ ହେଉଛି ଆମ ସାହିତ୍ୟ ଜଗତରେ । ମଣିଷ ଯେ ସବୁ ସତ୍ତ୍ୱେ ଆହୁରି ଆହୁରି ସ୍ଵପ୍ନ ଓ ଜୀବନ ଚାହେଁ ଏକଥା ନାନା ଭାବରେ ଲେଖକମାନେ ସ୍ୱୀକାର କରୁଛନ୍ତି । ପ୍ରବୀଣ ହୁଅନ୍ତୁ ବା ତରୁଣ ସମସ୍ତେ ନିଜସ୍ୱ ଶୈଳୀରେ କଥାଟିଏ କହୁଥିଲେ ମଧ୍ୟ ସମସ୍ତଙ୍କ ଜୀବନ ପ୍ରତି ଉନ୍ମୁଖତା ଉଲ୍ଲେଖନୀୟ । ତରୁଣ ଗାଳ୍ପିକ ଆଦିତେଶ୍ଵର ମିଶ୍ର ସେପାଇଁ କୁହନ୍ତି: ମାଟିରେ ମୋ ଚରିତ୍ରମାନଙ୍କ ଚେର । ସେମାନେ ମଣିଷ ହୋଇପାରନ୍ତି । ଗଛ ହୋଇପାରନ୍ତି ବି ହୋଇପାରନ୍ତି ପକ୍ଷୀ । ସେମାନେ ନିଆରା, ନିରୁତା । ମୋ ଭୋଗୁଥିବା ସମୟ ଖଣ୍ଡର ପୃଥିବୀରେ ସେମାନେ ଅବିକଳ ମୋ ପରି ସୁଖ, ଦୁଃଖ ଭୋଗୁଥାନ୍ତି, ତାଙ୍କର ‘ଗୋଚିନା’ ପରି ଗଳ୍ପରେ ସ୍ୱପ୍ନ ଓ ଜୀବନ ଖୋଜୁଥିବା ପର୍ଦେଶୀ ଚରିତ୍ରର ଅଧୀରତା ପ୍ରକୃତରେ ନିଆରା । ସମ୍ଭାବ୍ୟ ପ୍ରାପ୍ତିର ଦୀପ୍ତିରେ ତା’ର ଦି’ ଆଖି ଫସ୍‌ଫରସ୍ ଭଳି ଦାଉ ଦାଉ ଜଳିଉଠେ । ପାଗଳ ପରି ଓଦାବାଲିକୁ ଘାଣ୍ଟି ଘାଣ୍ଟି କ’ଣ ଗୋଟେ ମୁକ୍ତା ପରି ମୂଲ୍ୟବାନ ଜିନିଷକୁ ଖୋଜୁଥାଏ ସେ । ମନୋଜ ପୂଜାରୀଙ୍କ ‘ସାମୁଦ୍ରିକ’ ଗଛଟି ନୂଆ ଶୈଳୀର ଲେଖା ଭିତରେ ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ । ନିଜର ଯେଉଁ ପ୍ରିୟ ଝରକା ଦେଇ ଗଳ୍ପ ନାୟକଟି ସମୁଦ୍ରର ସୌନ୍ଦର୍ଯ୍ୟରେ ନିଜକୁ ହଜେଇ ଦେଉଥିଲା ତାହା ମିଶିଯାଇଛି କାନ୍ଥ ସହିତ । ସେ ଯେ କି ଷଡ଼ଯନ୍ତ୍ରର ଶିକାର ହୋଇଛି – ବୁଝିବାରେ ତା’ର ବାକି ନଥିଲା । ସଂସାରର ସମସ୍ତ ବିଷାଦ ଓହ୍ଲେଇ ଆସୁଥିବ ଲୋକଟିର ମୁହଁକୁ । ଗଳ୍ପଟିରେ ଯେମିତି ପ୍ରତିଟି ମଣିଷର ଜୀବନଯନ୍ତ୍ରଣାକୁ ପ୍ରତୀକୀତ ଅଭିବ୍ୟକ୍ତି ଦିଆଯାଇଛି ସାର୍ଥକ ରୂପରେ ।

 

ପୃଥିବୀ ବଦଳୁଛି ତୀବ୍ର ଗତିରେ । ମଣିଷର ଜୀବନ ମଧ୍ୟ ହେଉଛି ପରିବର୍ତ୍ତିତ । ଏ ପରିବର୍ତ୍ତନର କଥାକୁ ଯଦି ଗଳ୍ପରେ ନ ଲେଖାଯିବ । ଆଉ କେଉଁଠି ବା ପ୍ରକାଶ କରାଯିବ ? କିନ୍ତୁ ଗାଳ୍ପିକ ଯେକୌଣସି ବିଷୟ ନେଇ ଯେକୌଣସି ଚରିତ୍ରକୁ ଅବଲମ୍ବନ କରି ଯେକୌଣସି ଶୈଳୀରେ ଗଳ୍ପ ଲେଖୁ ନା କାହିକି ତା’ର ଗଳ୍ପରେ ମଣିଷକୁ ବୁଝିବା ଲାଗି ସୂକ୍ଷ୍ମ ମାର୍ଗମାନ ଫିଟିଯାଉଥିବ ନିଶ୍ଚିତ ଭାବରେ । ମହାପାତ୍ର ନୀଳମଣି ସାହୁ ଗଳ୍ପ ଆଲୋଚନା ପ୍ରସଙ୍ଗରେ ଥରେ ଲେଖିଥଲେ: “ବର୍ତ୍ତମାନ କଥା ସାହିତ୍ୟର ଆଭିମୁଖ୍ୟ ହେଲା – ମଣିଷକୁ ଦେଖାଇବା ନୁହେଁ – ବୁଝାଇବା ।” ମଣିଷକୁ ସମ୍ବେଦନଶୀଳ ହୃଦୟ ଦେଇ ଲେଖକ ସ୍ଵୟଂ ଯେତିକି ଅନ୍ତରଙ୍ଗ ଭାବରେ ବୁଝିପାରିଥିବ ସେତିକି ସାର୍ଥକ ଭାବରେ ସେ ପାଠକକୁ ତାହା ବୁଝାଇ ଦେଇପାରିବ । ଆଧୁନିକ ସମାଲୋଚକମାନେ ତେଣୁ ଲେଖକର ବ୍ୟକ୍ତିଗତ ଜୀବନକୁ ଗୌଣ ମନେ ନକରିବା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ କଥା । ଲେଖିକର ଅନ୍ତର ଯେତିକି ସ୍ଵଚ୍ଛ ହେବ, ସାହସ ଯେତେ ଟାଣ ହେବ, ନିଷ୍ଠା ହେବ ଯେତିକି ନିଦା, ଜୀବନାନୁଭୂତି ହୋଇପାରିବ ଯେତିକି ଗଭୀର ଗଳ୍ପ ହୋଇପାରିବ ସେତିକି ପ୍ରାଣବାନ । ସେତିକି ଭାବ ଗମ୍ଭୀର ।

 

ବର୍ତ୍ତମାନର ଗାଳ୍ପିକ ଚାହେଁ ଭାଷା, ଶବ୍ଦ, ଚରିତ୍ର ସବୁକିଛି ତା’ର ରକ୍ତରୁ ଝରୁ । ତାର ନିଶ୍ୱାସ ପ୍ରଶ୍ଵାସରୁ ତାହା ପାଉ ପ୍ରାଣଶକ୍ତି । ତା’ର ହୃତ୍‍କମ୍ପନରୁ ତାହା ପାଉ ସମ୍ବେଦନାର ସମ୍ପଦ । ସମକାଳୀନ ଓଡ଼ିଆ ଗଳ୍ପ ଜଗତ ଜୀବନର ବିସ୍ତୃତି ଓ ବୈଚିତ୍ର୍ୟକୁ ଅଙ୍କନ କରିବାରେ ଯେ ଧାନମଗ୍ନ ହୋଇଛି, ଏହା ଅନସ୍ୱୀକାର୍ଯ୍ୟ ।

 

 

ଅଧ୍ୟାପକ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ବରପାଲି ମହାବିଦ୍ୟାଳୟ, ବରପାଲି

ବରଗଡ଼

 

***

 

Unknown

ସମକାଳୀନ ଓଡ଼ିଆ ସାହିତ୍ୟଧାରାରେ ଅନୁବାଦ

ବିବେକାନନ୍ଦ ପାଣିଗ୍ରାହୀ

 

ସମକାଳୀନ ଓଡ଼ିଆ ସାହିତ୍ୟର ପୁଷ୍କଳ ଦିଗନ୍ତକୁ ଅବଲୋକନ କଲେ ଗଳ୍ପ, ନାଟକ, ଉପନ୍ୟାସ, ପ୍ରବନ୍ଧ ଓ କବିତା ପରି ଅନୁବାଦ ସାହିତ୍ୟ ମଧ୍ୟ ସ୍ୱତନ୍ତ୍ର, ମର୍ଯ୍ୟାଦା ଓ ମହତ୍ତ୍ୱ ମଣ୍ଡିତ ବିଭବ ରୂପେ ପ୍ରତୀୟମାନ ହୋଇଥାଏ । ସୃଜନଶୀଳତାର ଏକ ଭିନ୍ନ ପରିଭାଷା ରୂପେ ଏହା ନିଜସ୍ୱ ବୈଶିଷ୍ଟ୍ୟ ପ୍ରତିପାଦନ କରିବାରେ ସମର୍ଥ ହୋଇପାରିଥିବା ଅତ୍ୟନ୍ତ ଗୌରବର ବିଷୟ । ସମକାଳୀନ ଓଡ଼ିଆ ସାହିତ୍ୟର ସମୃଦ୍ଧି ଓ ବିକାଶ ପଥକୁ ଆଜି ସମ୍ପ୍ରସାରିତ କରିବାରେ ଓଡ଼ିଆ ଅନୁବାଦ ସାହିତ୍ୟ ବିଶେଷ ଭୂମିକା ଗ୍ରହଣ କରିଅଛି ।

 

ଅନୁବାଦ ସାହିତ୍ୟର ଉନ୍ମେଷ ମଧ୍ୟରେ ଓଡ଼ିଆ ସାହିତ୍ୟର ଜନ୍ମ କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଆ ଭାଷାର ଆଦିକବି ସାରଳା ଦାସ ବ୍ୟାସଦେବଙ୍କ ସଂସ୍କୃତ ମହାଭାରତ ଓ ବାଲ୍ମିକୀଙ୍କ ରାମାୟଣର ଅନୁସରଣରେ ଏ ଜାତିକୁ ଉପହାର ଦେଇଯାଇଥିଲେ ପୌରାଣିକ ସାହିତ୍ୟର ବିପୁଳ ଭଣ୍ଡାର । ପରେ ପରେ ପଞ୍ଚସଖା ଯୁଗର ପ୍ରମୁଖ କବି ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ରୀତିଯୁଗର ବରେଣ୍ୟ କବି ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ପ୍ରମୁଖ ବ୍ୟାସ, ବାଲ୍ମିକୀ, କାଳୀଦାସଙ୍କ ପରି ପ୍ରଖ୍ୟାତ ସଂସ୍କୃତ କବିଙ୍କ ରଚନାବଳୀର ଆହରଣ ଓ ଅନୁସରଣ ମାଧ୍ୟମରେ ଓଡ଼ିଆ କାବ୍ୟ ଭଣ୍ଡାରକୁ ପରିପୁଷ୍ଟ କରିବାରେ ସମର୍ଥ ହୋଇଥିଲେ । ଅବଶ୍ୟ ଗ୍ରୀକ୍ ସଂସ୍କୃତିକୁ ବାଦ୍ ଦେଲେ ସମଗ୍ର ବିଶ୍ଵର ବହୁଦେଶର ସାହିତ୍ୟ ଅନୁସୃଜନ ମଧ୍ୟରେ ହିଁ ଗତିଶୀଳ । ଅଥଚ ଅନୁବାଦ ସାହିତ୍ୟକୁ ଏକ ସ୍ଵତନ୍ତ୍ର ସାହିତ୍ୟର ବର୍ଗୀକରଣ କରି ସାହିତ୍ୟ ଜଗତର ସମ୍ରାନ୍ତ ନାଗରିକତ୍ୱ ପ୍ରଦାନ କରିବାରେ ଆଧୁନିକ କାଳର ବହୁ ପଣ୍ଡିତ କବି, ଲେଖକ କୁଣ୍ଠାପ୍ରକାଶ କରୁଥିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ । ବରଂ ଅନୁବାଦ ସାହିତ୍ୟରେ ଅନୁବାଦକର ନିଜତ୍ୱ ମୌଳିକତା ଅଭାବରୁ ତାହା ନିକୃଷ୍ଟ ସାରସ୍ଵତ କର୍ମ ରୂପେ ବିବେଚନା କରି ସେଥିରେ ସୃଜନଶୀଳ ଲେଖକର ବାହାଦୁରୀ ନଥାଏ ବୋଲି ମତ ପ୍ରକାଶ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

 

ଉନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଆମ ସାହିତ୍ୟରେ ଅନୁବାଦ ସାହିତ୍ୟର ବଳିଷ୍ଠ ଭିଭି ସ୍ଥାପିତ ହୋଇଥିଲା ।

 

ପାଶ୍ଚାତ୍ୟ ଶିକ୍ଷାର ପ୍ରସାର, ମୁଦ୍ରାଯନ୍ତ୍ର ପ୍ରତିଷ୍ଠା, ବିଦେଶ ଯାତ୍ରା, ପାଠ୍ୟ ପୁସ୍ତକ ପ୍ରଣୟନ, ବିଦେଶରେ ଅଧ୍ୟୟନ, ପତ୍ରପତ୍ରିକାର ପ୍ରସାର, ଇଂରେଜ ଓ ପ୍ରତିବେଶୀ ରାଜ୍ୟର ଭାଷା ସାହିତ୍ୟ ଅଧ୍ୟୟନ ଜନିତ ଆଗ୍ରହ ଆମ ରାଜ୍ୟରେ ଅନୁବାଦ କରିବା ପାଇଁ ସୃଜନଶୀଳ ଲେଖକମାନଙ୍କୁ ପ୍ରଚୋଦିତ କରିଥିଲା । ଆଧୁନିକ ଓଡ଼ିଆ ସାହିତ୍ୟର ଅଗ୍ରଦୂତ କବିବର ରାଧାନାଥ, ଫକୀରମୋହନ ଓ ମଧୁସୂଦନ ଏହି ନୂତନ ଅନୁଦିତ ପରମ୍ପରାର ଥିଲେ ଆଦ୍ୟ ଦିଶାରୀ । ରାଧାନାଥଙ୍କ ଅଧିକାଂଶ କାବ୍ୟ ପାଶ୍ଚାତ୍ୟ କଥା ବସ୍ତୁର ଅନୁକରଣରେ ରଚିତ ହୋଇଥିଲା ବେଳେ ମଧୁସୂଦନ ‘ପ୍ରେମର ଅଭୁତ ପରିଣାମ’, ‘ନିର୍ବାସିତର ବିଳାପ’, ‘ଉତ୍ତର ରାମ ଚରିତ’ ଏବଂ ଫକୀର ମୋହନଙ୍କ ‘ରାମାୟଣ, ମହାଭାରତ’, ହରିବଂଶ ପ୍ରଭୃତି ଅନୁବାଦ ଜଗତରେ ଚମକ ଆଣିଦେଲା । ଆମ ସାହିତ୍ୟ ଯେତେବେଳେ ଜଡ଼ୀଭୂତ ହୋଇ ରହିଥିଲା ସେତେବେଳେ ସଂସ୍କୃତି ଓ ଇଂରାଜୀ ସାହିତ୍ୟରୁ ନୂତନ ଭାବଧାରା ଆସି ଆମ ସାହିତ୍ୟକୁ ସମୃଦ୍ଧ କରିବାକୁ ଲାଗିଲା । ଏହି ତିନି ସାହିତ୍ୟ ଶିଳ୍ପୀଙ୍କ ବ୍ୟତୀତ ଗୋବିନ୍ଦ ରଥ, ବିଚ୍ଛନ୍ଦ ପଟ୍ଟନାୟକ, ଗୋଦାବରୀଶ ମିଶ୍ର ପ୍ରମୁଖ ପାଠ୍ୟପୁସ୍ତକ ପ୍ରଣୟନ ଅବକାଶରେ ପଡ଼ୋଶୀ ବଙ୍ଗଳା ଓ ହିନ୍ଦୀ ସାହିତ୍ୟରେ ପ୍ରକାଶିତ ବହୁ ପ୍ରବନ୍ଧ, ଜୀବନୀ ଆଦି ପୁସ୍ତକର ଓଡ଼ିଆ ରୂପାନ୍ତର ପ୍ରସ୍ତୁତ କରିଥିଲେ ।

 

ବିଂଶ ଶତକର ପ୍ରଥମ ଓ ଦ୍ୱିତୀୟ ଦଶକରେ ଓଡ଼ିଆ ଅନୁବାଦ ସାହିତ୍ୟର ଦ୍ରୁତ ବିକାଶ ସମ୍ଭବ ହୋଇଥିଲା । ସତ୍ୟବାଦୀ ଯୁଗର ପ୍ରମୁଖ ଶିଳ୍ପୀ କବି ନୀଳକଣ୍ଠ, ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ର ପ୍ରଭୃତି ବିଦେଶୀ କଥାବସ୍ତୁର ଅବଲମ୍ବନରେ କାବ୍ୟ ଓ ଉପନ୍ୟାସ ରଚନା କରିଥିଲେ । ନୀଳକଣ୍ଡଙ୍କ ଦାସ ନାଏକ ଓ ପ୍ରଣୟିନୀ କାବ୍ୟଦ୍ୱୟ ଯଥାକ୍ରମେ ଟେନିସଙ୍କ Enoch Anden ଓ The Princess ର ସାର୍ଥକ ରୂପାନ୍ତର । ସେହିପରି ଗୋଦାବରୀଶ ମିଶ୍ରଙ୍କ ୧୮୧୩ ଓ ଅଭାଗିନୀ ଉପନ୍ୟାସ ଇଂରେଜୀ ଉପନ୍ୟାସର ଅବଲମ୍ବନରେ ରଚିତ । ଗୋଦାବରୀଶ ମହାପାତ୍ରଙ୍କ ରକ୍ତପାତ ଉପନ୍ୟାସ ମେରି କରେଲିଙ୍କ ‘ଭେଣ୍ଡେଟା’ ଉପନ୍ୟାସ ଅବଲମ୍ବନରେ ରଚିତ-। ଏ ଯୁଗର ଅନ୍ୟତମ ବିସ୍ମୃତ ଅନୁବାଦକ ଅଜୟଚନ୍ଦ୍ର ଦାସ ସ୍କଟଙ୍କ Lays of the Last ministrel କୁ ‘ଶେଷ ବନ୍ଦୀ ଭାରତୀ’ ଏବଂ ପାରସ୍ୟକବି ଓମାର ଖାୟାମଙ୍କ ଋଜାୟତ୍‍କୁ ‘ପାରସ୍ୟବୀଣା’ ନାମରେ ଅନୁବାଦ କରିଥିଲେ ।

 

ସ୍ଵାଧୀନତା ପରବର୍ତ୍ତୀକାଳରେ ଅନୁବାଦ ସାହିତ୍ୟ ପ୍ରତି ବହୁଲେଖକ ମନ ବଳାଇଛନ୍ତି । ଭାରତୀୟ ସାହିତ୍ୟ ତଥା ବିଶ୍ୱ ସାହିତ୍ୟର ଶ୍ରେଷ୍ଠ ରଚନାବଳୀକୁ ଓଡ଼ିଆରେ ଭାଷାନ୍ତରିତ କରିବା ପାଇଁ ସଚେତନ ଉଦ୍ୟମ ଆରମ୍ଭ ହୋଇଛି । ଏ ଦିଗରେ ଯଶସ୍ୱୀ ଅନୁବାଦ ସ୍ୱର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ଦାସଙ୍କ ଉଦ୍ୟମର ପଟାନ୍ତର ନାହିଁ । ସେ ଲାଭ କ୍ଷତିର ହିସାବନିକାଶ ନକରି କାଳିଦାସ ଗ୍ରନ୍ଥାବଳୀ ଠାରୁ ଆରମ୍ଭ କରି ବିଶ୍ୱବିଖ୍ୟାତ ଲେଖକ ଲେଖିକାମାନଙ୍କ ରଚନାବଳୀର ଓଡ଼ିଆ ଅନୁବାଦ ଦିଗରେ ନିଜେ ମନୋନିବେଶ କରିବା ସଙ୍ଗେ ସଙ୍ଗେ ତାଙ୍କ ପିତାଙ୍କ ପ୍ରକାଶନ ସଂସ୍ଥା ମନମୋହନ ପୁସ୍ତକାଳୟ ଏ ଦିଗରେ ବିଶେଷ ଭୂମିକା ଗ୍ରହଣ କରିଥିଲା । ଉତ୍ତର ପଚାଶରେ ସମତାଳରେ ବିଶ୍ୱ ସାହିତ୍ୟର ଅନୁବାଦ ସହିତ ପ୍ରାଚୀନ ଭାରତୀୟ ତଥା ପ୍ରାନ୍ତୀୟ ସାହିତ୍ୟର ଅନୁବାଦ ପାଇଁ ପଥ ପରିଷ୍କାର ହୋଇଯାଇଥିଲା ଏବଂ ସେହି ଧାରା ଅଧିକରୁ ଅଧିକ ପ୍ରଶସ୍ତତର ହୋଇ ଏକବିଂଶ ଶତାବ୍ଦୀର ପ୍ରଭାତରେ ଆଜି ଓଡ଼ିଆ ଅନୁବାଦ ସାହିତ୍ୟକୁ ଏକ ମର୍ଯ୍ୟାଦାବନ୍ତ ସ୍ଥିତିକୁ ଉନ୍ନୀତ କରିପାରିଛି ।

 

ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋଦାବରୀଶ ମହାପାତ୍ର ଟଲଷ୍ଟୟଙ୍କ ଗଳ୍ପର ଛାୟାରେ ମାଟିର ମାୟା, ମଣିଷ ବଞ୍ଚେ କିପରି, ଜୀବନଯାତ୍ରୀ, ସଚ୍ଚିରାଉତରାୟ ବିଦେଶୀ ଗଳ୍ପର ଛାୟାରେ ‘ଛାଇ’ ଗଳ୍ପ ସଂକଳନ ପ୍ରକାଶ କରିଥିଲେ । ପ୍ରଫୁଲ୍ଲ ଚନ୍ଦ୍ର ଦାସ ପର୍ଲ ଏସ. କାକ୍‍ଙ୍କ ଗୁଡ଼ିଆର୍ଥ, ସେଲ୍‍ମାଲଗରଲାଫ୍‍ଙ୍କ ‘ମୃତ୍ୟୁଡାକ’, ଲାଲା ନଗେନ୍ଦ୍ର କୁମାର ରାୟ ଜନଷ୍ଟାଇନ୍ ବେକଙ୍କ ‘ମୁକ୍ତା’ କବି ମନମୋହନ ମିଶ୍ର ଥମାସ୍‌ମ୍ୟାନ୍‌ଙ୍କ ‘ପାଲଟା ମଣିଷ’, ଚିନ୍ତାମଣି ମିଶ୍ର ଜିନଷ୍ଟାଇନ୍ ବେକ୍‍ଙ୍କ ‘ଆମ ଦୁର୍ଗତିର ଦୁର୍ଦ୍ଦିନ’ ଆଜି ନୋବେଲ ପୁରସ୍କାର ପ୍ରାପ୍ତ ପୁସ୍ତକର ଓଡ଼ିଆ ଅନୁବାଦ କରିଥିଲେ । ପରବର୍ତ୍ତୀ ସମୟରେ ଋଷ ଲେଖକ ତୁର୍ଗେନେଭ୍‍ଙ୍କ ପୁସ୍ତକ ‘ପୂର୍ବକ୍ଷଣ’ ମିଖାଇଲ୍ ଏଲନଙ୍କ ପୁସ୍ତକ ମନୁଷ୍ୟଦୈତ୍ୟ, ଆମେରିକାର ରାଷ୍ଟ୍ରପତି ଜନ୍ ଏଫ୍.କେନେଡ଼ିଙ୍କ ‘ଭୟନାହିଁ’ ପୁସ୍ତକ ଯଥାକ୍ରମେ ରବି ସିଂ, ମନମୋହନ ମିଶ୍ର ଓ ସଚ୍ଚିରାଉତରାୟଙ୍କ ଦ୍ଵାରା ଅନୁଦିତ ହୋଇ ପ୍ରଶଂସିତ ହୋଇଥିଲା । ସୌଭାଗ୍ୟ ମିଶ୍ର ଓ ସୌରୀନ୍ଦ୍ର ବାରିକ ଫ୍ରାଞ୍ଜକାଫଙ୍କ ଦୁଇଟି ଗ୍ରନ୍ଥ ‘ଦୁର୍ଗ’ ଓ ‘ବିଚାର’ ଅନୁବାଦ କରିଛନ୍ତି ।

 

ବିଗତ ଦୁଇତିନି ଦଶକ ମଧ୍ୟରେ ପ୍ରଚୁର ବିଶ୍ୱ ସାହିତ୍ୟର ଓଡ଼ିଆ ଅନୁବାଦ କରାଯାଇଛି । ଟୋନି ମରିସନ୍, ଆଲବର୍ଟ ମୋରାଭିଆ, ଏମିଲିଜୋଲଙ୍କ ନିର୍ବାଚିତ ଗଳ୍ପ ଉମାଶଙ୍କର ପଣ୍ଡା ଓଡ଼ିଆ ଭାଷାନ୍ତର କରିଥିଲାବେଳେ ରବି ସିଂ, ଚିତ୍ତରଞ୍ଜନ ଦାସ, ଦିପ୍ତିରଞ୍ଜନ ପଟ୍ଟନାୟକ, ଶକୁନ୍ତଳା ବଳିଆରସିଂହ, ପବିତ୍ର ମୋହନ ନାୟକ, ବୈଷ୍ଣବ ଚରଣ ପରିଡ଼ା, ଦାଶରଥି ନନ୍ଦ ପ୍ରମୁଖ ଅନୁବାଦକ ଗଣ ନୋବେଲ ବିଜେତା ବୋରିସ ପାସ୍ତରନାକ୍, ଆନାତୋଲ୍ ଫାସ୍, ଆନ୍ଦ୍ରଜିଦ୍, ଖଲିଲ୍ ଜିବ୍ରାନ୍‍, ଜର୍ଜ ଅରୱେଲ୍, ହେରମାନ୍ ହେସ୍, ଆର୍ନେଷ୍ଟ ହେଫିୱେ, ସେଲ୍‍ମା ଲଗରଲଫ୍ ପ୍ରଭୃତିଙ୍କ ଶ୍ରେଷ୍ଠକୃତିର ଓଡ଼ିଆ ଭାଷାନ୍ତର କରି ଆମ ଉପନ୍ୟାସ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ଉପରୋକ୍ତ ଅନୁବାଦ ଗ୍ରନ୍ଥ ସମେତ ବିଶ୍ୱ ସାହିତ୍ୟରେ ପ୍ରସିଦ୍ଧ ଲେଖକ ଗର୍କୀ, ହୋମର୍, ଆଣ୍ଡରସନ୍, ଆର, ଏଲ୍. ଷ୍ଟିଭେନ୍‍ସନ୍, ଏଚ୍. ଜି. ୱେଲସ୍, ଜର୍ଜ ଇଲିୟଟ୍ ଅଲିଭର ଗୋଲଡ୍‍ସ୍ମିଥ୍‍, ଜନ୍‌ ଅଷ୍ଟିନ୍, ଚାର୍ଲସ୍ ଡିକେନ୍‍ସ, ଆନ୍ଥୋନୀ ହୋପ୍, ୱାଲଟର ସ୍କଟ୍, ପ୍ରଭୃତିଙ୍କ ଗଳ୍ପ ଓ ଉପନ୍ୟାସର ଶତାଧିକ ସଂକ୍ଷିପ୍ତ ଅନୁବାଦ ପ୍ରକାଶିତ । ଅନ୍ୟମାନଙ୍କ ମଧ୍ୟରେ ଓ. ହେନେରୀ, ଏଡ୍‍ଗାର ଆଲାନ୍ ପୋ, ସମରସେଟ୍ ମମ୍, ହାରୋଲ୍‍ଡ ପିଶ୍ଚର, ସାମୁଏଲ ବ୍ୟାକେଟ୍, ଥୋମାସ୍ ହାର୍ଡି, ଆଲବର୍ଟ କାମ୍ୟୁ, ଜନ୍ ଓସ୍‍ବର୍ଣ୍ଣ, ଭଲଟେୟାର ପ୍ରଭୃତିଙ୍କ ରଚିତ ଉପନ୍ୟାସ ଗଳ୍ପ ଓ ନାଟକର ଅନୁବାଦ କରି ସୁଲେଖିକା ଡକ୍ଟର ଶକୁନ୍ତଳା ବଳିୟାରସିଂହ ଖ୍ୟାତି ଅର୍ଜନ କରିଛନ୍ତି । ପ୍ରବନ୍ଧ ଅନୁବାଦ କ୍ଷେତ୍ରରେ ସୂର୍ଯ୍ୟକାନ୍ତ ଦାସ, ଲୋକନାଥ ମିଶ୍ର, ଲାବଣ୍ୟ ଚନ୍ଦ୍ର ସାହୁ, କୃଷ୍ଣଚନ୍ଦ୍ର ଜେନା, ରମେଶ ପତ୍ରୀ ପ୍ରମୁଖ ଲେଖକ ଗଣ ସୁଖ୍ୟାତି ଅର୍ଜନ କରିଛନ୍ତି ।

 

ବିଶ୍ୱ ସାହିତ୍ୟ ପରି ଭାରତୀୟ ଭାଷାରୁ ଅନୁବାଦ କ୍ଷେତ୍ରରେ ମଧ୍ୟ ଓଡ଼ିଆ ଅନୁବାଦିକାମାନଙ୍କ ନିଷ୍ଠା ଓ ପ୍ରୟାସର ପଟ୍ଟାନ୍ତର ନାହିଁ । ବିଗତ ପଚାଶ ବର୍ଷ ମଧ୍ୟରେ ଭାରତୀୟ ଭାଷାରେ ଶତାଧିକ ଅନୁବାଦ ଗ୍ରନ୍ଥ ଓଡ଼ିଆ ଅନୁବାଦ ଭଣ୍ଡାରକୁ ସମୃଦ୍ଧ କରିଛି । ବିଭିନ୍ନ ପ୍ରାନ୍ତୀୟ ଭାଷା ମଧ୍ୟରେ ବଙ୍ଗଳା ଓ ହିନ୍ଦୀ ଭାଷାରୁ ବହୁ ପୁସ୍ତକର ଅନୁବାଦ କରାଯାଇଛି । ରବୀନ୍ଦ୍ରନାଥ, ଶରତଚନ୍ଦ୍ର, ବଙ୍କିମଚନ୍ଦ୍ର, ବିମଲ ମିତ୍ର, କାଜି ନଜରୁଲ୍ ଇସ୍‌ଲାମ, ସୁନୀଲ ଗଙ୍ଗୋପାଧ୍ୟାୟ, ବିଭୂତିଭୂଷଣ ବନ୍ଦୋପାଧ୍ୟାୟ, ତାରାଶଙ୍କର ବନ୍ଦୋପାଧାୟ ଜୀବନାନନ୍ଦ ଦାସ, ବୁଦ୍ଧଦେବ ବସୁ, ଅନ୍ନଦା ଶଙ୍କର ରାୟ, ଆଶାପୂର୍ଣ୍ଣା ଦେବୀ, ମହାଶ୍ୱେତା ଦେବୀ, ବସୁଧା ଚକ୍ରବର୍ତ୍ତୀ, ସମରେଶ ମଜୁମ୍‍ଦାର, ମାଣିକ୍ ବନ୍ଦୋପାଧ୍ୟାୟ, ଶିଶିର କୁମାର ବସୁ, ସୁକୁମାର ସେନ୍, ତସଲିମା ନସରିନ୍ ପ୍ରଭୃତିଙ୍କ ଶ୍ରେଷ୍ଠ ରଚନାବଳୀର ଓଡ଼ିଆ ଭାଷାନ୍ତର କରିଛନ୍ତି ଚିତ୍ତରଞ୍ଜନ ଦାସ, ଯୁଗଳ କିଶୋର ଦତ୍ତ, ନଳିନୀ ଶତପଥୀ, ଗୋରାଚାନ୍ଦ ମିଶ୍ର, ଯମେଶ୍ଵର ତ୍ରିପାଠୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ବଂଶୀଧର ଭୂୟାଁ, ଗୋବିନ୍ଦ ଚନ୍ଦ୍ର ସାହୁ, ମହାପାତ୍ର ଭାସ୍କର ଗନ୍ତାଏତ, ଅମୀୟବାଳା ପଟ୍ଟନାୟକ, ବ୍ରଜରାଣୀ ବୋଷ, ବରେନ୍ଦ୍ର କୃଷ୍ଣ ଧଳ, ଗିରିବାଳା ମହାନ୍ତି, ନିଳାଦ୍ରି ଭୂଷଣ ହରିଚନ୍ଦନ, ପଙ୍କଜାକ୍ଷ ପଣ୍ଡା, ବୀଣାପାଣି ପଣ୍ଡା ପ୍ରମୁଖ ସୁପରିଚିତ ସ୍ରଷ୍ଟା ଓ ଅନୁବାଦକ । ଆମ ଅନୁବାଦ ସାହିତ୍ୟର ପରିପୁଷ୍ଟିରେ ସେମାନଙ୍କ ଭୂମିକା ମହତ୍ଵପୂର୍ଣ୍ଣ । ଶରତଚନ୍ଦ୍ର, ବଙ୍କିମଚନ୍ଦ୍ର, ରବୀନ୍ଦ୍ରନାଥ, ବିମଳମିଶ୍ର, କମଳେଶ୍ଵର, ଆଶାପୂର୍ଣ୍ଣାଦେବୀ, ମହାଶ୍ୱେତା ଦେବୀଙ୍କ ବହୁ ରଚନାବଳୀ ଓଡ଼ିଆରେ ରୂପାନ୍ତରିତ ଓ ପାଠକ ପାଠିକାମାନଙ୍କ ଦ୍ଵାରା ପ୍ରଶଂସିତ ।

 

ସେହିପରି ହିନ୍ଦୀ ସାହିତ୍ୟର ବହୁ ଉପାଦେୟ ରଚନାବଳୀ ମଧ୍ୟରେ ପ୍ରେମଚାନ୍ଦ, ଭଗବତୀ ଚରଣ ବର୍ମା, କିଷନ୍ ଚନ୍ଦର ଯଶପାଲ, ଜୈନେନ୍ଦ୍ର କୁମାର, ଶିବାନୀ, ଗୁଲ୍‍ଜାର, ଆଚାର୍ଯ୍ୟ ଚତୁର ସେନ୍, ରାଜେନ୍ଦ୍ର ଯାଦବ, ଶ୍ରୀକାନ୍ତ ବର୍ମା, ମନୁ ଭଣ୍ଡାରୀ, ଫଣୀଶ୍ୱର ନାଥ ରେଣୁ, ଅମୃତ ଲାଲ ନାଗର, ବୃନ୍ଦାବନ ଲାଲ ବର୍ମାଙ୍କ ଶ୍ରେଷ୍ଠ ରଚନାବଳୀ ଆମ ଅନୁବାଦ ଭଣ୍ଡାରକୁ ସମୃଦ୍ଧ କରିଛି । ହିନ୍ଦୀ ଭାଷାରୁ ସାର୍ଥକ ଅନୁବାଦ ପ୍ରସ୍ତୁତ କରିବାରେ ସଫଳତା ଅର୍ଜନ କରିଥିବା ଅନୁବାଦକମାନଙ୍କ ମଧ୍ୟରେ ଗୋଲକ ବିହାରୀ ଧଳ, ଶ୍ରୀନିବାସ ଉଦ୍‌ଗାତା, ନୀଳମଣି ମିଶ୍ର, ରମେଶ ଧଳ, ଚନ୍ଦ୍ରଶେଖର ଦାସବର୍ମା, ଅଜୟ ପଟ୍ଟନାୟକ, ନରସିଂହ ମିଶ୍ର, ଶେଖ କରିମ୍ ପ୍ରଭୃତି ଖ୍ୟାତି ଅର୍ଜନ କରିଛନ୍ତି । ପ୍ରଫେସର ଧଳଙ୍କ ‘ଗୋଦାନ’, ‘ଗବନ’, ‘ପ୍ରେମାଶ୍ରମ ଚନ୍ଦ୍ରଶେଖର ଦାସବର୍ମାଙ୍କ ‘ଗୋଟିଏ ଗଧର ଆତ୍ମକଥା’, ‘ଜାମୁକୋଳି ଗଛ’ ପୁସ୍ତକ ବିପୁଳ ଜନପ୍ରିୟତା ଅର୍ଜନ କରିଛି ।

 

ଅସମୀୟ ଭାଷାର କିଛି ଗଳ୍ପ, ବୀଣା ବରୁଆଙ୍କ ଉପନ୍ୟାସ ‘ଟଗର’ ଯଥାକ୍ରମେ ଲକ୍ଷ୍ମୀଧର ଦାସ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଦ୍ଵାରା ଅନୁଦିତ ସେହିପରି ତେଲୁଗୁ ଗଳ୍ପ ୟୁ, ଅନୁରାଧା, ଟି. ରାଜେଶ୍ଵରୀ ଓ ସ୍ନେହଲତା ରାୟଙ୍କ ଦ୍ଵାରା, ଡୋଗ୍ରୀ ଉପନ୍ୟାସ ‘ସାରଥୀ’ ପ୍ରତିଭା ଶତପଥୀଙ୍କ ଦ୍ୱାରା, ସିନ୍ଧି ଗଳ୍ପମାଳା ରାଧାକାନ୍ତ ମିଶ୍ରଙ୍କ ଦ୍ଵାରା, ଗୁଜୁରାଟୀ ଗଳ୍ପ ପ୍ରଶାନ୍ତ କୁମାର ମହାନ୍ତି, କନ୍ନଡଗଳ୍ପ କେଶବଚନ୍ଦ୍ର ମେହେରଙ୍କ ଦ୍ଵାରା, ମାଲାୟାଲମ ଗଳ୍ପମାଳା ଓ ଉପନ୍ୟାସ ବ୍ରଜକିଶୋର ଦାସ, ଯଶୋଧାରା ମିଶ୍ର ଓ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାରା, ତାମିଲ୍ ଗଳ୍ପ ଜିତେନ୍ଦ୍ର ନାରାୟଣ ପଟ୍ଟନାୟକ ଓ ମମତା ଦାସଙ୍କ ଦ୍ଵାରା, ପଞ୍ଜାବୀ ଉପନ୍ୟାସ ଚଉଧିରୀ ହେମକାନ୍ତ ମିଶ୍ର ଓ ଗୋରାଚାନ୍ଦ୍ର ମିଶ୍ରଙ୍କ ଦ୍ଵାରା ଅନୁଦିତ ।

 

ଗଳ୍ପ ଉପନ୍ୟାସ ତୁଳନାରେ ଓଡ଼ିଆ ଭାଷାରେ କାବ୍ୟ କବିତାର ଅନୁବାଦ ଅପେକ୍ଷାକୃତ କମ୍ । କେବଳ ସଂସ୍କୃତ କାବ୍ୟ ସମ୍ଭାରକୁ ବାଦ୍‍ଦେଲେ ପାଶ୍ଚାତ୍ୟ ତଥା ଭାରତୀୟ କାବ୍ୟକବିତାର ଅନୁବାଦ ସନ୍ତୋଷଜନକ ନୁହେଁ, ତାହାର ଏକମାତ୍ର କାରଣ ଗଳ୍ପ ଓ ଉପନ୍ୟାସପରି କବିତାରେ ମୂଳ ରଚନାର ଭାଷାନ୍ତର ସହଜସାଧ୍ୟ ନୁହେଁ । କାରଣ କବିତାର ସୃଷ୍ଟି ଧର୍ମ ଅନୁବାଦର ବିପରୀତ । କବିତାରେ ଭାଷା ଓ ଭାବର ମିଳନ ନିତ୍ୟ ଓ ନିର୍ମଳ । ସେଠି ଶବ୍ଦ ଓ ଅର୍ଥ, ଚିନ୍ତା ଓ ଲାବଣ୍ୟ ତଥା ସତ୍ୟ ସୌନ୍ଦର୍ଯ୍ୟ ଏକ ପବିତ୍ର ରହସ୍ୟକର ସମ୍ମିଳିତ । କବିତାରେ ଶବ୍ଦରୁ ଅର୍ଥକୁ ବିଚ୍ଛିନ୍ନ କରି ଦେଖିହୁଏ ନାହିଁ । କବିତା ଧ୍ୱନି, ଛନ୍ଦ ଓ ଆବେଗର ସମନ୍ୱିତ ରୂପ । ତାହାର ଅନ୍ତର୍ନିହିତ ଆତ୍ମିକ ସୌନ୍ଦର୍ଯ୍ୟକୁ ଅନ୍ୟଭାଷାରେ ଫୁଟାଇବା କଷ୍ଟକର ବ୍ୟାପାର । କବିତାରେ ଆଭିଧାନିକ ଅର୍ଥ ଅପେକ୍ଷା ଭାବାନୁଷଙ୍ଗର ବ୍ୟଞ୍ଜନା ହିଁ ବଡ଼ କଥା । କବିତାର ପ୍ରାଣ ହେଉଛି ଭାବବ୍ୟଞ୍ଜନା । ସୁତରାଂ କାବ୍ୟ କବିତାର ଅନୁବାଦ କ୍ଷେତ୍ରରେ ଅନୁବାଦକ ମୂଳ କବିଙ୍କ ବକ୍ତବ୍ୟକୁ ପ୍ରକାଶ କରିବାର ପ୍ରୟାସ କଲାବେଳେ ବହୁ ସମୟରେ ମୂଳ ରଚନା ପ୍ରତି ବିଶ୍ୱସ୍ତ ରହିପାରେ ନାହିଁ ଏବଂ ସ୍ୱକୀୟ ସଂଯୋଜନାର ସ୍ପର୍ଶ ମୂଳ ଭାବକୁ ଖଣ୍ଡିତ ଓ ବ୍ୟାହତ କରିପାରେ । କାବ୍ୟ କବିତାର ସାର୍ଥକ ଅନୁବାଦରେ Awithful ugliness ଏବଂ Awithless beauty ଅବଶ୍ୟ ରହିବ । ସୁତରାଂ ପ୍ରତିଭାବାନ୍ କବି ହିଁ କାବ୍ୟ କବିତାର ସଫଳ ଅନୁବାଦକ ହୋଇପାରନ୍ତି, ମୂଳ କବିତାର ପ୍ରାଣଧର୍ମ କେବଳ ସମର୍ଥ କବିଙ୍କ ଲେଖନୀରେ ହିଁ ଆଶା କରାଯାଇପାରେ ।

 

ସମ୍ଭବତଃ ଏହି ଦୃଷ୍ଟିରୁ କାବ୍ୟକବିତା ଅନୁବାଦ ପ୍ରତି ଅଧିକାଂଶ ଅନୁବାଦକ ମନ ବଳାଇନାହାନ୍ତି, ତଥାପି ଉତ୍ତର ପଚାଶରୁ ଏ ଯାବତ୍ ପାଖାପାଖି ପଚାଶରୁ ଉର୍ଦ୍ଧ୍ୱ ସାର୍ଥକ କାବ୍ୟଗ୍ରନ୍ଥ ଓ କବିତା ସଂକଳନ ଅନୁବାଦିତ । ସେମାନଙ୍କ ମଧ୍ୟରେ ଟି.ଏସ୍.ଇଲିୟଟ୍, ଏଜରା ପାଉଣ୍ଡ, ମାୟକୋଭସ୍କି, ଦସ୍ତୋଭସ୍କି, ପାବ୍ଲୋନେରୁଦାଙ୍କ କବିତା ଅନ୍ତର୍ଭୁକ୍ତ । ଜ୍ଞାନୀନ୍ଦ୍ର ବର୍ମା, ମନୋରମା ମହାପାତ୍ର, ଗୋପାଳଚନ୍ଦ୍ର ମିଶ୍ର, ଅନନ୍ତ ପଟ୍ଟନାୟକ, କୃଷ୍ଣଚରଣ ବେହେରା, ଅଶ୍ୱିନୀ କୁମାର ମିଶ୍ର, ଗଣେଶ୍ୱର ମିଶ୍ର, ରୋହିଣୀକାନ୍ତ ମୁଖାର୍ଜୀ, ସୀତାକାନ୍ତ ମହାପାତ୍ର, ବ୍ରଜନାଥ ରଥ, ହରପ୍ରସାଦ ପରିଛା ପଟ୍ଟନାୟକ ପ୍ରଭୃତି ଅନୁବାଦକ ଗଣ ପତ୍ରପତ୍ରିକାରେ ରାଶି ରାଶି କବିତାର ଅଦୁଦିତ ରୂପ ପ୍ରକାଶ କରିଛନ୍ତି ।

 

ଆମ ଅନୁବାଦ ସାହିତ୍ୟର ଅନ୍ୟ ଏକ ଦୁର୍ବଳ ଦିଗ ହେଲା ଯେଉଁ ହାରରେ ଅନ୍ୟଭାଷାରୁ ଓଡ଼ିଆକୁ ଅନୁବାଦ କରାଯାଉଛି, ସେହି ପରିମାଣରେ ଓଡ଼ିଆରୁ ଅନ୍ୟ ଭାଷାକୁ ଅନୁବାଦ କରାଯାଉନାହିଁ । ଫଳରେ ଆମ ଭାଷାର ଶ୍ରେଷ୍ଠତମ ସୃଷ୍ଟି ଅଣଓଡ଼ିଆ ପାଠକମାନଙ୍କ ପାଖରେ ପହଞ୍ଚି ପାରୁନାହିଁ । ଅବଶ୍ୟ ଗତ କିଛି ବର୍ଷ ମଧ୍ୟରେ ଆମ ଭାଷାର କିଛି ପୁସ୍ତକ ଇଂରାଜୀ, ବଙ୍ଗଳା ଓ ହିନ୍ଦୀ ଭାଷାରେ ଅନୁଦିତ ହୋଇଥିବା ଆମଦୃଷ୍ଟିକୁ ଆସିଛି । ପ୍ରବୀଣ କଥାଶିଳ୍ପୀ କିଶୋରୀ ଚରଣ ଦାସଙ୍କ ଶ୍ରେଷ୍ଠଗଳ୍ପ ମାର୍କିନ୍ ଲେଖିକା ମିସ୍ ଫିଲିସ୍ ଗ୍ରେନଫ୍‍ଙ୍କ ଦ୍ଵାରା ଅନୁଦିତ । ସେହିପରି ଗଙ୍ଗାଧର ମେହେରଙ୍କ ତପସ୍ୱିନୀର ଓଡ଼ିଆ ଭାଷାନ୍ତର ମଧୁସୂଦନ ପତି, ରାଧାନାଥଙ୍କ ଚିଲିକାର ଭାଷାନ୍ତର କୁଞ୍ଜବିହାରୀ ନାୟକ, ଗୋଦାବରୀଶ ମହାପାତ୍ରଙ୍କ କବିତାର ଭାଷାନ୍ତର ପ୍ରଫେସର ବୃନ୍ଦାବନ ଆଚାର୍ଯ୍ୟ, ସଚ୍ଚିରାଉତରାୟ, ବାଜିରାଉତର ଅନୁବାଦ ହରେନ୍ଦ୍ର ନାଥ ମୁଖୋପାଧ୍ୟାୟ, ବାଜିରାଉତର ସଂସ୍କୃତ ଅନୁବାଦ ଡକ୍ଟର ନାରାୟଣ ଦାସ, ପ୍ରତିଭା ରାୟଙ୍କୁ ଯାଜ୍ଞସେନୀର ଅନୁବାଦ ଶଙ୍କର ଲାଲ ପୁରୋହିତ, ରଞ୍ଜିତା ନାୟକଙ୍କ କବିତାର ଅନୁବାଦ ଜୟନ୍ତ ମହାପାତ୍ର, ଚନ୍ଦ୍ରଶେଖର ଦାସଙ୍କ ମେଘୁଆ ଆକାଶର ଇଂରାଜୀ ଅନୁବାଦ ବିବେକାନନ୍ଦ ପାଣିଗ୍ରାହୀ, ରମେଶ ଧଳଙ୍କ ଉପନ୍ୟାସର ଅନୁବାଦ ଶ୍ରୀମତୀ ଶାନ୍ତି ଧଳ, ଚନ୍ଦ୍ରଶେଖର ଦାସବର୍ମାଙ୍କ ଶ୍ରେଷ୍ଠ ଗର ହିନ୍ଦୀ ଅନୁବାଦ ଡକ୍ଟର ଭଗବାନ ତ୍ରିପାଠୀ, ବୀଣାପାଣି ମହାନ୍ତିଙ୍କ ଗଳ୍ପ ଗ୍ରନ୍ଥର ଇଂରାଜୀ ରୂପାନ୍ତର ଅଜିତ କୁମାର ମୁଖାର୍ଜୀଙ୍କ ଦ୍ୱାରା ପ୍ରସ୍ତୁତ ଓ ପ୍ରକାଶିତ । ଏହି ସଂଖ୍ୟା ଅଧିକରୁ ଅଧିକ ବୃଦ୍ଧି ପାଇଲେ ଆମ ସାହିତ୍ୟ ଦେଶ ଓ ଦେଶ ବାହାରେ ମର୍ଯ୍ୟାଦା ଲାଭ କରିବ ।

 

ଆମ ଅନୁବାଦ ସାହିତ୍ୟ ପ୍ରତି ଦୃଷ୍ଟିପାତ କଲେ ଆଉ ଏକ ଦିଗ ଆଖିରେ ପଡ଼େ । ତାହାହେଲା ଅନୁବାଦକର ଯୋଗ୍ୟତା । ଯେକୌଣସି ବ୍ୟକ୍ତି ଅନୁବାଦକ ହୋଇପାରନ୍ତି ନାହିଁ । ଆମ ଭାଷାରେ ଅନୁଦିତ ବହୁପୁସ୍ତକର ଅନୁବାଦକ ମୂଳ ଭାଷା ସହିତ ପ୍ରତ୍ୟକ୍ଷ ଭାବେ ପରିଚିତ ନୁହଁନ୍ତି । ସେମାନେ ମୁଖ୍ୟତଃ ହିନ୍ଦୀ ଓ ଇଂରାଜୀ ମାଧ୍ୟମର ସହାୟତା ନେଇଥାନ୍ତି । ଫଳରେ ମୂଳ ଭାଷାର ସ୍ଵାଦ ରୂପାନ୍ତରିତ ଅନୁବାଦରେ ବହୁ ସମୟରେ ଆସ୍ୱାଦନ କରିହୁଏ ନାହିଁ । ବଙ୍ଗଳା, ହିନ୍ଦୀ, ଇଂରାଜୀ ବ୍ୟତୀତ ବହୁ ଅନୁଦିତ ପୁସ୍ତକରେ ଅନୁବାଦକ ମୂଳ ରଚନାର ଅବିକଳ ଚିତ୍ରଟିଏ ପ୍ରଦାନ କରିବାରେ ଅସମର୍ଥ ହେବା ସ୍ୱାଭାବିକ । ଭାରତ ପରି ବହୁଭାଷୀ ରାଷ୍ଟ୍ରରେ ପ୍ରଚଳିତ ସମସ୍ତ ଭାଷା ଆୟତ୍ତକରିବା ମଧ୍ୟ ସହଜ ସାଧ୍ୟ ନୁହେଁ । ବିଶେଷ କରି ଓଡ଼ିଆ ଅନୁବାଦକମାନେ ତେଲୁଗୁ, ତାମିଲ, ମାଲୟଲମ, କନ୍ନଡ଼ ଓ ଉର୍ଦ୍ଦୁ ଭାଷାରୁ ଅନୁବାଦ କଲାବେଳେ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ସେହିପରି ମୂଳ ଭାଷା ସହ ପ୍ରତ୍ୟକ୍ଷ ପରିଚୟ ଅଭାବରୁ ଅନୁବାଦକ ସେହି ଭାଷାର ଶ୍ରେଷ୍ଠ ଗ୍ରନ୍ଥ ଚୟନରେ ବି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଫଳରେ ଆଗ୍ରହୀ ଅନୁବାଦକଟିଏ ପ୍ରଭାବଶାଳୀ ପ୍ରକାଶକ ବା ପଦପଦବୀରେ ଅଧ୍ୟଷ୍ଠିତ ଲେଖକଙ୍କ ନିମ୍ନମାନର ପୁସ୍ତକଟିଏ ଅନୁବାଦ କରିବାକୁ ବାଧ୍ୟ ହୋଇଥାଏ । ଏହାଦ୍ଵାରା ଆମ ଅନୁବାଦ ସାହିତ୍ୟର ଭଣ୍ଡାରକୁ ମୂଲ୍ୟବାନ ରଚନାଟିଏ ଆସିବାର ପଥ ଅବରୁଦ୍ଧ ହୋଇଯାଏ । ଦ୍ୱିତୀୟତଃ ଫରମାସୀ ଅନୁବାଦର ତାଗିଦା ଫଳରେ ଅନୁବାଦକ ବ୍ୟାପାରୋଚିତ ତତ୍ପରତା ପ୍ରଦର୍ଶନ କରି ଭଲ ଅନୁବାଦ ପ୍ରସ୍ତୁତ କରେନାହିଁ । ବିଶ୍ଵକବିଙ୍କ ନୋବେଲ୍ ପୁରସ୍କୃତ ଗୀତାଞ୍ଜଳୀର ଅନୁବାଦ ଏହି ଅବସ୍ଥାର ସମ୍ମୁଖୀନ ହୋଇଛି । ପୁନଶ୍ଚ ପୁରସ୍କୃତ ପୁସ୍ତକର ଅନୁବାଦ ପାଇଁ ବହୁ ଅନୁବାଦକ ଆଗେଇ ଆସିଥାନ୍ତି । କିନ୍ତୁ ପୁରସ୍କୃତ ପୁସ୍ତକ ବହୁ ସମୟରେ ସଂପୃକ୍ତ ଲେଖକଙ୍କ ଶ୍ରେଷ୍ଠ ରଚନା ହୋଇନପାରେ । କାରଣ ଭଲ ଲେଖା ପରିବର୍ତ୍ତେ ବଡ଼ ଲେଖକଙ୍କ ନାମରେ ତାଙ୍କ କୃତିକୁ ଶ୍ରେଷ୍ଠତ୍ଵର ମୋହର ମାରି ପୁରସ୍କୃତ କରାଯାଇଥାଏ ।

 

ଅନୁବାଦ ସାହିତ୍ୟର ସକଳ ଅଗ୍ରଗତି ସତ୍ତ୍ୱେ ଭ୍ରମଣ କାହାଣୀ, ପ୍ରବନ୍ଧ, ଆତ୍ମଜୀବନୀ, ସମାଲୋଚନା ପରି ବିଭାଗ ଆମ ଅନୁବାଦ ସାହିତ୍ୟକୁ ଉପଯୁକ୍ତ ଭାବେ ପ୍ରତିନିଧିତ୍ୱ କରିପାରିନାହିଁ । ଏ ଦିଗରେ ଦୃଷ୍ଟି ଦିଆଯିବା ଏକାନ୍ତ ଆବଶ୍ୟକ । ଆମ ରାଜ୍ୟରେ ଅନୁବାଦ ସାହିତ୍ୟର ପ୍ରସାର ପାଇଁ କ୍ଷେତ୍ର ବିସ୍ତୃତ ହେଲେ ବି ତାହାର ଅଗ୍ରଗତି ସନ୍ତୋଷଜନକ ନୁହେଁ । ସମକାଳୀନ ଓଡ଼ିଆ ସାହିତ୍ୟରେ ଅନୁବାଦର ତିନୋଟି ରୀତି ଲକ୍ଷ୍ୟ କରାଯାଏ । ଯଥା ଆକ୍ଷରିକ ଅନୁବାଦ, ଆହରଣ ଓ ସମୀକରଣ । ଆକ୍ଷରିକ ଅନୁବାଦ ପ୍ରକ୍ରିୟାରେ ଲେଖକ ଅନ୍ୟ ଭାଷାର ଉଲ୍ଲେଖନୀୟ କୃତି ସମୂହକୁ ନିଜ ଭାଷାରେ ଅବିକଳ ପରିବେଷଣ ପାଇଁ ପ୍ରୟାସ କରିଥାଏ । କିନ୍ତୁ ଏହା ବହୁ ସମୟରେ ନିରସ ପ୍ରଭାବହୀନ ଓ ସୃଜନ ରହିତ ପରି ମନେହୁଏ । କିନ୍ତୁ ଆହରଣ ପ୍ରକ୍ରିୟାରେ ଲେଖକଙ୍କର ସୃଜନଶୀଳତା ଅଧିକ ପରିସ୍ଫୁଟ ହୋଇଥାଏ । ଏଥିରେ ଲେଖକ ଦେଶ ବିଦେଶର ସାହିତ୍ୟ ପାଠକରି ନିଜର ଏକ ସ୍ଵତନ୍ତ୍ର ସମ୍ପଦ ସୃଷ୍ଟି କରିବାକୁ ପ୍ରୟାସ କରେ । ଏହି ପ୍ରକ୍ରିୟା ନୂତନ ପ୍ରାସାଦ ନିର୍ମାଣ ସଦୃଶ ଆହରଣକାମୀ ଲେଖକର ସୃଷ୍ଟି ଆଢ଼ୁଆଳରେ ଆଦୃତ ରଚନାର କଙ୍କାଳ ଏଥିରେ ସୃଷ୍ଟ ଦିଶିଯାଏ । କିନ୍ତୁ ସମୀକରଣ ପ୍ରକ୍ରିୟାରେ ଅନୁବାଦ ଶିଳ୍ପୀ ନିଜ ପ୍ରତିଭାବଳରେ ଆହୁତ ଉପାଦାନକୁ ନିଜସ୍ୱ ସର୍ଜନାର ରୂପ ଦେଇ ହୃଦୟଗ୍ରାହୀ କରିଥାଏ ।

 

ଅନୁବାଦ ଏକ ସ୍ୱତନ୍ତ୍ର ସୃଜନ କର୍ମ । ଏହା ମୂଳଭାଷା ଓ ମୂଳ ସ୍ରଷ୍ଟା ସହିତ ସମ୍ପର୍କ ସ୍ଥାପନର ଏକମାତ୍ର ମାଧ୍ୟମ । ଶସ୍ତା ନାମ, ଯଶ, ସର୍ବୋପରି ଅର୍ଥର ପ୍ରଲୋଭନ ଦ୍ଵାରା କବଳିତ ହୋଇ ଆଜି ଏହା ଦିଗ୍‍ଭ୍ରାନ୍ତ ନିୟମ ଶୃଙ୍ଖଳାର ଉଲ୍ଲଙ୍ଘନ, ଭୁଲ ଉପସ୍ଥାପନାର ଭୟ ପ୍ରତି ଅନୁବାଦକ ସର୍ବଦା ସଚେତନ ହେବା ଆବଶ୍ୟକ । ଅନଧିକାର ଅନୁବାଦ କର୍ମ ଓ ଅନୁବାଦ ପ୍ରକାଶନ ଅନୁବାଦିତ ଭାଷା ପକ୍ଷରେ ଅପମାନ ଜନକ କେବଳ ନୁହେଁ, ଏକ ଦଣ୍ଡନୀୟ ଅପରାଧ ମଧ୍ୟ । ଏ ଧରଣର ଅନୁବାଦ କର୍ମ କଦାପି ଆମ ସାହିତ୍ୟ ପ୍ରତି ହିତକର ନୁହେଁ, ସୁତରାଂ ଏହି ସୁକୁମାର ଦିଗ ପ୍ରତି ଅନୁବାଦକ ଓ ପାଠକ ପାଠିକା ସଚେତନ ରହିବା ଆବଶ୍ୟକ ।

 

ଏକବିଂଶ ଶତାବ୍ଦୀ ଓଡ଼ିଆ ଅନୁବାଦ ସାହିତ୍ୟ ପାଇଁ ଏକ ଅନୁକୂଳ ସମୟ । ଜଗତୀକରଣର ଆହ୍ୱାନକୁ ସମସ୍ତେ ସ୍ୱାଗତ ଜଣାଇଛନ୍ତି । ସାହିତ୍ୟିକମାନେ ବା କାହିଁକି ପଛରେ ପଡ଼ିବେ । ଆଜି ବହୁ ଲେଖକ ଅନୁବାଦ କର୍ମ ପ୍ରତି ମୁହଁ ଫେରାଇଛନ୍ତି । ଅଧିକାଂଶ ପତ୍ରପତ୍ରିକାରେ ଅନୁବାଦ ରଚନା ପୃଷ୍ଠା ମଣ୍ଡନ କରିଛି । ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଅନୁବାଦ ସାହିତ୍ୟକୁ ଏକ ସ୍ଵତନ୍ତ୍ର ବିଭାଗର ମାନ୍ୟତା ପ୍ରଦାନ କରିଛନ୍ତି । କେବଳ ଅନୁବାଦକୁ ଭିତ୍ତିକରି ଶତଭିଷା ପରି ଏକ ଅନୁବାଦ ପତ୍ରିକା ଓଡ଼ିଶାରେ ନିଜ ଗୋଡ଼ରେ ଠିଆ ହେବା ସହଜ କଥା ନୁହେଁ । ଅନୁବାଦ ସାହିତ୍ୟକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଉ, ଅନୁବାଦ କାର୍ଯ୍ୟ ପାଇଁ ସ୍ଵତନ୍ତ୍ର ତାଲିମ ବା ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଉ, ପେଶାଦାର ଅନୁବାଦକମାନଙ୍କୁ ବୃତ୍ତି ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ପ୍ରଶାସନିକ କାର୍ଯ୍ୟରେ ଅନୁବାଦକମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ । ନଚେତ ଅନୁବାଦ କର୍ମକୁ ବୃତ୍ତି ବା ଜୀବିକାର ଅବଲମ୍ବନ କରିହେବ ନାହିଁ । ଅନ୍ୟ ପକ୍ଷରେ ଅନୁବାଦକଙ୍କୁ ଦ୍ୱିତୀୟ ଶ୍ରେଣୀର ଲେଖକ ରୂପେ ନ୍ୟୁନ ବିବେଚନା ନ କରି ମୂଳ ଲେଖକର ଗୌରବ ପ୍ରଦାନ କରାଯାଉ । କାରଣ ଅନୁସୃଜନରେ ବ୍ରତୀ ଲେଖକଟିଏ ସୃଜନଶୀଳ ଲେଖକ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି । ବରଂ ମୂଳ ରଚନାକୁ ଅଧିକ ହୃଦୟଗ୍ରାହୀ କରିବାରେ ଅନୁବାଦକର ପ୍ରଯତ୍ନ କମ୍ ନୁହେଁ ।

 

ଅନୁବାଦ ସାହିତ୍ୟ ଆମ ସାହିତ୍ୟର ଗୌରବ ବର୍ଦ୍ଧକ । ଆମ ସାହିତ୍ୟର ଶ୍ରେଷ୍ଠ ସାମଗ୍ରୀକୁ ଜାତୀୟ ଏବଂ ବିଶ୍ୱସ୍ତରରେ ଅନୁଦିତ ଚେହେରାରେ ପରିଚିତ କରିବା ଆମର ପରମ କର୍ତ୍ତବ୍ୟ । ଦେଶ ବିଦେଶର ସାରସ୍ୱତ ସୃଷ୍ଟି ସହିତ ଘନିଷ୍ଠ ଭାବେ ପରିଚିତ ହେବା ପାଇଁ ଆମକୁ ଅନୁବାଦର ହିଁ ସାହାଯ୍ୟ ନେବାକୁ ପଡ଼ିବ । ଏହି ସାରସ୍ୱତ ସାନ୍ନିଧ୍ୟ ଆମକୁ ନୂତନ ଦୃଷ୍ଟିଭଙ୍ଗୀ, ଆତ୍ମିକ ଅନୁଭୂତି ଓ ଆନନ୍ଦ ପ୍ରଦାନ କରିବା ସହିତ ସାରସ୍ୱତ ସମ୍ପ୍ରୀତି ଓ ସୌହାର୍ଦ୍ଧ୍ୟ ସ୍ଥାପନରେ ସହାୟକ ହୋଇପାରିବ ।

 

 

ବି.ଏନ୍.ଟି. ରୋଡ଼

କମାପଲ୍ଲୀ, ବ୍ରହ୍ମପୁର, ଗଞ୍ଜାମ

 

***

 

ବସନ୍ତ ଶତପଥୀଙ୍କ ରମ୍ୟ ରଚନା : ଏକ ଦୃଷ୍ଟିପାତ

ମନ୍ମଥ କୁମାର ପ୍ରଧାନ

 

ଓଡ଼ିଆ ସାହିତ୍ୟରେ ଲବ୍‍ଧ ପ୍ରତିଷ୍ଠିତ ସାରସ୍ୱତ ସାଧକ ଭାବରେ ବସନ୍ତ ଶତପଥୀ ଜଣେ ସ୍ମରଣୀୟ ପ୍ରତିଭା । ଏକାଧାରରେ ସେ ଜଣେ ଅଧ୍ୟାପକ, ସୁବକ୍ତା, ଗାଳ୍ପିକ, ରମ୍ୟରଚୟିତା, ଶିଶୁ ସାହିତ୍ୟିକ, ନାଟ୍ୟକାର ତଥା ଅନୁବାଦକ ଭାବରେ ଖ୍ୟାତି ଓ ଆଦୃତି ଲାଭ କରିଛନ୍ତି । ଗାଳ୍ପିକ ଭାବରେ ସେ ଯଶସ୍ୱୀ ହେଲେହେଁ ରମ୍ୟରଚନା କ୍ଷେତ୍ରରେ ମଧ୍ୟ ତାଙ୍କର ସିଦ୍ଧି ଯେ ଅଧିକ ଏହା ନିଃସନ୍ଦେହ ।

 

ରମ୍ୟରଚନା ସାହିତ୍ୟରେ ଏକ ସ୍ୱତନ୍ତ୍ର କଳା । ରମଣୀୟ ଅର୍ଥରେ ନୁହେଁ, ମନ ଓ ପ୍ରାଣକୁ ଏହା ମୁଗ୍‍ଧ କରେ । ରମ୍ୟାର୍ଥ ଦୀପ୍ତ ଚିତ୍ତରେ ଆତ୍ମା ଆନନ୍ଦର ପ୍ରକାଶ ହେଉଛି ରମ୍ୟବୋଧ । ଭାବରୁ ରସ ଜନ୍ମ ହୁଏ, ଅର୍ଥରୁ ରମ୍ୟବୋଧ ଜନ୍ମ । ଯେଉଁ ରଚନାରେ ରମ୍ୟାର୍ଥ ପ୍ରଧାନ ହୁଏ ତାହାହିଁ ରମ୍ୟରଚନା ।’’ (୧) ରମ୍ୟରଚନା ସୌନ୍ଦର୍ଯ୍ୟକଳା Aesthetic Art ଓ ଶାସ୍ତ୍ରୀୟକଳା Classical Art ର ସମନ୍ୱୟ ଅଟେ । ତେବେ ରମ୍ୟରଚନାର ସ୍ଵକୀୟ ପ୍ରରୂପ ଭିତରେ ରହିଛି ବ୍ୟକ୍ତିଗତ ଅନୁଭବ, ଅନୁଭୂତି ଓ ଅଭିଜ୍ଞତାର ପ୍ରତିଫଳନ, ପ୍ରଜ୍ଞା ଓ ପ୍ରାଣର ଅପୂର୍ବ ମିଳନ, ଦିବ୍ୟଚକ୍ଷୁ-ଦିବ୍ୟଦୃଷ୍ଟି, ଆତ୍ମପ୍ରେମ, ପୁରାତନକୁ ନୂଆ ଭଙ୍ଗୀରେ ଦେବାର ଚାହାଁଣି ଓ ଚମକ । ରମ୍ୟରଚନାର ଆଦର୍ଶ ଅଙ୍ଗଟି ହେଉଛି କାବ୍ୟିକ ସାବଲୀଳତା, ନାଟକୀୟ ବିସ୍ମୟ, ବୁଦ୍ଧିଦୀପ୍ତ ବାକ୍‍ଚାତୁରୀ, ହାସ୍ୟରସର ଯଥୋଚିତ ପରିବେଷଣ, ଭାଷା ଓ ଶୈଳୀର ସ୍ଵକୀୟତା, ଭାବ ଅଭିବ୍ୟକ୍ତିର ଉନ୍ମଖତା ଓ ସ୍ଵଛନ୍ଦତା । ରମ୍ୟରଚନାର ପ୍ରାଣଧର୍ମ ହେଉଛି ବ୍ୟକ୍ତିଗତ ଜୀବନ, ରାଷ୍ଟ୍ରୀୟ ଜୀବନକୁ ମହତ୍ତର କରି ତୋଳିବା । ଏହା ବସ୍ତୁନିଷ୍ଠ ଗୁରୁଗମ୍ଭୀର ବର୍ଣ୍ଣନାତ୍ମକ ପ୍ରବନ୍ଧ ନୁହେଁ-। ବ୍ୟକ୍ତିନିଷ୍ଠ ଶୈଳୀର ଏହା ଜୀବନ୍ତ ଭାଷ୍ୟ ଅଟେ ।

 

ଊନବିଂଶ ଶତାବ୍ଦୀରୁ ଏହି ରମ୍ୟରଚନା ବିଶ୍ଵ ସାହିତ୍ୟରେ ସୃଷ୍ଟି ହୋଇଛି । ଓଡ଼ିଆ ସାହିତ୍ୟରେ କବିବର ରାଧାନାଥ ରାୟ ହିଁ ଏହି ରମ୍ୟରଚନାର ପ୍ରଥମ ସ୍ରଷ୍ଟା । ‘ବିବେକୀ’ ତାଙ୍କର ପ୍ରଥମ ରମ୍ୟରଚନା । ଫକୀରମୋହନ ସେନାପତି, ଗୋପାଳଚନ୍ଦ୍ର ପ୍ରହରାଜ, ଲକ୍ଷ୍ମୀକାନ୍ତ ମହାପାତ୍ର, ନିତ୍ୟାନନ୍ଦ ମହାପାତ୍ର, କୃଷ୍ଣପ୍ରସାଦ ବସୁ, କାଳିନ୍ଦୀ ପାଣିଗ୍ରାହୀ, ଗୋବିନ୍ଦଚନ୍ଦ୍ର ତ୍ରିପାଠୀ, କୁଞ୍ଜବିହାରୀ ଦାଶ, ହରେକୃଷ୍ଣ ମହତାବ, ସୁରେନ୍ଦ୍ର ମହାନ୍ତି, ଗୋପୀନାଥ ମହାନ୍ତି, ଚିତ୍ତରଞ୍ଜନ ଦାସ, ଚନ୍ଦ୍ର ଶେଖର ରଥ, ଫତୁରାନନ୍ଦ, ନୀଳମଣି ସାହୁ, କୃଷ୍ଣଚରଣ ବେହେରା, ହେମକାନ୍ତ ମିଶ୍ର ପ୍ରଭୃତି ବହୁ ରମ୍ୟରଚୟିତା ଓଡ଼ିଆ ସାହିତ୍ୟରେ ଏକ ନୂତନ ଧାରା ସୃଷ୍ଟି କରି ସଫଳ ହୋଇଛନ୍ତି ।

 

ବସନ୍ତ କୁମାର ଶତପଥୀ ରମ୍ୟରଚନା କ୍ଷେତ୍ରରେ ଯଥେଷ୍ଟ ଖ୍ୟାତି ଅର୍ଜନ କରିଛନ୍ତି । ମାନବିକ ଭାବ ସମ୍ବେଦନ, ସାଂସ୍କୃତିକ ସଚେତନତା, ସମାଜ ଜୀବନର ସୂକ୍ଷ୍ମପର୍ଯ୍ୟବେକ୍ଷଣର ଭାବ ନେଇ ହାସ୍ୟ ବ୍ୟଙ୍ଗ-କାରୁଣ୍ୟର ମଧୁର ସମନ୍ୱୟରେ ସେ ବହୁ ରମ୍ୟରଚନା ସୃଷ୍ଟି କରିଛନ୍ତି । ସେଗୁଡ଼ିକ ପୁସ୍ତକ ଆକାରରେ ପ୍ରକାଶିତ ହୋଇନାହିଁ । ତେବେ ୧୯୬୨-୬୩ ମସିହାଠାରୁ ୧୯୯୦-୯୧ ମସିହା ପର୍ଯ୍ୟନ୍ତ ସେ ରମ୍ୟରଚନାଗୁଡ଼ିକୁ ଝଙ୍କାର, ସହକାର, ପ୍ରତିବେଶୀ, ସମାବେଶ, ଆସନ୍ତାକାଲି, ନବଲିପି, ଜୀବନରଙ୍ଗ, ସାମ୍ମୁଖ୍ୟ, କଳନା ଇତ୍ୟାଦି ପତ୍ରପତ୍ରିକାରେ ପ୍ରକାଶ କରିଛନ୍ତି । ତାଙ୍କ ରମ୍ୟରଚନାଗୁଡ଼ିକ ହେଲା ଆଧୁନିକ କେଶବିନ୍ୟାସ ଗୃହ, ବୁଢ଼ାବାବୁ, ପାନ, ଆପଣା ହସ୍ତେ ଜିହ୍ଵା ଛେଦି, ତୁଚ୍ଛାକୁ ଏତେ, ଦୋଷ ଧରିବେନି, ଗାନ୍ଧୀ ଦର୍ଶନ, ଜୀବନ ବୀମା, ହସ, ବାଘରାଜା, ନମସ୍କାର ସାର୍, କ୍ଲିଓପେଟ୍ରା, ଋଣମୁକ୍ତ, ଚାଟୁ, ତର୍କବିତର୍କ, ନଙ୍ଗୁଳି, ମୋ କଲେଜ, ଜଣେ ପାଠକଙ୍କ ସହିତ କଥାବାର୍ତ୍ତା, ଆଜ୍ଞା ଟିକିଏ ଦୟାକରି, ଦୁଗ୍ଧପୋଷ୍ୟ, ପାନପିକ, ଭୁଲାମନ, ମୁଁ ତେବେ ରହିଲି, ଶିକ୍ଷା ସଂସ୍କାରର ଗୋଟିଏ ଦିଗ, ମୋର ଶ୍ରେଷ୍ଠ ଅଲିମ୍ପିକ ପୁରସ୍କାର, ପୂରାମରାମତି, ଶୁଭବିବାହ, ଆସ ଦିଅଁ ଦେଖିବା ବୁଲି ଆସିବା, ମାଛ ମିଛ, ଅବଗୁଣ୍ଠନବତୀ ଇତ୍ୟାଦି ।

 

ସେ କେତେଗୁଡ଼ିଏ ରମ୍ୟରଚ଼ନା ‘Statesman’ ର ‘Now and again’ ସ୍ତମ୍ଭରୁ ଅନୁବାଦ କରିଛନ୍ତି । ସେଗୁଡ଼ିକ ହେଲା Manmohan ଙ୍କର ‘Valentire Memory’ ରୁ ଶ୍ରୀଯୁକ୍ତ ଶତପଥୀଙ୍କର ‘ପ୍ରେମପତ୍ରର ସୃତି’ Chandan Sen ଙ୍କ ‘Living with grandfather’ ରୁ ଅଜାଙ୍କ ସଙ୍ଗେ ରହଣି, D.JJ ଙ୍କର Kids Comeରୁ ‘ପିଲାଏଁ ଆସିଥିଲେ’, Raj Chatterjee ଙ୍କ Man who stayed ରୁ ଯେଉଁ ବନ୍ଧୁଟି ରହିଗଲେ, R. Dorai Swami ଙ୍କର ‘Cooking Upwork’ ରୁ କାମ ରାନ୍ଧିବା, Dillip Biswas ଙ୍କ The fat of the land ରୁ ‘ଆମ ମୋଟି ଝିଅଙ୍କ ଉଦ୍ଦେଶ୍ୟରେ’, N. Mukherji ଙ୍କ Back to flower ରୁ ‘ପୁଣି ପୁଲ ଫୁଟିଲା’ Baudhyan Mukherjiଙ୍କ A forgetable character’ ରୁ ଏକ ବିସ୍ମରଣୀୟ ଚରିତ୍ର, Sulekha Dasguptas Ultimate Compliment ରୁ ‘ଚୂଡ଼ାନ୍ତ ପ୍ରଶଂସା’, Manojit Mitra ଙ୍କର ‘A Dance Drama’ ରୁ ନୃତ୍ୟନାଟିକା, Pratal Duttas ‘A bad habit’ ରୁ ଗୋଟିଏ ବଦଭ୍ୟାସ, Animesh Roychoudhuryଙ୍କ Atonementରୁ ‘ପ୍ରାୟଶ୍ଚିତ’ Goyankapoor ଙ୍କ The. Mother Complex ରୁ ମାତୃତ୍ତ୍ୱର ଅଭିଳାଷ, Suresh Chopra ଙ୍କ The key to happiness ରୁ ମହାବାଣୀ ପ୍ରଭୃତି ରମ୍ୟରଚନା ସ୍ରଷ୍ଟାଙ୍କ ପ୍ରତିଭାର ପରିଚୟ ଦିଏ । ଏହା ବ୍ୟତୀତ Stiphen Licok, Hileyar Bellc, Gardener Robert Lynd, Dinninjଙ୍କ ରଚନାରୁ ସେ ଅନୁବାଦ କରି ବହୁ ରମ୍ୟରଚନା ଲେଖିଛନ୍ତି । ସେ ଇଂରାଜୀ ଅଧ୍ୟାପକ ଭାବରେ ଇଂରାଜୀ ସାହିତ୍ୟରେ ଗଭୀର ଭାବରେ ପ୍ରବେଶ କରିଛନ୍ତି । ମାତ୍ର ସେ ଭାବିଲେ ଯେ, ‘‘କେହି ଇଂରାଜୀ ଅଧ୍ୟାପକ ଗବେଷଣା କରି ରାଶି ରାଶି ନିବନ୍ଧ ଭାରତରେ ଇଂରାଜୀରେ ଲେଖେ, ତାହା କେବେ ଇଂଲଣ୍ଡରେ ସ୍ଥାନ ପାଇବ ନାହିଁ । ତାଙ୍କ ଇଂରାଜୀ ଜ୍ଞାନର ଆବଶ୍ୟକୀୟ ଅଂଶ ଦ୍ଵାରା ନିଜ ମାତୃଭାଷାକୁ ପରିପୁଷ୍ଟ କରିପାରିବେ ।” (୨) ହୃଦୟର ସତ୍ୟାଶ୍ରୟୀ ଅନୁଭୂତି, ହାସ୍ୟ, ଆନନ୍ଦ, ବେଦନାର କଲ୍ଲୋଳିତ ପ୍ରବାହକୁ ସେ ସାହିତ୍ୟର ଏକମାତ୍ର ଉପାଦାନ ହିସାବରେ ଗ୍ରହଣ କରି ସେଗୁଡ଼ିକୁ ଜୀବନ୍ତ ଭାବରେ ଲେଖନୀରେ ରୂପାୟିତ କରିଛନ୍ତି ।

 

ପ୍ରତ୍ୟେକ ସ୍ରଷ୍ଟା ସମସାମୟିକ ସମାଜର ସମସ୍ତ ଘଟଣାକୁ ନିଜ ସୃଷ୍ଟିର ପରିସରରେ ଦର୍ଶାଇଥାନ୍ତି । ଶ୍ରୀଯୁକ୍ତ ଶତପଥୀ ମଧ୍ୟ ଏଥିରୁ ବାଦ୍ ଯାଇ ନାହାନ୍ତି । ତାଙ୍କର ‘ବୁଢ଼ାବାବୁ’ ରମ୍ୟରଚନାରେ ରାଜନୀତିକ ସ୍ୱେଚ୍ଛାଚାରିତା, ସ୍ଵାର୍ଥସର୍ବସ୍ୱ ମନୋଭାବକୁ ଦେଖାଇଛନ୍ତି, – ‘ରାଜନୀତିଜ୍ଞମାନେ ବୁଢ଼ା ବା ବୁଢ଼ୀ ହୁଅନ୍ତି ନାହିଁ । ମନେ ମନେ ହିସାବ କରି ଦେଖନ୍ତୁ କେତୁଟା ଦେଶର ପ୍ରଧାନମନ୍ତ୍ରୀ ପ୍ରେସିଡ଼େଣ୍ଟ ଷାଠିଏ ବର୍ଷ ତଳର । ଚାକିରୀରେ ଯିଏ ଷାଠିଏ ଉପରକୁ ଅଯୋଗ୍ୟ ହୁଏ, ରାଜନୀତିରେ ସିଏ ଅତିଯୋଗ୍ୟ ଓ କର୍ମଠ ବୋଲି ବିବେଚିତ ହୁଏ। ୩) ‘ଚାଟୁ’ ରମ୍ୟରଚନାରେ ରାଜନୀତିକ ବ୍ୟକ୍ତିମାନେ କିପରି ଜନସାଧାରଣକୁ ଚିକଣିଆ କଥା କହି ଫାଇଦା ଉଠାନ୍ତି, ଅଭିନନ୍ଦନ, ମାଲ୍ୟାର୍ପଣ, ପ୍ରତିମୂର୍ତ୍ତି ଉନ୍ମୋଚନ ଭଳି ଚାଟୁକାରିତା କିପରି ରାଜନୀତିକ ଜୀବନରେ ଖ୍ୟାତି ହାସଲ କରିଛି ତାହାର ବର୍ଣ୍ଣନା ବେଶ୍ ମାର୍ମିକ ହୋଇଛି । ‘ଦୁଗ୍ଧପୋଷ୍ୟ’ ରମ୍ୟରଚନାରେ ଆଜିର ଚାକଚକ୍ୟପୂର୍ଣ୍ଣ ସଭ୍ୟତା ସାମାଜିକ ଜୀବନକୁ କିପରି ରୁଗ୍‍ଣ, ଦୁର୍ବଳ, ଅବଶ କରିଦେଇଛି ତାହାକୁ ସ୍ରଷ୍ଟା ବ୍ୟଞ୍ଜନା କରିଛନ୍ତି । “ଆପଣା ହସ୍ତେ ଜିହ୍ୱା ଛେଦୀ’ ରଚନାରେ ସମାଜର ଅତି ସାଧାରଣ ସ୍ତରରୁ ଦୁର୍ନୀତି କିପରି କାୟା ବିସ୍ତାର କରିଛି ତାହାର ଚିତ୍ର ଚିତ୍ରିତ ହୋଇଛି । ‘ପାନ’ ରମ୍ୟରଚନାରେ ସ୍ରଷ୍ଟା ପାରିବାରିକ ଜୀବନର ଏକ ସୌହାର୍ଦ୍ଧପୂର୍ଣ୍ଣ ତଥା ମମତାସିକ୍ତ ସମ୍ପର୍କ ରୂପେ ଦର୍ଶାଇଛନ୍ତି – “ପାନ ଆପଣ ଖାଆନ୍ତୁ ବା ନ ଖାଆନ୍ତୁ ପାନଖିଲ ଗ୍ରହଣ ନ କରିବା ଅତିଥି ପକ୍ଷରେ ବଡ଼ ହୃଦୟ ହୀନତାର ଚିହ୍ନ, କାରଣ ପାନଖଣ୍ଡିରେ ଶରଧା, ଜାତିବଂଶ ପରମ୍ପରା, ହସମାଧୁର୍ଯ୍ୟ, ଇହକାଳ, ପରକାଳ ପୂଣ୍ୟରାଶି ପୁଞ୍ଜିଭୂତ ।’’ (୪) ‘ଲଙ୍ଗୁଳି’ ରମ୍ୟରଚନାରେ ଲେଖକ ଲିଙ୍ଗରାଜ ମିଶ୍ରଙ୍କୁ ରକ୍ଷଣଶୀଳ ସମାଜର ପ୍ରତୀକ ସଜାଇ ତାଙ୍କରି ମୁହଁରେ ସାମ୍ପ୍ରତିକ ସାମାଜିକ ଜୀବନର ନଗ୍ନତା, ଅଶ୍ଳୀଳତା ଓ ନୀତିହୀନ ଆଚରଣକୁ ବ୍ୟକ୍ତ କରିଛନ୍ତି ।

 

ବ୍ୟଙ୍ଗ-ବିଦ୍ରୂପାତ୍ମକ ଅଭିବ୍ୟକ୍ତି ସ୍ରଷ୍ଟାଙ୍କର ଜୀବନବୋଧ ଓ ସାମାଜିକ ସୂକ୍ଷ୍ମଦର୍ଶନର ଏକ କଳାତ୍ମକ ଅଭିବ୍ୟକ୍ତି ଅଟେ । ‘ବୁଢ଼ାବାବୁ’ ରମ୍ୟରଚନା ତାହାର ଏକ ସଫଳ ଦୃଷ୍ଟାନ୍ତ । ବଜାରର ଶାଗବିକାଳି ଝିଅଟି ପାଖରୁ ମାଂସ ବିକାଳି ସୁଲେମାନ ପର୍ଯ୍ୟନ୍ତ ସମସ୍ତଙ୍କ ତୁଣ୍ଡରେ ବୁଢ଼ାବାବୁ ସମ୍ବୋଧନ ଲେଖକଙ୍କ ମନରେ ବିଦ୍ରୋହର ସ୍ୱର ତୋଳିଛି । ‘ପ୍ରୀତ୍ୟୁପହାର’ ରଚନାରେ ଲେଖକ ବ୍ୟକ୍ତି ଜୀବନଠାରୁ ଆରମ୍ଭ କରି ଜାତୀୟ ଜୀବନ ପର୍ଯ୍ୟନ୍ତ ମଣିଷର ସବୁ ପ୍ରକାର କାର୍ଯ୍ୟକଳାପ ଉପରେ ତୀର୍ଯ୍ୟ ଦୃଷ୍ଟିଭଙ୍ଗୀ ପ୍ରକଟ କରିଛନ୍ତି । ତର୍କବିତର୍କ ରଚନାରେ ଅହଂ ସର୍ବସ୍ୱ ମଣିଷର ପ୍ରବୃତ୍ତିକୁ ବିଦ୍ରୁପ କରିଛନ୍ତି । ‘ନମସ୍କାର ସାର୍’ ରଚନାରେ ଲୋକ ଚରିତ୍ରକୁ ସ୍ରଷ୍ଟା ବ୍ୟଞ୍ଜିତ କରିଛନ୍ତି । ଆଜିର ଛାତ୍ର ସମାଜ ଗୁରୁଙ୍କ ଉଦ୍ଦେଶ୍ୟରେ ଏ ପ୍ରକାର ସମ୍ମାନ ପ୍ରଦର୍ଶନ କରିବା ପରିବର୍ତ୍ତେ ଛାତ୍ର ଉଚ୍ଚପଦବୀଧାରୀ ହୋଇଥିଲେ ଶିକ୍ଷକଠାରୁ ଅନୁରୂପ ସମ୍ମାନ ଆଶା କରୁଛି । ‘ହସ’ ରମ୍ୟ ରଚନାରେ ଲେଖକ ଶୁଦ୍ଧ ହାସ୍ୟର ତାତ୍ପର୍ଯ୍ୟକୁ ବୁଝାଇଛନ୍ତି – “ଏହା ବାହାରର ଉପାଦାନ ନୁହେଁ, ମଣିଷ ଅନ୍ତରର ଜିନିଷ । ଏହା ଆପେ ଆପେ ଉଦ୍ଭବ ହୁଏ । ନାରଦ ନାରାୟଣଙ୍କୁ କହିଲେ, “ବିମଳ ହସ ଟିକକ ସମସ୍ତଙ୍କର ପ୍ରାପ୍ୟ । ସେହି ହସ ହିଁ ମୋର ପ୍ରାଣ । (୫) ‘ଜୀବନବୀମା’ ରମ୍ୟରଚନାରେ ବୀମା ଏଜେଣ୍ଟମାନଙ୍କର ବୌଦ୍ଧିକ ବିଚକ୍ଷଣତା କିପରି ସାମାଜିକ ସମସ୍ୟାରେ ପରିଣତ ହୋଇଛି ତାହାର ଚିତ୍ର ବାସ୍ତବ ଭାବରେ ଚିତ୍ରିତ – ‘‘ଥରେ ଯେବେ ତାଙ୍କ କଥାକୁ କାନ ଦେଇଛନ୍ତି, ତେବେ ଆଉ ରକ୍ଷା ନାହିଁ, ଜାଲ ଯେତିକି ଛିଣ୍ଡାଇବାର ଚେଷ୍ଟା କରୁଥିବେ, ଓଲଟି ତାହା ଦୁଇଗୁଣ ଗୁଡ଼ାଇ ଆପଣଙ୍କୁ କାବୁ କରିବ ।’’(୬)

 

‘ଆପଣା ହସ୍ତେ ଜିହ୍ଵା ଚ୍ଛେଦୀ’ ରଚନାରେ ସମାଜର ଅତି ସାଧାରଣ ସ୍ତରରୁ ଦୁର୍ନୀତି କିପରି କାୟା ବିସ୍ତାର କରିଛି ତାହାକୁ ସେ ଦର୍ଶାଇଛନ୍ତି – ‘‘xxx ମୁଠାଏ ମୁଠାଏ ନାଲି ଗୋଡ଼ି ଏଠିସେଠି ବୁଣିଦେଇ କୋଦାଳେ ଦି’ କୋଦାଳେ ମାଟି ହାତ ପହଞ୍ଚରୁ ଟେକି ଆଣିଲେ ମାପ ଯୋଖ କରାଇ ହାତଗୁଞ୍ଜା ଦେଇ ପାଞ୍ଚ ହଜାର ମାଠିଦେଲେ ଜଣକର ଦାଣ୍ଡଘର, ବାରଣ୍ଡା ସିମେଣ୍ଟ ମେଜିଆ ଓ ଅନ୍ୟଜଣକର ଗୁହାଳଘର ସିମେଣ୍ଟ ଟାଇଲ୍ ।” (୭) ‘ଶିକ୍ଷା ସଂସ୍କାରର ଗୋଟିଏ ଦିଗ’ ରମ୍ୟକଥାରେ ପ୍ରଚଳିତ ଶିକ୍ଷା ପଦ୍ଧତି ଆଜି ଜାତୀୟ ଜୀବନର ଅଗ୍ରଗତିର ପରିପନ୍ଥୀ । ଯେଉଁ ଶିକ୍ଷାର ମୂଳ ଉତ୍ସ ଥିଲା ଜାତୀୟ ଜୀବନ ଗଠନ କରିବା ତାହା ଆଜି ଗୁଣ୍ଡାଗିରି, ଲାଞ୍ଚମିଛ ଓ ତୋଷାମୋଦିର କ୍ଷେତ୍ରରେ ପରିଣତ ହୋଇଛି । ସ୍ଵାର୍ଥ ସର୍ବସ୍ୱ ମଣିଷ ସାମ୍ପ୍ରତିକ ସମାଜରେ ଯେଉଁଭଳି କାର୍ଯ୍ୟ କରିଚାଲିଛି, ଯଥା – ଦେଶ ଦେଶ ମଧ୍ୟରେ ବିଭେଦ, ଆଖିବୁଜା ଜଙ୍ଗଲ ସଫା, ଜୀବଜନ୍ତୁର ବିନାଶ, ଆଦି ଆତ୍ମପ୍ରବଞ୍ଚନାର ଏକ ଏକ ଦୃଷ୍ଟାନ୍ତ ଅଟେ । ଅଯୋଗ୍ୟ ଲୋକ ହାତରେ ଶାସନ ଭାର ଅର୍ପଣ, ନିର୍ଧନୀମାନଙ୍କ ହାତରେ ଧନର ବିପୁଳ ସମ୍ଭାର ଯେପରି ରାଜନୀତିକ ତଥା ଅର୍ଥନୀତିକ ବିଶୃଙ୍ଖଳା ସୃଷ୍ଟି କରିଚାଲିଛି ଏହା ଆପଣା ହସ୍ତେ ଜିହ୍ଵା ଛେଦୀ ସଦୃଶ । ଲେଖକ ଅସହାୟ ବ୍ୟକ୍ତିସତ୍ତାକୁ ବ୍ୟଙ୍ଗ କରିଛନ୍ତି । ଜଣେ ପାଠକଙ୍କ ସହିତ କଥାବାର୍ତ୍ତା’ ପ୍ରସଙ୍ଗରେ ଲେଖକ ଆଧୁନିକ ସାହିତ୍ୟ କ୍ଷେତ୍ରରେ ବିଚ୍ଛିନ୍ନତାବୋଧର ସ୍ଵର ଓ ଅହଂବୋଧକୁ ବ୍ୟଙ୍ଗ କରିଛନ୍ତି । ସାମାଜିକ ଜୀବନରେ କଳ, କବ୍‍ଜା, ଯନ୍ତ୍ରପାତିର ଉଦ୍ଭାବନ ମଣିଷର ସବୁକାର୍ଯ୍ୟ ତୁଲାଇ ମଣିଷକୁ ପଙ୍ଗୁ ସଜାଇବାରେ ଲାଗିଛି । ସାଂସ୍କୃତିକ ଜୀବନରେ କଳା, ଭାସ୍କର୍ଯ୍ୟର ଯେଉଁ ମର୍ଯ୍ୟାଦା ଥିଲା, ତା’ ପ୍ରତି ମଣିଷର ହତାଦର ହେତୁ ସେସବୁ ଲୁପ୍ତ ପ୍ରାୟ । ଶିକ୍ଷା କ୍ଷେତ୍ରରେ ସ୍ୱାବଲମ୍ବନଶୀଳତାର ଦ୍ୱାହି ଦେଇ ପରମୁଖାପେକ୍ଷୀ ଭାବଧାରା ନିର୍ବିଘ୍ନରେ ଆଗେଇ ଚାଲିଛି । ଏହାକୁ ବ୍ୟଙ୍ଗ କରି ଲେଖକ ଲେଖିଛନ୍ତି, “ମୂଳ ପୁସ୍ତକ ଦୋକାନକୁ ଆସିବା ପୂର୍ବରୁ ‘ସହଜ, ‘ସରଳ’ ପୁସ୍ତକ ପ୍ରବୀଣ – ଅଧ୍ୟାପକ ମଣ୍ଡଳୀ ଅଧ୍ୟାପକ ନାମରେ ଲିଖିତ ହୋଇ ପିଲାମାନଙ୍କୁ ଅଭୟ ଓ ଆଶ୍ୱସନା ଦେଉଛି । ଫଳରେ ପାଠ୍ୟ ଓ ପାଠକଙ୍କ ଭିତରେ ଯୁଗ ଯୁଗ ଧରି ଯେଉଁ ସଂଗ୍ରାମ ଲାଗି ରହିଥିଲା, ଚତୁର ଟୀକାକାର, ବିବେକବନ୍ତ ପ୍ରକାଶକ ଓ ସହୃଦୟ ଗୁରୁଦେବ ମିଶି ତହିଁରେ ସମାଧାନ ଆଣିଦେଇଛନ୍ତି । (୮)

 

ସହଜ, ସରଳ, ଭାଷାକୁ ବାକ୍‍ଭଙ୍ଗୀରେ ପ୍ରକାଶ କରିବା ଶତପଥୀଙ୍କ ଶୈଳୀର ଅନ୍ୟ ଏକ ବୈଶିଷ୍ଟ । ସରସ ରସାନୁଭୂତି ଦ୍ଵାରା ଅନୁରଞ୍ଜିତ କରିବା ତାଙ୍କର ନିଜସ୍ୱ ଶୈଳୀର ପରିଚୟ ଦିଏ । ଫକୀରମୋହନଙ୍କ ବ୍ୟକ୍ତିଗତ ଜୀବନର ଦୁଃଖ ଦୈନ୍ୟତା ନୈରାଶ୍ୟବୋଧ ଲେଖକଙ୍କର ବ୍ୟକ୍ତିଗତ ଜୀବନରେ ସଂଘଟିତ ହୋଇଥିବାରୁ ସେ ନିଜକୁ ତାଙ୍କ ସାହିତ୍ୟ ଭିତରେ ଦେଖିଛନ୍ତି । ତେଣୁ ସେ ଫକୀରମୋହନଙ୍କ ଦ୍ଵାରା ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ ହୋଇଛନ୍ତି । ସେ ଜୀବନରେ ଦିବ୍ୟ ଚେତନାର ସନ୍ଧାନ ଦେଇ ପାରିଛନ୍ତି । ହାସ୍ୟ-ଆନନ୍ଦ ଓ ବେଦନାର କଲ୍ଲୋଳିତ ପ୍ରବାହକୁ ସେ ସାହିତ୍ୟରେ ପ୍ରବାହିତ କରିପାରିଛନ୍ତି । ଏହା ଏକ ବିସ୍ତୃତ ଆଲୋଚନାର ଅପେକ୍ଷା କରେ । ଓଡ଼ିଆ ରମ୍ୟରଚନାର କ୍ରମବିକାଶରେ ତାଙ୍କର ସ୍ଥାନ ଅନନ୍ୟ ଓ ଅନବଦ୍ୟ ଅଟେ । କଳାତ୍ମକ ଦୃଷ୍ଟିରୁ ତାଙ୍କ ରମ୍ୟରଚନାଗୁଡ଼ିକ କାଳଜୟୀ ହୋଇପାରିଛି । ଏବେ କଟକର ଅଗ୍ରଦୂତ ପ୍ରକାଶନୀ ଦ୍ୱାରା ତାଙ୍କର ମହନୀୟ ରମ୍ୟରଚନାଗୁଡ଼ିକ ପୁସ୍ତକ ଆକାରରେ ସଂକଳିତ ହୋଇଛି ।

 

ଶ୍ରୀଯୁକ୍ତ ଶତପଥୀଙ୍କ ରମ୍ୟରଚନାଗୁଡ଼ିକ ବେଶ୍ ମାର୍ମିକ ଓ ସୁଖପାଠ୍ୟ ତଥା ଶାଶ୍ୱତ ମୂଲ୍ୟବୋଧର ଅଧିକାରୀ ।

 

 

ବରିଷ୍ଠ ଅଧ୍ୟାପକ, ଓଡ଼ିଆ ବିଭାଗ

ନୀଳମଣି କଲେଜ, ବାଲେଶ୍ୱର

 

(୧)

ମହାପାତ୍ର ନୀଳମଣି ସାହୁ – “ଆମ କଥା ସାହିତ୍ୟର କଥା ଓ ରମ୍ୟରଚନା’

(୨)

ବସନ୍ତ କୁମାର ଶତପଥୀ – ସେକ୍‌ସପିଅର କାହାଣୀମାଳା (ଅନୁବାଦ) ଅଗ୍ରଦୂତ, କଟକ, ପୃଷ୍ଠା-୫, ୧୯୭୬

(୩)

ବୁଢ଼ାବାବୁ – ଝଙ୍କାର - ୧୯୭୩ – ୭ମ ସଂ – ପୃ – ୫୯୭

(୪)

‘ପାନ’ – ଝଙ୍କାର - ୧୯ଶ ବର୍ଷ - ୨ୟ ସଂଖ୍ୟା - ପୃ – ୨୫୩

(୫)

‘ହସ’ – ସହକାର

(୬)

ଜୀବନବୀମା – ଆସନ୍ତାକାଲି - ୧୯୮୪ – ପୂଜାସଂଖ୍ୟା

(୭)

ଆପଣା ହସ୍ତେ ଜିହ୍ଵା ଛେଦି । ନବଲିପି – ପୃ – ୧୧

(୮)

ଦୁଗ୍ଧପୋଷ୍ୟ – କଳନା - ୧୯୬୫ - ୮ମ ସଂଖ୍ୟା

 

***

 

ଆଧୁନିକ ଓଡ଼ିଆ କବିତାର ପ୍ରଥମ କାବ୍ୟ ପୁରୁଷ :

ବିଦ୍ରୋହୀ ମହାକବି ଭୀମ ଭୋଇ

ହାଡ଼ିବନ୍ଧୁ ମିର୍ଦ୍ଧା

 

ଆଧୁନିକ ଚିନ୍ତା – ଚେତନାର ପ୍ରଥମ ପ୍ରବର୍ତ୍ତକ ଓ ଆଧୁନିକ ଓଡ଼ିଆ ଭାଷା ସାହିତ୍ୟର ନିଚ୍ଛକ ଉପାସକ ହେଉଛନ୍ତି କବି ଭୀମ ଭୋଇ । ତାଙ୍କର କୃତିରେ ଜଟିଳତା ନାହିଁ, ରହିଛି ସରଳତା -ସାବଲୀଳ ସଙ୍ଗୀତଧର୍ମୀ ଭାବ, ଭାଷା । ଉପମା, ଚିତ୍ରକଳ୍ପ, ଅନୁପ୍ରାସ ଯମକ ସହିତ ଆଞ୍ଚଳିକ ‘ଥତୋ’, ପୂତା’, ଉବୁଡ଼ା ଉବୁଡ଼ି ଗୁଡ଼େଦିନୁ ଆଜି ଶହ ଶହ ସୁନ୍ଦର ଶବ୍ଦଚୟନର ପ୍ରୟୋଗ ଫଳରେ ଓଡ଼ିଆ ଭାଷା ସମୃଦ୍ଧ ହୋଇଛି । ଲୋକ ପ୍ରଚଳିତ ଗାଉଁଲି ଶବ୍ଦ ସହିତ ସ୍ୱଚ୍ଛ ଶୁଦ୍ଧତା ଭାଷା ଓ ଗାମ୍ଭୀର୍ଯ୍ୟ ଭାବ ପ୍ରକାଶ ହେତୁ ସାଧାରଣ ଭକ୍ତ ପାଠକ ପକ୍ଷରେ ହୃଦୟସ୍ପର୍ଶୀ ହୋଇଛି ଏବଂ ଧାର୍ମିକ ଭାବାବେଶରେ ପଦ-ପଦ୍ୟ ଲାଳିତ୍ୟ ରସରେ ରସାଣିତ ଓ ମନମୁଗ୍ଧକର ମଧ୍ୟ ହୋଇଛି । ତାଙ୍କର ଲିଖିତ ଭଜନ, ଜଣାଣ ଚଉତିଶା, ଆଧ୍ୟାତ୍ମିକ, ପୌରାଣିକ ତଥା ଆଧୁନିକତାର ମାନବିକ ସମସ୍ୟାର ବିଚାର ଓ ସଙ୍କେତ ରହିଛି । କହିବାକୁ ଗଲେ କବି ସଂକ୍ଷିପ୍ତ କବିତା ଛନ୍ଦରେ ବିନ୍ଦୁ ମଧ୍ୟରେ ଭାବ ସିନ୍ଧୁ ସୃଷ୍ଟି କରି ଲୀଳାୟିତ, ସ୍ଵତଃସ୍ଫୁର୍ତ୍ତ ସଙ୍ଗୀତର ଯତିପାତରେ ରସାଣିତ କରିଛନ୍ତି । ଏଣୁ ଭୀମଭୋଇଙ୍କ ସାରସ୍ୱତ ସୃଷ୍ଟି ଆଧ୍ୟାତ୍ମିକ ଓ ମାନବିକ ଚେତନାର ଅପୂର୍ବ ସମନ୍ୱୟ । ରାଗରାଗିଣୀ ଅଳଙ୍କାର ବିହୀନ ପଦାବଳୀ ଗ୍ରାମ୍ୟ ଲଳନା ପରି ଲୀଳାୟିତ । କାହାର ପ୍ରଭାବ ତାଙ୍କ ଉପରେ ପଡ଼ି ନାହିଁ କି, କାହାକୁ ଅନୁସରଣ, ଅନୁକରଣ କରି ନାହାନ୍ତି, ହୃଦୟରୁ ସ୍ଵତଃ ଝଙ୍କୃତ ଗଙ୍ଗା ସମ ଝରି ଆସିଛି ବାଣୀ । ସଂଳାପ ଭଳି ଶୈଳୀ ଛନ୍ଦରେ ଲିଖିତ ପଦ୍ୟ ଯାହା ମଣିଷ ପାଇଁ, ଭୂମି-ଭୂମା ପାଇଁ ସମର୍ପିତ । ତାଙ୍କ ଅନବଦ୍ୟ କୃତି ‘ସ୍ତୁତି ଚିନ୍ତାମଣି’ ଭଗବତ ତଥା ସମାଜ-ଜୀବନ-ଧର୍ମ-ଦର୍ଶନର ଅମୂଲ୍ୟ ଚର୍ଯ୍ୟା । ଏହାର ଗଭୀର ପଠନ ଓ ମନନ କଲେ ଭୀମଭୋଇ କିପରି ପ୍ରଚଣ୍ଡ ପ୍ରତିଭାଧର, ଜ୍ଞାନାନୁଭୂତିର ଜୀବନ୍ତ ପ୍ରତିମୂର୍ତ୍ତି ତଥା ପ୍ରଜ୍ଞା ପୁରୁଷ ଥିଲେ ତାହା ଅନୁଭବ କରିହୁଏ । ଏଣୁ କୁହାଯାଏ “ଭୀମ ଭୋଇଙ୍କ ଭଜନ କିଏ କରିବା ଓଜନ ।’’ ସେ ହେଲେ ଦିବ୍ୟଦ୍ରଷ୍ଟା-ଦିବ୍ୟାତ୍ମା-ମହାପୁରୁଷ । ଏଣୁ ସେ ଚାହିଁଲେ ସୃଷ୍ଟି କରିବାକୁ ଏକ ଦିବ୍ୟ ଜୀବନର ପରିମଳ ଜଗତ । ଏଣୁ ତାଙ୍କର ମହାମାନବୀୟ ଚେତନା, ଧର୍ମର ଆଚାର ବିଚାର ଆଜି ସାର୍ବଜନୀନ-ସାର୍ବକାଳୀନ । ବିଶ୍ୱର ସଭ୍ୟ ଜଗତରେ ତାଙ୍କର ମାନବୀୟ ସାରସ୍ୱତ ବାଣୀ ଆଜି ପ୍ରତିଧ୍ୱନିତ ।

 

ସ୍ୱୀୟ-ପ୍ରତ୍ୟକ୍ଷ ଅନୁଭୂତି ଓ ଚିନ୍ତନ ତାଙ୍କର ସାରସ୍ୱତ ସମ୍ଭାରରେ ଗୁମ୍ପିତ । ସେ ବିଭୁ ଦର୍ଶନ କରି ଏକ ସୁନ୍ଦର ନୈତିକ ତଥା ଆଧ୍ୟାତ୍ମିକ ସଂସାର କଳ୍ପନା କରିଛନ୍ତି । ଜାତିହୀନ, ଶୋଷଣ-ହୀନ, ସାମ୍ୟବାଦୀ ସମାଜ ବ୍ୟବସ୍ଥା ଗଠନ ପାଇଁ ସେ ଲେଖନୀ ଚାଳନା କରିଥିଲେ । ତାଙ୍କର ସାମାଜିକ, ସାଂସ୍କୃତିକ, ଧାର୍ମିକ ସଂସାରଯୁକ୍ତ ଆଧୁନିକ ଚିନ୍ତା ଚିର ଶାଶ୍ୱତ ସାରସ୍ୱତ ଏବଂ ଏହି ଚିନ୍ତାଧାରା ତାଙ୍କର ଧର୍ମଧାରାରେ ନିଖୁଣ ରୂପେ ପ୍ରକାଶ ପାଇଛି । ସେ ଜଗତର କୁତ୍ସିତ ସାମାଜିକ ପରମ୍ପରାକୁ ବରଦାସ୍ତ କରି ନାହାନ୍ତି । ଏଣୁ ଜଗତକୁ ଅଙ୍ଗୁଳି ନିର୍ଦ୍ଦେଶ କରି ସେ ଲେଖନ୍ତି-:

 

ରହରେ ଜଗତ, ହେଉଛି ଉତ୍ପାତ ତୋ ଗୁଣ କହିବା କେତେ

ମୋ ପ୍ରଭୁ କରତା ରଞ୍ଚିବାରୁ ତୁହିଁ ପ୍ରତ୍ୟକ୍ଷ ଉଣ୍ଡୁଛୁ ମୋତେ । ୬/୧୧ ।

ଆରେ କଳିଯୁଗ ଭବଭୟ ରୋଗ, ଖଟ ସତ୍ୟ ପାଦ ତଳେ

ଶ୍ରୀଗୁରୁ ଆଜ୍ଞାରେ ଆଦି ଅଗ୍ନିଶରେ ଜଳିଯିବୁ ତପ ବଳେ (୭/୧୧ ବୋଲି)

 

ବାସ୍ତବରେ ସେ ଥିଲେ ଅନ୍ୟାୟ, ଅଧର୍ମ, ଅସମାନତାର ପ୍ରଚଣ୍ଡ ବିରୋଧ । ତେଣୁ ସେ ବିପ୍ଲବୀ ଓ ବିଦ୍ରୋହୀ । ତାଙ୍କର ତପବଳ ଏତେ ଶକ୍ତିଶାଳୀ ଥିଲା ଯେ ଜଗତକୁ ରୋଷରେ ସତର୍କ କରାଇଥିଲେ । ଯଦି ଗୁରୁ ଆଜ୍ଞା ପାଇଥାନ୍ତେ, ସେ ବୈପ୍ଳବିକ ପରିବର୍ତ୍ତନ ଆଣିଥାନ୍ତେ । ସେ ଚାହିଁ ନାହାନ୍ତି ଏପରି ପାପ ପଙ୍କିଳ ଜଗତରେ ବଞ୍ଚି ରହିବାକୁ ବା ସାଧୁ ସନ୍ଥ ଭକ୍ତ ନିର୍ଯ୍ୟାତିତ ହୋଇ ରହିବାକୁ ।

 

ସେ ‘‘ସର୍ବେ ସୁଖୀନ ଭବନ୍ତୁ ସର୍ବୋସନ୍ତୁ ନିରାମୟ’’ – ପରୋକ୍ଷରେ ଏ ବୈଦିକ ଭାବଧାରା ତାଙ୍କର ଜୀବନ ଓ କାବ୍ୟକ ଧର୍ମ ପଥକୁ ପ୍ରତିଧ୍ଵନିତ କରିଛି । ପ୍ରାଣୀଙ୍କ ଆର୍ତ୍ତନାଦ ତାଙ୍କୁ ଗଭୀର ଭାବେ ବ୍ୟଥିତ କରିଛି । ସମସ୍ତଙ୍କର ମୁକ୍ତି, ଶାନ୍ତି, ସମୃଦ୍ଧି ଚାହିଁଛନ୍ତି । ଏଣୁ ତାଙ୍କର ବିଶ୍ୱ ପାଇଁ ଶ୍ରେଷ୍ଠ ବାଣୀ ହେଲା –

 

“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖି ଦେଖି କେବା ସହୁ,

ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।”

 

ଫିରିଙ୍ଗି ତଥା ସେମାନଙ୍କର ପଦଲେହନକାରୀ ଗଡ଼ଜାତ ରାଜାମାନଙ୍କର ଶୋଷଣ ତଥା ଅତ୍ୟାଚାରରେ ମହାନ ବିପ୍ଳବୀ କବି ଭୀମ ଭୋଇ ମ୍ରିୟମାଣ ହୋଇପଡ଼ିଥିଲେ ଏବଂ ଭବିଷ୍ୟତ ବାଣୀ କରିଥିଲେ ।

 

ଯୁଝିବ ଫିରିଙ୍ଗି ନ ପାରିବ ଭାଙ୍ଗୀ ରହିବ ତା’ ନିଜସ୍ଥାନେ,

ସାକ୍ଷୀ ରୂପେ ଦେବତାଏ ଦେଖିଥବେ ରହି ଅଧା ସ୍ଵର୍ଗ ଶୂ‌ନ୍ୟେ ।

(୭ /୨୫ ବୋଲି) ।

 

ତାଙ୍କ ଭବିଷ୍ୟତ ବାଣୀ ସତ୍ୟ ହେଲା । ବିଦେଶୀ ଶାସକର ଅନ୍ୟାୟ, ଅତ୍ୟାଚାରଗ୍ରସ୍ତ କୁଶାସନର ଅବସାନ ହେଲା । ଠାକୁର ଅଭିରାମ ପରମହଂସ (କମଳାମଠ, ପୁରୀ)ଙ୍କ ଭଳି ଭୀମ ଭୋଇ ଥିଲେ ସ୍ୱଦେଶପ୍ରେମୀ ସ୍ୱାଧୀନଚେତା ସନ୍ଥ । ସେ ମଧ୍ୟ ଗୁରୁଙ୍କ ବ୍ୟତୀତ କୌଣସି ରାଜାର ପ୍ରଜା ନଥିଲେ ବା ସାହୁକାରର ଖାତକ ନଥିଲେ । ଥିଲେ ସଚ୍ଚା ଆଦିବାସୀ କନ୍ଧ ବିପ୍ଳବୀ, ମହାପୁରୁଷ । ସେ ଲେଖିଛନ୍ତି –‘‘ରାଜାର ପରଜା ନୋହୁ ସିନା ଆମ୍ଭ ନୋହୁ ସାହୁର ଖାତକ, ଯହୁଁ ଗୁରୁ ନେବେ ତହିଁ ଯାଉଁ ଆମ୍ଭେ ଏକ ଅବା କରୁ ଅଟକ ।’’ (୧୫/୬୪ ବୋଲି) ଭକ୍ତକବି ଦୀନକୃଷ୍ଣ ଦାସଙ୍କ ଭଳି ସେ ମଧ୍ୟ ରାଜାଧିନ ହୋଇ ନାହାନ୍ତି । ସେ ଥିଲେ ମହିମା ଗୋସାଇଁଙ୍କର ଭକ୍ତ । ତାଙ୍କର ନିର୍ଦ୍ଦେଶ ଥିଲା ଶିରୋଧାର୍ଯ୍ୟ ।

 

ଆଧୁନିକ ସଭ୍ୟତାର ବିକୃତ ଆଚାର – ସାଧାରଣ ମଣିଷର ସାର୍ବଭୌମତା, ପୁରୋହିତ ସମ୍ପ୍ରଦାୟର ହୀନମନ୍ୟତା, ଜାତିଭେଦର କଳୁଷତା ଧୌତ କରିବା ପାଇଁ ସେ ପ୍ରବଳ ପ୍ରୟାସ କରିଥିଲେ । ଏଣୁ କବି ଗାଇ ଚାଲିଲେ ମାନବୀୟ ମୁକ୍ତି ଓ ବେଦନାର ସଙ୍ଗୀତ – ଯାହା ଜନ ଜୀବନକୁ ଭେଦ କରିଛି । ସେ ମହିମାମୟ ଧର୍ମ - ଯାହା ସତ୍ୟ – ସନାତନ ଆଦର୍ଶ ତାକୁ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଧରାପୃଷ୍ଠରେ ଅବତରଣ କରାଇବା ପାଇଁ ନିଷ୍କାମ ଭାଗବତ ଧର୍ମରେ ପରିଣତ କଲେ । ଅନାଦି ଠାକୁରଙ୍କ ଉକ୍ତିରେ ‘‘ବହୁତ ଅନ୍ୟାୟ ଦେଖିଲୁ ତେଣୁ ଆମେ ଉଦେ ହେଲୁ ।’’ ସ୍ଵୟଂ ମହିମା ଗୋସାଇଁ,ଗୋବିନ୍ଦ ବାବା (ସ୍ଵୟଂ ଜଗନ୍ନାଥ) ଗୁରୁ ଶିଷ୍ୟ ରୂପରେ ଅବତୀର୍ଣ୍ଣ ହୋଇ ନର ତନୁରେ ମହିମା ଧର୍ମଧାରାରେ ଭକ୍ତ ଜନଙ୍କୁ ଅନୁପ୍ରାଣିତ କରି ଦୀକ୍ଷା ଦେଲେ । ଯେପରି, ‘‘ଯଦା ଯଦା ହିଁ ଧର୍ମସ୍ୟ ଗ୍ଲାନି ର୍ଭବତି ଭାରତ । ଅଭ୍ୟୁଥାନ୍ ମଧର୍ମସ୍ୟ ତଦା ଆତ୍ମନ ସୃଜାମ୍ୟହମ୍ ।’’ (ଗୀତା) । ଯୁଗେ ଯୁଗେ ଜଗତ ସ୍ରଷ୍ଟା ଜଗତର ମଙ୍ଗଳ ପାଇଁ ଧରାରେ ଅବତରଣ କରିଥାନ୍ତି ଏବଂ ଜଗତର ମଙ୍ଗଳ ପାଇଁ ନୂତନ ବାଣୀ, ନୂତନ ଆଦର୍ଶ ମାଧ୍ୟମରେ ମାନବ ସମାଜକୁ ନୂତନ ଦିଗ୍‌ଦର୍ଶନ ଦେଇଥାନ୍ତି । ଏଣୁ କବି ଲେଖିଲେ –

 

‘‘ଅହିଂସା ହୁଅ ସର୍ବଜନ

ହିଂସାରେ ନାହିଁ ବ୍ରହ୍ମ ଜ୍ଞାନ ।’’

 

ବାସ୍ତବରେ ତାଙ୍କର ସଙ୍ଗୀତମୟୀ – ମନ୍ତ୍ରମୟୀ କବିତା ଓ ଦର୍ଶନ ବିଶ୍ଵକୁ ନୂତନ ଦିଗ୍‍ଦର୍ଶନ ଦେଇଛି । ସେଥିଲେ ଶ୍ରେଷ୍ଠ ବିଦ୍ରୋହୀ କବି, ଯିଏ ଜାତି ଓ ସାମାଜିକ ବୈଷମ୍ୟକୁ ବିରୋଧ କରିଛନ୍ତି ଏବଂ ପଣ୍ଡିତମାନଙ୍କୁ ନ୍ୟାୟ ବିଚାର ପାଇଁ ପରାମର୍ଶ ଦେଇଛନ୍ତି ।

 

ଛତିଶ କୁଳ ଯେ ବାଉନ ପାଟକ ଜାତି ବୋଲା ନାହିଁ ଯାଏ,

ପାଣି ଅନ୍ତର ପାଟକ ସିନା ଏଣୁ ସୁପଣ୍ଡିତ କର ନ୍ୟାୟେ ।

(୧୨ ପଦ / ୭୦ ବୋଲି, ସ୍ମୃତି ଚିନ୍ତାମଣି)

 

ମଣିଷ ମଣିଷ ଭଳି ବଞ୍ଚିରହୁ । ସାଧାରଣ ମଣିଷ ଶାସକ ଓ ରାଜାର ଶୋଷଣ ତଥା ଅତ୍ୟାଚାରର ଶିକାର ନ ହେଉ । ସମସ୍ତେ ଏକ ମଣିଷ ଜାତି । ଏହାଥିଲା ତାଙ୍କର ଦୃଢ଼ ମତ । ସାମ୍ୟ – ମୈତ୍ରୀ ସଂହତିର ଜୀବନ ଯଜ୍ଞରେ ଝାସ ଦେଇ ଈଶ୍ଵରଙ୍କ ଆରାଧନା ହେଉ ମଣିଷର କାମ୍ୟ । ଯଦିଓ ଏ ଯାଏଁ ଭଗବାନଙ୍କୁ ମନ୍ଦିରମାନେ ମାଡ଼ିବସିଛନ୍ତି, ପଣ୍ଡାମାନେ ମାଡ଼ିବସିଛନ୍ତି, ଶାସ୍ତ୍ର ମାଡ଼ି ବସିଛି । ଗୋଟାଏ ଗୋଟାଏ ମୁଖା ପିନ୍ଧି କେତେ କୁଶଳତା ସହିତ ଅଭିନୟ କରିବାରେ ଲାଗିଛନ୍ତି । (ଚିତ୍ତରଞ୍ଜନ ଦାସ ଠାକୁରମାନେ ନାବାଳକ) । ଯାହାର ଯେମନ୍ତ ସ୍ୱଭାବ, ଗୁରୁ କହିଲେ କିସ ହେବ । ସ୍ୱାର୍ଥାନ୍ଧ ଧର୍ମାନ୍ଧ ମଣିଷର ସ୍ୱଭାବ ପରିବର୍ତ୍ତନ ହୋଇନାହିଁ । ମଣିଷ ଧର୍ମରଥ ଚଳାଇ ନିଜ ସ୍ୱାର୍ଥ ସାଧନ କରୁଛି । ଏ ଅବସ୍ଥା ଭୀମ ଭୋଇଙ୍କ ବେଳେ ମଧ୍ୟ ଥିଲା । ଫଳରେ ଏବେ “ଅନର୍ଥ ବଢ଼ୁଛି, ଅନ୍ଧାର ଘୋଟି ଚାଲିଛି ।’’ ଏହାର ପ୍ରତିକାର ଓ ମୂଳୋତ୍ପାଟନ ପାଇଁ ପ୍ରତିଜ୍ଞା କରିଥିଲେ ସନ୍ଥ କବି । ହେଲେ ଅନ୍ଧ ସମାଜ କନ୍ଧ ବାଣୀର ବହୁ ଦୂରେ । ଆଜିର ମାନବୀୟ ରୂପ ଭୟଙ୍କର । ପ୍ରଶାସକ, ନେତା ପୁଞ୍ଜିପତି, ଶିଳ୍ପପତି, ଭଲା ସାରସ୍ୱତ ସେବକଙ୍କର କି ଗୁଣ ଗାଇବେ-? ‘ଖଜୁରୀ ଗଛତ ମୂଳରୁ ପାହାଚ ପାହାଚ’ ଏବଂ ବାହାରେ ସାଧୁ ବେଶ ଭିତରେ ଭିନ୍ନ ।’ କାମିନୀ-କାଞ୍ଚନ, ପଦ-ପଦବୀ ଲୋଭରେ ଲୋକେ ଆତ୍ମ ସମର୍ପଣ କରୁଛନ୍ତି । ବୁଦ୍ଧି, ଜ୍ଞାନ, ଡିଗ୍ରୀ ବିକ୍ରି ହେଉଛି । ସେମାନେ କେବଳ ବର୍ତ୍ତମାନ ସର୍ବସ୍ୱ । କବିଙ୍କ ଭାଷାରେ –

 

ବାହ୍ୟକୁ ଲଗାଇ ଲଜ୍ଜାକୁ ଜଗାଇ

ମିଛ ପସରାକୁ ସାର ।

ମହାକାଳ ଫଳ ବାହାରେ ସୁନ୍ଦର

ଭିତରେ ପୋଡ଼ା ଅଙ୍ଗାର । ୬/ ୧୯ ବୋଲି

 

ଏହାହିଁ ଆଜି ସମାଜର ସ୍ୱରୂପ । ସନ୍ଥ ଭୀମ ଭୋଇଙ୍କ ତିରୋଧାନର ଏକଶତବର୍ଷ ପରେ ବି ତାଙ୍କ ସମୟର ସାମାଜିକ ଅବସ୍ଥା ଆଜି ବି ଊଣା ଅଧିକେ ସେହିପରି ରହିଅଛି ।

 

ଏଣୁ ପଶୁତ୍ୱରୁ ମଣିଷକୁ ଉଦ୍ଧାର କରିବା ଏତେ ସହଜ ନୁହେଁ । ଯେହେତୁ ମଣିଷର ନୀତି-ନିୟମ-ଆଚରଣ ବିଚାର ପରିବର୍ତ୍ତନ ହେଉନାହିଁ ବା ହେବାର ଲକ୍ଷଣ ଦେଖାଯାଉ ନାହିଁ ।

 

ଏବେବି ପ୍ରାଣୀଙ୍କ ଆର୍ତ୍ତନାଦ ସମଗ୍ର ବିଶ୍ଵର କୋଣ ଅନୁକୋଣରେ ଶୁଭୁଛି । ‘କଳିଙ୍ଗ ନଗର’ରୁ ଇରାକ, ଆଫ୍ରିକା, ଆଫଗାନିସ୍ଥାନ ପର୍ଯ୍ୟନ୍ତ ଏହା ପ୍ରତିଧ୍ୱନିତ । ଏପରି କଷ୍ଟ ଦେଖି କବିଙ୍କ ହୃଦୟ କାନ୍ଦିଉଠି ଥିଲା । ତାଙ୍କର ଏହି କାରୁଣ୍ୟ ଭାବ ଓ ସମଗ୍ର ଜଗତର କଲ୍ୟାଣ ଚିନ୍ତା ‘ସ୍ତୁତି ଚିନ୍ତାମଣି’ରେ ଉଦ୍‌ଘୋଷିତ । କବି କରୁଣାକ୍ତ ହୋଇ ଲେଖିଛନ୍ତି –

 

ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧିର ଫୁଟେ ମାଉଁସ ଜାଣଇ,

ତେଣୁ କରି ସିନା ପ୍ରାଣୀଙ୍କ ବିକଳ ସହି ନ ପାରଇ ମୁହିଁ । (୨୭ ବୋଲି)

 

କବି ବ୍ୟଥିତ ହୋଇ ଭଗବାନଙ୍କର ସାହାଯ୍ୟ କାମନା କରିଛନ୍ତି । କାରଣ ଆଜି ଏକବିଂଶ ଶତାବ୍ଦୀରେ ଏବଂ ସ୍ଵାଧୀନ ଦେଶରେ ନ୍ୟାୟ ପାଇଁ ସ୍ୱର ଉତ୍ତୋଳନ କଲେ ନିର୍ମମ ଭାବେ ଦମନ କରାଯାଉଛି, ଗୁଳି ଚଳାଇ ହତ୍ୟା କରାଯାଉଛି । ନ୍ୟାୟ ଉପରେ ପରଦା ପକାଇ ଅନ୍ଧ ଆଇନ ମଣିଷ ଶିକାର କରୁଛି । ନିରୀହ ମଣିଷକୁ ଚୁଗୁଲିଆଙ୍କ ଦ୍ଵାରା ବଶବର୍ତ୍ତୀ ହୋଇ ଉଚ୍ଚ ଶିକ୍ଷିତ କ୍ଷମତାଶୀଳ ବ୍ୟକ୍ତି, ଶାସକ-ପ୍ରଶାସକ ତଥା ଶକ୍ତିଧର ନେତା ଦଣ୍ଡ ଦେଉଛନ୍ତି । (କବି ଗଙ୍ଗାଧର) ।

 

ଏପରି ପରିସ୍ଥିତିରେ ସର୍ବଶକ୍ତିମାନ ମହିମା ଗୋସାଇଁ ନୀରବ ରହିବା କେତେଦୂର ବାଞ୍ଛନୀୟ ! ଫଳରେ କବି ଭୀମ ଭୋଇ ବିଦ୍ରୋହ କରି ଉଠିଥିଲେ । ସେ ଗାଇଥିଲେ :

 

ମହାପ୍ରଭୁ ହୋଇ କର୍ତ୍ତାପଦ ବହି

ସକଳ ହେଉଛି ବୃଥା

ପିଣ୍ଡ ଦେଇ ପ୍ରଭୁ ମଣ୍ଡନ ଦେଉଛ

ଏ ପୁଣି କେବଣ କଥା ?

 

ପୁନରାୟ ନିଜର ଇଷ୍ଟ ମହିମା ଗୁରୁଙ୍କୁ କଠୋର ହୋଇ କହିଲେ – ‘‘ନିଷ୍ଠୁର ହିଆ ନବସେ ତୋ ଦୟା, ଭକ୍ତ ପ୍ରାଣଖିଆ ହରି ।’’

 

ମାନବର ଦୂରାବସ୍ଥାରେ କବିଙ୍କର ହୃଦୟ ଆଲୋଡ଼ିତ ହୋଇଛି । ପୁଣି ପ୍ରଭୁଙ୍କୁ କ୍ରୋଧ ବଶ ହୋଇ ଧିକ୍କାର କରି କହିଲେ :

 

ଭକ୍ତକୁ ଭଗାରି, ଦୁଃଖ ଦେଉଛ ଗଞ୍ଜଣା

ଲଜ୍ଜା କି ନାହିଁ ତୁମକୁ ପାତାଳରେ ପଶନା । (୫) ।

XX XXX

ଏଡ଼େ ପ୍ରଭୁ ଥାଉଁ ଥାଉଁ ଦୁଃଖ ନ ଗଲା ଜଣା । (୬) ୨୬୫ ପଦ ୨ୟ ଭାଗ ଭଜନମାଳା)

 

ତୁମେ ଏଡ଼େ ବଡ଼ ପ୍ରଭୁ ଥାଇ ଭକ୍ତଙ୍କର ଏକି କ୍ଲେଶ, ଗଞ୍ଜଣା ଏବଂ ଅକଥନୀୟ ଦୁଃଖ ! ତୁମେ କ’ଣ ଭକ୍ତ ପ୍ରତି ଭଗାରି ସାଜି, ଗଞ୍ଜଣା ଦେବାକୁ ଆସିଛ । ଏପରି ନୀରବତା, ନିଶ୍ଚଳତା ଅଖିଳ ବ୍ରହ୍ମାଣ୍ଡ ପତିଙ୍କ ପକ୍ଷରେ ଶୋଭା ପାଏ କି ?

 

କେ ତୁମକୁ ଆଜ୍ଞା ଦେଲା ଆସ ବୋଲି ମର୍ତ୍ତ୍ୟକୁ

ସଂସାର ଭୟରେ କିମ୍ପା ଲୁଚୁ ଅଛି ପଛକୁ । (୩)

ଜାଣି କି ନଥିଲ ପ୍ରଭୁ ଜଗତ ପ୍ରପଞ୍ଚକୁ

କଉତୁକ ମଣିଛ କି ପୃଥୀ ଜମ୍ବୁ ଦୀପକୁ ? (୪)

(୨୬୬ ପ:- ୨ୟ ଭାଗ ଭ:ମା:)

 

ଏହି ସକଳ ଯାତନାମାନଙ୍କୁ ଦେଖି ତାହା ହରଣ କରୁନଥିବାରୁ ସେ ସ୍ୱୟଂଜଗତର ସ୍ରଷ୍ଟାଙ୍କୁ ଆହ୍ୱାନ କରି କହୁଛନ୍ତି ଯେ ତୁମେ ସିନା ପ୍ରଭୁ ନିର୍ଗୁଣ । ବାକି ସବୁ ମଣିଷ ସଗୁଣ ଧର୍ମୀ । ପ୍ରଭୁ କିଏ ତୁମକୁ ଆଜ୍ଞା ଦେଲା, ଏପରି ବିକଟ – ବିକଳାଙ୍ଗ ଧରାରେ ଅବତାର ଗ୍ରହଣ କରିବା ପାଇଁ ? ଏ ସଂସାର ଦୁଃଖ ତ ଦୂର କରିପାରୁ ନାହଁ, କ’ଣ ଖେଳ କୌତୁକ କରିବା ପାଇଁ ଏଠାକୁ ଚାଲି ଆସୁଛ ?

 

ଏଣୁ ସମସ୍ତ ରାଗ-ରୋଷ-ଅଭିମାନ ପ୍ରଭୁଙ୍କ ପ୍ରତି ଅଜାଡ଼ି ଦେଇ ଜଗତ ପ୍ରାଣୀଙ୍କ ପାଇଁ ଅଶ୍ରୁଳ ବେଦନାରେ ଫାଟି ପଡ଼ିଥିଲେ କବି । କବି ସୂର୍ଯ୍ୟ ବଳଦେବ ରଥ ଜଗନ୍ନାଥଙ୍କୁ ‘ସର୍ପ ଜଣାଣ’ରେ ନିଜ ପାଇଁ ଅଭିଯୋଗ କରିଥିଲେ । ମାତ୍ର ମହାମାନବ କବି ଭୀମ ଭୋଇ ବିଶ୍ୱ ଜୀବନ ପାଇଁ ବ୍ୟାକୁଳ । ଏଣୁ ଲେଖିଲେ ‘‘ପରର ଆନନ୍ଦ ମଙ୍ଗଳ ଅନ୍ୟରେ କି ଅଛି କାର୍ଯ୍ୟ !’’ ପରର ମଙ୍ଗଳରେ ସେ ଆନନ୍ଦିତ ଥିଲେ । ତାଙ୍କ ମନରେ ଈର୍ଷା, ଗର୍ବ, ପରଶ୍ରୀକାତରତା ବସା ବାନ୍ଧି ନଥିଲା । ସେ ଥିଲେ ଉଦାରତା, ସରଳ, ମାନବିକତାର ଜୀବନ୍ତ ପ୍ରତିମୂର୍ତ୍ତି । ତେଣୁ ଯେତେବେଳେ ସେହି ନିଷ୍ପେସିତ ମାନବଜାତି ଉପରେ ପ୍ରବଳ ଅତ୍ୟାଚାର ସେ ଦେଖିଥିଲେ, ବିଦ୍ରୋହୀ ହୋଇ ଯାଇଥିଲେ । ତେଣୁ ଆଧୁନିକ ଓଡ଼ିଆ ଭାଷା ସାହିତ୍ୟର ଏହି ଆଦି ବିଦ୍ରୋହୀ ମହାକବି ଭୀମ ଭୋଇ ଗାଇ ଉଠିଥିଲେ –

 

ନବଖଣ୍ଡ ମହୀ, ଥାଳି ପ୍ରାୟ ହୋଇ ହେଜିଲେ ମନକୁ ଆସେ

ଏ ମୋର ନେତ୍ରକୁ ଛପ୍ନାକୋଟି ଜୀବ ତିରଣ ପରାଏ ଦିଶେ ।

(୧୬) । ୨୬ ବୋଲି ।)

 

ଏକା ଦିବସରେ କ୍ଷଣିକ ଭିତରେ ଦ୍ରନ୍ତି ପୃଥ୍ୱୀ ଲେଉଟାଇ

ଦାନ୍ତ କାମୁଡ଼ି କିସ ବୁଦ୍ଧି କରିବି ଶ୍ରୀଗୁରୁଙ୍କ ଆଜ୍ଞା ନାହିଁ । ୧୭/୨୭

 

ଭକ୍ତକବି ଭୀମ ଭୋଇ ନଥିଲେ ସାଧାରଣ ସାଧୁ । ସେ ଥିଲେ ବ୍ରହ୍ମଜ୍ଞାନୀ । ଏକ ଜ୍ୱଳନ୍ତ ଅମ୍ଳାନ ବ୍ରହ୍ମଦୀପ ଗୁରୁ ଆଦେଶ ପାଇଥିଲେ ସେ କଳି ଯୁଗର ଆକାଂକ୍ଷା ପୂରଣ କରି ଦେଇଥାନ୍ତେ-। ତାଙ୍କ ଆଖିରେ ଜଗତ ଥାଳି ପ୍ରାୟେ ଦିଶୁଥିଲା । ଜଗତ ତାଙ୍କ ପକ୍ଷେ ତିରଣ ତୁଲ୍ୟ ଥିଲା । ସେ କଳୁଷିତ – ପୃଥିବୀକୁ ଓଲଟାଇ ଧ୍ୱଂସ କରି ଦେଇଥାନ୍ତେ । ମାତ୍ର ଗୁରୁଙ୍କ ଆଦେଶ ନଥିଲା ଏହା କରିବା ପାଇଁ । ତେଣୁ ପ୍ରତିଜ୍ଞା କଲେ –

 

ବସିଥାଇ କୂଳ, ମହାନଦୀ ଜଳ ଛୁଉଁଅଛି ସତ୍ୟ କରି ।

ଧର୍ମକୁ ଲଙ୍ଘି ସୁରାପାନ କରିବି, ହରିବି ବ୍ରାହ୍ମଣ ସ୍ତିରୀ । (୨/ ୨୬ ବୋଲି)

 

କି ଭୀଷ୍ମ ପ୍ରତିଜ୍ଞା ! ତାଙ୍କର ଚରମ ବିଦ୍ରୋହର ବାଣୀ ଏଥିରୁ ଅନୁମେୟ ଯେ ସେ କିପରି ଦୁର୍ଦ୍ଧାନ୍ତ ସିଦ୍ଧ ପୁରୁଷ ଥିଲେ । ଜଗତ ଜନ ସୁଖରେ ନଥିବାରୁ ସେ କ୍ଷୁବ୍ଧ ହୋଇ ଉଠିଥିଲେ । ଧର୍ମ ତ୍ୟାଗ କରିବେ । ମଦ୍ୟପାନ କରି ଉନ୍ନାଦ ହେବେ । ସମାଜର ତଥାକଥିତ ଉଚ୍ଚଶ୍ରେଣୀର ସ୍ତିରୀକୁ ହରଣ କରିବେ । ଯେହେତୁ ‘‘ପ୍ରାଣୀଙ୍କ କଷଣ, ଭେଦୁଅଛି ମନ, ଜୀବନକୁ ମୋର ବାଧେ” (୨୦/୨୭ ବୋଲି) । ସେ ଦେଖିଛନ୍ତି ୧୮୬୬ରେ ନଅଙ୍କ ଦୁର୍ଭିକ୍ଷର କରୁଣ ଚିତ୍ର । ଅନ୍ନ ପାଇଁ ଚାରିଆଡ଼େ ହାହାକାର । କୃପଣ ଧନୀ – ଜମିଦାରଙ୍କ ଦ୍ୱାରା ଲୋକେ ଅବହେଳିତ । ଫଳରେ ଜନ ଜୀବନ ହୋଇଛି ତଳି ତଳାନ୍ତ, ପଦ ଦଳିତ, ନିର୍ଯ୍ୟାତିତ । କିପରି ରକ୍ତମାଂସ ଶରୀରଧାରୀ କବି ଧୈର୍ଯ୍ୟ ଧରି ରହିପାରନ୍ତେ ? ଆଜିର ମଣିଷ ଖାଲି ଲୋକ ଦେଖାଣିଆ ସେବାରେ ବ୍ୟସ୍ତ । ବନ୍ୟା-ମରୁଡ଼ି ପାଇଁ ଆର୍ଥିକ ସାହାଯ୍ୟ ଆସିଲେ ବାଟମାରଣା ହେଉଛି, ନେତା-ପ୍ରଶାସକ ହାତ ଚିକ୍‍ଣ କରୁଛନ୍ତି । କାହାରି ହୃଦୟରେ ଅବହେଳିତ ସାଧାରଣ ମଣିଷ ପାଇଁ ଦରଦ ନାହିଁ । ବିକାଶ ନାଁରେ ବିନାଶ ଚାଲିଛି । ସାଧାରଣ ଲୋକେ ଜଳକା ପରି ଚାହିଁଛନ୍ତି । ଅଥଚ ମୁଷ୍ଟିମେୟ କିଛି ଅନ୍ୟର ଶ୍ରମକୁ ଶୋଷଣ କରି ନିଜର ଶ୍ରୀ ସମ୍ପଦ ବୃଦ୍ଧିରେ ମଗ୍ନ । ବିଦ୍ରୋହୀ ଭୀମ ଭୋଇଙ୍କ ଭାଷାରେ–

 

କରି ଠକ ପଣ ନେଇଛନ୍ତି ଦିନ ଘୋର ଯୁଗ କଳିକାଳେ ।” ( ୧୬ /୨୦ ବୋଲି)

 

ମଣିଷ ମଣିଷକୁ ମାରୁଛି, ଲୁଟୁଛି । ଏଣୁ ସେମାନଙ୍କୁ ଦୟାର୍ଦ, ନୀତିବାନ, ବିଦ୍ରୋହୀ କବି ତୀବ୍ର ସମାଲୋଚନା କରିଛନ୍ତି । କବି ସତ୍ୟ ସନାତନ ମହିମା ଧର୍ମର ଉପାସନା ପାଇଁ ଜନସାଧାରଣଙ୍କୁ ଅନୁରୋଧ କଲେ; କିନ୍ତୁ ସେମାନେ ମହାତ୍ମା ଭୀମ ଭୋଇଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲେ – ପିଟିଲେ ଆଉ ଗାଁ ଦାଣ୍ଡରୁ ବି ତଡ଼ିଥିଲେ । ଏକଥାର ଅଶ୍ରୁଳ ବର୍ଣ୍ଣନା ସ୍ତୁତି ଚିନ୍ତାମଣି ଓ ଚଉତିଶାରେ ରହିଛି । ଏକ ସାମ୍ୟମୟ ସମାଜ ଗଠନ ପାଇଁ ମହିମାଧର୍ମ ଶିକ୍ଷାଦିଏ ଏବଂ ଏହି ଦର୍ଶନ ପ୍ରଚାର ପାଇଁ ସେ କେତେ କଷ୍ଟ ସହ୍ୟ କରିଛନ୍ତି, ତାହା ଅବର୍ଣ୍ଣନୀୟ । ତେଣୁ ସେ ଲେଖିଲେ –

 

କିରସ୍ତାନ ବୋଲି ଦେଇଛନ୍ତି ଗାଳି ନିନ୍ଦା କରୁଛନ୍ତି ଲୋକ ।

 

ଏପରିକି ଲୋକେ ଅଧମ, କର୍ଣ୍ଣପିଶାଚୀ, ପଠାଣ, ଖପରାଖିଆ, କୁକୁର, ଅଛବଜାତି ଆଦି କହି ଭୀମ ଭୋଇ ଓ ମହିମା ସାଧୁ ଏବଂ ଭକ୍ତଙ୍କୁ ରାସ୍ତା ଘାଟରେ ଟେକାପଥର ପକାଇ ଭର୍ତ୍ସନା କରିଛନ୍ତି । ପୁରୋହିତବାଦ, ଅପସଂସ୍କୃତି, ଅନ୍ଧବିଶ୍ୱାସ, କୁସଂସ୍କାର ଓ ପ୍ରତିମାପୂଜାକୁ ମହାନ ବିପ୍ଳବୀ ଭୀମଭୋଇ ଅସ୍ୱୀକାର କରି ଘୋଷଣା କଲେ ବିଷ୍ଣୁ-ନାରାୟଣ, ରାମ, କୃଷ୍ଣ ଆଉ ନାହାନ୍ତି-। ତାଙ୍କର ପ୍ରତିମା ପୂଜା କରିବା ନିରର୍ଥକ ।

 

ତେଣୁ , ସେ କାବ୍ୟ ବାଣୀ ଉଚ୍ଚାରଣ କଲେ :

 

ଚିତ୍ର ପଟକୁ ନେତ୍ରେ ଦେଖି,

ମନ ଆନନ୍ଦେ ହୋଇ ସୁଖୀ ।

ଏ ଘଟେ ଜଗନ୍ନାଥ ଅଛି

ପ୍ରତିମା ମିଛରେ ପୂଜୁଛି।

ମୂର୍ତ୍ତି ପ୍ରତିମା ଶୁଷ୍କ କାଠ

ସେ ପୁଣି ନେବକି ବୈକୁଣ୍ଠ।

ମିଥ୍ୟାରେ ଭୁଲି ମରେ ପ୍ରାଣୀ

ଘଟ ପ୍ରତିମାକୁ ନ ଚିହ୍ନି ।

ପୁଣି କହିଛନ୍ତି ।

ଏ ଦେହରେ ସବୁଅଛି

ବେଦ ଭୁଲାଇ ମାରୁଛି,

ବିଅର୍ଥେ ନ ଯାଅ କ୍ଷେତ୍ର ଓଡ଼ିଶା ଗୋ ( ୨/୨୦୫, ୨ୟ ଭଜନମାଳା)

 

ପ୍ରଚଳିତ ଧର୍ମ ଧାରଣା ପ୍ରତି ଏହା କବିଙ୍କ ପ୍ରଚଣ୍ଡ ବିରୋଧ ଏବଂ ସମାଜ ସଂସ୍କାର ପାଇଁ ଦୃଢ଼ ଆହ୍ୱାନ ଶ୍ରୀ କ୍ଷେତ୍ରକୁ ଜଗନ୍ନାଥ ଦର୍ଶନ ପାଇଁ ଯିବାର ଆବଶ୍ୟକତା ନାହିଁ । ଏହି ପିଣ୍ଡରେ ବ୍ରହ୍ମ ବା ଜଗନ୍ନାଥ ଅଛନ୍ତି । ଏଣୁ ବିଦ୍ରୋହୀ କବି କାଷ୍ଠ ପ୍ରତିମା ପୂଜା ଲୋକେ ଭ୍ରମବଶତଃ ବା ଅଜ୍ଞାନତା ହେତୁ କରୁଛନ୍ତି ବୋଲି ଘୋଷଣା କରିଛନ୍ତି । ‘‘ଭାଗ୍ୟ ଥିଲେ ଧର ଧର ପାଦ ପଦ୍ମ ହେ । ଖଣ୍ଡିବ କାଳ ବିପଦି ପରମାଦ ହେ ।” ଲୋକେ ଅଯଥା ଧନ ଓ ସମୟର ଅପବ୍ୟୟ ନ କରି ବାସ୍ତବବାଦୀ ହୋଇ ଅବତାରୀ ମହିମା ଗୋସାଇଁଙ୍କୁ ପ୍ରତ୍ୟକ୍ଷ ଦର୍ଶନ କରିବା ପାଇଁ ପ୍ରେରଣା ଦେଇଥିଲେ ନିଜ କାବ୍ୟ-କବିତାରେ । ବୈଦିକ ହିନ୍ଦୁ ପରମ୍ପରାକୁ ପ୍ରବଳ ବିରୋଧ କରି ସେ ସ୍ଵର ଉତ୍ତୋଳନ କରିଥିଲେ ।

 

ଜପ ତପ ନ କରିବେ ତୀର୍ଥ ବ୍ରତ ନ ଫେରିବେ ଛାଡ଼ି ଶାସ୍ତ୍ର ବେଦ ହେ,

ନ କରି କ୍ରିୟା କରମ ସନ୍ଧ୍ୟା ତର୍ପଣ ଧରମ ଅଗ୍ନି କୁଣ୍ଡେ ଘୃତ ହେ ।

(୩/୨୩୦ ୨ୟ ଭଜନମାଳା)

 

ଏସବୁକୁ ବାଦ୍ ଦେଇ କେବଳ ପରମ୍ ବ୍ରହ୍ମ ମହିମା ଗୋସାଇଁଙ୍କୁ ଭଜନ କରିବା ମାନବ ଧର୍ମ ବୋଲି ପ୍ରକାଶ କରିଛନ୍ତି । ସେ ଲେଖିଲେ–

 

ଦିନୁ ଦିନ ହୋଇଲାଣି ଘୋର କଳି କାଳ

କାହିଁରେ ନାହିଁନା କିଛି, ବୁଦ୍ଧି ଏକ ଦିଶୁଅଛି ସାଧୁସଙ୍ଗ ମୂଳ (୨୩୦ ପଦ)

 

ଅର୍ଥାତ୍ ସତ୍‍ସଙ୍ଗ, ମାନବିକ ମୈତ୍ରୀଭାବ ଓ ଅହିଂସା ଗୁଣ ହିଁ ମାନବ ଜୀବନ ଓ ଜଗତକୁ ସତ୍ ପଥରେ ନେଇପାରିବ । ତେଣୁ ଲୌକିକ ପୁରୋହିତ ପ୍ରାଧାନ୍ୟ ଥିବା ପ୍ରତିମାପୂଜା ତ୍ୟାଗ କରି, ଜାତି-ବର୍ଣ୍ଣ ପ୍ରଥାକୁ ଲୋପ କରିବା ପାଇଁ ସେ ସମାଜକୁ ଉଦ୍‍ବୁଦ୍ଧ କରିଥିଲେ ।

 

ପୁଣି ସ୍ତ୍ରୀ ଜାତି ପ୍ରତି ତାଙ୍କର ମହାନ୍ ସନ୍ଦେଶ ପ୍ରଦାନ କରି ସେ କହିଥିଲେ –

 

ନିନ୍ଦା ଗର୍ବମାନ ନ ରହିବ ଟାଣ, କରୁଥିବେ ଏକଭାବ,

ପୁରୁଷଙ୍କୁ ସ୍ତିରୀ ଜ୍ଞାନ ବୁଝାଇବ, ସତ୍ୟଯୁଗ ଲେଉଟିବ (୧୮/୭୪ ବୋଲି)

 

କବି ନାରୀ ଜାତି ପୁରୁଷ ସମାଜକୁ ପ୍ରକୃତ ଧର୍ମ ଶିକ୍ଷା ଦେଇ ଅନୁପ୍ରାଣିତ କରିବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିଲେ । ନାରୀମାନେ ସତ୍ୟ ମହିମା ପ୍ରତି ଆକୃଷ୍ଟ ହେଲେ ଜଗତରେ ସତ୍ୟଯୁଗ ପ୍ରତିଷ୍ଠା ସମ୍ଭବପର ହେବ ବୋଲି ସେ ଘୋଷଣା କରିଥିଲେ ।

 

କାରଣ ସେ ଜାଣିଥିଲେ ପୁରୁଷ ଅପେକ୍ଷା ନାରୀମାନେ ଅଧିକ ଧର୍ମ ପରାୟଣା । ଯେଉଁଦିନ ନାରୀମାନେ ମହିମାଧର୍ମ ନେଇ ସଂଯତ ଓ ଶୃଙ୍ଖଳିତ ହେବେ – ସଂସାର ପବିତ୍ର ହେବ-। ଏଣୁ ସାଧୁ-ସତ୍-ସଙ୍ଗ କରିବାକୁ ସେ ନାରୀମାନଙ୍କୁ ଅନୁରୋଧ କରିଥିଲେ । ଯା’ ଫଳରେ ତାଙ୍କଠି, ନିରେ ପରାପତ ହେବ ବ୍ରହ୍ମ ଅଙ୍ଗ । (୧୮୯/୨ ୟ ଭାଗ ଭଜନମାଳା) ବୋଲିରେ ଦୃଢ଼ତାର ସହିତ ପ୍ରକାଶ କରିଥିଲେ ।

 

ଋଷିକବି ଭୀମ ଭୋଇ ଥିଲେ ଜନତାର ଧାର୍ମିକନେତା - ପରାମର୍ଶଦାତା । ସରଳ, ନବାକ୍ଷରୀ ଛନ୍ଦରେ ଲିଖିତ ବ୍ରହ୍ମ ନିରୂପଣ ଗୀତାରେ ଶ୍ରୀଗୁରୁ ଓ ନିରାକାର କଥୋପକଥନ ମାଧ୍ୟମରେ ପିଣ୍ଡ ବ୍ରହ୍ମାଣ୍ଡ ରହସ୍ୟକୁ ସେ ସରଳ ଭାବେ ଆଲୋଚନା କରିଛନ୍ତି । ‘‘ମୀନ ଗର୍ଭେ ଯେଉଁ ରୂପେ ଜୀବ ଆତ୍ମା ଅଛି । ସେହି ରୂପେ ଏ ଘଟରେ ବ୍ରହ୍ମଟି ଖେଳୁଛି-।” (୭୩/୧୪ ଅଧ୍ୟାୟ) । ସେପରି ‘‘ଆଦିଅନ୍ତ ଗୀତା’’ରେ ଶୁଦ୍ଧ କାଳ ଦେଖି ଯୌନ-ଜୀବନ-ସଂଯୋଗ କଥା ଉଲ୍ଲେଖ କରି ପତି ପତ୍ନୀର ଆଦର୍ଶ ଜୀବନଗାଥା ଉଲ୍ଲେଖ କରିଛନ୍ତି । ସେ ନୀତିହୀନ ଦୈହିକ ପ୍ରେମ ପ୍ରଣୟକୁ ଘୋର ବିରୋଧ କରିଛନ୍ତି, ‘ଋତୁମତ’ ରୀତିକୁ ମାନ୍ୟତା ଦେଇଛନ୍ତି । “ଜାତି ଗୋତ୍ର ନ ମାନିଲେ ଗୋ ନୀଚ ଉଚ୍ଚ, ସତ୍ୟ ଧର୍ମ ଧାରଣାକୁ ଗୋ କଲେ ପଛ ।” “ବଡ଼ଲୋକ ବୋଲାଇଲେ ଗୋ ଖଚ କହି ।’’ ଏଥିରେ ତଥାକଥିତ ସଂଭ୍ରାନ୍ତ ଲୋକଙ୍କ ପ୍ରତି କ୍ଷୁବ୍ଧ । ଅଷ୍ଟ ବିହାରୀ ଗୀତାରେ ମଣିଷ-ସତ୍ୟ-ନ୍ୟାୟ-ଧର୍ମ ପଥରେ ଚାଲିଲେ କଳିର କରାଳ ବିପଦରୁ ରକ୍ଷା ପାଇବେ । ଏଣୁ ଜ୍ଞାନରେ ହୁଅ ପରିଚାର, ବିହିତ କର୍ମମାନ କର ।’’ ମାନବୋଚିତ ତଥା ନୈତିକ ଜୀବନଯାପନ ପାଇଁ ଅହରହ ଆସୁରିକ ଭାବନାରେ ଆକ୍ରାନ୍ତ ମନୁଷ୍ୟଜାତିକୁ ପରାମର୍ଶ ଦେଇଛନ୍ତି-। ଏହାହିଁ ପ୍ରକୃତ ଜ୍ଞାନ ବୋଲି ମହାକବି ଭୀମ ଭୋଇ ଘୋଷଣା କରିଛନ୍ତି । ମାନବତାରୂପୀ ଜ୍ଞାନ ଆହରଣ କରି ମଣିଷ ଜାତି ଆନନ୍ଦ ଲାଭ କରିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

 

‘କୁମ୍ଭୀପଟ’ ପିନ୍ଧି ଗୃହତ୍ୟାଗୀ ବା ସଂସାରତ୍ୟାଗୀ ସନ୍ୟାସ ଦର୍ଶନକୁ ମଧ୍ୟ ସେ ବିରୋଧ କରିଛନ୍ତି । ଏପରିକି ଅନାଦି ଠାକୁରଙ୍କ ମୁହଁରେ କବି କହୁଛନ୍ତି- “ଆମ୍ଭର ଦୀକ୍ଷା ଯେ ଧରଇ, ସେହୁ ଆମ୍ଭକୁ ଭେଟ ପାଇ?’’ ସେ ପଛେ ଦିଗମ୍ବରନୋହୁ, ଗୃହରେ ରହି ଜପୁ ଥାଉ ।” ତା’ର ପୁରକୁ ଆମେ ଯାଉଁ, କ୍ଷଣେ ବୋଇଲେ ଦଣ୍ଡ ରହୁ । (ଷୋଡ଼ଶ ଅଧ୍ୟାୟ ନିର୍ବେଦ ସାଧନ) ସଂସାରରେ ସଂସାରୀ ହୋଇ ସାଧୁ ଜୀବନ ଯାପନକୁ କବି ସ୍ଵାଗତ କରିଛନ୍ତି । ତେଣୁ ଲେଖିଛନ୍ତି ‘‘ତିମିର ଅନ୍ଧାର, କରି ମହାଘୋର ଘୋଟିଲାଣି ତିନିପୁର, ଧନ ଦେଖି ମନକୁ ବଢ଼ାଇ ଦେଲେ ସାଧୁ ତ ହେଲେଣି ଚୋର ।’’ ତେଣୁ ସାଧୁ ସନ୍ଥ ହୋଇ ମିଥ୍ୟା ଲୋଭ, ବଶବର୍ତ୍ତୀ ହେଲେ ଜୀବନର କି ମୂଲ୍ୟ ? ଏଣୁ କବି ବିଦ୍ରୋହୀ ହୋଇ ଉଠିଥିଲେ ଏ ମଣିଷ ସୃଷ୍ଟ ଅସାମ୍ୟ, ଅନୀତି ରୂପୀ ଅନ୍ଧକାରକୁ ଅବଲୋକନ କରି ସେ ମଣିଷ ଜାତିକୁ ଚକ୍ଷୁଷ୍ମାନ କରାଇ ଜ୍ଞାନଜ୍ୟୋତିକୁ ହୃଦୟରେ ଧାରଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ତାଙ୍କର ଏହି କଳ୍ପିତ ସମାଜ ହିଁ ଧରଣୀରେ ସତ୍ୟଯୁଗ ସୃଷ୍ଟି କରିପାରିବ ବୋଲି ସେ ବିଶ୍ୱାସ କରିଛନ୍ତି ।

 

କିନ୍ତୁ ତାଙ୍କର ଏହି ବାହ୍ୟ ଧର୍ମ ଧାରଣା ପ୍ରକୃତି ପକ୍ଷେ ପ୍ରଚଳିତ ଅସାମ୍ୟ, କର୍ମ-କାଣ୍ଡମୟ ପୁରୋହିତ ପ୍ରଥା, କାଷ୍ଠ-ପ୍ରସ୍ତର-ପ୍ରତିମା ପୂଜା, ଶୋଷକ-ଶାସକ-ପୁରୋହିତଙ୍କ ମଧୁର ମିଶ୍ରଣରେ ଗଠିତ ଜାତିଭେଦ ପୂର୍ଣ୍ଣ ସମାଜ ବିରୁଦ୍ଧରେ ପ୍ରାକ୍-ବିଂଶ ଶତାବ୍ଦୀର ଓଡ଼ିଶା, ଯେଉଁଠାରେ ଶିକ୍ଷା ଦୀକ୍ଷାର ଘୋର ଅଭାବ, ସାଧାରଣ ମେହନତୀ ମଣିଷ ଉପରେ ସାମ୍ରାଜ୍ୟବାଦୀ ଇଂରେଜ ଶାସନ ଏବଂ ତାହାର ଛତ୍ରଛାୟାତଳେ ଆଶ୍ରିତ ରାଜା-ଜମିଦାର-ସାମନ୍ତମାନଙ୍କର ପ୍ରଜା ରକ୍ତ ଶୋଷଣ ମହାତ୍ମା ଭୀମ ଭୋଇଙ୍କୁ ବିଦ୍ରୋହୀ କରି ଗଢ଼ି ତୋଳିଥିଲା । ତେଣୁ ସେ ସାମାଜିକ ପରିବର୍ତ୍ତନ ପାଇଁ କ୍ରାନ୍ତିକାରୀର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ସପ୍ତଦଶ ଶତାବ୍ଦୀର ଭକ୍ତକବି ଦୀନକୃଷ୍ଣ ଦାସ ଯେପରି ସାମନ୍ତବାଦୀ ସାମାଜିକ ବ୍ୟବସ୍ଥାକୁ ଅସ୍ୱୀକାର କରି ବିଦ୍ରୋହ କରିଥଲେ, ଉନବିଂଶ ଶତାବ୍ଦୀର ଶେଷ ପାଦରେ ଗଡ଼ଜାତର ଘନଘୋର ଅନ୍ଧାରୀ ବନ ମୁଲକରେ ମହାକବି ଭୀମ ଭୋଇ ସାରସ୍ୱତ ଓ ବୌଦ୍ଧିକ ବିଦ୍ରୋହର ସୂତ୍ରପାତ କରିଥିଲେ । ବରଂ ଦୀନକୃଷ୍ଣଙ୍କଠାରୁ ନିଜର ବୈପ୍ଳବିକ ଆଭିମୁଖ୍ୟରେ ଭୀମ ଭୋଇ ଅଧିକ ସ୍ପଷ୍ଟ, ଅଧିକ ନିର୍ଭିକ ଓ ଅଧିକ ଜନବାଦୀ ଥିଲେ । ସେ ଲୋକଶକ୍ତିକୁ ସଚେତନ କରି ରାଜଶକ୍ତି ଉପରେ ନୈତିକ ବିଜୟ ପ୍ରାପ୍ତି ପାଇଁ ବିଶ୍ୱାସ ସ୍ଥାପନ କରି କାର୍ଯ୍ୟ କରୁଥିଲେ । ଭୀମ ଭୋଇ କ୍ରାନ୍ତି ଦ୍ରଷ୍ଟା କବି, ବିଦ୍ରୋହୀ କର୍ମଯୋଗୀ ଓ ସିଦ୍ଧ ମହାତ୍ମା ବା ଯୋଗଜନ୍ମା ଋଷି ଥିଲେ ।

 

ଆଧୁନିକ ଓଡ଼ିଆ କାବ୍ୟ ଆନ୍ଦୋଳନରେ ସେ ହିଁ ଥିଲେ ଯଥାର୍ଥରେ ପ୍ରଥମ ବିଦ୍ରୋହୀ ପ୍ରଜ୍ଞା ପୁରୁଷ ଓ ବିପ୍ଳବୀ ସାରସ୍ୱତ ସାଧକ ଏବଂ ପ୍ରତିବାଦୀ ସାମାଜିକ ଅଙ୍ଗୀକାରଯୁକ୍ତ ସିଦ୍ଧ ମହାପୁରୁଷ ।

 

ଏହି ମହାକବିଙ୍କ ନିକଟରେ ଆମ ଜାତିର ଜାତୀୟତା, ସାରସ୍ୱତ ସୃଷ୍ଟି ଓ ସାମାଜିକ ଆନ୍ଦୋଳନ ସବୁଦିନ ପାଇଁ ରଣୀ ।

 

 

ଭୀମ ଭୋଇ ମଣ୍ଡପ

ବୁଢ଼ାରଜା, ସମ୍ବଲପୁର-୪

 

***

 

ସାରଳା ମହାଭାରତ ଓ ଉତ୍କଳୀୟ ପରମ୍ପରା

ପ୍ରଭାକର ସ୍ୱାଇଁ

 

ଓଡ଼ିଆ ଭାଷା-ସାହିତ୍ୟର ଉନ୍ମେଷ ପର୍ବରେ ମହାକବି ସାରଳା ଦାସ ଜଣେ ପ୍ରଚଣ୍ଡ ପ୍ରତିଭା । ପଞ୍ଚଦଶ ଶତକରେ ଓଡ଼ିଆ ସାହିତ୍ୟର ସ୍ଵରୂପକୁ ବିକଶିତ କରିବାରେ ସ୍ରଷ୍ଟାଙ୍କ ଭୂମିକା ଥିଲା ଅଗ୍ରଗଣ୍ୟ । ଉତ୍କଳୀୟ ଜନତାର ନୀତି ପ୍ରଚଳିତ ଭାଷାରେ କବି ସାରଳା ଦାସ ରଚନା କରିଥିଲେ ଓଡ଼ିଶାର ଜାତୀୟ ସାହିତ୍ୟ, ଉତ୍କଳୀୟ ସଂସ୍କୃତିର ଜୀବନାଲେଖ୍ୟ ମହାଭାରତ, ରାମାୟଣ, ଚଣ୍ଡୀପୁରାଣ ପ୍ରଭୃତି ଗ୍ରନ୍ଥ । କବି ସାରଳା ଦାସ ଥିଲେ ପଞ୍ଚଦଶ ଶତକର ଉତ୍କଳୀର ଗଜପତି କପିଳେନ୍ଦ୍ର ଦେବଙ୍କ ସମକାଳୀନ ସ୍ରଷ୍ଟା । ନିଜ ରଚିତ ପୁରାଣ ମଧ୍ୟରେ ଧର୍ମୀୟ ଭାବନା ସହିତ ଉତ୍କଳୀୟ ସଂସ୍କୃତି, ପରମ୍ପରା, ଐତିହ୍ୟ ସର୍ବୋପରି ମାନବ ସମାଜର ନିଛକ ଚିତ୍ର ପ୍ରଦାନ କରି ସମାଜ ବିକାଶରେ ସହାୟକ ହେବା ସ୍ରଷ୍ଟାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା । ସୁତରାଂ ଏହି ଲକ୍ଷ୍ୟ ନେଇ ସେ ବ୍ୟାସକୃତ ସଂସ୍କୃତ ମହାଭାରତର କଥାବସ୍ତୁକୁ କଙ୍କାଳ ଭାବେ ଗ୍ରହଣ କରି ତହିଁରେ ନିଜସ୍ୱ କଳ୍ପନାପ୍ରସୂତ ବହୁ ଘଟଣା ଓ ପରିବେଶକୁ ସଂଯୋଗ କରି ଓଡ଼ିଆ ସାହିତ୍ୟକୁ ନବ ବିଭାରେ ମଞ୍ଜୁଳ କରିଥିଲେ ।

 

ଜୀବନ ବିଦ୍ୟାଳୟର ମୁଖ୍ୟ ଅଙ୍ଗ ହେଉଛି ସମାଜ । ସମାଜ ବିକାଶରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଉପାଦେୟ । ବିଦ୍ୟା ପରାଧୀନ ମାନବକୁ ମୁକ୍ତି ଦିଏ । ଅନ୍ଧକାର ଗହ୍ୱରରେ ଥିବା ମାନବକୁ ଆଲୋକକୁ ଆଣିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରେ । ତେଣୁ ଯଥାର୍ଥରେ କୁହାଯାଇଛି ‘‘ସା ବିଦ୍ୟା ଯା ବିମୁକ୍ତୟେ ।” ପଞ୍ଚଦଶ ଶତାବ୍ଦୀରେ ସାରଳା ଦାସ ଥିଲେ ସମଗ୍ର ଉତ୍କଳୀୟ ଜନତାର ଲୋକ ଶିକ୍ଷକ । ଉତ୍କଳୀୟ ଜନତାକୁ ଶିକ୍ଷାଲୋକରେ ଉଦ୍ଭାସିତ କରିବା ପାଇଁ ସେ ତାଙ୍କ ସୃଷ୍ଟି ମଧ୍ୟରେ ଏକ ଅଭିନବ ଉପାୟ ଗ୍ରହଣ କରିଥିଲେ । ମହାଭାରତର ପ୍ରତ୍ୟେକ ବିଷୟ ବର୍ଣ୍ଣନା କାଳରେ ସେ ସେହି ଗ୍ରନ୍ଥ ମଧ୍ୟରେ ସମକାଳୀନ ଲୋକକଥା, କାହାଣୀ, କିମ୍ବଦନ୍ତୀ ପ୍ରଭୃତିକୁ ଅତ୍ୟନ୍ତ ଅଭିନବ ଉପାୟରେ ଉପସ୍ଥାପନ କରିଥିଲେ । ଫଳତଃ ତତ୍‌କାଳୀନ ଉତ୍କଳୀୟ ଜନତା ସେସବୁ କାହାଣୀକୁ ଶୁଣି ଶୁଣି ମନେରଖିବା ଖୁବ୍ ସହଜ ହୋଇଥିଲା ଏବଂ ମହାଭାରତର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରିଥିଲା ।

 

ସମାଜର ସାମୂହିକ ବିକାଶ ଦିଗରେ ସାମାଜିକ ରୀତିନୀତିର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ-। ଏସବୁ ରୀତିନୀତି ମଧ୍ୟରେ ଶିକ୍ଷା, ବିବାହ, ପର୍ବପର୍ବାଣି, ଓଷାବ୍ରତ, ନୃତ୍ୟ ସଙ୍ଗୀତ, ଧର୍ମଧାରା, କଳା ସ୍ଥାପତ୍ୟ, ଶିକ୍ସ-ବାଣିଜ୍ୟ ପ୍ରଭୃତି ପ୍ରଧାନ । ବିବାହ ଏକ ସାମାଜିକ ଅନୁଷ୍ଠାନ । ସମାଜ ବିକାଶର ଏହା ହେଉଛି ମୂଳଭିଭି । ସମାଜ ଜୀବନକୁ ଶୃଙ୍ଖଳିତ ନୀତିଗର୍ଭିତ କରିବାରେ ବିବାହର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସାରଳା ଦାସ ତାଙ୍କ ସୃଷ୍ଟିରେ ଏହି ବିବାହ ଉପରେ ଗୁରୁତ୍ୱାରୋପ କରିଛନ୍ତି । ବିବାହ ନିମିତ୍ତ ପାତ୍ର-ପାତ୍ରୀ ନିର୍ବାଚନ, କୋଷ୍ଠୀଗଣନ, ବୟସ ବିଚାର ପ୍ରଭୃତି ପ୍ରତି ସେ ଗଭୀର ଧ୍ୟାନ ଦେଇଛନ୍ତି । ପଞ୍ଚଦଶ ଶତାବ୍ଦୀରେ ଉତ୍କଳୀୟ ସମାଜରେ ପ୍ରଚଳିତ ବାଲ୍ୟ ବିବାହ ପ୍ରଥାକୁ ବର ତିରିଶା କନିଆଁ ଦଶା ଭାବରେ ସେ ବର୍ଣ୍ଣନା କରିଛନ୍ତି । ବିବାହ କାଳରେ ବରପିତା ପରିବାରର ଜାତି, ଗୋତ୍ର, କୂଳ, ଚରିତ୍ରବତ୍ତା, ଆଭିଜାତ୍ୟ ପ୍ରଭୃତି ପ୍ରତି ଧ୍ୟାନ ଦେଇଛନ୍ତି । ଏ ପ୍ରସଙ୍ଗ ଆମେ ମହାଭାରତ ବର୍ଣ୍ଣିତ ଭାନୁମତୀଙ୍କର ସ୍ଵଂୟମ୍ବର ମଧ୍ୟରେ ଲକ୍ଷ୍ୟ କରିଥାଉ । ସାମାଜିକ ଜୀବନରେ ବିବାହ ପରି ଦାମ୍ପତ୍ୟ ଜୀବନର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ । ଦାମ୍ପତ୍ୟ ଜୀବନରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କର ଭୂମିକ ମହତ୍ତ୍ୱପୂର୍ଣ୍ଣ । ଉଭୟଙ୍କର ସୁମ୍ପର୍କ ହେତୁ ପରିବାରରେ ଶାନ୍ତି ବିରାଜମାନ କରେ । ସନ୍ତାନସନ୍ତତିଙ୍କର ଚରିତ୍ର ଗଠନ ହୁଏ, ଆତ୍ମବଳ ସହିତ ପରିବାରରେ ନୈତିକ ମୂଲ୍ୟବୋଧ ପ୍ରତିଷ୍ଠା ହୁଏ । ସାରଳା ଦାସ ମହାଭାରତ ଗ୍ରନ୍ଥରେ ଗାନ୍ଧାରୀ ଧୃତରାଷ୍ଟ୍ରଙ୍କଠାରୁ ଆରମ୍ଭ କରି ସମସ୍ତ ଦମ୍ପତ୍ତିଙ୍କ କ୍ଷେତ୍ରରେ ଏକ ଆଦର୍ଶ ପରିବାର ଗଠନ ନିମିତ୍ତ ଉପଦେଶ ଦେବା ସହିତ ଆମ ସମାଜକୁ ଏସବୁ ବର୍ଣ୍ଣନା ମାଧ୍ୟମରେ ଶୃଙ୍ଖଳିତ କରିଛନ୍ତି ।

 

ଓଷା ଓ ପର୍ବପର୍ବାଣୀ ସମାଜ ଉନ୍ନତିର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଓଡ଼ିଶାରେ ପାଳିତ ପର୍ବଗୁଡ଼ିକ ମୁଖ୍ୟତଃ କୃଷିଭିତ୍ତିକ । ସେଥିପାଇଁ କଥାରେ ଅଛି ବାରମାସରେ ତେର ପର୍ବ । ସାରଳା ଦାସ ମହାଭାରତ ଗ୍ରନ୍ଥରେ ଯେଉଁ ପର୍ବଗୁଡ଼ିକ ଉପରେ ଗୁରୁତ୍ୱାରୋପ କରିଛନ୍ତି ସେସବୁ ମଧ୍ୟରେ ପ୍ରଧାନ ହେଉଛି କାର୍ତ୍ତିକ ବ୍ରତ, ଏକାଦଶୀ ବ୍ରତ, ମାଘ ସପ୍ତମୀ ବୁଡ଼, ଗଣେଶ ପୂଜା, ଶିବରାତ୍ରୀ, ଅକ୍ଷୟ ତୃତୀୟା ପ୍ରଭୃତି । ମହାକବି ସାରଳା ଦାସ ଥିଲେ ଜଣେ ପରମ ତପସ୍ଵୀ ଓ ଭକ୍ତିନିଷ୍ଠ ସାଧକ-। ସମକାଳୀନ ଜନତାକୁ ଉତ୍କଳୀୟ ପରମ୍ପରା, ପୂଜାପାର୍ବଣ ଓ ଓଷାବ୍ରତ ସହିତ ସାମିଲ କରିବା ନିମିତ୍ତ ସ୍ରଷ୍ଟା ତାଙ୍କର ମହାଭାରତ ଗ୍ରନ୍ଥରେ ସେହିସବୁ ପୂଜାପାର୍ବଣ ସହିତ ରୀତି ନୀତିର କଥା ହିଁ କହିଥିଲେ । ଏକାଦଶୀ ପାରଣା କାଳରେ ମାନବ ବୈକୁଣ୍ଡବାସୀ ହୁଏ ଓ ନର୍କଭୋଗରୁ ରକ୍ଷା ପାଏ-। ତେଣୁ ମହାଭାରତ ଗ୍ରନ୍ଥରେ ରାଜା ଶାନ୍ତନୁ ଗଙ୍ଗାଙ୍କୁ ଏହି ବ୍ରତ ପାଳନ କରିବା ନିମିତ୍ତ ଉପଦେଶ ଦେଇଥିଲେ । କୁନ୍ତଭୋଜ ରାଜା କାର୍ତ୍ତିକ ବ୍ରତ ପାଳନ କରି ଭୀଷ୍ମଙ୍କର ବନ୍ଧୁ ପାଲଟି ଗଲେ । ମାଘସପ୍ତମୀ ଦିନ ଚନ୍ଦ୍ରଭାଗା ସ୍ନାନ କରିବା ଫଳରେ ବୃହସ୍ପତି ତ୍ରିକାଳଦର୍ଶୀ ହେବା ସହିତ ଇନ୍ଦ୍ର ଦେବରାଜ ହୋଇଥିଲେ ଏବଂ ବାସୁକୀ ବସୁଧା ଧାରଣ କରିଥିଲେ ବୋଲି ମହାଭାରତରେ ଉଲ୍ଲେଖ ଅଛି ।

 

ଅତିଥି ସତ୍କାର ଉତ୍କଳୀୟ ମାନବର ଏକ ବିଶିଷ୍ଟ ଗୁଣ । ଓଡ଼ିଶାର ଜାତୀୟ ଦେବତା ଜଗନ୍ନାଥ । ସେଠାରେ ଜାତି-ଅଜାତି, ଧର୍ମ-ଅଧର୍ମର ବିଚାର ଭେଦ ନାହିଁ । ସମଗ୍ର ପୃଥିବୀବାସୀ ଯିଏ ଯେତେବେଳେ ଜଗନ୍ନାଥ ଧାମକୁ ଆସିଛନ୍ତି ଜଗନ୍ନାଥ ଏବଂ ତାଙ୍କର ସେବକମାନେ ସେହି ଅତିଥିଙ୍କୁ ଆପଣାର କରିଛନ୍ତି । କବି ସାରଳା ଦାସ ସେହି ପ୍ରସଙ୍ଗକୁ ମହାଭାରତରେ ବିବାହବ୍ରତ, ପର୍ବପର୍ବାଣି ପ୍ରଭୃତି ପାଳନ ଅବକାଶରେ ଗୁରୁତ୍ୱ ଦେଇଥିଲେ । ବିବାହ ବ୍ରତ ବ୍ୟତୀତ ପର୍ବପର୍ବାଣି, ଭୋଜିଭାତ ପ୍ରଭୃତିରେ ଅତିଥିମାନଙ୍କୁ ସାଦରେ ନିମନ୍ତ୍ରଣ କରାଯାଏ । ମହାଭାରତ ଗ୍ରନ୍ଥ ବର୍ଣ୍ଣିତ ଦ୍ରୌପଦୀଙ୍କ ବିବାହ କାଳରେ ତାଙ୍କର ପିତା ରାଜା ଦ୍ରୁପଦ ନିଜେ ଅତିଥିମାନଙ୍କର ସତ୍କାର କରିଛନ୍ତି-। ଅନ୍ୟାନ୍ୟ ରାଜା, ମନ୍ତ୍ରୀ ତଥା ରାଜକର୍ମଚାରୀମାନେ ଅତିଥିମାନଙ୍କୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପରିବେଷଣ କରି ଅପ୍ୟାୟିତ କରିଛନ୍ତି ।

 

ଉତ୍କଳ ହେଉଛି ଉତ୍କୃଷ୍ଟ କଳାର ଏକ ପବିତ୍ର ପୀଠ । ଉତ୍କଳୀୟ କଳା ସ୍ଥାପତ୍ୟର ସେହି ସ୍ଵରୂପ ଆମେ ସାରଳା ଦାସଙ୍କ କୃତିରେ ଲକ୍ଷ୍ୟ କରୁ । ସ୍ରଷ୍ଟା ନିଜ ଜୀବନରେ ପୁରୀ ମନ୍ଦିରଠାରୁ ଆରମ୍ଭ କରି କୋଣାର୍କ ମନ୍ଦିର, ଲିଙ୍ଗରାଜ ମନ୍ଦିର ପ୍ରଭୃତିରେ ଥିବା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ପ୍ରତ୍ୟକ୍ଷ ଜ୍ଞାନକୁ ମହାଭାରତ ଓ ଚଣ୍ଡୀପୁରାଣ ଗ୍ରନ୍ଥର ବିଭିନ୍ନ ପର୍ଯ୍ୟାୟରେ ବର୍ଣ୍ଣନା କରିଥିଲେ । ମହାଭାରତ ଗ୍ରନ୍ଥରେ ଜତୁଗୃହ ନିର୍ମାଣ କାଳରେ ମାନୀ ଦୁର୍ଯ୍ୟୋଧନ ଅସଂଖ୍ୟା ବିନ୍ଧାଣୀମାନଙ୍କୁ ଯେପରି ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ, ତାହା ଯଥାର୍ଥରେ ପଞ୍ଚଦଶ ଶତକର ଉତ୍କଳୀୟ କଳା ସ୍ଥାପତ୍ୟର ନମୁନା ଥିଲା ।

 

ଲୋକକଥା, କିମ୍ବଦନ୍ତୀ, ଆଖ୍ୟାୟିକା, ସୁକ୍ତିମାଳାଦି ଉତ୍କଳୀୟ ସଂସ୍କୃତିର ମୂଳାଧାର । ଲୋକକଥାରୁ ଉତ୍କଳୀୟ ଜନମାନସର ଚିତ୍ର ମିଳିଥାଏ । ସାରଳା ଦାସଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ତାଙ୍କ ମହାଭାରତ ଗ୍ରନ୍ଥରେ ଉତ୍କଳୀୟ ଲୋକଜୀବନ ଚିତ୍ର ପ୍ରଦାନ କରିବା । ତେଣୁ ପଞ୍ଚଦଶ ଶତାବ୍ଦୀର ଉତ୍କଳରେ ପ୍ରଚଳିତ ବିଭିନ୍ନ ଲୋକକଥା, କିମ୍ବଦନ୍ତୀ ପ୍ରଭୃତିକୁ ସେ ନବରୂପରେ ମହାଭାରତ ଗ୍ରନ୍ଥରେ ଉପସ୍ଥାପନ କରିଥିଲେ । ମଣିଷ ଜୀବନ ଓ ସମାଜରେ ଘଟୁଥିବା ଦୈନନ୍ଦିନ ଜୀବନ ଚିତ୍ରକୁ ତାଙ୍କର କଥାକାହାଣୀ ମଧ୍ୟରେ ପ୍ରକଟ କରି ତହିଁରେ ଉତ୍କଳୀୟ ସଂସ୍କୃତିର ପ୍ରାଣପିଣ୍ଡ ପ୍ରତିଷ୍ଠା କରିଥିଲେ । ତେଣୁ ତାଙ୍କ ମହାଭାରତ ବର୍ଣ୍ଣିତ କଥାକାହାଣୀ, ଉପାଖ୍ୟାନାଦି କେବଳ ପଞ୍ଚଦଶ ଶତକର ସୀମା ସରହଦ ମଧ୍ୟରେ ଆବଦ୍ଧ ନଥିଲା ବରଂ ଶତାବ୍ଦୀ ଶତାବ୍ଦୀ ଧରି ଏହି ଉତ୍କଳୀୟ ଜନମାନସର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନାକୁ ଗଭୀର ଭାବରେ ପ୍ରଭାବିତ କରିଥିଲା-

 

ସାରଳା ଦାସ ତାଙ୍କ ରଚନାରେ ସମାଜ ପ୍ରଚଳିତ ବିଭିନ୍ନ ଧର୍ମର କଥା ଉଲ୍ଲେଖ କରିଥିଲେ ହେଁ ସେ ଶାକ୍ତଧର୍ମକୁ ଅଧିକ ଗୁରୁତ୍ୱ ଦେଇଥିଲେ । ମହାଭାରତ ବର୍ଣ୍ଣିତ ଦ୍ରୌପଦୀ, ଗଙ୍ଗା, କୁନ୍ତୀ, ଗାନ୍ଧାରୀ ପ୍ରଭୃତି । ନାରୀ ଚରିତ୍ର ମଧ୍ୟରେ ତାହାର ସ୍ୱରୂପ ପ୍ରତିପାଦନ କରିଥିଲେ । ଏହା ସହିତ ସ୍ରଷ୍ଟା ଲୋକଧର୍ମ ଉପରେ ଗୁରୁତ୍ୱ ଦେଇ ରାଜଧର୍ମ, ପ୍ରଜାଧର୍ମ, ପିତୃଧର୍ମ, ଗୁରୁଧର୍ମ ପ୍ରଭୃତି କଥା କହିଥିଲେ ।

 

ସାରଳା ମହାଭାରତ ହେଉଛି ଚରିତ୍ରମାନଙ୍କର ଏକ ବିଚିତ୍ର ଚିତ୍ରଶାଳା । ସ୍ରଷ୍ଟା ତାଙ୍କର ସୃଷ୍ଟି ବର୍ଣ୍ଣିତ ଚରିତ୍ରମାନଙ୍କୁ ସମକାଳୀନ ଓଡ଼ିଶାର ପାଣିପାଗ ମଧ୍ୟରେ ପରିବର୍ଦ୍ଧିତ କରାଇଛନ୍ତି । ସଂସ୍କୃତ ମହାଭାରତରେ ଆଭିଜାତ୍ୟପୂର୍ଣ୍ଣ ଆଡ଼ମ୍ବରଠାରୁ ଦୂରେଇଯାଇ ସେମାନେ ଓଡ଼ିଶାର ପୁରପଲ୍ଲୀର ସାଧାରଣ ନରନାରୀଙ୍କ ପରି କାଳାତିପାତ କରିଛନ୍ତି । ଉତ୍କଳୀୟ ମାଟି ଓ ମଣିଷ ଜୀବନର ସ୍ପର୍ଶ ପାଇ ସେସବୁ ଚରିତ୍ରଗୁଡ଼ିକ ଏକାନ୍ତ ଉତ୍କଳୀୟ ହୋଇଛନ୍ତି । ମହାଭାରତ ଗ୍ରନ୍ଥରେ ଆମେ ଏହାର ବହୁଳ ଦୃଷ୍ଟାନ୍ତ ଦେଖୁ ।

 

ସୁତରାଂ ସାରଳା ମହାଭାରତ ବ୍ୟାସଦେବଙ୍କ ମହାଭାରତର ଅନୁବାଦ ନୁହେଁ । ଏହା ତାଙ୍କର ନିଜସ୍ୱ ମୌଳିକ ରଚନା । ଶବ୍ଦରୁ ଆରମ୍ଭ କରି ପର୍ବଯାଏ, ଚରିତ୍ରରୁ ଚରିତ୍ରଯାଏ, ଏପରିକି ନିଜ ସୃଷ୍ଟିରେ ଲୋକକଥା, ଆଖ୍ୟାନ ପ୍ରଭୃତିର ଉପସ୍ଥାପନରେ ସ୍ରଷ୍ଟା ସମ୍ପୂର୍ଣ୍ଣ ମୌଳିକତା ପ୍ରଦର୍ଶନ କରିଛନ୍ତି । ସୁତରାଂ ସାରଳା ମହାଭାରତ ଓଡ଼ିଆ ଜାତିର ଦିଗବାରେଣୀର ଭୂମିକା ଗ୍ରହଣ କରିଛି ଏବଂ ଏହାର ଜୀବନ-ବେଦ ପାଲଟି ଯାଇଛି ।

 

 

ସମ୍ପାଦକ,

ସାରଳା ସାହିତ୍ୟ ସଂସଦ

କଟକ

 

 

ଆଧୁନିକ ଓଡ଼ିଆ କବିତାରେ ଗଣବାଦୀସ୍ୱର

ବାଞ୍ଛାନିଧି ଦାସ

 

ବିଶ୍ୱ ସାହିତ୍ୟରେ ଗତ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଆଧୁନିକତା ବା Modernity ଦାର୍ଶନିକ ନିତ୍‍ଶେଙ୍କ ଦ୍ଵାରା ପ୍ରବେଶ କଲା ଓ ଏହାର ତାତ୍ତ୍ଵିକ ପ୍ରୟୋଗ ବିଷୟରେ ତାଙ୍କ କଲମରୁ ଶୁଭ ଶଙ୍ଖଧ୍ୱନି ଶୁଭିଲା । ତାହା ସେ କଲେ ତାଙ୍କ କାବ୍ୟ Thus Spake Zurathrustaରେ । ଏହା ପୂର୍ବରୁ ବିଜ୍ଞାନରେ ଡାରଉଇନ୍‌ଙ୍କ ବିବର୍ତ୍ତନ ତତ୍ତ୍ୱ ପ୍ରଚାରିତ ହୋଇ ସାରିଥାଏ ଏବଂ ସ୍ରଷ୍ଟା ପଦରୁ ଈଶ୍ଵରଙ୍କ ପଦଚ୍ୟୁତି ଘଟିଥାଏ । ନିତ୍‍ଶେଙ୍କ କାବ୍ୟରେ ଈଶ୍ଵରଙ୍କ ମୃତ ଶରୀର କାନ୍ଧରେ ଧରି ଗୁରୁ ଜରାଥ୍ରୁଷ୍ଟ ଏକଦା ସମବେତ ଶିଷ୍ୟ ମଣ୍ଡଳୀ ସମ୍ମୁଖରେ ଉପନୀତ ହେଲେ । ମୃତ ଈଶ୍ଵରଙ୍କୁ ଦେଖି ଅନ୍ୟ ଏକ ବିକଳ୍ପ ଈଶ୍ଵରଙ୍କୁ ଗୁରୁଦେବ ପୁଣି ଧରାପୃଷ୍ଠକୁ ଆଣନ୍ତୁ ବୋଲି ଶିଷ୍ୟଗଣ ଅନୁରୋଧ କଲେ । ଜରାଥ୍ରୁଷ୍ଟ ଗୋଟିଏ ମାଙ୍କଡ଼ ଆଣି ‘ଏହା ତୁମ ଆରାଧ୍ୟ ଈଶ୍ୱର’ ବୋଲି କହିଲେ । ମାଙ୍କଡ଼ ହିଁ ଜଗତରେ ମାନବ ସମାଜ ସୃଷ୍ଟିର ମୂଳ ହେତୁ ବୋଲି ସେ ସନ୍ଦେଶ ଦେଲେ । ଶିଷ୍ୟଗଣ ବୁଝିଲେ ନାହିଁ । ଶେଷତଃ ‘ମାନବିକତା’ ହିଁ ଆଧୁନିକ ଯୁଗରେ ପ୍ରଥମ ସତ୍ୟ ବୋଲି ଗୁରୁ ଜରାଥ୍ରୁଷ୍ଟ କହିଲେ । ମହାକବିଙ୍କ ଏହି ଯୁଗାନ୍ତକାରୀ ବ୍ୟାଖ୍ୟାକୁ ଅନୁସରଣ କରି କବି ଏଜରା ପାଉଣ୍ଡ୍ ଉଚ୍ଚାରଣ କଲେ- “Modernism is humanism’’

 

୧୯୧୭ ମସିହାରେ ଲେନିନ୍‌ଙ୍କ ନେତୃତ୍ୱରେ ରୁଷିଆରେ ସର୍ବହରା ଶ୍ରେଣୀ କ୍ଷମତା ଦଖଲ କରିବା ପରେ ବିଶ୍ୱ ଚିନ୍ତା ଜଗତରେ ଏକ ବିରାଟ ସଂଘାତ ଦେଖା ଦେଲା । ବିଶ୍ଵ ଚିନ୍ତା ଜଗତରେ ପୁଞ୍ଜିବାଦୀ ଧାରା ସାଙ୍ଗକୁ ସମାଜବାଦୀ ଧାରା ଦେଶେ ଦେଶେ ସ୍ପଷ୍ଟ ରୂପେ ଆତ୍ମ ପ୍ରକାଶ କଲା । ଏହି ସମୟରେ ବିଶ୍ୱ ଆଧୁନିକତାରେ ବାହାରିଲା ଦୁଇ ମତ ଓ ଦୁଇ ପଥ । ଗୋଟାଏ ଥିଲାବାଲା ପୁଞ୍ଜିପତି ସମାଜର ଆଧୁନିକତା ଅନ୍ୟଟି ସର୍ବହରା ରକ୍ତ ରଞ୍ଜିତ ଆଧୁନିକତା-। ଫ୍ରାନ୍‍ସରେ ସ୍ଥିତିବାଦ (existentialism) ପ୍ରଚାରିତ ହେବାରୁ ଏହାକୁ ୟୁରୋପୀୟ ଆଧୁନିକ ଚିନ୍ତନର ମୁଖ୍ୟ ସ୍ରୋତ ବୋଲି ଦଳେ ଚିନ୍ତାବିତ୍ ତଥା ଲେଖକ ଦାବୀ କଲେ-। କିନ୍ତୁ ସ୍ଥିତିବାଦ ଯଦିଓ ଉଚ୍ଚାରଣରେ ସମାଜବାଦୀ ଦର୍ଶନର ପାଖାପାଖି ବସ୍ତୁତଃ ଏହା ପୁଞ୍ଜିବାଦୀ ଚୈତନର ଏକଧାରା । ସ୍ଥିତିବାଦ ଆସିଥିଲା ପୁଞ୍ଜିବାଦୀ ସମାଜରେ ମଧ୍ୟବିତ୍ତ କବି ଓ ଲେଖକମାନଙ୍କୁ ଆତ୍ମ ସନ୍ତୁଷ୍ଟିର ଏକ କୋଠରୀରେ ଖାପଖୁଆ ରୀତିରେ କିଛି କାଳ ଅଟକି ରଖିବା ପାଇଁ । ଏହା ଏକ ପ୍ରକାର ବ୍ୟବସ୍ଥାପନ (adjustment), ଧନୀକ ପୁଞ୍ଜିବାଦୀଙ୍କ ସାଂସ୍କୃତିକ ମୂଲ୍ୟବୋଧ ସହିତ ଆତ୍ମସମର୍ପଣ ମୂଳକ ବ୍ୟବସ୍ଥାପନ । କେତେକ ଏ ସାହିତ୍ୟକୁ ପ୍ରୟୋଗବାଦର ନାମ ଦେଇ ପୁଞ୍ଜିବାଦୀ ସାହିତ୍ୟର ଏକ ବିକାଶଶୀଳ ଅଙ୍ଗ ବୋଲି ଚିହ୍ନିତ କରନ୍ତି । କିନ୍ତୁ ପ୍ରକାଶ୍ୟରେ ଏହା ପୁଞ୍ଜିବାଦୀ ସ୍ଵାର୍ଥର ଏକ ସାଂସ୍କୃତିକ ସେବା ବୋଲି କୁହାଯାଇପାରେ । ବିଶ୍ୱ ସର୍ବହରାର ବିଶେଷତଃ ତୃତୀୟ ବିଶ୍ଵର ଅପାମର ଖଟିଖିଆ ମିହନତୀ ଜନ ସାଧାରଣଙ୍କ ସାହିତ୍ୟ ହେଉଛି ଗଣବାଦୀ ବା ଜୀବନବାଦୀ ସାହିତ୍ୟ ଯାହାର ମୁଖ୍ୟ ବକ୍ତବ୍ୟ ହେଉଛି- “ମାନବବାଦ ହିଁ ଏକମାତ୍ର ସତ୍ୟ ।” ଆପଣାର ସୃଷ୍ଟ ସାହିତ୍ୟକୁ ଜନଗଣର ସେବାରେ ଲଗାଇବା ହେଉଛି ଏହି ସାହିତ୍ୟିକ ବାହିନୀର ଅଙ୍ଗୀକାର ।

 

ପୁଞ୍ଜିବାଦୀ ସାହିତ୍ୟିକ ନିଜକୁ ଯେତେବେଳେ ମାନବବାଦୀ ବୋଲି ଦାବୀ କରେ, ସେ ଉଚ୍ଚାରଣର ଆଢ଼ୁଆଳରେ ଲେଖକର ଆତ୍ମ ପ୍ରତିଷ୍ଠାର ଘୋର ଅଭୀପ୍‍ସା, ବ୍ୟକ୍ତିବାଦୀର ଜୁଗୁପ୍‍ସା, ସର୍ବଗ୍ରାସ କରିବାର ଲାଳସା ଓ ସ୍ଵାର୍ଥବାଦୀ ଆପତ୍ୟ ବିସ୍ତାରର ଅସଲ ଉଦ୍ଦେଶ୍ୟ ଲୁଚି ରହିଥାଏ । “ମୋ ଜୀବନ ପଛେ ନର୍କେ ପଡ଼ିଥାଉ’’ ମନ୍ତ୍ରରେ ଦୀକ୍ଷିତ ବୋଲି ଯଦି ସେମାନେ କହନ୍ତି, ମାତ୍ର ତାହା ତାଙ୍କର ଓଠର ଭାଷା ହୋଇ ରହିଯାଏ । ସେମାନେ ହିପୋକ୍ରାଟ୍ । ଆମ୍ ପ୍ରବଞ୍ଚନାରେ ସଢ଼ୁଥାଏ ସେମାନଙ୍କ ଅନ୍ତରାତ୍ମା । ମାତ୍ର ଖଟିଖିଆ ବିଶ୍ଵର କବି ଓ ଲେଖକ ସରଳ ତରଳ ନିଷ୍କପଟ ସାଧାରଣ ମଣିଷ-ପ୍ରସାରିତ ତାହାର ହୃଦୟର ଦିଗବଳୟ । ସେ ଏ ବସୁଧାକୁ ତାହାର କୁଟୁମ୍ବ ମଣେ । ସେ ଚିର ଆଶାବାଦୀ, ଚିର ହାସ୍ୟମୁଖର, ସେ ମୃତ୍ୟୁ ଚେତନାର ମରଣ ଯନ୍ତାରେ ପଡ଼ି କସ୍ମିନ୍ କାଳେ ଛଟପଟ ହୁଏନା । ସେ ଏ ଅମା ଅନ୍ଧାର ଘୋଟିଥିବା ଜଗତରେ ଚାହେଁ ନୂଆ ଶୁଭ ମଙ୍ଗଳ ଭୋରର ଆବିର୍ଭାବ । ସେ ମୁକ୍ତିକାମୀ – ସେ ମଧ୍ୟ ବିଶ୍ଵ ଶାନ୍ତିକାମୀ ।

 

ସାହିତ୍ୟରେ ଆଧୁନିକତା କହିଲେ ପ୍ରୟୋଗବାଦୀ ଲେଖକ ପ୍ରକାଶନ ଭଙ୍ଗୀରେ ଚମତ୍କାରିତା, ବିଭିନ୍ନ ଇଙ୍ଗିତ ଚିତ୍ରକଳ୍ପ, ପ୍ରତୀକାଦି ମାଧ୍ୟମରେ ଭାବ ପ୍ରକାଶନ, କବିତା କ୍ଷେତ୍ରରେ ମୁକ୍ତ ଛନ୍ଦକୁ ଆଙ୍ଗିକ ରୂପେ ବ୍ୟବହାର ବା ଗଦ୍ୟ କ୍ଷେତ୍ରରେ ଚେତନାର ଅବାରିତ ଉଦ୍‌ଗୀରଣ (Stream of Consciousness)କୁ ବୁଝାଏ । ଆଧୁନିକ କବିତା, ବିଶେଷ ଭାବେ କହିଲେ, କବି ଦ୍ଵାରା ଭାଷା ସୁନ୍ଦରୀକୁ ବଳାତ୍କାର କରିବା ପରି ହୋଇଥାଏ । ଆଧୁନିକ କବିତାରେ କବିର ସ୍ଵେଚ୍ଛାଚାରୀ ମନୋଭାବକୁ ଦେଖି କବି ବ୍ରଜେନ୍ଦ୍ର ଦତ୍ତ ଲେଖିଥିଲେ –

 

ଅନାଅ

ଦୂରସ୍ଥ ସେଇ ଗାଁର ଅନ୍ଧଗଳିରେ

ଯେଉଁଠି ସୂର୍ଯ୍ୟ ଢଳିପଡ଼େ

ସନ୍ଧ୍ୟାର ଗଛ ଉହାଡ଼ରେ

ସେଇଠି

ସେଇ ପଥର ମୁଣ୍ଡାର

ଭଙ୍ଗା ଘରଟିରେ

ନିଖୋଜ୍ ହୋଇଯାଇଛି

ସେଇ ସୂର୍ଯ୍ୟର ଛୁରୀ ମୁନରେ

ରକ୍ତ ଜୁଡ଼ୁବୁଡ଼ୁ

ଅର୍ଦ୍ଧବସ୍ତ୍ରା ବିଚାରୀ

କବିତା

ଭାଷାର ବଳାତ୍କାରରେ

ଇମେଜ୍‌ର ଶୀତ୍କାରରେ

ଅଥଚ ଜୀବିତା।

(ସେ ଆଦୌ ବୁଝିନି – ଗ୍ରନ୍ଥ-ମୌନ ଆରୋହ-ପୃ.୧୯)

 

ରସ, ରୂପ ଓ ରଙ୍ଗର ଏକ ଅପୂର୍ବ ସମାହାରରେ ଯେ କବିତା ରଚିତ ହୁଏ । ଏକଥା ଆଧୁନିକ କବି ଆଦୌ ବୁଝିନି । ଜଗତରେ ପୁଞ୍ଜିବାଦୀ ବ୍ୟବସ୍ଥା ସମସ୍ତଙ୍କୁ ଏକ ହତିଆର କରି, କେତେକଙ୍କ ଚେତନାରେ ସବାର୍ ହୋଇ ନିଜର ବିଶେଷତା ପରିପ୍ରଚାର କରିବାକୁ ଚାହେଁ । ଅନେକ କବି ନିଜସ୍ଵ ଅଜ୍ଞତାବଶତଃ ବାହାର ଦୁନିଆର ଭେଳିକିରେ ଭୁଲି ତାହାର ସ୍ଵାର୍ଥସେବୀ ହୋଇଯାନ୍ତି । ନ ହେଲେ ଗତ ଶତାବ୍ଦୀର ଷଷ୍ଠ ଦଶକରେ ଓଡ଼ିଶାରେ ଫ୍ରାନ୍ସ ପରି ସମୃଦ୍ଧିଶାଳୀ ଦେଶର ଆବାହାୱା ବା Socio-economic condition ନଥିବା ବେଳେ ତଥାକଥିତ ଆଧୁନିକ କବିତାର ବନ୍ୟା ଆସିଥା’ନ୍ତା କି ? ଯେଉଁମାନେ ସେଇ ଦଶକରେ ଆମର ରସସ୍ନିଗ୍ଧ କବିତା ଲିଖନର ପରମ୍ପରାକୁ ହତ୍ୟା କଲେ, ସେମାନେ ସ୍ୱାର୍ଥବାଦୀ ଆତ୍ମପ୍ରତିଷ୍ଠାକାମୀ ତଥା ପରୋକ୍ଷରେ ପାଶ୍ଚାତ୍ୟ ଥିଲାବାଲା ସମାଜର ପଦଲେହୀ – ଏଥିରେ ସନ୍ଦେହ ନାହିଁ ।

 

୧୯୩୫ ମସିହାରେ ପ୍ରକୃତ ଆଧୁନିକତା ବୋଇଲେ କ’ଣ ବୁଝାଯାଏ ଭଗବତୀ ଚରଣ ପାଣିଗ୍ରାହୀ ନବଯୁଗ ସାହିତ୍ୟ ସଂସଦର ମୁଖପତ୍ର ‘ଆଧୁନିକ’ରେ ପ୍ରକାଶ କରିଥିଲେ । ସେ ବୟାନରେ ନଥିଲା ବ୍ୟକ୍ତିବାଦୀ ଆତ୍ମା ପ୍ରତିଷ୍ଠାର ମୋହ, ନଥିଲା ପ୍ରଭାବଶାଳୀ କୌଣସି ଗୋଷ୍ଠୀର ସେବକ ସାଜିବାର ମନୋଭାବ । ମାତ୍ର ଥିଲା ଓଡ଼ିଶାର ଜନଗଣଙ୍କ ଚିତ୍ତବୃତ୍ତିକୁ ଉଦ୍‍ବୁଦ୍ଧ କରିବା, ଓଡ଼ିଶାକୁ ସାହିତ୍ୟର ଚରେବତି ଚରୈବତି ଉଦବୋଧନୀ ଶୁଣାଇ ଚେତନା ଜଗତରେ ଆଗେଇ ନେବା । ଆଧୁନିକତା ସମ୍ପର୍କରେ ଭଗବତୀବାବୁ । ଲେଖିଥଲେ – “ଯେଉଁ ସାହିତ୍ୟ ମାନବର ମନକୁ କର୍ମ ତତ୍ପର ହେବାପାଇଁ ଚଞ୍ଚଳ କରିବ, ଯାହା ମାନବର କର୍ମକ୍ଷେତ୍ରକୁ ପ୍ରଧାବିତ କରିବ, ଯାହା ମାନବ ମନରେ ସୃଷ୍ଟିର ଉଦ୍ଦୀପନା ଆଣିଦେବ, ସେ ସାହିତ୍ୟ ଆଧୁନିକ ସାହିତ୍ୟ । ଆରାମ୍ ଚୌକିରେ ବସି ପଢ଼ିବା ଯୋଗ୍ୟ ସୂକ୍ଷ୍ମ ସାହିତ୍ୟ ସୌଖୀନ୍ ହୋଇପାରେ ମାତ୍ର ଆଧୁନିକ ନୁହେଁ ।’’ (‘‘ଆଧୁନିକ’’ ପତ୍ରିକାରେ ପ୍ରଥମ ସମ୍ପାଦକୀୟ ନିଜ କଥା, ଭଗବତୀ ଚରଣ ପାଣିଗ୍ରାହୀ ଗ୍ରନ୍ଥାବଳୀ, ପୃ.୧୧୪) ।

 

ଆଧୁନିକ ଗଣବାଦୀ ସାହିତ୍ୟ ଉଦ୍ଦେଶ୍ୟ ରହିତ ନୁହେଁ । ଆଧୁନିକ ସାହିତ୍ୟର ଆଭିମୁଖ୍ୟ ସମ୍ପର୍କରେ ଭଗବତୀବାବୁ ଲେଖିଲେ – “ଯେଉଁ ସବୁ ବଦ୍ଧମୂଳ ଧାରଣା ଓ ସଂସ୍କାର ମାନବର ସାମାଜିକ ବ୍ୟକ୍ତିଗତ ଜୀବନକୁ ଆଚ୍ଛନ୍ନ କରି ରଖିଛି, ତାହାରି ମୂଳରେ ଏହାର ପ୍ରଥମ ଆଘାତ୍ ।’’ ସମାଜ ସଂସ୍କାର, ଅନ୍ଧ ବିଶ୍ୱାସର ଦୂରୀକରଣ, ସୁଶୃଙ୍ଖଳ ମାନବର ଗଠନ ତଥା ଏକ ଶୋଷଣମୁକ୍ତ ବୃହତ୍ତର ସମାଜର ଗଠନ ହେଉଛି ଆଧୁନିକ ସାହିତ୍ୟର ଆଭିମୁଖ୍ୟ ।

 

୧୯୬୯ ମସିହାରେ ଚିଲିକାର ଦୀପମୁଣ୍ଡିଆସ୍ଥ କଳି ଯୁଗେଶ୍ଵର ଆଶ୍ରମ ପରିସରରେ କବି ପ୍ରସନ୍ନ ପାଟ୍ଟଶାଣୀ ଓ କବି ସଦାଶିବ ଦାଶଙ୍କ ନେତୃତ୍ୱରେ ଗଠିତ ହୁଏ ଅବଧୂତ ଗୋଷ୍ଠୀ । ପଶ୍ଚିମ ବଙ୍ଗର ତରାଇ ଅଞ୍ଚଳରେ ନକ୍ସଲବାଡ଼ି କୃଷକ ଆନ୍ଦୋଳନ ପ୍ରେକ୍ଷାପଟ୍ଟରେ ଏହି ସାମନ୍ତବାଦ ବିରୋଧୀ ତଥା ସାମ୍ରାଜ୍ୟବାଦ ବିରୋଧୀ ସାହିତ୍ୟିକ ମଞ୍ଚ ଗଢ଼ିଉଠିଲା । ନିଜ ସାହିତ୍ୟିକ ଉଚ୍ଚାରଣରେ ଏମାନେ ହେଲେ ଭଗବତୀଙ୍କ ଆଧୁନିକ ସାହିତ୍ୟର ଉତ୍ତର ଦାୟାଦ । ଯେଉଁସବୁ ବଦ୍ଧମୂଳ ଧାରଣା ଓ ସଂସ୍କାର ମାନବର ବ୍ୟକ୍ତିଗତ ଜୀବନକୁ ଆଛନ୍ନ କରି ରଖିଥଲା ଅବଧୂତ ଗୋଷ୍ଠୀର ସାହିତ୍ୟ ତାହା ମୂଳରେ ପ୍ରଥମେ ଆଘାତ ଦେଲା । ଅଲୌକିକତା, ହଠକାରୀଣ, ଯାବତୀୟ ଅନ୍ଧବିଶ୍ୱାସ, ଭାଗ୍ୟବାଦ, ଆକସ୍ମିକତା ବିରୁଦ୍ଧରେ ଏ ଗୋଷ୍ଠୀର ଲେଖକଗଣ ମସୀ ଯୁଦ୍ଧ ଆରମ୍ଭ କଲେ । ଏକ ପକ୍ଷରେ ଏମାନେ ଯୁଝିଲେ ଦକ୍ଷିଣପନ୍ଥୀ ଯାବତୀୟ କିସମର ଜାତିଆଣବାଦୀ ଓ ସାମ୍ପ୍ରଦାୟିକତାବାଦୀଙ୍କ ବିରୁଦ୍ଧରେ - ଅନ୍ୟ ପକ୍ଷରେ ଲଗାତର ଲଢ଼େଇ କଲେ ଆମେରିକୀୟ ଓ ନବ୍ୟ ସମାଜବାଦୀ ତଥା ସାମ୍ରାଜ୍ୟବାଦୀ ସୋଭିଏତ୍ ଶକ୍ତି ବିରୁଦ୍ଧରେ । ଅନ୍ୟ ପକ୍ଷରେ ଏଇ ସମୟରେ ପ୍ରୟୋଗବାଦୀ କବିତା ଲେଖୁଥିବା କବିଗଣ ଥିଲେ ସରକାରୀ ପ୍ରତିଷ୍ଠାନର କୃପାପ୍ରାର୍ଥୀ, ସାମାଜିକ ଭାବେ ନିଃସଙ୍ଗ, ପ୍ରତିକ୍ରିୟାଶୀଳ ଓ ସ୍ୱପ୍ନଭୁକ୍ । ଅବଧୂତ କବି ଗୋଷ୍ଠୀ ମଧ୍ୟରେ କବି ଈଶ୍ୱର ନାୟକ, ଗୋବର୍ଦ୍ଧନ ପୂଜାରୀ, କବି କେ. ପଦ୍ମ ଦାଶ, ନାଟ୍ୟକାର ତଥା କବି ଦେବେନ୍ଦ୍ର ମାନସିଂହ, କବି ହୁସେନ୍ ରବି ଗାନ୍ଧି, କବି ବିବେକାନନ୍ଦ ନାୟକ, କବି ସମରେନ୍ଦ୍ର ନାୟକ ଥିଲେ ଅଗ୍ରଣୀ ।

 

ଭଗବତୀ ଚରଣଙ୍କ ଆଧୁନିକତା ଚେନ୍‍ର ଦ୍ୱିତୀୟ କଡ଼ି ହେଲା ଗଣମୁକ୍ତି ଲେଖକ ଓ ଶିଳ୍ପୀ ସାମ୍ମୁଖ୍ୟ । ପ୍ରକାଶ ଥାଉ କି ନବ ଯୁଗର ପତ୍ତନ ପରେ ପ୍ରଗତିବାଦୀ ସାହିତ୍ୟର ଝଣ୍ଡା ଭୁଲୁଣ୍ଠିତ ହୋଇନଥିଲା । କବି ରବି ସିଂ (ଜନ୍ମ-୧୯୩୪) କବି ବ୍ରଜନାଥ ରଥ (ଜନ୍ମ ୧୯୩୬), କବି ପ୍ରସନ୍ନ ମିଶ୍ର, କବି ଜଟାୟୁ ନବଯୁଗ ଓ ଗଣମୁକ୍ତିର ମନ୍ତରରେ ନିଜସ୍ୱ ମାନବବାଦୀ ତଥା ଗଣବାଦୀ ବିପ୍ଳବୀ କଲମ ଚଳାଇ ରଖିଥଲେ । କବି ପ୍ରସନ୍ନ ପାଟ୍ଟଶାଣୀଙ୍କ ଅବଧୂତ ଗୋଷ୍ଠୀର ଏମାନେ ଥିଲେ ଶୁଭେଚ୍ଛା ଓ ସମର୍ଥକ । ୧୯୭୮ ମସିହାର ଡିସେମ୍ବର ୨୮ ତାରିଖ ଦିନ କବି ମନମୋହନ ମିଶ୍ର, କବି ବ୍ରଜନାଥ ରଥ, କବି ବନମାଳୀ ସେନାପତିଙ୍କ ମିଳିତ ଉଦ୍ୟମରେ ବାଲେଶ୍ଵରଠାରେ ଗଢ଼ିଉଠେ ଗଣମୁକ୍ତି ଲେଖକ ସାମ୍ମୁଖ୍ୟ, ଓଡ଼ିଶା । ୧୯୭୯ ମସିହାର ରାଉରକେଲାର ପ୍ରଥମ ବାର୍ଷିକୀ ସମ୍ମିଳନୀରେ ଏହି ରାଜ୍ୟସ୍ତରୀୟ ସଙ୍ଗଠନର ନାମ ସମ୍ପ୍ରସାରିତ ହୋଇ ରହେ – ଗଣମୁକ୍ତି ଲେଖକ ଓ ଶିଳ୍ପୀ ସାମ୍ମୁଖ୍ୟ, ଓଡ଼ିଶା ‘ଅଭିଯାତ୍ରୀ’’ ଏ ସଂଗଠନର ମୁଖପତ୍ର ରୂପେ ପ୍ରକାଶ ପାଇ ଚାଲେ ।

 

ଏ ସାମ୍ମୁଖ୍ୟ ତାହାର ଇସ୍ତାହାରରେ କହେ – “ଯେଉଁ ସାହିତ୍ୟ ଓ ସଂସ୍କୃତି ଓ ଯେଉଁ ମତାଦର୍ଶ ଜାତୀୟ ଜୀବନକୁ ଲକ୍ଷ୍ୟାନୁସରୀ କରେ, ସେହି ସାହିତ୍ୟ, ସଂସ୍କୃତି ଓ ମତାଦର୍ଶ ଆଜି ଉଦ୍ଦେଶ୍ୟମୂଳକ ବା ଯୋଜନାବଦ୍ଧ ଭାବେ ପଥଭ୍ରଷ୍ଟ ଓ ପଙ୍କିଳ ହେବାରେ ଲାଗିଛି । ଯେତିକି ଯେତିକି ପୁରୁଣା ଶୋଷଣସର୍ବସ୍ୱ ସମାଜର ଗଳିତ ମରଣାନ୍ମୁଖୀ ଶବ ପଚିବାରେ ଲାଗିଛି, ଯେତିକି ଯେତିକି ନବ ଗଣତାନ୍ତ୍ରିକ ଚେତନାର ଆଘାତ ସେହି ସମାଜକୁ ଧ୍ୱଂସ କରିବାକୁ କୃତ ନିଶ୍ଚୟ, ସେତିକି ସେତିକି ସେହି ସମାଜ କ୍ୟାନ୍‍ସର ରୋଗୀ ପରି ନିଦ ବଟିକା ଖାଇ ଆପଣାର ମୃତ୍ୟୁର ଦିନକୁ ଦୂରତର କରିବାରେ ବ୍ୟାକୁଳ । ସେଥିପାଇଁ ସମାଜର ଜୀବନ୍ତ ଅଙ୍ଗକୁ ନିଶାଗ୍ରସ୍ତ, ବିକାରଗ୍ରସ୍ତ, ଲାଳସାକ୍ଳିଷ୍ଟ, ଅବୈଜ୍ଞାନିକ ଓ କଳଙ୍କିତ କରି ରୁଚିହୀନ ଓ ବର୍ବର ପଶୁତ୍ୱର ଉଲଗ୍ନ ନୃତ୍ୟକୁ ସାହିତ୍ୟ ବୋଲି ବିଜ୍ଞପିତ କରିବା ହିଁ ସେହି ସମାଜର ଏକମାତ୍ର ଆଶ୍ରୟ ହୋଇ ପଡ଼ିଛି । (ଗଣମୁକ୍ତିର ଇସ୍ତାହାର)

 

ତଥାକଥିତ ଆଧୁନିକ କବି ଓ ସାହିତ୍ୟିକଙ୍କ ସମଗ୍ର ସାଧନାକୁ ନାକଚ କରି ଏ ଇସ୍ତାହାର ଆପୋଷହୀନ ଭାବେ କହିଛି – ‘‘ଓଡ଼ିଶାର ସାହିତ୍ୟରେ ଯେତେ ଛଦ୍ମବେଶୀ ନୂତନ ଆଙ୍ଗିକ ପ୍ରୟୋଗ ପ୍ରଚେଷ୍ଟା ଚାଲିଛି, ପ୍ରଗତି ଓ ଚମତ୍କାରୀତା ନାମରେ ଯେତେ ଲାଳସାକ୍ଳିଷ୍ଟ ଅହଂସର୍ବସ୍ୱ, ହତାଶାଗ୍ରସ୍ତ, ନରମାଂସାଶୀ ସାହିତ୍ୟ ଓ ସଂସ୍କୃତି ଏଠାରେ ପ୍ରତିଷ୍ଠିତ କରିବାର ଉଦ୍ୟମ ହେଉଛି; ତାହାର ମୂଳରେ ରହିଛି ସାହିତ୍ୟ, ସଂସ୍କୃତିକୁ ଗଣତାନ୍ତ୍ରିକ ମାନବିକତାବାଦଠାରୁ ବିଚ୍ଛିନ୍ନ କରିବାର ଦୂରନ୍ତ ଅଭିପ୍ରାୟ । ତେଣୁ ଆଜି ଓଡ଼ିଶାର ସାହିତ୍ୟ ପ୍ରଚଣ୍ଡ ମାନବିକତାର ତୂର୍ଯ୍ୟନାଦ ହେବାର ସାହସ ତ୍ୟାଗ କରିଛି । ଏହା ହେଉଛି ଲାଳସୀର ଲାଳସା, ନିନ୍ଦୁକର କଟାକ୍ଷ ଓ ହତାଶାର ହାହାକାର ବିକଳ ପ୍ରଳାପ । ସାହିତ୍ୟ ଆଜି ସମାଜର ଗଣତାନ୍ତ୍ରିକ ବିକାଶର ଅପରିହାର୍ଯ୍ୟ ହତିଆର ନୁହେଁ । ଏହା ଏକ ତୀକ୍ଷ୍‍ଣତାହୀନ, ଅର୍କମଣ୍ୟ, ଆବର୍ଜନା ଅଥବା ଅର୍ଥହୀନ ଅଳଙ୍କାର । ସାହିତ୍ୟ ମହାନ୍‍ ଜନତାର ହର୍ଷ, ବିଷାଦ୍‍, ଶୋକ-ସଂଗ୍ରାମ ବା କୃତିତ୍ୱର ରଙ୍ଗ ଭୂମି ଓ ଚାରଣଗୀତି ନ ହୋଇ ବରଂ ଜନତାର ସ୍ୱାଭାବିକ ଗତି ସ୍ରୋତ ପଥରେ ଏକ ଅମଙ୍ଗଳ, ଦ୍ୱିଧା ଓ ସନ୍ଦେହ ହୋଇ ଛିଡ଼ା ହୋଇଛି ।’’ (ସେଇ ଇସ୍ତହାର) ।

 

ପ୍ରୟୋଗବାଦୀ ସାହିତ୍ୟର ବିକଳ୍ପ ଧାରା ହିସାବରେ ଗଣମୁକ୍ତି ଭଗବତୀଙ୍କ ସ୍ୱପ୍ନ ଗଣବାଦୀ ସାହିତ୍ୟକୁ ତୋଳି ଧରିଲା । ଗଣବାଦୀ ଆଧୁନିକ ସାହିତ୍ୟଧାରା ବିପୁଳ ସ୍ରୋତସ୍ଵତୀର ଧାରା ପରି ଅଚିରେ ବହୁ ଦେଶପ୍ରେମୀ ଲେଖକ ଓ ସାଂସ୍କୃତିକ କର୍ମୀଙ୍କ ସହଯୋଗ ଓ ଶ୍ରଦ୍ଧା ଲାଭ କଲା । ଏହା ପଛେଇ ଯାଇଥିବା ଜୀବନବାଦୀ ଲେଖକଙ୍କୁ ଅଗ୍ରଗାମୀ କରାଇଲା ଓ ଦେଶରେ ଅନ୍ଧାରରେ ସଢ଼ୁଥିବା ବହୁ ପ୍ରତିଭାର ପ୍ରସ୍ଫୁଟନର କାରଣ ହେଲା । ଏହାର ବୈପ୍ଳବିକ ପ୍ରତ୍ସୋହନରେ ଯେଉଁ ଯୁବ କବି ଲେଖକ ଗୋଷ୍ଠୀ ଗଢ଼ି ଉଠିଲେ, ତା’ ମଧ୍ୟରେ ଅଗ୍ରଣୀ ଥିଲେ କବି ସମରେନ୍ଦ୍ର ନାୟକ, କବି ଆଶୁତୋଷ ପରିଡ଼ା, କବି ବସନ୍ତ ମୁଦୁଲି, ନାଟ୍ୟକାର ବାଞ୍ଛାନିଧି ମହାନ୍ତି, ଗାଳ୍ପିକ ଦେବେନ୍ଦ୍ର ମହାନ୍ତି, କବି ଅମୀୟ ବସୁ, କବି ହରେକୃଷ୍ଣ ଦାସ, କବି ସନତ୍ ରାୟ, ଗାଳ୍ପିକ ଭୂପେନ୍ ମହାପାତ୍ର, କବି ବସନ୍ତ ମାଝି, ଚିନ୍ତାବିତ୍ ଶୁଭେନ୍ଦୁ ରଥ, କବି କୁମାର ହସନ୍, ପ୍ରାବନ୍ଧିକ ଡଃ ନାରାୟଣ, କବି କୁଳମଣି ଜେନା, କବି ବିଜୟ ଉପାଧ୍ୟାୟ ଓ ଆହୁରି ଅନେକ ।

 

ସମକାଳୀନ ଓଡ଼ିଆ ଭାବବାଦୀ ତଥା ପ୍ରୟୋଗବାଦୀ ସାହିତ୍ୟରେ ବ୍ୟକ୍ତିବାଦୀତା, ସ୍ୱପ୍ନ ଭଙ୍ଗ, ହତାଶା, ନିସଙ୍ଗତା ଲେଖକ ଓ କବିଙ୍କ ବକ୍ତବ୍ୟର ମୁଖ୍ୟ ସ୍ୱର ହେଲାବେଳେ ଆଲୋଚ୍ୟ ଗଣବାଦୀ କବିଙ୍କ ମୁଖ୍ୟ ଆବେଦନ ହେଲା ଆଶାବାଦ୍ । ଏ କବିମାନେ ଥିଲେ ପ୍ରବଳ ଭାବରେ ଆଶାବାଦୀ ଓ ମାନବବାଦୀ । କବି ହୁସେନ୍ ରବି ଗାନ୍ଧିଙ୍କ ଏକ କାବ୍ୟକ ବକ୍ତବ୍ୟକୁ ଆମେ ଆଶାବାଦର ନମୁନା ଭାବେ ପ୍ରଦର୍ଶିତ କରିପାରୁ :

 

କରୁଣାର ଝରଣାକୁ ଶୁଷ୍କ କରି ଦେଇଥିବା

ମଣିଷକୁ କହିଦିଅ-

ତଥାପି ବି ବସୁଧାରେ ଅନେକ ଅମୃତର

ଝରଣା ଝରୁଛି । ଆମେ ଭୃଣକୁ

ବୀଜକୁ ନଷ୍ଟ କରିଦେବୁ ନାହିଁ । ଲୋପ କରିବୁ ନାହିଁ

ଜୀବସତ୍ତାର ମୂଲ୍ୟବାନ ଶ୍ଵାସ ।

(ଭୃଣ-ନିଅଣ୍ଟ ରାତିର ସ୍ଵପ୍ନ-ପୃ.୩୯)

 

ବାସ୍ତବରେ ଏ ଉଦ୍‌ଘୋଷଣାରେ ଅଛି ଆନ୍ତରିକତା-ଅଛି ପ୍ରତ୍ୟୟ । ସ୍ଵାଧୀନୋତ୍ତର ଭାରତରେ କଂଗ୍ରେସୀ ପ୍ରତିଶ୍ରୁତି ଯେତେବେଳେ ନିଷ୍ଫଳ ହୋଇଛି । ଘିଅ ମହୁ ରାମ ରାଜ୍ୟର ସ୍ୱପ୍ନ ହୋଇଛି ଭୂଲୁଣ୍ଠିତ ଓ ସୁଦୂର ପରାହତ, ସେତେବେଳେ ଜନସାଧାରଣ ହତାଶ୍ ହୋଇ କେବଳ ସୀମାହୀନ ଦିଗ୍‍ବଳୟକୁ ଅନାଇ ବସନ୍ତି । ପୁରୁଣା ସମାଜକୁ, ପୁରୁଣା ସାମାଜିକ-ଆର୍ଥନୀତିକ ତଥା ରାଜନୀତିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଉତ୍‍ଖାତ କରି ଦେବାକୁ ଏତେବେଳେ କବି ଆହ୍ୱାନ ଦିଏ । ସତ୍ କବି ମାନବ ବିବେକର ଜାଗ୍ରତ ପ୍ରହରୀ ହୋଇଥିବା ଯୋଗୁଁ ଏ ପରିବର୍ତ୍ତନର ଆହ୍ୱାନ ତା’ କଣ୍ଠରୁ ସ୍ଫୁରେ । ସେ ପୁରୁଣା ସମାଜ ରୂପୀ ଫଟା ଲୁଗାରେ ତାଳି ପକାଇ କାମ ଚଳାଇ ନେବାକୁ ଜନଗଣଙ୍କୁ ପରାମର୍ଶ ଦିଏନା । ସେ ଲୋକ ଶକ୍ତିକୁ ଶୁଣାଏ ଆଶାବାଦର ଆହ୍ୱାନ-

 

ଡରନା ତୁ’ରେ ଦେଖି ଜୀବନ ପଥ ବାଲି

ମରନା ତୁ’ରେ ମିଛେ ନିରାଶେ ଲୁହ ଢାଳି

ଏହି ଯେ ପଥେ ଗଲେଣି କେତେ

କେତେ ଅଗ୍ରଣୀ ବିଜୟ ରଥରେ

ତା’ର ଚରଣ ଚିହ୍ନ ଅନୁସରି ତୁ’

ଲିଭାଅ ପାପ କାଳିରେ

ପଡ଼ିଛି ଯା’ର ପାଳି ।

(ମନମୋହନ ମିଶ୍ର)

 

ଆଧୁନିକ ଗଣବାଦୀ କବି ମୃତ୍ୟୁ ଚେତନାର ଭାରବାହୀ ନୁହେଁ । ସ୍ଥିତିବାଦୀ କବି କିନ୍ତୁ ମୃତ୍ୟୁ ଚେତନାର ସୌଦାଗର । ମୃତ୍ୟୁ ଚେତନା ହେଉଛି ଫରାସୀ ପୁଞ୍ଜିବାଦୀ ଦେବାଳିଆ ସଂସ୍କୃତିର ସନ୍ଧ୍ୟାବେଳର ଫୁଲ । ଯୁଦ୍ଧ କ୍ଲାନ୍ତ ଓ ସମସ୍ୟାକ୍ଳିଷ୍ଟ ପୁଞ୍ଜିବାଦୀ ସମାଜରେ ମଣିଷର ସ୍ଥିତି ଯେଉଁଠି କ୍ଷଣକ୍ଷଣକେ ବିପନ୍ନ, ତାହା ମୃତ୍ୟୁ ଚେତନାରେ ଆକ୍ରାନ୍ତ ହୁଏ । ଓଡ଼ିଆ ପରି ସମାଜ ଯେଉଁଠି ଗୋଟାଏ ବୋଲି ସମ୍ମୁଖ ଯୁଦ୍ଧର ସାମ୍ନା କରିନାହିଁ । ଗତ ଦୁଇଶହ ବର୍ଷ ଭିତରେ ସେ ରାଜ୍ୟର ଲେଖକର ଚିନ୍ତା-ଚକ୍ରବାଳରେ ମୃତ୍ୟୁ ଚେତନା ଉକୁଟି ଉଠିବ କିପରି ? ଯଦି ତାହା ଦେଖାଦିଏ, ତେବେ ତାହା ଆରୋପିତ । ବରଂ ଅନ୍ୟ ପକ୍ଷରେ ଜୀବନବାଦୀ କବି ଘୋଷଣା କରେ-

 

ମରଣକୁ କେବେ ଭୟ ମୁଁ କରିନି, ବରଂ କରିଛି ଘୃଣା

କେତେ ଶତ ବାର ଛିଡ଼ାଇଛି ହାତେ ମୃତ୍ୟୁର ପରୁୱାନା

ଜୀବନବାଦୀ ମୁଁ ଜୀବନର କବି

ଆଙ୍କିଛି ସଦା ଜୀବନର ଛବି

ମାନବ ଜାତିକୁ ପ୍ରଣାମ କରିଛି ଧରି ଜୀବନର ବାନା ।

(ଅବିନାଶ-କ୍ରାନ୍ତି କାମୋଦୀ-ରବି ସିଂ-ପୂ.-୧୩୬)

 

ଅନ୍ୟ ରାଜ୍ୟର ସାହିତ୍ୟିକଙ୍କ ପରି ଆମ ରାଜ୍ୟର ସାହିତ୍ୟିକ ବ୍ରିଟିଶ୍ ସାମ୍ରାଜ୍ୟବାଦୀଙ୍କ ପଶୁବଳ ବିରୁଦ୍ଧରେ ପ୍ରାଣପାତ କରି ସଂଗ୍ରାମ କରିଛନ୍ତି । ୧୯୪୭ ମସିହା ପୂର୍ବରୁ ସଂଗ୍ରାମ ଥିଲା ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ଲଢ଼େଇ-ସ୍ୱାଧୀନତା ପରବର୍ତ୍ତୀ ଲଢ଼େଇ ଥିଲା ମାର୍କିନ୍ ନବ୍ୟ ଉପନିବେଶବାଦ ବିରୁଦ୍ଧରେ ଗଣ ସଂଗ୍ରାମ । ଭାରତ ତୃତୀୟ ବିଶ୍ୱର ଅଗ୍ରଣୀ ଦେଶ ହୋଇଥିବାରୁ ଏସିଆ, ଆଫ୍ରିକା ତଥା ଲାଟିନ୍ ଆମେରିକାରୁ ସାମ୍ରାଜ୍ୟ ସାହୀର କିପରି ଅନ୍ତ ହେବ, ନେହେରୁଙ୍କ ନେତୃତ୍ୱରେ ସଦା ସର୍ବଦା ଚିନ୍ତି ଆସିଛି । ଦ୍ୱିତୀୟ ବିଶ୍ଵଯୁଦ୍ଧ ପରେ ଚିରାଚରିତ ପୁରୁଣା ଉପନିବେଶସବୁ ଭାଙ୍ଗିଯିବ ବୋଲି ଷ୍ଟାଲିନ୍ ଯେଉଁ ଭବିଷ୍ୟତ ବାଣୀ କରିଥିଲେ, ବସ୍ତୁତଃ ତାହା ଅକ୍ଷରେ ଅକ୍ଷରେ ସତ ହେଲା । ୧୯୫୦ ମସିହାରେ ଚୀନ୍ ମୁକ୍ତ ହେଲା । ତା’ପରେ ମୁକ୍ତି ସଂଗ୍ରାମ ଦେଶେ ଦେଶେ ତେଜି ଉଠିଲା । ତାସ୍‍ଘର ପରି ଦେଶେ ଦେଶେ ଫରାସୀ, ବ୍ରିଟିଶ୍ ପର୍ତ୍ତୁଗୀଜ୍ ସାମ୍ରାଜ୍ୟମାନ ଗଳି ପଡ଼ିଲା । ଓଡ଼ିଆ କବି ତୃତୀୟ ବିଶ୍ଵର ମୁକ୍ତିକୁ ସ୍ୱାଗତ କଲା ଏବଂ ଅଧିକରୁ ଅଧିକ ଦେଶ କିପରି ଶୃଙ୍ଖଳମୁକ୍ତ ହେବ – ତାହା କାମନା କଲା । କବି ବ୍ରଜନାଥ ରଥ ଲେଖିଲେ –

 

ଆଉ କେତେ ଦିନେ ରାତ୍ରି ପାହିବ କହରେ କହ

ଆଉ କେତେ ଦିନେ ଯାତ୍ରୀ ତୋହର ଶୁଖିବ ଲୁହ ?

ଆଉ କେତେ କାଳ ଚାଖିବୁ ଗରଳ

କେତେଦିନ ଥିବ ଆଖିରେ ପରଳ

ହେବୁ କେତେ ଆଉ ନିରୀହ ସରଳ

ଧରଣୀ ହସାଇ

ଜୀବନ ରସାଇ

ହାତରେ ହାତ ତୁ’ ମିଳାଇ ଦେ’।

କୋଟିଏ ଦୀପାଳୀ ଜଳାଇ ଦେ’ ।

(ମରୁଗୋଲାପ - ପୃ.୬୮)

 

ବ୍ରିଟିଶ୍ ପ୍ରଭାବ କ୍ଷୀଣ ହୋଇଯିବା ପରେ ଡଲାର ଡିପ୍ଲୋମାସି ବଳରେ ବା ବିଭିନ୍ନ ଦେଶ ମଧ୍ୟରେ ଦ୍ୱନ୍ଦ୍ୱ ଲଗାଇ ଆମେରିକା ବିଶ୍ଵ ଦରବାରରେ ପ୍ରଭାବଶାଳୀ ଶକ୍ତି ହେଲା । ଦେଶ ଦେଶ ମଧ୍ୟରେ ଦ୍ୱନ୍ଦ୍ୱ ଭିଆଇ ସେ ଉଭୟ ପକ୍ଷଙ୍କୁ ବିକିଲା ଯୁଦ୍ଧାସ୍ତ୍ର ଓ ମିଲିଟାରୀ ହାର୍ଡୱେୟାର । ଭିଏତ୍‌ନାମ ସହିତ ଦୀର୍ଘ ତିରିଶ ବର୍ଷ ପ୍ରକାଶ୍ୟ ଯୁଦ୍ଧ କରି ଦକ୍ଷିଣ ପୂର୍ବ ଏସିଆରେ ମରଣମାଡ଼ ଖାଇ ମଧ୍ୟ ଆମେରିକା ମାନବବିରୋଧୀ ଉପନିବେଶବାଦୀ ମନୋବୃତ୍ତି ଛାଡ଼ିଲା ନାହିଁ । ଓଡ଼ିଆ କବି ଆମେରିକାର ଏଇ ସମ୍ପ୍ରସାରଣବାଦୀ ଚରିତ୍ରକୁ ଉଦ୍‌ଘାଟିତ କରିବା ପାଇଁ ଲେଖିଲା –

 

ତମେ ହିଁ କହିପାରିବ

ବେଲାଳସେନ !

ଏ ପୃଥିବୀକୁ ବିଦୀର୍ଣ୍ଣ କଲା କିଏ ?

କିଏ ଭରି ଦେଲା ଆକାଶରେ

କାରୁଣ୍ୟର କମ୍ପିତ ରାଗିଣୀ ?

ସମୟର ସଂକୁଳ ସୈକତରେ

କାହାର ଦର୍ପିତ ପଦପାତ

ଶଂକିତ ଓ ଶୋକାକୁଳ କରିଛି

ଏ ପୃଥିବୀର ମନକୁ ।

(ବେଲାଳସେନ-ଆର କୂଳ-ସନତ୍ ରାୟ-ପୂ.୪୭)

 

କେବଳ ଉପନିବେଶବାଦ୍ ଓ ସାମ୍ରାଜ୍ୟବାଦକୁ ବିରୋଧିତା କରିବାରେ ଆଧୁନିକ ଓଡ଼ିଆ କବି ଅଟକି ଯାଇନାହିଁ, ସେ କାୟୋମନବାକ୍ୟରେ ପାଲଟି ଯାଇଛି ବିଶ୍ଵପ୍ରାଣ । ସେ ଧାରଣ କରିପାରିଛି ଏକ ବିଶ୍ଵ ଦୃଷ୍ଟିଭଙ୍ଗୀ । ଅବଶ୍ୟ ବିଶ୍ଵପ୍ରାଣ ହେବା ଓଡ଼ିଆ କବିଙ୍କ ପକ୍ଷରେ କିଛି ନୂଆ କଥା ନୁହେଁ । ଯେତେବେଳେ ପୁଣ୍ୟଶ୍ଳୋକ ଗୋପବନ୍ଧୁ ଲେଖିଲେ ‘‘ସ୍ୱଦେଶ ଭାବନା ବିଶ୍ଵ ଜନ ପ୍ରୀତି । ଉତ୍କଳବାସୀର ହେଉ ଏଇ ନୀତି ।” ସେତେବେଳେ ବି ଓଡ଼ିଆ କବି ଆନ୍ତର୍ଜାତୀୟ ମାନବତାବୋଧର ଦୀକ୍ଷିତ ହୋଇଥିଲା । ଆଧୁନିକ ଗଣବାଦୀ କବି ଆନ୍ତର୍ଜାତୀୟ ମାନବବାଦୀ ହୋଇଥିବାରୁ ସେ ଜାତୀୟବାଦୀ ଭୌଗୋଳିକ ସୀମାରେଖାକୁ ବିଶ୍ୱାସ କରେନା । ରାଷ୍ଟ୍ର ଓ ରାଷ୍ଟ୍ରୀୟତାରେ ସେ ବିଶ୍ୱାସ କରେନା । ଏ ରାଷ୍ଟ୍ର ଇତିହାସ ବକ୍ଷରେ ଦିନେ ମଣିଷ ଦ୍ଵାରା ସୃଷ୍ଟି ହୋଇଥିଲା, ଦିନ ଆସିବ ଏହାର ବିଲୟ ହେବ। ଲେନିନ୍‌ଙ୍କ ମତରେ – ଯେତେବେଳେ ବିଶ୍ୱରେ ପୂର୍ଣ୍ଣମାତ୍ରାରେ ସାମ୍ୟବାଦ ପ୍ରତିଷ୍ଠିତ ହେବ, ସେତେବେଳେ -State will wither away. ଯେଉଁମାନେ ଅନ୍ଧ ଜାତୀୟତାବାଦରେ ମାତି ବିଶ୍ଵ ଜନତାର ଏକକୁଟୁମ୍ବିକତାକୁ ନଷ୍ଟଭ୍ରଷ୍ଟ କରନ୍ତି, ସେମାନଙ୍କୁ ମାନବବାଦୀ ଆଧୁନିକ କବି ଘୃଣା କରେ । ଯେତେବେଳେ Two Nations Theory ବଳରେ ଭାରତ ଭାଗ ଭାଗ ହେଲା, ସେଇ ବିଭାଜନକୁ ବିରୋଧ କରିଥିଲା ସେତେବେଳର ‘ପ୍ରଗତିବାଦୀ ଲେଖକ ସଂଘ’ । ବିଭାଜନ ବିରୋଧୀ ସେ ସ୍ୱର ଆଜି ବି ମଉଳି ନାହିଁ ଯୁବ ସାହିତ୍ୟିକଙ୍କ ଚେତନାରେ । କବି ପୀତାମ୍ବର ତରାଇ ଲେଖିଛନ୍ତି –

 

ଭାଇ ଭଗାରୀ ବୋଲି ତ ନାଁକୁ ଭାଗ ହୋଇଛି

ଭାଗ କରିଛି -ଭୂମି, ଭାତଥାଳୀ, ଭାଇପଣ

କାହିଁ ଭାଗ ହୋଇ ନାହିଁ ତ

ମା’ର ପେଟ, ଥନ, କୋଳ, କଣ୍ଠସ୍ୱର ?

ଯେଉଁଠି ହାତ ମାରିଦେଲେ

ଉଠି ଆସୁଛି ସ୍ଵର, ସମ୍ଭ୍ରମ ଇତିହାସ

ଭାଇଚାରା ଗୋଟେ ମା’ର, ଭାରତର ।

(ଯେଉଁଠି ଅଛି ସେଇଠି ଥିବି – ଶୁଦ୍ରକର ଶ୍ଳୋକ-ପୂ.୫୮)

 

ଆଧୁନିକ କବି ଜାଣିଛି, ଏ ବିଶ୍ଵର ମୂଳ ସତ୍ୟ କ’ଣ ? କାହାର ସ୍ୱାର୍ଥ ପୃଥିବୀର ମା’ର ମୂଳ ସ୍ଵାର୍ଥ ? ଏ ସ୍ୱାର୍ଥଟି ହେଉଛି – ବିଶ୍ଵ ମେହନତି ଜନଗଣର– ସେ ଶ୍ରମିକ ହେଉ କି ସେ କୃଷକ ହେଉ । ରାଷ୍ଟ୍ର ଯେଉଁଠି ରାଷ୍ଟ୍ରୀୟତା ନାମରେ ଭାବବାଦୀ, ଭାବପ୍ରବଣବାଦୀ ତଥା ହଠକାରୀ ମଣିଷ ମଣିଷ ମଧ୍ୟରେ ବିଭାଜନ ଓ ବିଦ୍ୱେଷ ସୃଷ୍ଟି କରେ, ମେହନତି ମଣିଷର ଏକତା ସେଇଠି ମଣିଷ ଓ ମଣିଷ, ଭୂଖଣ୍ଡ ଓ ଭୂଖଣ୍ଡକୁ ମମତାର ସୂତ୍ରରେ ଯୋଡ଼େ ହୃଦୟରେ ବିଶ୍ୱର ବିଭିନ୍ନ ଜାତି, ଜନଜାତି, ରଙ୍ଗ ବର୍ଣ୍ଣର, ଭାଷାଭାଷୀର ଲୋକଙ୍କୁ ଭଲ ପାଇବାକୁ ହେଲେ ଆମକୁ ସଚ୍ଚା ମାନବବାଦୀ ହେବାକୁ ହେବ । ବିଶ୍ୱ ଜନପ୍ରୀତି ହିଁ ଆଧୁନିକ ସର୍ବହରାର ଭାତୃତ୍ଵର ଅନୁଭବ ଲାଭ କରିବାର ମୂଳ ଚାବିକାଠି ।

 

ବିଶ୍ଵଜନପ୍ରୀତିରେ ବିଶ୍ୱାସ କରୁଥିବା ଲୋକ ହିଁ ପ୍ରଥମତଃ ଏ ବିଶ୍ୱରେ ଶାନ୍ତି ଚାହେଁ । ପୁଣି ଏ ଶାନ୍ତି ଶ୍ମଶାନର ଶାନ୍ତି ନୁହେଁ । ଦେଶେ ଦେଶେ ମୁକ୍ତି ପାଇଁ ଲଢୁଥିବା ସର୍ବହରା ଖଟିଖିଆଙ୍କ ସପକ୍ଷରେ ଆଧୁନିକ କବି ମସୀଯୁଦ୍ଧ ଘୋଷଣା କରି ସ୍ୱାଧୀନତା ସପକ୍ଷରେ ଜନମତ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ନିଜକୁ ବିଶ୍ୱଶାନ୍ତି ପାଇଁ ନିବେଦିତ କରେ । ବିଶ୍ୱରୁ ଆଣବିକ ଯୁଦ୍ଧର ଭୟ ଦୂର କରିବା ପାଇଁ ଆଧୁନିକ ଗଣବାଦୀ କବି ଚାହେଁ ବିଶ୍ୱଶାନ୍ତିର ପ୍ରତିଷ୍ଠା । ମୁକ୍ତି ଯୁଦ୍ଧରେ ମତ୍ତ ଉପନିବେଶର ଦେଶ ସହିତ କବି ଏକଧାରରେ ସଂହତି ପ୍ରକାଶ କରେ ଏବଂ ସମଗ୍ର ବିଶ୍ୱଶାନ୍ତି ସପକ୍ଷରେ ଜନମତ ସୃଷ୍ଟି କରେ । କବି ଗାଏ-

 

ଧ୍ୱଂସର ଗୀତି ସୃଷ୍ଟିରେ ହେବ ବିଲୀନ

ଶରଧାରେ ଶତ ଶରଧାର ଯିଦ ମଉଳି

ଶରତର ଏଇ ଶୀତ ସକାଳରେ ଆଜି ମୁଁ

ଫୁଟାଇ ଦେଲିରେ କୋଟିଏ ଗଙ୍ଗଶିଉଳି ।

(ମରୁ ଗୋଲାପ – ବ୍ରଜନାଥ ରଥ – ପୃ.୬୬)

 

କବି ସାମ୍ରାଜ୍ୟବାଦୀ ଯୁଦ୍ଧ ହୁଂକାରକୁ ଜମ୍ମା ଖାତିର୍ କରେନା । ସମ୍ମାନଜନକ ରଫାନାମା କରି ସେ ବିଶ୍ୱରେ ପ୍ରତିଷ୍ଠା କରିବାକୁ ଚାହେଁ ଶାନ୍ତି ଓ ସହାବସ୍ଥାନ । କବି ବନମାଳୀ ସେନାପତିଙ୍କ ବଜ୍ର ଆହ୍ୱାନ ଏଇ ପରିପ୍ରେକ୍ଷୀରେ ଏକାନ୍ତ ଶ୍ରବଣଯୋଗ୍ୟ ।

 

ଆସ ଆମେ ସେମାନଙ୍କ ନିଉଟ୍ରନ ଫୋଟକା

ଏଟୋମିକ ଫୁଲଝରିର ନିଆଁରେ

ନବ ଜାତକର ଏନ୍ତୁଡ଼ି ସେ କିବା

ଏବଂ ସେଇ ନୂତନ ଦିନର ସମ୍ଭାବନାରେ

ହିଂଜିଡ଼ା ଜାତିସଂଘ ଭବନରେ

ପିକ୍‌ନିକ୍ କରିବା।

(ନବଜାତକ – କବିତାର ନାମ ଟର୍ଣ୍ଣାଡ଼ୋ – ପୃ.୨୮)

 

ଆଧୁନିକ ଭାରତୀୟ ସମାଜର ଆର୍ଥ-ରାଜନୀତିକ ଗଠନ ଓ ଚରିତ୍ର ଉପରେ କବି ଜମ୍ମା ସନ୍ତୁଷ୍ଟ ନୁହେଁ । ସ୍ଵାଧୀନତା ସଂଗ୍ରାମ ବେଳେ ଏକ ଶୋଷଣମୁକ୍ତ ସମାଜ ଗଠନ ପାଇଁ ଏ ମାଟିର କବି ଜୀବନପଣ ଲଢ଼େଇ କରିଥିଲା । କବି ଅନନ୍ତ ପଟ୍ଟନାୟକ, କବି ସଚ୍ଚି ରାଉତରାୟଙ୍କ ତାଳଚେର, ଢେଙ୍କାନାଳ ପ୍ରଜାମଣ୍ଡଳ ସହିତ ମିଶି ସେଠାକାର ଅତ୍ୟାଚାରୀ ରାଜାଙ୍କ ବିରୁଦ୍ଧରେ ଲଢ଼ିବା ଓ କାରାବରଣ କରିବା ଏ ପରିପ୍ରେକ୍ଷୀରେ ଏକାନ୍ତ ସ୍ମରଣୀୟ । କବି ରାଜାରାଜୁଡ଼ାର ଅତ୍ୟାଚାରୀ ଶାସନକୁ ଅସ୍ୱୀକାର କରିଥିଲା ଓ ବ୍ରିଟିଶ୍ ଫଉଜ୍ ଓ ରାଜାଙ୍କ ଲାଠିଆଳ ସମ୍ମୁଖରେ ଛାତି ପତାଇ ଦେଇଥିଲା ବୀରତ୍ୱ ସହକାରେ ।

 

ମାର୍‍ ତୁ ଯେତେ ଗୁଳି

ମରିବୁ ପଛେ ଡରିବୁ ନାହିଁ

ଯାଅନା ଏହା ଭୁଲି।

ଏଇ ଥିଲା କବି ସଚ୍ଚି ରାଉତରା’ଙ୍କ ଘୋଷଣା – ଥିଲା ବଜ୍ର ଆହ୍ୱାନ ।

 

ସେ ସ୍ୱାଧୀନତା ସଂଗ୍ରାମ ହେଉ, ଗଡ଼ଜାତର ମୁକ୍ତି ପାଇଁ ପ୍ରଜାମଣ୍ଡଳ ଆନ୍ଦୋଳନ ହେଉ, କି ସ୍ଵାଧୀନୋତ୍ତର ଭାରତରେ ଜନତାର ଦାବୀଦୁବା ହାସଲ ପାଇଁ କୌଣସି ଗୁଣସଂଗ୍ରାମ, ବନ୍ଦ୍ ବା ସତ୍ୟାଗ୍ରହ ହେଉ କବି ସବୁଥିରେ ନିଜେ ସଂଶ୍ଳିଷ୍ଟ, ଅନ୍ୟକୁ ସଂପୃକ୍ତ ହେବାକୁ ବା ସହଭାଗୀ ହେବାକୁ ଆହ୍ୱାନ କରେ । ଗଣ ସଙ୍ଗଠନ ଗଢ଼ିବାରେ ଅନେକ ପଥୀକୃତ କବିଙ୍କ ଜୀବନଧାରାକୁ ଲକ୍ଷ୍ୟକଲେ ସେମାନେ ଭାବର ଆଭ୍ୟନ୍ତରୀଣ ଜଗତରେ କେତେ ଯେ ମାନବବାଦୀ ଓ ଲବଣୀ-କୋମଳ ହୃଦୟର ଅଧିକାରୀ, ତାହା ଆମକୁ ଆଶ୍ଚର୍ଯ୍ୟ କରେ । ସ୍ଵାଧୀନୋତ୍ତର କାଳରେ ଏଇ କବିମାନେ ବସ୍ତୁତଃ ଗଣସଂଗ୍ରାମରେ ସାମିଲ୍ ହୋଇ ଚେତନା ଜଗତରେ ଯୁଜୁତ୍ସୁ ହେବାର ପ୍ରେରଣା ସଂଗ୍ରହ କରନ୍ତି । ପ୍ରତି ସଂଗ୍ରାମରେ ସଂଶ୍ଳିଷ୍ଟ ହେବାକୁ ପରାମର୍ଶ ଦେଇ କବି ଲେଖେ –

 

ଆସିଚି ଏବେ ଭାଇର ଡାକ

ରକତ କର ତାଜା

ନିଜର ମାନ ରଖିବା ପାଇଁ

ମନକୁ ତୋର ପଜା

କୋଟିଏ ଛାତି ଏକାଠି ହେଲେ

ଆକାଶ ଯିବ ନଇଁରେ

ତୁ ଚାଲିଛୁ କାହିଁ ଭାଇ ?

(ଚାଲିବାର ଗୀତ-ପ୍ରସନ୍ନ ମିଶ୍ର-ପୃ.୩୦)

 

ସର୍ବହରା ସଂଗ୍ରାମକୁ ନୈତିକ ଓ କାୟିକ ସମର୍ଥନ ଦେବାକୁ କବି ଉନ୍ମୁଖ । ବିଭିନ୍ନ ଆଞ୍ଚଳିକ, ଦେଶୀୟ ସଂଗ୍ରାମରେ ବିଜୟ ଲଭି ଦିନେ ସର୍ବହରାର ସଂଗ୍ରାମ ବଳୀୟାନ୍ ହୋଇ ବିଶ୍ୱ ତମାମ୍ ବ୍ୟାପ୍ତ ହେବ । ସେଦିନ ଗାଁଗଣ୍ଡାର ଦରମଲା ଲୋକର ପ୍ରାଣରେ ଆସିବ ମହାଜୀବନର ବନ୍ୟା -ସେଦିନ ମୃତ ନଦୀରେ ଆସିବ ପ୍ରାଣର ଢ଼େଉ । କବି ସର୍ବହରାର ଚୂଡ଼ାନ୍ତ ସଂଗ୍ରାମର ବିଜୟ ବିଷୟରେ ଏକାନ୍ତ ଆସ୍ଥାବାଦୀ । କବି ଲେଖେ–

 

ନିଷ୍ଠୁର ପାଷାଣ ତଳେ

ଯେ କଲ୍ୟାଣୀ ଜଳଧାରା ଚାପା ପଡ଼ିଅଛି

ମୃତ ନଦୀରେ ସେ କାଲି ଆଣିବ ସବୁଜ ଢେଉ

ଦିଲ୍ଲୀରୁ ୱାଶିଂଟନ୍

ମସ୍କୋ ନଗରୀକୁ ଯେଉଁ ପଥ ପ୍ରସାରିତ

ସେଇ ପଥେ ସେମାନେ ଗାଇବେ

ଫସଲ କଟାର ଗାନ୍ ।

(ମଇ ଦିବସର ଗାନ୍ – ଆଉ ଚୁପ ନୁହେଁ - ସମରେନ୍ଦ୍ର ନାୟକ-ପୃ.୧୭)

 

କବି ଆଗରେ ଦେବାଳିଆ ଅପସଂସ୍କୃତିର କୁପ୍ରଭାବରେ ଦେଶର ସାମାଜିକ ଜୀବନ ତଳିତଳାନ୍ତ ହୋଇଯାଉଛି । ବିଭିନ୍ନ ସଙ୍ଗଠନ ମାଧ୍ୟମରେ ଏ ରାହୁ ଗ୍ରାସକୁ ସଂଗ୍ରାମ ବଳରେ ହଟାଇବାକୁ କବି ଚେଷ୍ଟିତ । କବି ଦେଖିଛି-

 

ଗୃହ ଅଂଗନରେ ଦେଖ

ନୂଆ ବୋହୁ ପାଦର ନୂପୁର

ଭିତରେ ଲୁଚି ରହିଛି ଝଣ ଝଣ ଯୌତୁକର ନିଆଁ ଝୁଲ

କେତେବେଳେ ଝୁଲୁଅଛି ନୂଆ ବୋହୁ

ପଂଖାର ଦୋଳିରେ ଅବା କେବେ ତା’ ଜୀବନ ସୂର୍ଯ୍ୟ ଡୁବିଲାଣି ।

କିରୋସିନୀ ଢଳା ଅଗ୍ନି ବଳୟରେ ।

(ଖାସ୍ ତୁମ ପାଇଁ – ବିନୋଦିନୀ ପାତ୍ର)

ଏଇ ସାମାଜିକ ସ୍ଫଳନ ଦେଖି କବିର କଲମ ବିଳପି ଉଠୁଛି –

ମୁଁ ତୁମକୁ ଦେଖେଇ ଦେବି

ତୁମ ପଡ଼ୋଶୀ ଘରେ ଦଶ ଟଙ୍କାରେ କେମିତି ସଉଦା ହେଉଛି

କୁଆଁରୀ କନ୍ୟାର ଅକ୍ଷତ ଯୋନି ।

ଭୋକିଲା ପେଟରେ କେମିତି ପାସୋରି ହୋଇ ଯାଉଛି ।

କଅଁଳା ପ୍ରେମର କାହାଣୀ ଏବଂ

ଛିଣ୍ଡା ଅଖାକୁ ସାହାରା କରି

ତୁମ ପଛପଟ ଦ୍ଵାରର ଝୁମୁଡ଼ିରେ ଏତେ ବଡ଼ ଶୀତ

କାଟି ଦେଉଥିବା ବୁଢ଼ୀର ବଞ୍ଚିବାର ଠାଣି।

(ରାଜଜେମା-ଅନେକ କିଛି ଘଟିବାର ଅଛି – ବାସୁଦେବ ସୁନାନୀ-ପୃ.୧ ୧) ।

 

ଏସବୁ ଆମ ସମାଜ କିପରି ଶ୍ରେଣୀଗତ ଭାବେ ଦୁଇ ଭାଗରେ ବିଭକ୍ତ ତା’ର ଚିତ୍ର ତୋଳିଧରେ । ପୁଣି ଏକ ଶ୍ରେଣୀ ବିଭକ୍ତ ସମାଜରେ ଖଟିଖିଆର ଶ୍ରେଣୀଯୁକ୍ତ ତୀବ୍ର ନ ହେଲେ ଶାସନ ବ୍ୟବସ୍ଥା ତା’ ହାତକୁ ସହଜରେ ଆସେନା । ଆଧୁନିକ ଗଣବାଦୀ କବି ଏତେ ସମାଜ ମନସ୍କ ଯେ ସମାଜର ଯାବତୀୟ ବ୍ୟଥା ଓ ଦୁଃଖ ତାହାର ଦୃଷ୍ଟି ଏଡ଼ାଇ ଯାଏନା । ସେ ବ୍ୟଥିତ ହୋଇ ଲେଖେ –

 

ଦୁନିଆ ମାଲିକ ହୋଇ ରହିଲୁ ଗୋଲାମ

ଦର ବଢ଼େ, ମଜୁରୀ ମୂଲ-ନ ବଢ଼େ ଛ’ଦାମ୍

ଜିନିଷ ପତ୍ର ଭରଇ ମାଲିକ ଗୋଦାମ୍

ମାନ୍ୟବର ସାଆନ୍ତଙ୍କ ଭୋଜି ଧୁମଧାମ୍

ଭୋକୀ ତୁଣ୍ଡେ ଭରିଦିଏ ରଘୁ ରାଜାରାମ୍

କୁଳ ବାଳା ଭିଟାମାଟି ମାଉଁସ ନିଲାମ୍ ।

ମନେ କରେ ଅନ୍ଧ ତୁ’ରେ ନାହିଁ ଆଖି କାନ୍

ନିଶବଦେ ଜଳେ ଜୁଇ କୋଟି କୋଟି ପ୍ରାଣ୍‍ ।

(ମନମୋହନ ମିଶ୍ର)

 

କେବଳ ବ୍ୟଥିତ ହେଲେ ଜନଗଣର ଦୁଃଖ ଦୂର ହୁଏନା । ସେପାଇଁ ଦରକାର ନିଜ ନ୍ୟାଯ୍ୟ ଦାବୀ ଜାହିର୍ କରିବା । ଦାବୀ ଆଦାୟର ରାସ୍ତା ହେଲା ଶ୍ରେଣୀ ସଂଗ୍ରାମ ରଚନା କରିବା – ଯାହା ବଢ଼ି ବଢ଼ି ଦିନେ ଗୃହଯୁଦ୍ଧରେ ପରିଣତ ହୋଇଥାଏ । କବି ଧ୍ୱଂସର ଆହ୍ୱାନ ଦିଏ ଲୋକଶକ୍ତିକୁ ଜାଗ୍ରତ ହେବାକୁ ଆହ୍ୱାନ ଦିଏ । କବି ବଜ୍ର ଗମ୍ଭୀର ଶବ୍ଦରେ ଲେଖେ –

 

ବଞ୍ଚିବାର ରାସ୍ତା ଏକ

ହାଣରେ ହାଣ ଶୋଷକ ବେକ

କରନା ବାରେ ଡେରି

କିଛି ତ ନାହିଁ ହରାଇବାର

ଶୃଙ୍ଖଳ ଯେ ହାତରେ ତୋର

ଛିନ୍ନ କର ବେଡ଼ି

ଛିନ୍ନ କର ବେଡ଼ି ।

ମାଲିକ ରାଜ୍ ଧ୍ୱଂସ ପାଉ

ଚ୍ଛିନ୍ନ କର ବେଡ଼ି।

ଶୋଷକ ରାଜ୍ ଧ୍ୱଂସ ପାଉ

ଚ୍ଛିନ୍ନ କର ବେଡ଼ି ।

(ବଞ୍ଚିବା ପାଇଁ - ମୃତ ଈଶ୍ୱର-କୁଳମଣି ଜେନା-ପୃ.୫୬)

 

ଗଜପତି, ମାଲକାନଗିରି, କୋରାପୁଟର ବନ ଜଙ୍ଗଲରେ ଯେତେବେଳେ ଅନ୍ୟାୟ ଅନାଚାରର ପ୍ରତିରୋଧର ବନ୍ୟା ଆସେ, ଜନଗଣ ମଧ୍ୟରେ ଆସେ ସବୁକିଛି ଓଲଟପାଲଟ କରିଦେବା ନିଶା । ଘୂଣଖିଆ, ପୂତିଗନ୍ଧମୟ ସମାଜର କଂକାଳ ଆନ୍ନାର ମଳୟ ସନ୍ତ୍ରାସରେ ଟଳମଳ ହୁଏ । ଗଜପତିର ବନ କାନ୍ତାରର କବି ଗର୍ଜି ଉଠି ଶ୍ରେଣୀ ସଂଗ୍ରାମକୁ ଆଉରି ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଏ ।

 

ଭାଙ୍ଗ ଆଇନ୍ ଭାଙ୍ଗ ଆଇନ୍

ପକ୍ଷୀ ପିମ୍ପୁଡ଼ି ଭଳି

ସାଙ୍ଗ ଏଣିକି ବେଆଇନ୍‌ ବାଟ

ପ୍ରିୟ ବାରୁଦ ଓ ନଳି ।

(ବେଆଇନ୍ ବେଆଇନ୍, ଶିଖା ସ୍ଵାକ୍ଷର – ପ୍ରଶାନ୍ତ ମିଶ୍ର-ପୃ.୮୮)

 

ନିଜ ଚାରି ପାଖର ସମାଜ ବିଭିନ୍ନ ସମସ୍ୟାରେ ଜଳୁଥିବା ବେଳେ ସେଥିପ୍ରତି ନିଘା ନ କରି ନିଜ ପ୍ରିୟାଠାରେ ମନୋନିବେଶ କରି ମନଫୁଲାଣିଆ କବିତା ଲେଖୁଥିବା ଆଧୁନିକ ଥିଲାବାଲା ଗୋଷ୍ଠୀର ବାବଦୂକ କବି କ’ଣ ସତ ସତିକା କବି ? ମାଟିରୁ ଛିନ୍ନ ମୂଳ ହୋଇ ଆସ୍‍ମାନକୁ ଚାହିଁ ପଦ ରଚନା କରୁଥିବା କବି କ’ଣ କବି ? ବ୍ୟକ୍ତିଗତ ସ୍ମୃତି ଓ ଅଗଭୀର ଅନୁଭୂତିକୁ ଲିପିବଦ୍ଧ କରୁଥିବା କବି କ’ଣ କବି ? ନିଜ କାଳର ପ୍ରତିଭାମାନଙ୍କର ସାବାସୀ ଖାନ୍ ନ କରି ସୁଦୂର ଅତୀତର ଯାଜ୍ଞସେନୀର ଗୁଣଗାନ କରିବା ବା ରାଧାର ସଚ୍ଚା ପ୍ରେମର ବୟାନ କରିବାର କବି କ’ଣ କବି ? ମୁଷ୍ଟିମେୟ ତଥାକଥିତ ପାଠକଙ୍କ ପଠନ ନିମନ୍ତେ ଯାବତୀୟ କୋଡ୍ ୱାର୍ଡ଼ ପ୍ରୟୋଗ କରି ଅବୋଧ୍ୟ କବିତା ରଚନା କରୁଥିବା କବି ସତରେ କ’ଣ କବି ? କବିତା ରଚନା ନାମରେ ପୁଞ୍ଜିବାଦୀ ମାନସିକତାକୁ ଆଉରି ବଦ୍ଧମୂଳ କରୁଥିବା କବିଙ୍କୁ ଏ କଥାର ଜବାବ୍ ଦେବାକୁ ହେବ ।

 

ସମଗ୍ର ବିଶ୍ୱ ଏବେ ସ୍ୱୀକୃତି ପ୍ରଦାନ କରୁଛି ତୃତୀୟ ବିଶ୍ଵର କବିତାକୁ, କାରଣ ତାହାରି ଭିତରେ ଲୁଚି ରହିଛି, ଜନଗଣର ମନର ବ୍ୟଥା ଓ ଗାଥା, ଲୁଚି ରହିଛି ଜୀବନବାଦ ଓ ଏଥ୍‍ନିସିଟି । ଏହାର ନିଦ୍ଦର୍ଶନ ସ୍ଵରୂପ ବେଶ୍ କିଛି ବର୍ଷ ଧରି ନୋବେଲ ପୁରସ୍କାର ଯାଇଛି ଲାଟିନ୍ ଆମେରିକୀୟ ବା ଏସୀୟ-ଆଫ୍ରିକୀୟ କବି ଲେଖକଙ୍କ ସପକ୍ଷରେ । ପ୍ରାଚୀନ ସାମ୍ରାଜ୍ୟବାଦୀ ରାଷ୍ଟ୍ର ଇଂଲଣ୍ଡର ରାଜଧାନୀ ଲଣ୍ଡନ ରାସ୍ତାରେ ଯେଉଁ କବିତା ଗାନ ହେଉଛି, ସେଥିରେ ଆଉ ଦମ୍ ନାହିଁ, ବଞ୍ଚିବାର ଜୟଗାନ ନାହିଁ । ତାହା କ୍ଲାନ୍ତିକର, ଘଷରା ଓ ପୋଚରା । ଏଇ ପରିପ୍ରେକ୍ଷୀରେ ଆମ ରାଜ୍ୟର କତିପୟ ଥିଲାବାଲା ଶ୍ରେଣୀର ସ୍ତାବକ-କବି ଲଣ୍ଡନ ଷ୍ଟ୍ରିଟ୍‍କୁ ଅନୁସରଣ କରି ଓଡ଼ିଆରେ କବିତା ଲେଖିଲେ ବା ସେଆଡ଼କୁ କାବ୍ୟିକ ପ୍ରେରଣା ପାଇଁ ଅନେଇଲେ କିଛି ଲାଭ ନାହିଁ । କାରଣ, ବିଶ୍ଵ ସାରାର ଦୃଷ୍ଟି ଓ ତାରିଫ୍ କଙ୍ଗୋ କବିତା ଉପରେ, ଦଳିତ ନିଗ୍ରୋ କବିତା ଉପରେ, କାରବିଆନ୍ କବିତା ଉପରେ, ପାଲେସ୍ତିନ୍‍ର କବିତା ଉପରେ । ମୋଟ ଉପରେ ମଣିଷ ପରି ମଣିଷ ଭାବରେ ବଞ୍ଚିବା ପାଇଁ ଯେଉଁଠି ଜୀବନପଣ ଲଢ଼େଇ, ସେଇଠି କବିତା ।

 

ଆମକୁ ଏହି ସଂଗ୍ରାମୀ ମଣିଷର ଆପୋଷହୀନ ସଂଗ୍ରାମକୁ ପ୍ରେରଣା ସଂଗ୍ରହ କରିବାକୁ ହେବ । ଏଥିପ୍ରତି କେବଳ ନୈତିକ ସମର୍ଥନ ଦେଇ ବସିଗଲେ ଚଳିବନି – ଏଥିରେ ସାମିଲ ହେବାକୁ ପଡ଼ିବ । ଏହି ଜୀବନବାଦୀ ସଂଗ୍ରାମରେ ସାମିଲ୍ ହେଲେ ଆମର ଜୀବନାନୁଭୂତି ଭାରି ତୀବ୍ର ହେବ – ତା’ରି ପ୍ରଭାବରେ କବିତାର ଆଂଶିକ ଓ ଆତ୍ମିକ ରସ ରୂପ ଛନ୍ଦରେ ପୁଷ୍କଳ ହୋଇପାରିବ ।

 

୩, ଅଗାର ଗଡ଼ିଆ, ବାଲେଶ୍ଵର

 

 

ଖଣ୍ଡ କାବ୍ୟ ନୂପୁର : ଏକ ଆଲୋଚନା

ପଞ୍ଚାନନ ମିଶ୍ର

 

‘ଛାୟା’, ତୃଷ୍ଣା, ଅନ୍ତର୍ବ୍ୟଥା’ ଓ ‘ଦଧିବାମନ’ କାବ୍ୟର ସୃଷ୍ଟି ପରେ ଶ୍ରୀ ନୀଳଲୋହିତ ସିଂହ ଦେବଙ୍କ ସୃଷ୍ଟି ଦିଗ୍‍ବଳୟର ଏକ ଅପରୂପ ବର୍ଣ୍ଣାଳି ନେଇ ଉଦ୍ଭାସିତ ହୋଇଛି ଖଣ୍ଡକାବ୍ୟ ‘ନୂପୁର’ । କବି ନିଜ ପ୍ରକୃତିପ୍ରେମ, ପାରିବାରିକ ତେଲ ଲୁଣର ଜଞ୍ଜାଳ ମଧ୍ୟରେ ସୁଖ ଦୁଃଖର ଅନୁଭୂତି, ସ୍ୱାମୀ-ସ୍ତ୍ରୀର ନୈସର୍ଗିକ ସମ୍ପର୍କ, ରସାତ୍ମକତା ଓ ଆଧ୍ୟାତ୍ମିକତା ଉପରେ କାବ୍ୟିକ ପୁଟ ଦେଇ ଐତିହାସିକତା ଉପରେ ଯତ୍‍କିଞ୍ଚିତ୍ ଆଲୋକପାତ ପୂର୍ବକ ଖଣ୍ଡକାବ୍ୟଟି ରଚନା କରିଛନ୍ତି । ୨୦୦୩ ମସିହାରେ କବିପୁତ୍ର ଆସନ୍ଦ ସିଂହଦେଓଙ୍କ ଦ୍ଵାରା କାବ୍ୟଟି ପ୍ରକାଶ ପାଇଛି ।

 

ନୂପୁରର ଐତିହାସିକ ତଥ୍ୟ :- ରାଜା ରାଜ୍ୟ ଶାସକଙ୍କ ଯଶ ଅପଯଶ ସମ୍ପର୍କରେ ବିଶ୍ୱର ଇତିହାସ ମୁକ୍ତ ସ୍ଵର ହୁଏ । କବି ନୀଳଲୋହିତ ତାଙ୍କ ନୂପୁର କାବ୍ୟ ମଧ୍ୟରେ ଖଡ଼ିଆଳର ରାଜ ପୁରୁଷଙ୍କ ଶାସନ ସମୟ ଓ ସେମାନଙ୍କ ବୀରତ୍ଵ, କୀର୍ତ୍ତି, ଯଶ, ଅପଯଶ ଉପରେ ଆଲୋକପାତ କରିଛନ୍ତି । ଚୌହାନ ବଂଶୋଦ୍ଭବ ପ୍ରତାପରୁଦ୍ରଙ୍କ (ଶାସନ କାଳ – ୧୭୯୩ ରୁ ୧୮୧୮) ସମୟରୁ ଖଡ଼ିଆଳ ରାଜବଂଶର ସଂକ୍ଷିପ୍ତ ଇତିହାସ ଏଥିରେ ରହିଛି । ରାଜା ପ୍ରତାପରୁଦ୍ର ମରହଟ୍ଟାର ଅଧୀନତା ସ୍ୱୀକାର ନ କରିବାରୁ ତାଙ୍କ ଜ୍ୟେଷ୍ଠ ପୁତ୍ର ରତ୍ନ ସିଂହଙ୍କୁ ମରହଟ୍ଟାମାନେ ୧୮୦୨ ମସିହାରେ ଧରିନେଇ ପଣବନ୍ଦୀ କରି ଦୀର୍ଘ ୧୪ ବର୍ଷ ନାଗପୁରରେ ଅଟକାଇ ରଖିଥିଲେ । ଯୁବରାଜ ରତ୍ନ ସିଂହ ଦେବ ୧୮୧୬ ମସିହାରେ ସେଠାରୁ ମୁକ୍ତ ହୋଇ ନିଜ ରାଜ୍ୟ ଖଡ଼ିଆଳ (ରାଜଧାନୀ କୋମନା ଗଡ଼)କୁ ଆସି ଏକ ଶକ୍ତିଶାଳୀ ସେନା ବାହିନୀ ଗଠନ କଲେ । ପିତାଙ୍କ ପରେ ୧୮୧୮ ମସିହାରେ ସେ ଖଡ଼ିଆଳର ରାଜା ହେଲେ । ବାହୁ ବଳରେ ଜୋଙ୍କ ନଦୀ ପାର ହୋଇ ଆସୁଥିବା ଲୁଣ୍ଠନକାରୀ ପିଣ୍ଡାରୀମାନଙ୍କୁ ରାଜ୍ୟ ସୀମାରୁ ବିତାଡ଼ିତ କରି ପ୍ରଜାମାନଙ୍କୁ ଅତ୍ୟାଚାରରୁ ରକ୍ଷା କରିଥିଲେ । ରାଜ୍ୟର ଦକ୍ଷିଣପୂର୍ବ କୋଣରେ ଖଡ଼ିଆଳ ସୀମା ସନ୍ନିକଟ କଳାହାଣ୍ଡି ସହ ସୀମା ବିବାଦ ଥିବାରୁ ରାଜ୍ୟବାସୀ ସେ ଅଞ୍ଚଳରେ ସନ୍ତପ୍ତ ହୋଇ ରହୁଥିଲେ । ପିଣ୍ଡାରୀ ଦମନ ପରେ ରତ୍ନ ସିଂହଦେବଙ୍କ ଅନ୍ୟ କର୍ତ୍ତବ୍ୟ ଥିଲା କଳାହାଣ୍ଡି ରାଜାଙ୍କୁ ଉଚିତ ଶିକ୍ଷାଦାନ । ଖଡ଼ିଆଳ ଓ କଳାହାଣ୍ଡି ସୀମା ନିକଟସ୍ଥ ଲିଆଡ଼ ପାହାଡ଼ ପାଦଦେଶରେ ପ୍ରବାହିତ ଉଦନ୍ତୀ କୂଳରେ ରତ୍ନ ସିଂହଦେବ କଳାହାଣ୍ଡି ବାହିନୀକୁ ପରାସ୍ତ କଲେ । ଆତ୍ମରକ୍ଷା ଉଦ୍ଦେଶ୍ୟରେ ପୃଷ୍ଠଭଙ୍ଗ ଦେଇ ପଳାୟନ ସମୟରେ କଳାହାଣ୍ଡି ରାଜାଙ୍କ ମସ୍ତକର ପଗଡ଼ି ଏକ ବାଉଁଶ ବୁଦାରେ ଲାଗିଗଲା । ବିଜୟ ଚିହ୍ନ ସ୍ୱରୂପ ଉକ୍ତ ପଗଡ଼ିକୁ ନିଜ ଖଣ୍ଡା ମୁନରେ ଟେକି ରଣବାଦ୍ୟ ସହିତ ପତାକା ରୂପରେ ଉଡ଼ାଇଥିଲେ ରାଜା ରତ୍ନ ସିଂହଦେବ । ତାଙ୍କ ଶାସନ କାଳ ହେଉଛି ୧୮୧୮ ରୁ ୧୮୪୨ ମସିହା ।

 

ପୂର୍ବେ ଖଡ଼ିଆଳ ରାଜ୍ୟର ରାଜଧାନୀ କୋମନା ଗଡ଼ ଥିଲା । ବର୍ତ୍ତମାନର ଖଡ଼ିଆଳ ନଗର ସେତେବେଳେ ଖଲିଆପାଲି ନାମରେ ପରିଚିତ ନିହାତି ଏକ କ୍ଷୁଦ୍ର ଗ୍ରାମ ଥିଲା । ରତ୍ନ ସିଂହଙ୍କ ପିତା ପ୍ରତାପରୁଦ୍ର ରାଜଧାନୀ ପରିବର୍ତ୍ତନ କରିବା ପାଇଁ ସ୍ଥିର କରି କ୍ଷୁଦ୍ର ଗ୍ରାମ ଖଲିଆପାଲିକୁ ରାଜ୍ୟର ନାମାନୁସାରେ ଖଡ଼ିଆଳ ବୋଲି ନାମକରଣ କରିଥିଲେ ଏବଂ ଗ୍ରାମର ଅନେକ ବିକାଶ ଘଟାଇଥିଲେ । କ୍ଷୁଦ୍ର ଗ୍ରାମ ନଗରରେ ପରିଣତ ହେଲା । ରାଜ୍ୟର ନାମ ଖଡ଼ିଆଳ ଏବଂ ନଗରର ନାମ ମଧ୍ୟ ହେଲା ଖଡ଼ିଆଳ; କିନ୍ତୁ ନାନାଦି ରାଜନୈତିକ କାରଣ ହେତୁ ପ୍ରତାପରୁଦ୍ର ରାଜଧାନୀ ସ୍ଥାନାନ୍ତରିତ କରି ପାରି ନ ଥିଲେ । ରତ୍ନ ସିଂହଦେବ ନିଜ ଶାସନ କାଳରେ ୧୮୨୦ ମସିହାରେ ରାଜଧାନୀ ଖଡ଼ିଆଳକୁ ସ୍ଥାନାନ୍ତରିତ କଲେ । ନୂପୁର କାବ୍ୟର ପାଦଟୀକାରେ କବି ଏହା ଦର୍ଶାଇଛନ୍ତି ।

 

ରତ୍ନ ସିଂହଦେବଙ୍କ ପରେ ପୁତ୍ର ସୁନ୍ଦର ସିଂହଦେବ ଖଡ଼ିଆଳର ରାଜଗାଦିନାସୀନ ହେଲେ (ଶାସନ କାଳ ୧୮୪୨ରୁ ୧୮୫୨) । ନୂପୁର କାବ୍ୟର ପାଦଟୀକାରେ ଖଡ଼ିଆଳର ରାଜାମାନଙ୍କ ଶାସନ ସମୟ ସୂଚିତ କରାଯାଇଅଛି । ସୁନ୍ଦର ଦେବଙ୍କ ପରେ ଜ୍ୟେଷ୍ଠ ପୁତ୍ର କୃଷ୍ଣଚନ୍ଦ୍ର ସିଂହ ରାଜା ହେଲେ । ୧୮୫୨ରୁ ୧୮୬୭) । ତାଙ୍କ ସମୟରେ ଭାରତର ଗଣ ବିପ୍ଳବ ସିପାହୀ ବିଦ୍ରୋହର ସ୍ଫୁଲିଙ୍ଗ ବିସ୍ତାରିତ ହୋଇ ସମଗ୍ର ଓଡ଼ିଶାକୁ ପ୍ରଜ୍ୱଳିତ କରିଥିଲା । ସେହି ସମୟରେ ଇତିହାସ ପୁରୁଷ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ । ଇଂରେଜ ବିରୁଦ୍ଧରେ ଯୁଦ୍ଧ କରି ଖଡ଼ିଆଳ ରାଜ୍ୟ ମଧ୍ୟରେ ସୈନ୍ୟ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଘନ ଜଙ୍ଗଲରେ ଆତ୍ମ ଗୋପନ କରିଥିଲେ । ଇଂରେଜ ଶାସକଙ୍କ ଅଜ୍ଞାତରେ କୃଷ୍ଣଚନ୍ଦ୍ର ସେହି ବୀର ପୁରୁଷଙ୍କୁ ଗୁପ୍ତ ଭାବରେ ଅକୁଣ୍ଠ ଚିତ୍ତରେ ରସଦ ଯୋଗାଇଥିଲେ । ଅପୁତ୍ରିକ ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କ ତିରୋଧାନ ହେଲା । ଫଳରେ ରାଜ୍ୟ ରାଜଶୂନ୍ୟ ହୋଇ ପଡ଼ିଲା । ଘଟଣାକ୍ରମେ କୃଷ୍ଣଚନ୍ଦ୍ରଙ୍କ ଅନୁଜ, ସୁନ୍ଦର ସିଂହଦେବଙ୍କ ଦ୍ୱିତୀୟ ପୁତ୍ର ପଦ୍ଧନ ସିଂହଦେବ ଜୁନାଗଡ଼ରେ ସପରିବାର ଅବସ୍ଥାନ କରୁଥିଲେ । ଅରାଜକତାରୁ ରକ୍ଷା କରିବାକୁ ଯାଇ ଖଡ଼ିଆଳର ପ୍ରଜା ବୃନ୍ଦ ୧୮୬୭ ମସିହାରେ ପଦ୍ମନ ସିଂହଙ୍କୁ ଦାୟ ସୂତ୍ରରେ ‘ପୁଷ୍ପଦନ୍ତା’ ନାମକ କରେଣୁ ପୃଷ୍ଠରେ ବସାଇ ଖଡ଼ିଆଳ ଆଣି ରାଜ ସିଂହାସନରେ ଅଭିଷିକ୍ତ କଲେ । ସେ ୧୮୮୯ ପର୍ଯ୍ୟନ୍ତ ଖଡ଼ିଆଳର ରାଜା ଥିଲେ । ପଦ୍ମନ ସିଂହଙ୍କ ପରେ ପୁତ୍ର ବ୍ରଜରାଜ ୧୮୮୯ରୁ ୧୯୦୭ ପର୍ଯ୍ୟନ୍ତ ରାଜା ଥିଲେ । ତାଙ୍କ ରାଜତ୍ଵ କାଳରେ ୧୮୯୯ରେ ଏକ କରାଳ ଦୁର୍ଭିକ୍ଷର ସମ୍ମୁଖୀନ ହେଲା ଖଡ଼ିଆଳ ରାଜ୍ୟ । ମରୁଡ଼ି ଗ୍ରସ୍ତ ପ୍ରଜାବର୍ଗଙ୍କୁ ଅନ୍ନକଷ୍ଟରୁ ରକ୍ଷା କରିବା ପାଇଁ ରାଜା ଅନ୍ନପୂର୍ଣ୍ଣା ଶସ୍ୟାଗାର ମୁକ୍ତ କରି ଦେଇଥିଲେ । ଏହି ସମୟରେ ରାଜ୍ୟ ବାହାରୁ ଛତିଶଗଡ଼ ଭିତରୁ ଅନେକ ଲୋକ ପଳାଇ ଆସି ଖଡ଼ିଆଳରେ ବସବାସ କରିବା ଆରମ୍ଭ କଲେ । ବ୍ରଜରାଜଙ୍କ ପରେ ତାଙ୍କ ପୁତ୍ର ବୀର ବିକ୍ରମ ଦେବ ମାତ୍ର ଚାରିବର୍ଷ ୧୯୦୭ରୁ ୧୯୧୧ ଶାସନ କରି ୩୬ ବର୍ଷ ବୟସରେ ଅକାଳ ମୃତ୍ୟୁବରଣ କଲେ, ଫଳରେ ବୀରବିକ୍ରମଙ୍କ ପୁତ୍ର ଆର୍ତ୍ତତ୍ରାଣ ଦେବ ନାବାଳକ ଥିବାରୁ ୧୯୧୨ ରୁ ୧୯୨୧ ସାଏ ଖଡ଼ିଆଳ କୋର୍ଟ ଅଫ୍-ୱାଡ଼ର୍ସ ଦ୍ଵାରା ଶାସିତ ହେଲା । ସାବାଳକତ୍ଵ ପରେ ୧୯୨୧ ରୁ ୧୯୪୬ ପର୍ଯ୍ୟନ୍ତ ଆର୍ତ୍ତତ୍ରାଣ ଦେବ ଖଡ଼ିଆଳକୁ ଶାସନ କଲେ । ତହୁଁ ୧୯୪୬ରେ ଅନୁପ ସିଂହ ଦେଓ ପରମ୍ପରା କ୍ରମେ ରାଜ ସିଂହାସନର ଉତ୍ତରାଧିକାରୀ ହେଲେ । ଗତ ୪.୧୦.୨୦୦୩ରେ ତାଙ୍କ ତିରୋଧାନ ପରେ ଅନୁପ ସିଂହଙ୍କ ଜ୍ୟେଷ୍ଠପୁତ୍ର ପ୍ରତ୍ନତତ୍ତ୍ୱବିତ ଜିତାମିତ୍ର ପ୍ରସାଦ ସିଂହଦେଓ ଏବେ ଖଡ଼ିଆଳ ରାଜ ପରିବାରର ମୁଖ୍ୟ ପଦରେ ଅଧିଷ୍ଠିତ ।

 

ଖଡ଼ିଆଳର ଇତିହାସ ବ୍ୟତୀତ ନୂପୁର କାବ୍ୟରେ ପୃଥୀରାଜ ଓ ମହମ୍ମଦ ସାହାବୁଦ୍ଦିନ ଘୋରୀ, ସିକନ୍ଦର ଓ ପୁରୁ, ଇଂରେଜ ସେନାପତି ଓ ଜୟୀ ରାଜଗୁରୁ ତଥା ଚିତୋର ଧରଣୀପାଳ ରାଣା ପ୍ରତାପ ଏବଂ ସିଂହଭୂମି ପୋଡ଼ାହାଟ (ଚକ୍ରଧରପୁର) ମହାରାଜ ବିପ୍ଲବୀ ଅର୍ଜୁନ ସିଂହଙ୍କ ସମ୍ୟକ ସୂଚନା କାବ୍ୟ ମଧ୍ୟରେ ଦେଖିବାକୁ ମିଳେ । ପୌରାଣିକ ପ୍ରସଙ୍ଗ ହିସାବରେ ରାଜା ହରିଶ୍ଚନ୍ଦ୍ର ଏବଂ ନଳ ରାଜାଙ୍କ ପ୍ରସଙ୍ଗ ସୂଚିତ କରାଯାଇଅଛି ।

 

ସାହିତ୍ୟ ସଂସ୍କୃତି ପୀଠ ଖଡ଼ିଆଳ :- ଖଡ଼ିଆଳ ରାଜବଂଶରେ ରତ୍ନ ସିଂହଦେବଙ୍କ ସମୟରୁ କବିତ୍ଵର ମୂଳଦୁଆ ପଡ଼ିଥିବା ଲକ୍ଷ୍ୟ କରାଯାଏ । ନୂପୁର କାବ୍ୟର ଦ୍ୱିତୀୟ ସର୍ଗରେ କବି ଲେଖିଛନ୍ତି –

 

ସେହି ବିକ୍ରମୀ ମହାମାନୀ

ପରମ୍ପରା କ୍ରମେ ସୁଦୃଢ଼ କଲେ

ପ୍ରଜ୍ଞାଦାୟିନୀ ସରସ୍ୱତୀଙ୍କ

ଚରଣ ପଦ୍ମ ପୂଜା

ଖଡ଼ିଆଳ ହେଲା କଳାରେ ମୁଖର

କଳିଙ୍ଗ କୋଶଳ ଉତ୍କଳ ଦେଶେ

ଉଡ଼ିଲା କୀରତି ଧ୍ଵଜା ।’’

 

ପ୍ରଥମେ ୧୮୮୫ରେ ପ୍ରକାଶିତ ଏବଂ ପରେ ୧୯୭୫ରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବ୍ୟାପାର ବିଭାଗ ଦ୍ୱାରା ପ୍ରକାଶିତ ବ୍ରଜରାଜ ଗ୍ରନ୍ଥାବଳୀରେ ସ୍ଥାନିତ ‘ରୂପମଞ୍ଜରୀ’ କାବ୍ୟର ଏକୋନବିଂଶତି ଛାନ୍ଦର ଶେଷ ଭାଗରେ ରତ୍ନ ସିଂହଙ୍କ କବିତ୍ଵ ବିଷୟରେ ଉଲ୍ଲେଖ ଅଛି ।

 

“ସେ ବଂଶେ ଉତ୍ପନ୍ନ ରତ୍ନ ସିଂହଦେବ

ଖଡ଼ିଆଳ କ୍ଷିତି ମଧ୍ୟରେ ନୃପତି ହୋଇ ସେ ପ୍ରକାଶି ପ୍ରଭାବ

ବିବେକ ସୁଧୀର କବିତ୍ଵରେ ସାର ସକଳ ଗୁଣରେ ନିପୁଣ

ଯଶ ବିବର୍ଦ୍ଧନ ଅଇରି ମର୍ଦ୍ଦନ ବାନାକୁ କରି ସେ ଧାରଣ ।

(୧୯ ଛାନ୍ଦ-ରୂପମଞ୍ଜରୀ)

 

୰ କବିରାଜ ଶ୍ରୀ ପ୍ରୟାଗଦତ୍ତ ଯୋଷିଙ୍କ ଲିଖିତ ‘ଖଡ଼ିଆଳ ପ୍ରଭା’ ନାମକ ପୁସ୍ତକ ଖଡ଼ିଆଳ ସାହିତ୍ୟ ସମିତି ଦ୍ୱାରା ୧୯୯୨ ମସିହାରେ ପ୍ରକାଶ ପାଇଅଛି । ତହିଁରେ ‘‘ଓଡ଼ିଶାର ସୀମାନ୍ତ ଅଞ୍ଚଳର ସାହିତ୍ୟ ସାଧନା ପୀଠ- ଖଡ଼ିଆଳ’’ ଶୀର୍ଷକ ପ୍ରବନ୍ଧରେ ଯୋଷି ମହାଶୟ ଲିପିବଦ୍ଧ କରିଛନ୍ତି । ‘‘ସନ୍ ୧୯୫୦ ରୁ ୧୯୫୩ ମସିହା ମଧ୍ୟରେ ଖଡ଼ିଆଳର ପ୍ରାଚୀନ ସାହିତ୍ୟ ସଂଗ୍ରହର ଚେଷ୍ଟାରେ ଅନେକ ପରିଶ୍ରମ କରିସୁଦ୍ଧା ଏହି ରାଜାମାନଙ୍କର ରଚନାବଳୀର କୌଣସି ଲିଖିତ ସଂଗ୍ରହ ପାଇ ପାରିନଥିଲୁଁ । ଲୋକ ମୁଖରୁ, ପାଲା, ଯାତ୍ରା ଓ ଘୁମୁରା ନାଚ ଦଳମାନଙ୍କ ଠାରୁ ମାତ୍ର କେତେ ଗୋଟି ସଙ୍ଗୀତ ପାଇ ପାରିଥିଲୁ” ।

 

ଶ୍ରୀ ରତ୍ନ ସିଂହଦେବଙ୍କ ୭ଟି ।

ଶ୍ରୀ କୃଷ୍ଣଚନ୍ଦ୍ର ସିଂହଦେବଙ୍କ ୪ଟି

ଶ୍ରୀ ପଦ୍ମ ସିଂହଦେବଙ୍କ ୧୩ଟି

 

ଏ ସବୁ ‘‘ଖଡ଼ିଆଳ କୁସୁମ, ଦ୍ୱିତୀୟ ଭାଗ -ଗୀତି ମଞ୍ଜୁଷା’’ରେ ପ୍ରକାଶିତ ହୋଇଛି । ପ୍ରକାଶ ଥାଉ କି ଉକ୍ତ ପୁସ୍ତକ ଖଡ଼ିଆଳ ସାହିତ୍ୟ ସମିତି ଦ୍ୱାରା ୧୯୫୫ରେ ମୁଦ୍ରିତ ହୋଇଛି । ‘‘ଖଡ଼ିଆଳ ପ୍ରଭା’’ ପୁସ୍ତକ ‘‘ଖଡ଼ିଆଳର ରାଜା ଶ୍ରୀ ବୀରବିକ୍ରମ ଦେବ ଓ ତାଙ୍କ ସାହିତ୍ୟିକ ଅବଦାନ’’ ଶୀର୍ଷକ ପ୍ରବନ୍ଧରେ ଯଥାକ୍ରମେ ଉଲ୍ଲେଖ ଅଛି । ସଙ୍ଗୀତ କୁସୁମାଞ୍ଜଳି- “ଶ୍ରୀ ବୀରବିକ୍ରମ ଦେବଙ୍କ ଅନ୍ତରଙ୍ଗ ବାଣୀ ଭୂଷଣ ଶ୍ରୀରାମଚନ୍ଦ୍ର ରାୟଗୁରୁ ସେ ସବୁକୁ ସଂଗ୍ରହ କରି କେତେ ଖଣ୍ଡରେ ପ୍ରକାଶ କରିବାର ବାସନା ରଖି ପ୍ରଥମେ ଖ୍ରୀ ବୀରବିକ୍ରମଙ୍କ କେତେକ ସଙ୍ଗୀତ ପ୍ରଥମ ଭାଗ ରୂପରେ ପ୍ରକାଶ କରିଥିଲେ । ଏହା ତାଙ୍କ ଦତ୍ତ ଭୂମିକାରୁ ସୁସ୍ପଷ୍ଟ । ଯଥା—

 

‘‘ଅତଏବ ଆମ୍ଭେ ପାଠକମାନଙ୍କ ଚିତ୍ତ ବିନୋଦନାର୍ଥ ଖଡ଼ିଆଳର ପ୍ରାଚୀନ ରାଜାମାନଙ୍କ ଓ ରାଜ ପୁରୁଷଙ୍କ ବିରଚିତ ସଙ୍ଗୀତଗୁଡ଼ିକ ସଂଗ୍ରହ କରି ଖଣ୍ଡାକାରରେ ପ୍ରକାଶକରିବାର ବାସନା ରଖିଅଛୁ ଏବଂ ସେ ସବୁ କେତେ ଭାଗରେ ସମ୍ପୂର୍ଣ୍ଣ ହେବ, ତାହା ନିଶ୍ଚୟ କରିବାର ସୁକଠିଣ । ପ୍ରଥମ ଭାଗରେ ଶ୍ରୀମାନ୍ ବୀର ବିକ୍ରମ ଦେବ ଯୁବରାଜଙ୍କର ବିରଚିତ ସଙ୍ଗୀତଗୁଡ଼ିକ ପ୍ରକାଶିତ ହେଲା । ( ୧୯୦୬ରେ ପ୍ରକାଶିତ) xxx୧୯୧୧ରେ ଶ୍ରୀ ବୀରବିକ୍ରମଙ୍କ ହଠାତ୍ ପରଲୋକ ଗମନ ପରେ ସବୁ ଇତଃସ୍ତତଃ ହୋଇଗଲା ।”

 

ନାଟ୍ୟକାର ବୀରବ୍ରିକମ ଦେବଙ୍କ ପିତାମହ ପଦ୍ମ ସିଂହଦେବ ‘‘ସମଲେଶ୍ୱରୀ ସ୍ତୁତି’’ ରଚନା କରି ଭକ୍ତି ଗଦ୍‍ଗଦ୍‍ କଣ୍ଠରେ ନିତ୍ୟ ପ୍ରାତଃ ଗାନ କରୁଥିଲେ । ସେହି ପ୍ରସଙ୍ଗ ନୂପୁର କାବ୍ୟରେ କବିଙ୍କ ଲେଖନୀରେ ଏପରି ଭାବରେ ରୂପ ଧାରଣ କରିଛି--

 

“ରାଜା ପଦ୍ମନ କିଶୋର ବୟସେ

ରଚିଥିଲେ ଯେଉଁ ଗୀତି

ଚୌହାଣ କୁଳରେ ଇଷ୍ଟଦେବୀ

ସମଲେଶ୍ୱରୀଙ୍କ ସ୍ତୁତି ।

ନିର୍ଦ୍ଦିଷ୍ଟ ସମୟ ତଦ୍‍ଗତ ହୃଦେ

ଗାନ କରୁଥିଲେ ନିତ୍ୟ ପ୍ରାତଃ

ଲଳିତ କଣ୍ଠେ ମୋଦେ”

ଶୁଣିଛୁ ନୂପୁର ! ଶୁଣିଛୁ ସେ ଗାନ

ଦେଖିଚୁ ସେ ଭାବି ବିହ୍ୱଳତା

ଅନୁଭବି ଅଛୁ ତା’ର ସଙ୍ଗତେ

ଭକ୍ତିର ଗଭୀରତା ।” (ନୂପୁର -ଦ୍ୱିତୀୟସର୍ଗ)

 

“ମଦନପୁର ରାମପୁର” ରାଜ ପରିବାରର କନ୍ୟା ରମ୍ଭାବତୀ ଦେବୀଙ୍କ ଗର୍ଭ ସମ୍ଭୂତ ପଦ୍ମନ ସିଂହଦେବଙ୍କ ପୁତ୍ର ବ୍ରଜରାଜ ନିଜ ସାରସ୍ୱତ ସାଧନା ଯୋଗୁଁ ଦ୍ୱିତୀୟ ଉପେନ୍ଦ୍ର ଭଞ୍ଜ ନାମରେ ପରିଚିତ । ତାଙ୍କ ଉଚ୍ଚ ପ୍ରଶାସନ ଦକ୍ଷତା ଏବଂ ପାଣ୍ଡିତ୍ୟ ହେତୁ କବିଶେଖର ଚିନ୍ତାମଣି ମହାନ୍ତି ‘ଉତ୍କଳ କମଳା’ କାବ୍ୟରେ ବ୍ରଜରାଜଙ୍କୁ ‘ଉତ୍କଳ ବିକ୍ରମାଦିତ୍ୟ’ ବୋଲି ଅଭିହିତ କରି ଯାଇଅଛନ୍ତି । ବ୍ରଜରାଜଙ୍କ ‘ପ୍ରବନ୍ଧ ଚିତ୍ରକାବ୍ୟ’ ଏକ ଅନନ୍ୟ ଅସାଧାରଣ କଳା ସୃଷ୍ଟି । ତାଙ୍କ ସ୍ଥାପିତ ଖଡ଼ିଆଳ ସାହିତ୍ୟ ସମିତି ଅଦ୍ୟାପି ଜୀବିତ । ବ୍ରଜରାଜଙ୍କ ପୁତ୍ର ବୀରବିକ୍ରମ ଓଡ଼ିଆ ନାଟକର ପ୍ରାରମ୍ଭିକ କାଳରେ ଅନେକ ନାଟକ ଲେଖି ଯାଇଛନ୍ତି । ବୀରବିକ୍ରମ ଥିଏଟର ତାଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ବୀରବିକ୍ରମଙ୍କ ସୁପୁତ୍ର ରାଜା ଆର୍ତ୍ତତ୍ରାଣ ଦେବ ଏହି ରଙ୍ଗମଞ୍ଚର ଅନେକ ବିକାଶ ଘଟାଇଥିଲେ । ତାଙ୍କ ଶାସନ କାଳକୁ ବୀର ବିକ୍ରମ ଥିଏଟରର ସୁବର୍ଣ୍ଣ ଯୁଗ ବୋଲାଯାଏ । ତାଙ୍କର କଳାପ୍ରାଣତା ହେତୁ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ, ବିହାର କଳିଙ୍ଗ ଆଦି ଦୂରଦୂରାନ୍ତ ଅଞ୍ଚଳକୁ କଳାକାରମାନେ ଆସି କଳା ପ୍ରଦର୍ଶନ କରି ପୁଷ୍କଳ ପାରିତୋଷିକ ଲାଭ କରୁଥିଲେ । ଆର୍ତ୍ତତ୍ରାଣଙ୍କ ପୁତ୍ର ଅନୁପ ସିଂହଦେଓ ଓଡ଼ିଆ ସାହିତ୍ୟାକାଶରେ ଏକ ଅମଳିନ ପ୍ରତିଭା । ରଚନା ସୌଷ୍ଠବତା ହେତୁ କବିସୌରଭ ଉପାଧିରେ ଭୂଷିତ । ତାଙ୍କ ରଚନାମାନଙ୍କ ମଧ୍ୟରେ ପ୍ରେମ, ରହସ୍ୟବାଦ ଆଧାତ୍ମିକତା ଆଦିର ସୃଷ୍ଟ ଆଲେଖ୍ୟ ସୂଚିତ । ଆଧୁନିକ ଏବଂ ରୀତିଯୁଗୀୟ ଉଭୟ ଶୈଳୀରେ ତାଙ୍କ ଲେଖନୀ ବଳିଷ୍ଠ । ନୂପୁର କାବ୍ୟ ମରୁ ଖଡ଼ିଆଳ ରାଜବଂଶର ସାରସ୍ୱତ ସାଧନାର ଯତ୍ ସାମାନ୍ୟ ଆଭାସ ମିଳେ ।

 

ନୂପୁର କାବ୍ୟର ସାରସ୍ୱତ ମହତ୍ତ୍ୱ :- ‘ନୂପୁର’ ଦୀର୍ଘ କଳେବର ନ ହେଲେ ହେଁ ସୀମିତ କଳେବର ମଧ୍ୟରେ ଗୁମ୍ପିତ ଶବ୍ଦ ବିନ୍ୟାସ ଏବଂ କେତେକ ଅମୃତମୟୀ ପଂକ୍ତିର ପ୍ରକାଶ ଅତୀବ ହୃଦ୍ୟ ହୋଇ ପାରିଛି । ରଚନା ମଧ୍ୟରେ ଉଭୟ ରୀତିଯୁଗ ଏବଂ ଆଧୁନିକ ଯୁଗର ଅପୂର୍ବ ସମନ୍ୱୟ ଘଟିଛି । ସାମ୍ପ୍ରତିକ ଉଗ୍ର ଆଧୁନିକତା ମଧ୍ୟରେ ସାଲିସ୍‌ କରିଥିବା ନୂପୁର ହୃଦୟ ଉଦବେଳକ ଏକ ଅନବଦ୍ୟ ସୃଷ୍ଟି । ରୀତିଯୁଗୀୟ ଶବ୍ଦ ଗୁମ୍ଫନରେ ପରଭୃତ, ରୁତ, ବାୟସାରାତି, ତରଳ, ଅଂଶୁକ, କୌଶିକ, ଚିକୀର୍ଷୁ, ଅଧମର୍ଣ୍ଣ, ବଳିଭୁକ, ଚରଣାୟୁଧ, ଧାତି ଇତ୍ୟାଦି ସହ ଆଞ୍ଚଳିକ ଶବ୍ଦ ବାଞ୍ଜିବୁଟା (ବାଉଁଶଲଟା) ଖପର, ବହି, କେବେଡ଼, ଧୂମା ପ୍ରଭୃତି ଯାଥା ସ୍ଥାନିତ ହୋଇ ପାରିଛି । ଶବ୍ଦ ପ୍ରୟୋଗରେ କବି କିଛି ଅଂଶରେ ପିତା କବିସୌରଭ ଅନୁପ ସିଂହ ଦେଓଙ୍କ ପଦାଙ୍କ ଅନୁସରଣ କରିଥିବା ମନେ ହୁଏ । ରଚନା ମଧ୍ୟରେ ପ୍ରକୃତି ଚିତ୍ରଣ ବାସ୍ତବ ରୂପେ ଆତ୍ମ ପ୍ରକାଶ କରି ଚମତ୍କାର ରୂପ ଧାରଣ କରିଛି । ପଞ୍ଚମ ସର୍ଗରେ ରାତ୍ରିର ଭୟାବହ ପରିବେଶ ବର୍ଣ୍ଣନାରେ କବି ଲେଖିଛନ୍ତି –

 

“ଦୂରୁ ବହୁ ଦୂରୁ ଶୃଗାଳ ଶବଦ

ଭାସି ଆସୁଥିଲା ଶୀତଳ ମନ୍ଦାନିଳେ

ମୂଷିକମାନଙ୍କ ଉପଦ୍ରବେ ଗୋଟି ଗୋଟି ପଲ୍ଲବ

ବୃକ୍ଷ ଡ଼ାଳରୁ ଖଡ଼ ଖଡ଼ କରି

ଝଡ଼ି ପଡୁଥିଲା ତଳେ । (ପଞ୍ଚମ ସର୍ଗ)

 

ଦୁର୍ଦଶାଗ୍ରସ୍ତ ରଜନୀରେ ମର୍ମାନ୍ତିକ ଯାତନା ଚାରଣାବେଳେ ରଚନାଟି ରସିକତାରେ ପୃଷ୍ଟ ହୋଇଛି ।

ଜ୍ୟୋତ୍ସା ନିଶାରେ ଆସିଥଲେ ପ୍ରିୟା

କୋମଳ ଚରଣ ଚାଳି

ସେହି ଆସିବାର

ନୁହେଁ ଖେଳିବାକୁ ପଣୟ ଖେଳ

ଆସିଥିଲେ ସିନା

ପ୍ରସ୍ତାବ ଏକ ଭାଳି (ପଞ୍ଚମ ସର୍ଗ)

 

ସର୍ବୋପରି କାବ୍ୟ ନିସୃତ କେତୋଟି ପଂକ୍ତି ଉଦାର୍ଯ୍ୟ ଅଟେ । ତନ୍ମଧ୍ୟରୁ-

ଗନ୍ଧବହରେ ଅରବିନ୍ଦରେ

ମଣ୍ଡଳାକାରେ ବିଚ୍ଛୁରିତ

ପରାଗ ସୁଷମା ବହି ( ୨ ୟ ସର୍ଗ)

“ତୋର ସେ ମଦୁର ଧୂନି ବିମୋହିନୀ

ମଧୁ ମାଦକତା ଢ଼ାଳି” । ( ୨ୟ ସର୍ଗ)

‘‘ଉଦ୍ୟାନେ ଗଲେ ପ୍ରିୟାର ସଙ୍ଗିନୀ

ପ୍ରାୟ ଦେଖାଯାନ୍ତି ଫୁଲେ

କରନ୍ତି ଯେସନ       ସଜନୀକୁ ଆମ

ସୁଖ ଦେଇ ପାରୁ ନାହିଁ ତୁମରି ଘରେ । (୪ର୍ଥ ସର୍ଗ)

 

ରଚନା ମଧ୍ୟରେ କେତୋଟି ସ୍ଥାନରେ ଯତିପାତ ଦୋଷ ଥିଲେ ହେଁ ଭାବ ଗାମ୍ଭୀର୍ଯ୍ୟ ଓ ଆଳଙ୍କାରିକତାରେ ତାହା ଉହ୍ୟ ହୋଇ ପଡ଼ିଛି । କେତେକ ସ୍ଥାନରେ ବ୍ୟଞ୍ଜନାର ପ୍ରୟୋଗ କାବ୍ୟଟିକୁ ଅଧିକ ମନୋରମ କରି ପାରିଛି-

 

ବ୍ୟାଘ୍ର ପରାଏ ଦିଶେ ପୁସ୍ତକ ମୋତେ

ଲଢ଼ୁଅଛି ମୁହିଁ ତାହାର ସହିତେ

ଗାଧୋଇ ଶୋଣିତେ

ଲଢ଼ି ଯାହା ସହ ପୂର୍ବ ପୁରୁଷେ

ରଖି ଯାଇଛନ୍ତି ଯଶ

ମୋ ଭାଗ୍ୟ କି ଅଛି ଜଣା ନାହିଁ କିଛି ନାହିଁ,

ହୁଏ ଅପଘନ – ମନ ଅବଶ ।”

 

ଗୋଟିଏ ବ୍ୟାଘ୍ର ସହିତ ଲଢ଼ି କୌଣସି ବ୍ୟକ୍ତି ଜିଣି ପାରିବ ନାହିଁ । ତେବେ ଯିଏ କିଛି ସମୟ ସାହସ ଧରି ବ୍ୟାଘ୍ର ସହିତ ଲଢ଼ିପାରେ ସେ ଯଶର ଅଧିକାରୀ ହୁଏ । ସେହିପରି ଜଣେ ବ୍ୟକ୍ତି ବିଶ୍ୱର ସମଗ୍ର ପୋଥିକୁ ଆୟତ୍ତ କରି ପାରିବ ନାହିଁ । ଯେଉଁମାନେ ବହୁଳ ଭାବରେ କେତେକ ପୁସ୍ତକ ଆୟତ୍ତ କରି ପାଣ୍ଡିତ୍ୟର ଅଧିକାରୀ ହୋଇ ଥାଆନ୍ତି, ସେମାନେ ଯଶର ଅଧିକାରୀ ହୋଇ ଥାଆନ୍ତି । କବିଙ୍କର ପୂର୍ବ ପୁରୁଷମାନେ ପୁସ୍ତକ ରୂପକ ବ୍ୟାଘ୍ରସହ ଲଢ଼ି, କିଛି ଆୟତ୍ତ କରି ପାରି- ସାହିତ୍ୟ ସାଧନା କରି ଯଶର ଅଧିକାର ହୋଇ ପାରିଛନ୍ତି; କିନ୍ତୁ କବି ନୀଳଲୋହିତ ସେହି ବ୍ୟାଘ୍ର ସହ ଲଢ଼େଇ କରିବାକୁ ବାହାରି ପଡ଼ି ବ୍ୟାଘ୍ର ଦ୍ଵାରା ଆକ୍ରାନ୍ତ ହୋଇ (ଅର୍ଥାତ୍ ସାହିତ୍ୟରେ ମଜ୍ଜି ଅର୍ଥ ଉପାର୍ଜନରେ ଧ୍ୟାନ ନ ଦେଇ) ରକ୍ତ କ୍ଷରଣ ହେତୁ ଶୋଣିତ ସ୍ନାନ କରିଅଛନ୍ତି । ତାଙ୍କ ଶରୀର ଓ ମନ ଅବଶ ହୋଇ ପଡ଼ୁଛି । ସାହିତ୍ୟ ସାଧନା କରିବା ସାମର୍ଥ୍ୟ ସେ ହରାଇ ବସୁଛନ୍ତି । ରକ୍ତ କ୍ଷରଣ ତାଙ୍କର ଆର୍ଥିକ ଅବକ୍ଷୟତାକୁ ବ୍ୟଞ୍ଜିତ କରୁଅଛି ଏବଂ ରକ୍ତସ୍ନାନ – ଆର୍ଥିକ ଦୁରବସ୍ଥାରେ କବି ବୁଡ଼ି ଯାଇଥିବା ଅର୍ଥକୁ ହିଁ ବ୍ୟଞ୍ଜିତ କରୁଅଛି । ଭବିଷ୍ୟତରେ ସାହିତ୍ୟ ସାଧନା କରିବାର ଆଶା ହରାଇ ବସିଛନ୍ତି କବି । “ମୋ ଭାଗ୍ୟ କି ଅଛି ଜଣା ନାହିଁ କିଛି’ ବକ୍ତବ୍ୟରୁ ଏହା ସ୍ପଷ୍ଟ ହୁଏ ।

 

ଥରେ କବିଙ୍କୁ ପଚରାଗଲା ଏବେ କି କି ଲେଖା ଚାଲିଛି ? କବିଙ୍କ ଉତ୍ତର ହେଲା ‘‘ଅନ୍ନ ଚିନ୍ତା ଚମତ୍କାରା କାତରେ କବି କୃତଃ’’ ଅର୍ଥ ଭୋକରେ ପେଟ ଜଳୁଥିବା ବେଳେ କାବ୍ୟ କବିତା ଲେଖିବା କେତେଦୂର ସମ୍ଭବ । ସଂସାର ଜଞ୍ଜାଳ ମଧ୍ୟରେ ରାଜବୈଭବର ଅବଲୁପ୍ତ କାଳରେ କାୟ, ଚିତ୍ତ, ଅର୍ଥ ଶ୍ରାଦ୍ଧ କରି ନିଜ ବଂଶର ସାହିତ୍ୟ ସାଧନାର ପରମ୍ପରାକୁ ବଞ୍ଚାଇ ରଖି କାବ୍ୟ ସୃଷ୍ଟିର ମହତ୍ ଉଦ୍ୟମ ନିଶ୍ଚିତ ରୂପେ ପ୍ରଶଂସନୀୟ । କୃତିର ପ୍ରଶଂସା ମଧ୍ୟରେ ଉତ୍ସକୁ ଅନ୍ୱେଷଣ କରିବାକୁ ପଡ଼େ । ସେତେବେଳେ ଅନିବଦ୍ଧତା ଅନ୍ତରାୟ ହୋଇପଡ଼େ । କବିଙ୍କ ସମ୍ପର୍କରେ ଗ୍ରନ୍ଥ ଶେଷରେ ସଂଯୁକ୍ତ ଆଲୋଚକ ଶ୍ରୀ କୃଷ୍ଣଦାସ, ମହାଉତୀଙ୍କ ‘‘ନୀଳଲୋହିତଙ୍କ ଜୀବନୀ ଓ ସୃଷ୍ଟିର - ଏକ ଦୃଶ୍ୟପଟ’’ ଶୀର୍ଷକ ସୂଚନା ଗବେଷକମାନଙ୍କ ପାଇଁ ସହାୟକ ହେବ । ଏହା ନିଃସନ୍ଦେହ ଅଟେ ।

 

ଅବସରପ୍ରାପପ୍ତ ଅଧ୍ୟକ୍ଷ

ଲାଇନପଡ଼ା ପାଟଣାଗଡ଼

ଜିଲ୍ଲା : ନୂଆପଡ଼ା, ଓଡ଼ିଶା

 

***

 

ଅରାଏ ମୁଥା ଘାସ

ଶୁଭଶ୍ରୀ ଲେଙ୍କା

 

ଏବେ ବି ହଜିଯାଇନାହିଁ ।

ସେମାନଙ୍କର ଅସ୍ତିତ୍ୱ ।

ଏତେସବୁ ମହାଯୁଦ୍ଧ

ଦ୍ରୁତ ଶିଳ୍ପାୟନର ଆକାଶ ଭର୍ତ୍ତି କଳାଧୂଆଁ

ଏତେ ଶତ୍ରୁତା, ଅବିଶ୍ୱାସର ତାରବାଡ଼

ଧର୍ମର ହାଣ – କୁରାଡ଼ିଚୋଟରୁ

କେମିତି କେଜାଣି ବର୍ତ୍ତିଯାଇନୁ

ସେମାନଙ୍କ ନରମ, ନିପାଣିଆ ଜୀବନ ।

ଟିକିଏ କାନ ଡେରି ଶୁଣ

ଛାତି ଭିତରେ ଟିକ୍ ଟିକ୍ କରୁଛୁ

ଖାଲି ଜୀବନ ନାଟିକା ନୁହଁ

ଝୁଣାପରି ମହକୁଥିବା ବିଶ୍ୱାସ

ଝରଣା ପରି ଆଗେଇବାର ଉଚ୍ଛ୍ୱାସ

ଅବିର ବୋଳା ଆକାଶ ପରି

ଆଶାର ଅୟୂତ ବର୍ଣ୍ଣବିଭା

ଅନନ୍ତ ସମୟର ସଦୟ

ଘର୍ଘର ରଥ ଶବ୍ଦ !

ଏଣୁ ସୂର୍ଯ୍ୟ ପଛେ ଅସ୍ତ ହେଉ

ଯେଉଁ ସୁଦୂର ଭୂଖଣ୍ଡରେ

ରାତି ହେଉପଛେ ଯେତେ ଲମ୍ବା

ଯେତେ କିଟି କିଟି କଳା

ନିଶ୍ଚୟ ଉଦୟ ହେବେ ସୂର୍ଯ୍ୟ

ପରଦିନ ପ୍ରଭାତରେ, ପୁଣି ପୂର୍ବ ଦିଗରେ

ଶୋଇ ପଡ଼ିଥିବା ସବୁ ସ୍ଵପ୍ନ, ସମ୍ଭାବନା

ଆଉ ସବୁଜିମାକୁ

ଆବାହନୀ ମନ୍ତ୍ରପାଣି ସିଞ୍ଚି ।

ତମେ ଜାଣିଛ ସେମାନଙ୍କ ଜନ୍ମମାଟି

ଅନେକଥର, ରକ୍ତରେ ଲାଲ୍ ହୋଇଛି

କେବେ ବାରୁଦଗନ୍ଧରେ ବନ୍ଧ୍ୟା ପାଲିଟିଛି

କେବେ ସେମାନେ ପାଇନାହାନ୍ତି

ଜଳ ବୁନ୍ଦେ ଅନେକ ଦିନ ଯାଏଁ

କେବେ ପବନରୁ ସେମାନେ ଆଘ୍ରାଣ

କରିପାରିନାହାନ୍ତି ଜୀବନୀ ଶକ୍ତି

କେବେ ସେମାନଙ୍କ ମଥା ଉପରେ

ତିଆରି ହୋଇଯାଇଛି ମୋରମ୍ କି ପିଚୁରାସ୍ତା

ତଥାପି କଅଁଳିବାର ଦୁର୍ବାର ଆକାଂକ୍ଷାକୁ

ସେମାନେ ପାସୋରି ଯାଇନାହାନ୍ତି ।

ମୋତେ ଥରଟିଏ ବିଶ୍ୱାସ କର,

କଳାପାହାଡ଼ ଆଉ ଚେଙ୍ଗେଜ୍ ଖାଁମାନେ

ସବୁଦିନେ ଫେରିଯାଆନ୍ତି ଇତିହାସ ପୃଷ୍ଠାକୁ

ହିଟ୍‌ଲର କି ବୁଶ ପରି

ସଜା ପାଆନ୍ତି ସମୟର ସର୍ବଜାଣ ହାତରେ

ମହାଭାରତ ଯୁଦ୍ଧ ପରେ ଆସେ

ପୁଣି ସଭ୍ୟତା ଗଢ଼ିବାର ମାହେନ୍ଦ୍ରବେଳା

ଦେଖ ଶଙ୍ଖ ମଲ୍‍ମଲ ପ୍ରାସାଦରେ ତମ

ଗୋଟିଏ କୋଣରେ ଥିବା ଗମ୍‍ଲାର ମାଟିରେ

ଅଙ୍କୁରି ଉଠିଛି, ଅରାଏ ସାବ୍‍ଜା ମୁଥାଘାସ !

ଥରଟିଏ ଆଘ୍ରାଣ କର

ମୁଥାଘାସର ମୂଳରେ ଥିବା

ସେଇ ଟିକକ ସୁଗନ୍ଧ ହିଁ

ତମ ସାରା ଜୀବନର ନିର୍ଯ୍ୟାସ

ତେଣୁ ସାଇତିରଖ ସେଇତକ ଗୁମାନ

ସବୁ ଶ୍ରମ ସମୟ ଆଉ ସାଧନା ଦେଇ ।

ମନେରଖ

ସକାଳ ହେବାକୁ ଆଉ ଡେରି ନାହିଁ ।

 

ଗୀତା ଭବନ, ପଢୁଆଁପଦା, ବାଲେଶ୍ଵର-୧

***

 

ସକାଳର ଖରା କାଟେ ନାହିଁ

ସରୋଜ ବଳ

 

ସକାଳର ଖରା କାଟେ ନାହିଁ

କାଟିଲେ କାଟୁଥିବ ଜୀବନର ଖରା,

ଯା’ର ସକାଳ ନାହିଁ ।

 

କାକରରେ ଗାଧେଇ ଫେରୁଥାଏ ଏଇ ସକାଳ

କଉଣସି ନୂଆବୋହୁ ପରି

ଓଦା ବାଳରେ ପବନ ଘଷିହେଲା ବେଳେ

ଜୀବନ ଚୁପ୍ ଥାଏ ।

 

ମୁହଁ ଧୁଅ କି ନଧୁଅ, ଆଖି ଖୋଲିଲେ ହିଁ ସକାଳ

କିଚିରିମିଚିରି ଗୀତର ଓଠ ନେଇ

ଶାନ୍ତ ପବନ ହସୁଥାଏ ଓ ତଥାପି,

ଜୀବନ ଚପ୍ ଥାଏ ।

 

ସକାଳକୁ କଉଣସି ଛୋଟ ପିଲା ଭାବି

କୋଳ କରିବାକୁ ମନହୁଏ

ତା’ର ଲହୁଣି ଗାଲରେ ଗାଲ ଘଷି

ଓଦା କରିବାକୁ ଇଚ୍ଛା ହୁଏ ଲାଳରେ; ଯଦିଓ

ଗତରାତି ବିତିଥାଏ ବିରକ୍ତିର ଟଣାଓଟରାରେ ।

 

ଜୀବନକୁ ସକାଳ ପରି କରିବାକୁ

କେତେ ଚେଷ୍ଟା କରିଛି, ନଇଁପଡ଼ି

ଘାସ ବିଛେଇଛି ମାଟିରେ

ଫୁଲ ଖଂଜିଛି ସବୁଜ ଡାଳମାନଙ୍କରେ

ସାରା ରାତି ଅନିଦ୍ରା ରହି ଆକାଶରେ ତାରା ଆଉ ଜହ୍ନ

କେବେକେବେ ବର୍ଷା ପାଇଁ ନିରୀହ ବାଦଲ

କେବେ କଅଁଳ ଖରାର ଚଦର ପାରି ଚଟାଣରେ

ମୁଁ ସକାଳ ମାଗିଛି ଜୀବନକୁ ।

ଅଥଚ, ଜୀବନର ସକାଳ ବୋଲି କିଛି ନାହିଁ ।

ଥିଲେ ଥାଇପାରେ ସକାଳର କଷି ଖରା,

ଯାହା କେବେ କାଟେ ନାହିଁ ।

 

 

୪୬୯୬/୯୮ ଆଦିମାତା କଲୋନୀ

ଭୁବନେଶ୍ୱର – ୧୭

 

***

 

ଜୋତା

ଦୁର୍ଗା ପ୍ରସାଦ ପଣ୍ଡା

 

ମାଟି ସହ

ଯୋଡ଼ି ହେଇ ରହିବା

ହିଁ ମୋର ନିୟତି-

ଖାସ୍ ସେଥିପାଇଁ ତ ମୁଁ ଆପଣେଇନେଇଛି

ଏ ଧୂଳିଧୂସରିତ ମାଟିଗୋଡ଼ି, ତେଢ଼ାପଥର

ଅନାବନା ଜଙ୍ଗଲ, ଗ୍ରୀଷ୍ମରେ ଡହକୁଥିବା ପିଚୁ,

ଖାଲଖମା, ପଚ୍‍ପଚ୍ କାଦୁଅ, ମୁନିଆଁକଣ୍ଟା

ଆଉ ପୋଚକାପାଣିର ଭାଗ୍ୟକୁ ।

 

ମୁଁ ତ ପେଷି ହେଉଥାଏ ଅହରହ

ମାଟି ଆଉ ମଣିଷର ସମ୍ପର୍କ ମଝିରେ;

କିନ୍ତୁ ସେଥିପାଇଁ ମୋର ଦୁଃଖନାହିଁ ତିଳେ ହେଲେ ।

ମୁଁ ଜାଣି ସାରିଥାଏ ଚାଲୁଥିବାଯାଏ ହିଁ ଜୀବନ

ପହଞ୍ଚିଗଲେ ମୃତ୍ୟୁ ।

 

ଆକାଶର ପ୍ରଶସ୍ତ ଛାତିଉପରେ ପଡ଼ୁଥିବା ମୁକ୍ତ

ଉଡ଼ାଣଖୋର ପକ୍ଷୀଙ୍କୁ ଦେଖି

ବେଳେବେଳେ ମୋର ଈର୍ଷା ହୁଏ,

ମାତ୍ର ପରମୁହୂର୍ତ୍ତରେ ଏଇଆ ଭାବି

ଆଶ୍ୱସ୍ତ ହୁଏ ଯେ ମାଟିସହ ଯୋଡ଼ିହେଇ ରହିଲେ

ଅନ୍ତତଃ ତଳେ ପଡ଼ିଯିବାର ଭୟ ନଥାଏ।

 

 

ଜଗନ୍ନାଥ କଲୋନୀ, ବୁଢ଼ାରଜା

ସମ୍ବଲପୁର – ୭୬୮୦୦୪

 

 

***